Unknown

 

 

 

 

 

 

 

 

 

 

 

ଚଳନ୍ତି କାହାଣୀ

 

ସୂଚିପତ୍ର

 

୧.

ରେବତୀ

ଫକୀରମୋହନ ସେନାପତି

୨.

ବୁଢ଼ା ଶଙ୍ଖାରି

ଲକ୍ଷ୍ମୀକାନ୍ତ ମହାପାତ୍ର

୩.

ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ

ଗୋଦାବରୀଶ ମହାପାତ୍ର

୪.

ତାଳବରଡ଼ା

ଅନନ୍ତପ୍ରସାଦ ପଣ୍ଡା

୫.

ପାଗଳଗାରଦର କାହାଣୀ

ସୁରେନ୍ଦ୍ର ମହାନ୍ତି

୬.

ହୋଲି

ବାମାଚାରଣ ମିତ୍ର

୭.

ଡିମିରିଫୁଲ

ଅଖିଳମୋହନ ପଟ୍ଟନାୟକ

୮.

ମୂକ

ରାଜକିଶୋର ପଟ୍ଟନାୟକ

୯.

ମ୍ଳେଚ୍ଛ ନିଧନ

ରାଜକିଶୋର ରାୟ

୧୦.

ମୁଁ ପାରିବି

କିଶୋରୀଚରଣ ଦାସ

୧୧.

ବିଲେଇ

ନିମାଇଁ ପଟ୍ଟନାୟକ

୧୨.

ହାତ

ସଚ୍ଚି ରାଉତରାୟ

୧୩.

ରବିବାସରୀୟ ସଙ୍ଗୀତ

ମନୋଜ ଦାସ

୧୪.

ମନମତ୍ତ ଦୁହାଁଳ ଗାଈ

ମହାପାତ୍ର ନୀଳମଣି ସାହୁ

୧୫.

ହୃଦ କୋଲପ

ଶାନ୍ତନୁକୁମାର ଆଚାର୍ଯ୍ୟ

Image

 

ଉପୋଦଘାତ

 

କାନ ବାଟେ କଥା ଚାଲେ :

 

ଗଳ୍ପ ଶୁଣିବା ନିମିତ୍ତ ଆଗ୍ରହ ମନୁଷ୍ୟର ଏକ ସହଜାତ ପ୍ରବୃତ୍ତି । ଚପଳମତି ଶିଶୁଠାରୁ ଆରମ୍ଭ କରି ରାଜାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରବୃତ୍ତିର ଅଧୀନ । ଏହି ପ୍ରବୃତ୍ତିର ତାଡ଼ନା ଗଳ୍ପ ସୃଷ୍ଟିପାଇଁ ଯୁଗଯୁଗ ଧରି ସ୍ରଷ୍ଟାକୁ ପ୍ରେରଣା ଦେଇଛି, ପ୍ରଚୋଦିତ କରିଛି । ଅନ୍ୟ ପକ୍ଷରେ, ମହାସମୁଦ୍ରର ମୁହୂର୍ତ୍ତ ମୁହୂର୍ତ୍ତକର ଛାଇ ଭଳି ମନୁଷ୍ୟର ମନ-ସମୁଦ୍ରରେ ଯେଉଁ ଭାବରାଜିର ତରଙ୍ଗ ଉଠେ, ତାହାକୁ ଅପର ଆଗରେ ବ୍ୟକ୍ତ କରିବାର ବ୍ୟାକୁଳତା ପ୍ରକାଶ ପାଇବା ପ୍ରତ୍ୟେକ ମନୁଷ୍ୟ ପକ୍ଷେ ସ୍ଵାଭାବିକ । ମନୁଷ୍ୟ ନିଜର ବ୍ୟକ୍ତିଗତ ଅନୁଭୂତିକୁ ଅନ୍ୟ ଆଗରେ ପ୍ରକାଶ କରି ଅପର ବ୍ୟକ୍ତିଠାରୁ ସହାନୁଭୂତି ଓ ସମବେଦନା ପାଇବାରେ ଆଗ୍ରହୀ । ଶ୍ରୋତାର ଶୁଣିବାର ଆଗ୍ରହ ଓ ଅନୁଭୂତି-ପ୍ରବୀଣର କହିବାର ବ୍ୟଗ୍ରତାରୁହିଁ ଗଳ୍ପର ସୃଷ୍ଟି ।

 

କ’ଣ ହେଲା କେଜାଣି, ରାଜଜେମାଙ୍କ ଆଖିକୁ ନିଦ ଆସୁନାହିଁ । ରାଜ୍ୟସାରା ଡେଙ୍ଗୁରା ଦିଆଗଲା–ଯେ ଗଳ୍ପ କହି ରାଜଜେମାଙ୍କୁ ଶୁଆଇ ଦେବ, ସେ ରାଜ୍ୟରୁ ଅଧେ ପାଇବ ଏବଂ… । ରାଜଜେମା ଗଳ୍ପ ଶୁଣିବେ ।

 

ରାଜାଙ୍କୁ (ସେ କେଉଁ ଦେଶର ରାଜା ?) କେଜାଣି କାହିଁକି କିଛି ଭଲ ଲାଗୁନାହିଁ । ରାଜା ଗଳ୍ପ ଶୁଣିବେ । ଗଳ୍ପ ଏମିତି ହୋଇଥିବ, ଯେତେ କହିଲେବି ଶେଷ ହେବ ନାହିଁ ।

 

ମାଆ ରନ୍ଧନଶାଳାରେ ବ୍ୟସ୍ତ । ଚପଳମତି ଶିଶୁଙ୍କୁ ଭୁଲାଇ ରଖିବାକୁ ହେବ । ଶିଶୁମାନେ ଗଳ୍ପ ଶୁଣିବେ । କିମ୍ଭୂତକିମାକାର ଗଳ୍ପ, ଅଗନାଅଗନି ବନସ୍ତ । ପତ୍ରଟିଏ ପଡ଼ିଲେ କୁଲାଟିଏପରି ଶୁଭେ...

 

ଦୈନନ୍ଦିନ ଜୀବନର କର୍ମ-କୋଳାହଳମୟ ପରିବେଶ ମଧ୍ୟରୁ ଅବ୍ୟାହତି ପାଇ କେହି କ୍ଳାନ୍ତ ଅପନୋଦନ କରୁଛି । ଚିତ୍ତବିନୋଦନ ପାଇଁ ସେ ଗଳ୍ପ ଶୁଣିବ ।

 

ଦୂର ପଥ ଯିବାକୁ ଅଛି । ପଥ ସରୁନାହିଁ । ପଥ କ୍ଳାନ୍ତି ଭୁଲିବାକୁ ହେବ । ସାଆନ୍ତେ ଗଳ୍ପ କହିବେ, ଅବୋଲକରା ଗଳ୍ପ ଶୁଣିବ ।

 

ସମସ୍ତେ ଗଳ୍ପ ଶୁଣିବେ–ଆଈ, ମା’ବୁଢ଼ୀଙ୍କର କାହାଣୀ ପେଡ଼ି ଫିଟିବ । ଗଳ୍ପସାଗରବି କଥନିକା ଆରମ୍ଭ କରିବ । କହିବା ଲୋକ ପଚାରିବ–ସୁଖ କହିବି କି ଦୁଃଖ କହିବି, ନା ଅଙ୍ଗେ ନିଭେଇଲା କଥା କହିବି ? ସମସ୍ତେ କହିବେ–ଅଙ୍ଗେ ନିଭାଇଲା କଥା କହ ।

 

ଅଙ୍ଗେ ନିଭେଇଲା କଥା କୁହା ହୁଏ । କିନ୍ତୁ ସେ କାହାର ଅଙ୍ଗେ ନିଭାଇଲା କଥା ତା’ କିଏ ଜାଣେ ?

 

ବିଭିନ୍ନ ସମୟରେ ବିଭିନ୍ନ ସ୍ଥଳରୁ ଯେଉଁ ଗଳ୍ପଗୁଡ଼ିକ ଶୁଣିବାକୁ ମିଳେ, ସେମାନଙ୍କର ରଚୟିତା ଅଜ୍ଞାତ । କେବେ, କେଉଁ ସମୟରେ, କେଉଁ ପରିସ୍ଥିତିରେ କେଉଁ ଗଳ୍ପଟି କିପରି ରୂପ ପାଇଥିଲା, ତାହା ଜାଣିବା ସମ୍ଭବପର ନୁହେଁ । କେବଳ କାନ ବାଟେ କଥା ଚାଲିଛି । ଲୋକମୁଖରେ, ଲୋକ ସ୍ମୃତିରେ ଗଳ୍ପଗୁଡ଼ିକ ଏପର୍ଯ୍ୟନ୍ତ ବଞ୍ଚି ରହିଛି । କଥକର କଥନ ଭଙ୍ଗୀରେ ଏ ଗଳ୍ପଗୁଡ଼ିକ ଜୀବନ୍ୟାସ ପାଏ ଓ ଶୁଣିବା ଲୋକର ଆଗ୍ରହରେ ମୂର୍ତ୍ତ ହୁଏ ।

 

ଗଳ୍ପର ଐତିହ୍ୟ :

 

ମନୁଷ୍ୟ ସଭ୍ୟତାର ଅଭ୍ୟୁଦୟ କାଳରୁ ଗଳ୍ପଗୁଡ଼ିକର ଅଭ୍ୟୁଦୟ ହେବା କିଛି ବିଚିତ୍ର ନୁହେଁ । ବେଦରେ ଥିବା ଉପାଖ୍ୟାନମାନ ଏହି ଗଳ୍ପର ପ୍ରାଚୀନ ରୂପ । ରୂପକଥା, ପଶୁପକ୍ଷୀ ସମ୍ବନ୍ଧୀୟ କଥା, ନୀତିମୂଳକ କଥା ପ୍ରଚଳିତ ଗଳ୍ପର ଆଦ୍ୟ ରୂପ ।

 

ଓଡ଼ିଆରେ ବୁଢ଼ୀ ଅସୁରୁଣୀ କଥା, କଲରେଇ ଫୁଲ କଥା, ଦି’ ସଙ୍ଗାତ କଥା, ଚକୁଳିଆ ପଣ୍ଡା କଥା ପ୍ରଭୃତି ବହୁ ରୂପକଥା ପ୍ରଚଳିତ ଅଛି । ରୂପକଥାର ନାୟକନାୟିକାଙ୍କର କୌଣସି ପରିଚୟ ନାହିଁ । କେବଳ ସେମାନେ ଗୋଟିଏ ଶ୍ରେଣୀର ପ୍ରତିନିଧିତ୍ଵ କରନ୍ତି । କଥା ସରିତ ସାଗର, ବେତାଳ ପଞ୍ଚବିଂଶତି କଥା, ବତ୍ରିଶ ସିଂହାସନ କଥା ଓ ଆରବ୍ୟ ଉପନ୍ୟାସର ଅନେକ କାହାଣୀ ମଧ୍ୟରେ ରୂପକଥାର ପରିଚୟ ମିଳେ ।

 

ରୂପକ ଗଳ୍ପ ବା ପଶୁପକ୍ଷୀ ସଂକ୍ରାନ୍ତୀୟ ଗଳ୍ପ କହି ଚପଳମତି ବାଳକ ବାଳିକାଙ୍କ ମନରେ ଆନନ୍ଦ ଦେବା ଓ ସମୟେ ସମୟେ ନୀତି ଉପଦେଶ ଦେବା ଏହାର ରଚୟିତାର ଉଦ୍ଦେଶ୍ୟ-। ଏ ଶ୍ରେଣୀର ଗଳ୍ପଗୁଡ଼ିକର ଚରିତ୍ର ପଶୁପକ୍ଷୀ ପ୍ରଭୃତିଙ୍କର ମାନବୀୟ ଆଚରଣ ଓ ମାନବୀୟ ପ୍ରକୃତି ଲକ୍ଷ୍ୟ କରାଯାଏ । ପଶୁପକ୍ଷୀ ଚରିତ୍ର ଉପରେ ଆଧାରିତ ଏହି ଗଳ୍ପଗୁଡ଼ିକ ବାସ୍ତବ ଜୀବନର ଯେ ଏକ ଏକ ଜ୍ଞାତବ୍ୟ ଅନୁଭୂତି, ଏଥିରେ ସନ୍ଦେହ ନାହିଁ । ପାଶ୍ଚାତ୍ୟ ଦେଶର ଇପପ୍‍ଙ୍କ ଗଳ୍ପଗୁଡ଼ିକ ରୂପକ ଗଳ୍ପ ପର୍ଯ୍ୟାୟଭୁକ୍ତ ।

 

ନୀତିମୂଳକ ଗଳ୍ପଗୁଡ଼ିକ ଚରିତ୍ର ଓ କଥାବସ୍ତୁରେ ରୂପକଗଳ୍ପଠାରୁ ଭିନ୍ନ । ସାମାଜିକ ଜୀବନରେ ମନୁଷ୍ୟର ରୀତିନୀତି ଆଚାର ବ୍ୟବହାରକୁ ଶୃଙ୍ଖଳିତ ଓ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ହୁଏତ ଏ ଶ୍ରେଣୀର ଗଳ୍ପଗୁଡ଼ିକ ରଚିତ ହୋଇଥିଲା । ସଂସ୍କୃତ ସାହିତ୍ୟର ପଞ୍ଚତନ୍ତ୍ର ଓ ହିତୋପଦେଶ ନୀତିମୂଳକ ଗଳ୍ପର ଭଣ୍ଡାର । ବୌଦ୍ଧଜାତକ ଗଳ୍ପଗୁଡ଼ିକ ମଧ୍ୟ ଅନେକ ସମୟରେ ନୀତିମୂଳକ ଓ ଶିକ୍ଷଣୀୟ ।

 

ପ୍ରାଚୀନ କଥା-ସାହିତ୍ୟରେ କାହାଣୀର ସ୍ଥାନ ଯଥେଷ୍ଟ ଉଚ୍ଚରେ । କାହାଣୀକୁ ଏ ଯୁଗର କ୍ଷୁଦ୍ରଗଳ୍ପର ପୂର୍ବବର୍ତ୍ତୀ ରୂପ ହିସାବରେ ଗ୍ରହଣ କରାଯାଇପାରେ । ମଣିଷର ସାମାଜିକ ଜୀବନର ନାନା ସମସ୍ୟା, ନାନା ଘାତ ପ୍ରତିଘାତର କାହାଣୀ ବର୍ଣ୍ଣନା ରୀତିରେ ଏଥିରେ ରୂପ ପାଇଥାଏ । ସେଥିପାଇଁ ଏହାର ଗତି ମନ୍ଥର ଅଥଚ ସୁଖପାଠ୍ୟ ଓ ଉପଭୋଗ୍ୟ । ଅଳୀକ କଳ୍ପନା ପ୍ରସୂତ କୌତୁକପ୍ରଦ ଘଟଣାର ବିନ୍ୟାସରେ ଏହାର କଳେବର ପୃଷ୍ଟ ହୋଇଥିଲେ ମଧ୍ୟ ଏଗୁଡ଼ିକର ସାମାଜିକ ମୂଲ୍ୟ ଲକ୍ଷଣୀୟ । ବ୍ରଜନାଥ ବଡ଼ଜେନାଙ୍କର ଚତୁର ବିନୋଦ ଏହି ପର୍ଯ୍ୟୟର ରଚନା ।

 

କ୍ଷୁଦ୍ରଗଳ୍ପର ସ୍ଵରୂପ ଓ ଗଠନ ରୀତି :

 

ଅନୁଭୂତିପୂର୍ଣ୍ଣ ମାନବଜୀବନର ସୁଖ ଦୁଃଖ, ଆନନ୍ଦ ନିରାନନ୍ଦମୟ ବିଭିନ୍ନ ମୁହୂର୍ତ୍ତର, ବିବିଧ ପର୍ଯ୍ୟାୟର ଘଟଣାମାନଙ୍କର ସୁସଂଯତ, ରୁଚିଶୀଳ ପ୍ରକାଶହିଁ କ୍ଷୁଦ୍ରଗଳ୍ପ । ନାମକରଣରୁ ସହଜରେ ବୁଝିହୁଏ ଯେ ଏହା ଆକାରରେ କ୍ଷୁଦ୍ର । କ୍ଷୁଦ୍ରଗଳ୍ପ ଆକାରରେ ଯେପରି କ୍ଷୁଦ୍ର ଆବେଦନରେ ସେହିଭଳି ଶକ୍ତିଶାଳୀ । ଯେପରି ସାଧାରଣ ବର୍ଷାରେ ପାହାଡ଼ିଆ ନାଳରେ ସ୍ରୋତ ଏପରି ପ୍ରଖର ହୁଏ ଯେ ସହଜରେ ଅତିକ୍ରମ କରିହୁଏ ନାହିଁ, ଅଥଚ ସେ ସ୍ରୋତର ସ୍ଥିତି ଅଳ୍ପକ୍ଷଣ ନିମିତ୍ତ; ସେହିପରି କ୍ଷୁଦ୍ରଗଳ୍ପ ଏକ କ୍ଷୁଦ୍ର, ସୀମିତ ପରିସର ମଧ୍ୟରେ ଜୀବନର ବିବିଧ ଅନୁଭୂତିକୁ ଶକ୍ତିଶାଳୀ ଭାବରେ ଉପସ୍ଥାପିତ କରିଥାଏ । କ୍ଷୁଦ୍ରଗଳ୍ପର ଦୀର୍ଘତା ସମ୍ପର୍କରେ ସେପରି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଏହାକୁ କେବଳ ଏକ ସମୟ ସୀମା ମଧ୍ୟରେ ସୀମିତ କରାଯାଇଛି । ଏଡ଼୍‍ଗାର ଆଲାନ୍ ପୋଙ୍କ ମତରେ କ୍ଷୁଦ୍ରଗଳ୍ପ ପାଠ କଲେ ପ୍ରାୟ ଅଧଘଣ୍ଟାକଠାରୁ ଘଣ୍ଟାଏ ବା ଦୁଇଘଣ୍ଟା ମଧ୍ୟରେ ଶେଷ ହେବା କଥା । ଆଜିକାଲି ଏହି ସମୟ ସୀମାକୁ ଯଥେଷ୍ଟ ହ୍ରାସ କରାଯାଇଛି । ଏ ଯୁଗର କୌଣସି ସାର୍ଥକ କ୍ଷୁଦ୍ରଗଳ୍ପ ପାଠ କରିବାକୁ ପନ୍ଦର ମିନିଟରୁ ଅଧିକ ସମୟ ଲାଗେନାହିଁ ।

 

ଅତର୍କିତ ଆରମ୍ଭ ଓ ଆକସ୍ମିକ ପରିସମାପ୍ତି କ୍ଷୁଦ୍ରଗଳ୍ପକୁ ପୂର୍ବପ୍ରଚଳିତ କାହାଣୀ ଅପେକ୍ଷା ଅଧିକ ଆବେଦନଶୀଳ କରିଛି । ସାଧାରଣତଃ କ୍ଷୁଦ୍ରଗଳ୍ପର ଦୁଇଗୋଟି ରୂପ ଥାଏ । ଗୋଟିଏ ଅନ୍ତରଙ୍ଗ ରୂପ ଓ ଅପରଟି ବହିଃରଙ୍ଗ ରୂପ । ବହିଃରଙ୍ଗ ରୂପ କହିଲେ କ୍ଷୁଦ୍ରଗଳ୍ପର ଆକୃତି ଓ ଗଠନ ବୁଝିବାକୁ ହୁଏ ଏବଂ ତାହାର ଅନ୍ତରଙ୍ଗ ରୂପଟି ହେଉଛି ଗଳ୍ପର ମୂଳ ଲକ୍ଷ୍ୟ ଓ ତଜ୍ଜନିତ ରସ ପରିଣାମ ବହିଃରଙ୍ଗ ରୂପକୁ ଆରମ୍ଭ, ଅଭିବୃଦ୍ଧି, ଶୀର୍ଷାରୋହଣ, ଗ୍ରନ୍ଥିମୋଚନ ଓ ପରିଣତି ଏହିପରି ପାଞ୍ଚଭାଗରେ ବିଭକ୍ତ କରାଯାଇପାରେ । କ୍ଷୁଦ୍ରଗଳ୍ପ ଆକସ୍ମିକ ଭାବରେ ଆରମ୍ଭ ହୋଇ ପାଠକ ମନରେ ଆଗ୍ରହ ସୃଷ୍ଟି କରେ । ନାନା ଦ୍ଵନ୍ଦ୍ୱ, ସଂଘର୍ଷ ଓ ସଂଘାତ ମଧ୍ୟରେ ଏହାର ଅଭିବୃଦ୍ଧି ସାଧିତ ହୁଏ । କ୍ଷୁଦ୍ରଗଳ୍ପରେ ଗୋଟିଏ ନିର୍ଦ୍ଦିଷ୍ଟ ସମସ୍ୟା ଉତ୍ଥାପିତ ହୋଇଥାଏ । ସମସ୍ୟାଜନିତ ଦ୍ଵନ୍ଦ୍ୱ ବା ସଂଘାତ ବା ଆଗ୍ରହ ବା ବ୍ୟଗ୍ରତା ଯେଉଁଠାରେ ତୁଙ୍ଗିମାରେ ଉପନୀତ ହୁଏ, ତାହାକୁ ଶୀର୍ଷାରୋହଣ ବା ଚରମ ମୁହୂର୍ତ୍ତ କୁହାଯାଏ । ପାଠକ ଚିତ୍ତର ସକଳ ବର୍ଦ୍ଧିଷ୍ଣୁ ଆବେଗ ଏହି ମୁହୂର୍ତ୍ତରେହିଁ ଚୂଡ଼ାନ୍ତ ରୂପ ପାଏ । ଏହି ଚରମମୁହୂର୍ତ୍ତ (climax) ପରେ ଗଳ୍ପକାରଙ୍କର ପ୍ରକାଶିତବ୍ୟ ମର୍ମବାଣୀ ବା ମୂଳ ବକ୍ତବ୍ୟ ସଂଶୟଚ୍ଛାନ୍ନ ପରିବେଶ ପରିତ୍ୟାଗ କରି ସ୍ପଷ୍ଟୀଭୂତ ହୁଏ । ଏହିଠାରେ ମୂଳ ଭାବର ଗ୍ରନ୍ଥିମୋଚନ ଘଟେ ଏବଂ ତତ୍ପରେ ଘଟନାବଳିର ଅବଶ୍ୟମ୍ଭାବୀ ପରିଣତି ଘଟେ । ଅବଶ୍ୟ ଆଧୁନିକ କ୍ଷୁଦ୍ରଗଳ୍ପମାନଙ୍କରେ ଚରମମୁହୂର୍ତ୍ତରେହିଁ ଗଳ୍ପର ପରିସମାପ୍ତି କରାଯାଉଛି । ଏପରି ପରିଣତି ଅଧିକ କଳାସାପେକ୍ଷ ।

 

ଗଳ୍ପର ଏହି ଆଙ୍ଗିକ ରୂପ ବିଭବ ଏକ ସୁନିର୍ବାଚିତ କଥାବସ୍ତୁକୁ ଅବଲମ୍ବନ କରିଥାଏ । କଥାବସ୍ତୁ ସେହିପରି କେତେକ ସୁନିର୍ବାଚିତ ଘଟନାବଳି ସଂଯୋଜନରେ ଗଢ଼ିଉଠେ । ଘଟନାବଳିର ସୁସଂଯତ ଓ ସୁସଂହତ ପ୍ରକାଶ ନହେଲେ ଗଳ୍ପର ରସମୟତା ବ୍ୟାହତ ହୁଏ । କଥାବସ୍ତୁ ଓ ଘଟନାବଳି ଏକ ନିର୍ଦ୍ଦିଷ୍ଟ ଚରିତ୍ରକୁ କେନ୍ଦ୍ରକରି ଅଗ୍ରଗତି ଲାଭ କରନ୍ତି । ଚରିତ୍ରର ଚାରିତ୍ରିକ ସ୍ଵାତନ୍ତ୍ର୍ୟ, ବିଶିଷ୍ଟ ମାନସିକ ଅବସ୍ଥା ଓ କ୍ରିୟାକଳାପ ମାଧ୍ୟମରେ ଗଳ୍ପକାରଙ୍କର ମୂଳବକ୍ତବ୍ୟ ବା କଥିତବ୍ୟ ମର୍ମବାଣୀ ଅଭିବ୍ୟକ୍ତ ହୁଏ । ତେଣୁ କ୍ଷୁଦ୍ରଗଳ୍ପରେ ଏକାଧିକ ଚରିତ୍ର ଗ୍ରହଣର ଆବଶ୍ୟକତା ନାହିଁ । ତେବେ ସ୍ଥଳବିଶେଷରେ ପ୍ରାସଙ୍ଗିକଭାବେ ସହାୟକ ଚରିତ୍ର ଗ୍ରହଣ କରାଯାଇପାରେ । ସେପରି ସ୍ଥଳେ ଉକ୍ତ ଗୌଣ ଚରିତ୍ର ନିତାନ୍ତ ଅପ୍ରଧାନ ଚରିତ୍ରରୂପେ ଗଳ୍ପରେ ସ୍ଥାନ ପାଇବା ଉଚିତ ।

 

କ୍ଷୁଦ୍ରଗଳ୍ପର ଭାଷାଶିଳ୍ପ ସ୍ଵତନ୍ତ୍ର ରୁଚିବୋଧର ଅପେକ୍ଷା ରଖେ । ଭାଷା ସରଳ, ବାସ୍ତବଧର୍ମୀ ଓ ପାତ୍ରମୁଖୋଚିତ ହେବା ସ୍ଵାଭାବିକ । ଗଳ୍ପ ଅନୁଯାୟୀ ବ୍ୟଞ୍ଜନା ଧର୍ମୀ, ପ୍ରତିକାତ୍ମକ ବା ବ୍ୟଙ୍ଗଧର୍ମୀ ଭାଷାର ବ୍ୟବହାର ମଧ୍ୟ ଆବେଦନଶୀଳ ହୁଏ । ଭାଷାର ବର୍ଣ୍ଣନାଧର୍ମିତା ଗଳ୍ପପକ୍ଷେ ଶୋଭନୀୟ ନୁହେଁ । କାରଣ ତଦ୍ଦ୍ୱାରା ଗଳ୍ପର ଗତି ମନ୍ଦୀଭୂତ ହେବାର ଆଶଙ୍କା । ଗଳ୍ପର ପ୍ରତ୍ୟେକ ପଂକ୍ତି, ପ୍ରତ୍ୟେକ ଶବ୍ଦ କ୍ଷୁଦ୍ରଗଳ୍ପର ମୂଳଲକ୍ଷ୍ୟ ସାଧନ ପ୍ରତି ସଚେତନ ରହି ଯୌକ୍ତିକ ପରିଣତି ଆଡ଼କୁ ପ୍ରଧାବିତ ହେବା ବିଧେୟ । ଅନାବଶ୍ୟକ ଶବ୍ଦାବଳୀ ଶ୍ରୁତିମଧୁର ଓ ଲୋଭନୀୟ ହୋଇଥିଲେ ମଧ୍ୟ ଗଳ୍ପର ରସାବେଗକୁ ବ୍ୟାହତ କରୁଥିବାରୁ ସର୍ବଦା ପରିତ୍ୟାଜ୍ୟ ।

କ୍ଷୁଦ୍ର ଶୀର୍ଷକ ଗଳ୍ପକ୍ଷେତ୍ରରେ ଅଧିକ ସ୍ଵାଗତଯୋଗ୍ୟ । ଶୀର୍ଷକ ସୂଚନାତ୍ମକ, ବ୍ୟଞ୍ଜନାଧର୍ମୀ ଓ ପ୍ରଭାବଶାଳୀ ହେବା ବାଞ୍ଛନୀୟ । ଅବଶ୍ୟ ସମୟ ସମୟରେ ଦୀର୍ଘ ଶୀର୍ଷକର ବ୍ୟବହାର ମଧ୍ୟ ଲକ୍ଷ୍ୟ କରାଯାଉଛି ।

ଗଳ୍ପର ଅନ୍ତରଙ୍ଗ ମାଧୁରୀ ତାହାର ରସପ୍ରବାହଜନିତ ପ୍ରଭାବଶୀଳତା ଉପରେ ନିର୍ଭର କରେ । ଏହି ପ୍ରଭାବଶୀଳତା ନିମିତ୍ତ ଚାରୋଟି ଐକ୍ୟ ନିର୍ଦ୍ଦେଶିତ । ଗଳ୍ପର ଐକାନ୍ତିକ ଲକ୍ଷ୍ୟ, ଉଦ୍ଦେଶ୍ୟ, କ୍ରିୟାଶୀଳତା ଓ ରସ ପରିଣାମଗତ । ଐକ୍ୟର ନିବିଡ଼ତା କ୍ଷୁଦ୍ରଗଳ୍ପର ମାନ ନିର୍ଦ୍ଧାରକ । କ୍ଷୁଦ୍ରଗଳ୍ପ ସର୍ବଦା ଚିନ୍ତନ ଓ ମନନର ଅପେକ୍ଷା ରଖେ । ତେଣୁ ପାଠକ ମନରେ ଦୃଢ଼ ପ୍ରଭାବପାତ କରିବାରେହିଁ ତାହାର ସାର୍ଥକତା । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟଜନିତ ରସ ପ୍ରବାହର ଏକମୁଖିନତା ଓ ନିର୍ଦ୍ଦିଷ୍ଟ ପ୍ରଭାବ ସୃଷ୍ଟି କ୍ଷୁଦ୍ରଗଳ୍ପକୁ ହୃଦୟସ୍ପର୍ଶୀ କରେ । ସେହି ହେତୁ ଗଳ୍ପଟି ପାଠ କରିବା ଆରମ୍ଭ କଲେ ଶେଷ ନ କରି ରହିହୁଏ ନାହିଁ । ଯେଉଁ କ୍ଷୁଦ୍ରଗଳ୍ପ ପ୍ରାରମ୍ଭରୁ ପରିସମାପ୍ତି ପର୍ଯ୍ୟନ୍ତ ପାଠକ ଚିତ୍ତକୁ ଦୃଢ଼ବଦ୍ଧ ଓ ଦ୍ରବୀଭୂତ କରି ରଖି ନ ପାରେ ତାହା ସାର୍ଥକ ଗଳ୍ପ ହୋଇ ନପାରେ । ଏହି ସବୁ ଦୃଷ୍ଟିରୁ ଯେକୌଣସି ଗଳ୍ପର ମୂଲ୍ୟାଙ୍କନ କରାଯାଇପାରେ ।

କ୍ଷୁଦ୍ରଗଳ୍ପର ଶ୍ରେଣୀ ବିଭାଗ :

ପ୍ରତ୍ୟେକ କ୍ଷୁଦ୍ରଗଳ୍ପ–(କ) ଗୋଟିଏ ସୁନିର୍ବାଚିତ କାହାଣୀ, (ଖ) ଗୋଟିଏ ନିର୍ଦ୍ଦିଷ୍ଟ ଚରିତ୍ରର କୌଣସି ଏକ ମାନସିକ ଅବସ୍ଥା ବା ମୁଡ଼୍, (ଗ) ଗୋଟିଏ ନିର୍ଦ୍ଦିଷ୍ଟ ଘଟଣା, (ଘ) ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତେଜନା, (ଙ) ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟ, (ତ) ଗୋଟିଏ ନିର୍ଦ୍ଦିଷ୍ଟ ସମସ୍ୟା ଓ (ଛ) ଗୋଟିଏ ନିର୍ଦ୍ଦିଷ୍ଟ ରସ ପ୍ରବାହକୁ ଉପଜୀବ୍ୟ କରି ସୁଗଠିତ ହୁଏ । ଗଳ୍ପକାର ଏହି ଉପାଦାନମାନଙ୍କ ମଧ୍ୟରୁ କୌଣସି ଏକ ନିର୍ଦ୍ଦିଷ୍ଟ ଉପାଦାନ ଉପରେ ଅଧିକ ଗୁରୁତ୍ଵ ଆରୋପ କରିଥାନ୍ତି । ଏଥିରୁ ଯେଉଁ ଉପାଦାନ ଉପରେ ଲେଖକ ସ୍ପଷ୍ଟ ଆଲୋକପାତ କରନ୍ତି ସେହି ଉପାଦାନଟି ସ୍ପଷ୍ଟୀଭୂତ ହୁଏ ଏବଂ ତଦନୁଯାୟୀ ଗଳ୍ପକୁ ସେହି ଶ୍ରେଣୀଭୁକ୍ତ କରାଯାଏ । ଅନ୍ୟ ଉପାଦାନଗୁଡ଼ିକ ସେତେବେଳେ ମ୍ଳାନାଲୋକରେ ରହୁଥିବାରୁ ଅପ୍ରଧାନ ଅଟନ୍ତି । ଏହି ବିଚାରରେ ନିମ୍ନପ୍ରକାରେ ଗଳ୍ପର ଶ୍ରେଣୀ ବିଭାଗ କରାଯାଇପାରେ–

 

(କ) କାହାଣୀମୂଳକ ଗଳ୍ପ

 

(ଖ) ଚରିତ୍ରପ୍ରଧାନ ଗଳ୍ପ

 

(ଗ) ଘଟଣାପ୍ରଧାନ ଗଳ୍ପ

 

(ଘ) ଉତ୍ତେଜନାମୂଳକ ଗଳ୍ପ

 

(ଙ) କ୍ରିୟାଶୀଳ ଗଳ୍ପ

 

(ଚ) ସମସ୍ୟାମୂଳକ ଗଳ୍ପ

 

(ଛ ) ପ୍ରଭାବମୂଳକ ଗଳ୍ପ

 

ମନୋବୈଜ୍ଞାନିକ ଓ ଯୌନଚେତନାମୂଳକ ଗଳ୍ପ ଚଳନ୍ତି ଯୁଗର ବିଶିଷ୍ଟ ଦାନ । ଏତଦ୍‍ବ୍ୟତୀତ ଗଳ୍ପର ଶୈଳୀ ବିଚାରରେ ମଧ୍ୟ ନିମ୍ନରୂପେ ତାହାର ବିଭାଗୀକରଣ କରାଯାଇପାରେ–

 

(ଜ) ହାସ୍ୟରସାତ୍ମକ ଗଳ୍ପ

 

(ଝ) ସାଙ୍କେତିକ ଗଳ୍ପ ବା ସୂଚନାଧର୍ମୀ ଗଳ୍ପ

 

(ଞ) ପ୍ରୟୋଗବାଦୀ ଗଳ୍ପ

 

ପୁନଶ୍ଚ, କ୍ଷୁଦ୍ରଗଳ୍ପଠାରୁ ଅଧିକ ହ୍ରସ୍ଵାୟତନବିଶିଷ୍ଟ ଅଥଚ ସମଆବେଦନଶୀଳ ଗଳ୍ପ ମଧ୍ୟ ରଚନା କରାଯାଇପାରେ; ଯଥା–

 

(ଟ) ଆଭାସ ଗଳ୍ପ

 

(ଠ) କୁନି ଗଳ୍ପ (ମିନି ଗଳ୍ପ) ।

 

ଚଳନ୍ତି ଗଳ୍ପର ପରମ୍ପରା :

 

ପ୍ରାଚୀନ କାହାଣୀର ନିର୍ମୋକ ପରିତ୍ୟାଗ କରି ଓଡ଼ିଆ କ୍ଷୁଦ୍ରଗଳ୍ପ ଊନବିଂଶ ଶତକର ଶେଷ ଓ ବିଂଶ ଶତକର ଆରମ୍ଭ କାଳରେ ନବଯୌବନ ଲାଭକଲା । କଥାଶିଳ୍ପୀ ଫକୀରମୋହନ ସେନାପତି ଏହି ନବଯୌବନ ଦାନକରି ସ୍ମରଣୀୟ ହୋଇ ରହିଛନ୍ତି । ଫକୀରମୋହନ ସମାଜ-ସଚେତନ ଶିଳ୍ପୀ । ସମାଜ ସଂସ୍କାର ପ୍ରୟାସ ତାଙ୍କ ଗଳ୍ପଗୁଡ଼ିକରେ ଫୁଟି ଉଠିଛି । ସେ ମୁଖ୍ୟତଃ ଜଣେ ଚରିତ୍ର ଚିତ୍ରକାର । ବ୍ୟଙ୍ଗଧର୍ମୀ ଶୈଳୀରେ ଚରିତ୍ରଗୁଡ଼ିକର ଚିତ୍ରଣହିଁ ତାଙ୍କ ରଚନାର ବିଶେଷତ୍ଵ । ତାଙ୍କର ପ୍ରଥମ ଗଳ୍ପ ରେବତୀ (୧୮୯୮) ସଫଳ ସୃଷ୍ଟି-ପ୍ରତିଭାରେ ବିମଣ୍ଡିତ । ନାରୀଶିକ୍ଷା ପ୍ରତି ତତ୍କାଳୀନ ସମାଜର ଲୋକମାନଙ୍କର ଯେଉଁ ଘୃଣ୍ୟ ମନୋଭାବ ଓ ସେ ବିଷୟରେ ଯେଉଁ ଅସମ୍ଭବ ଧାରଣା ଥିଲା, ତାହା ମୂଳରେ କୁଠାରାଘାତ କରିବା ଏ ଗଳ୍ପର ଉଦ୍ଦେଶ୍ୟ । ଏହିପରି ଅନେକ ଗଳ୍ପରେ ସେ ସାମାଜିକ କୁସଂସ୍କାର ଓ ଚାରିତ୍ରିକ ତ୍ରୁଟି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ତାଙ୍କର ସେହି ଗଳ୍ପଗୁଚ୍ଛ ‘ଗଳ୍ପସ୍ଵଳ୍ପ’ ପୁସ୍ତିକାରେ ସ୍ଥାନ ପାଇଛି ।

 

ଫକୀରମୋହନଙ୍କର ପରବର୍ତ୍ତୀ ଯୁଗରେ ଚନ୍ଦ୍ରଶେଖର, ବାଙ୍କନିଧି, ଚିନ୍ତାମଣି, ଦୟାନିଧି, ଦିବ୍ୟସିଂହ, ପଣ୍ଡିତ ଗୋଦାବରୀଶ ଓ ଲକ୍ଷ୍ମୀକାନ୍ତ ପ୍ରମୁଖ ଫକୀରମୋହନଙ୍କ ରଚନାରେ ପ୍ରଭାବିତ ହୋଇ ସମାଜ ଚେତନା ଓ ଜାତୀୟ ଚେତନାଧର୍ମୀ ଗଳ୍ପମାନ ରଚନା କରିଛନ୍ତି । ଏମାନଙ୍କ ମଧ୍ୟରୁ ଲକ୍ଷ୍ମୀକାନ୍ତ ମହାପାତ୍ର ନୂତନ ଭାବ ଓ ମନୋବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପ୍ରୟୋଗରେ ଅଗ୍ରଣୀ । ତାଙ୍କର ‘ବୁଢ଼ାଶଙ୍ଖାରି’ ଗଳ୍ପ ସେକାଳର ଏକ ବିସ୍ମୟକର ସୃଷ୍ଟି । ବାତ୍ସଲ୍ୟ ସ୍ନେହର ଅନ୍ତରାଳରେ ଶଙ୍ଖାରିବୁଢ଼ାର ଅବଚେତନର ଯୌନଲାଳସା ବୁଢ଼ାର ଅଜ୍ଞାତରେ କିପରି ପ୍ରଚ୍ଛନ୍ନଭାବେ ତିଷ୍ଠିଛି, ତାହା ସେ ଗଳ୍ପର ପ୍ରତିପାଦ୍ୟ ବିଷୟ । ସେ କାଳର ଗଳ୍ପକୃତିରେ ଏପରି ମନୋବିଶ୍ଳେଷଣ ଭଙ୍ଗୀ ଅନେକତ୍ର ଲକ୍ଷ୍ୟ କରାଯାଏ ।

 

ବିଂଶ ଶତାବ୍ଦୀର ତୃତୀୟ ଦଶକର ମଧ୍ୟଭାଗରୁ ଓଡ଼ିଶାର ସାମାଜିକ ଓ ରାଜନୈତକ ଜୀବନରେ ଏକ ନବ ଜାଗରଣ ଦେଖାଦେଲା । ଶୋଷଣ ଓ ପୁଞ୍ଜିବାଦ ବିରୁଦ୍ଧରେ କ୍ରମେ ପ୍ରତିକ୍ରିୟା ପ୍ରକାଶ ପାଇଲା । ଫଳରେ ସେ ସବୁ ଗଳ୍ପର ବିଷୟ ହୋଇପଡ଼ିଲା । ତା’ ସହିତ ସାମ୍ୟବାଦୀ ଚିନ୍ତା ଓ ମାର୍କସୀୟ ଦର୍ଶନ ମଧ୍ୟ ଗାଳ୍ପିକର ଚେତନାକୁ ସ୍ପର୍ଶ କଲା; ଫଳରେ ମାନବବାଦୀ ଦୃଷ୍ଟିକୋଣର ବିକାଶ ମଧ୍ୟ ଲକ୍ଷିତ ହେଲା । ଏ ସବୁ ପରିପ୍ରେକ୍ଷୀରେ ଗୋଦାବରୀଶ ମହାପାତ୍ର, କାଳିନ୍ଦୀଚରଣ ପାଣିଗ୍ରାହୀ, ଭଗବତୀ ପାଣିଗ୍ରାହୀ, ହରିଶ୍ଚନ୍ଦ୍ର ବଡ଼ାଲ ପ୍ରମୁଖ ଗଳ୍ପରଚନା କରିଛନ୍ତି । ଏ ଯୁଗର ଗଳ୍ପକାରମାନଙ୍କ ମଧ୍ୟରେ ଗୋଦାବରୀଶ ମହାପାତ୍ରଙ୍କୁ ନିଷ୍କକଙ୍କ ପ୍ରତିଭାର ଅଧିକାରୀ ବୋଲି କୁହାଯାଇପାରେ । କାରଣ ତାଙ୍କର ପ୍ରାୟ ପ୍ରତ୍ୟେକ ଗଳ୍ପ ଗଳ୍ପ-କଳା ଦୃଷ୍ଟିରୁ ଏକ ଏକ ସାର୍ଥକ ସୃଷ୍ଟି-। ପୁନଶ୍ଚ, ସମାଜର ପ୍ରତ୍ୟକ୍ଷ ଓ ବାସ୍ତବ ଛବି ଅଙ୍କନରେ ଏବଂ ମାନବୀୟ ହୃଦୟବତ୍ତାର ଚିତ୍ର ପ୍ରଦାନରେ ତାଙ୍କର ଗଳ୍ପ ସର୍ବାଧିକ ଆବେଦନଶୀଳ । ତାଙ୍କର ‘ମାଗୁଣିର ଶଗଡ଼, ‘ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ’ ତାହାର ଉଦାହରଣ । ତାଙ୍କର ଅଧିକାଂଶ ଗଳ୍ପରେ, ଉଦାହରଣତଃ, ଏହି ଶେଷୋକ୍ତ ଗଳ୍ପରେ ମଧ୍ୟ ଓଡ଼ିଶାର ଜାତୀୟ ଚରିତ୍ରଗତ ସମ୍ବେଦନଶୀଳ ଉଦାର ମାନବିକତା କିପରି ଓଡ଼ିଆ ହୃଦୟରେ ସୁପ୍ତ ଭାବରେ ରହିଛି ତାହା ସେ ଦର୍ଶାଇଛନ୍ତି । ଚରିତ୍ରମାନଙ୍କର ଅନ୍ତର୍ଦ୍ଵନ୍ଦ୍ୱ ପ୍ରକାଶ ତାଙ୍କର ଏହି ଗଳ୍ପର ଅନ୍ୟତମ ଲକ୍ଷଣ ।

 

ପରବର୍ତ୍ତୀ କାଳରେ ରାଜକିଶୋର ପଟ୍ଟନାୟକ, ରାଜକିଶୋର ରାୟ, ନିତ୍ୟାନନ୍ଦ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରାୟ, ଗୋପୀନାଥ ମହାନ୍ତି ଓ ଅନନ୍ତପ୍ରସାଦ ପଣ୍ଡା ପ୍ରଭୃତି ଗଳ୍ପରେ ନୂତନତା ପ୍ରକଟିତ କରିଛନ୍ତି । ରାଜକିଶୋର ପଟ୍ଟନାୟକଙ୍କ ଗଳ୍ପରେ ଚରିତ୍ର ଚିତ୍ରଣରେ ମନୋବିଶ୍ଳେଷଣ ଭଙ୍ଗୀ ପ୍ରଶଂସନୀୟ । ଉଦାହରଣ ଛଳରେ ଭାବପ୍ରକାଶନ ତାଙ୍କ ପ୍ରକାଶଭଙ୍ଗୀର ବୈଶିଷ୍ଟ୍ୟ । ମାନବ ଚରିତ୍ର ଅଧ୍ୟୟନରେ ସେ ଯେପରି ନିପୁଣ, ପଶୁ ଚରିତ୍ର ଅଧ୍ୟୟନରେ ମଧ୍ୟ ସେହିପରି ଦକ୍ଷ । ପଶୁ ମୂକ ହୋଇଥିଲେ ମଧ୍ୟ ତା’ର ଯେ ଅନୁଭବ କରିବାର, ଦୁଃଖ କଷ୍ଟ ଜାଣି ପାରିବାର ଶକ୍ତି ଅଛି, ତାହା ସେ ଅନୁଭବ କରିଛନ୍ତି । ତାଙ୍କର ‘ପଶୁ’, ‘ମୂକ’ ଓ ‘ସୁଲତାନ’ ଗଳ୍ପ ତାହାର ଉଦାହରଣ । ରାଜକିଶୋର ରାୟ ମୁଖ୍ୟତଃ ରୋମାଣ୍ଟିକ୍ ଭାବପ୍ରବଣଧର୍ମୀ । ଆଭିଜାତ୍ୟପୂର୍ଣ୍ଣ ଭାଷାରେ ମଣିଷ ହୃଦୟର ସୂକ୍ଷ୍ମ ଅଥଚ କୋମଳ ଅନୁଭୂତିଗୁଡ଼ିକୁ ସେ ଅନୁରାଗର ସହିତ ଚିତ୍ରଣ କରିଛନ୍ତି । ଏତଦ୍‌ବ୍ୟତୀତ ସାମାଜିକ ଚରିତ୍ରର ଦୋଷ ଦୁର୍ବଳତା ତାଙ୍କ ଲେଖନୀରେ ବଳିଷ୍ଠଭାବେ ରୂପ ପାଇଛି । ତାଙ୍କର ‘ମ୍ଳେଚ୍ଛ ନିଧନ’ ଗଳ୍ପ ସାମାଜିକ ଅନ୍ୟାୟ, ଅତ୍ୟାଚାର, ଅବିଚାର ବିରୁଦ୍ଧରେ ଆଜିର ସଶସ୍ତ୍ର ରକ୍ତାକ୍ତ ସଂଗ୍ରାମର ସୂଚନା ଦିଏ । ସଚ୍ଚିଦାନନ୍ଦ ରାଉତରାୟ କିନ୍ତୁ ଅଧିକ ସମାଜ ସଚେତନ । ସମାଜର କୁସଂସ୍କାର ଓ ଅନ୍ଧବିଶ୍ଵାସ ମଣିଷର ଦୁର୍ଗତିର ହେତୁ ଓ ପ୍ରତାରିତ ହେବାର କାରଣ–ଏହା ସେ ତାଙ୍କର ଅନେକ ଗଳ୍ପରେ ଫୁଟାଇଛନ୍ତି । ମାତ୍ର ସେହି ଅନ୍ଧବିଶ୍ଵାସ ଅନେକ ସମୟରେ ମଣିଷକୁ ପ୍ରାତ୍ୟହିକ ଜ୍ଵାଳା ଯନ୍ତ୍ରଣାକୁ ଭୁଲିଯିବାର ଯେ ଉପାୟ ଦର୍ଶାଏ ତାହା ସେ ପ୍ରମାଣ କରିଛନ୍ତି । ତାଙ୍କର ‘ହାତ’ ଗଳ୍ପ ତାହାର ପ୍ରକୃଷ୍ଟ ଉଦାହରଣ । ଏମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଗଳ୍ପକାର ଅନନ୍ତ ପ୍ରସାଦ ପଣ୍ଡା ସମାଜ ଅପେକ୍ଷା ଅଧିକ ବ୍ୟକ୍ତି ସଚେତନ । ବ୍ୟକ୍ତି ଓ ତାହାର ପରିବେଶଜନିତ ସମସ୍ୟାର ଚିତ୍ର ତାଙ୍କର ଗଳ୍ପଗୁଡ଼ିକ ଋଦ୍ଧିମନ୍ତ କରିଛି । ତାଙ୍କର ‘ଟାଇପ୍ ଫୋର’ ଓ ‘ତଳବରଡ଼ା’ ଗଳ୍ପ ଏକ ଏକ ଅବିସ୍ମରଣୀୟ ସୃଷ୍ଟି ।

 

ସ୍ଵାଧୀନତା ପ୍ରାପ୍ତିର ପରକାଳରେ ଓଡ଼ିଆ ଗଳ୍ପସାହିତ୍ୟ ପାଶ୍ଚାତ୍ୟ ଚିନ୍ତା-ପୁଷ୍ଟ ହେତୁ ବିଶେଷ ମନନଶୀଳ ହୋଇଛି । ଏ ଯୁଗର ଓଡ଼ିଆ ଗଳ୍ପର ନବ ଦିଗନ୍ତ ନୂତନ ବର୍ଣ୍ଣ ବିଭାରେ ଭାସ୍ଵର । ସୁରେନ୍ଦ୍ର ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, ପ୍ରାଣବନ୍ଧୁ କର, ବାମାଚରଣ ମିଶ୍ର, କିଶୋରୀଚରଣ ଦାସ, ମହାପାତ୍ର ନୀଳମଣି ସାହୁ, ଅଖିଳମୋହନ ପଟ୍ଟନାୟକ, ମନୋଜ ଦାସ, ଶାନ୍ତନୁକୁମାର ଆଚାର୍ଯ୍ୟ, ଜେନାମଣି ନରେନ୍ଦ୍ର କୁମାର, ଚୌଧୁରୀ ହେମକାନ୍ତ ମିଶ୍ର, ନିମାଇଁ ପଟ୍ଟନାୟକ, ରବି ପଟ୍ଟନାୟକ ଓ ଉମାଶଙ୍କର ମିଶ୍ର ପ୍ରମୁଖ କଥାକାରଗଣ ଗଳ୍ପସାହିତ୍ୟର ପରିସରକୁ ବିସ୍ତୃତ ଓ ବ୍ୟାପକ କରିଛନ୍ତି ଓ ଏମାନଙ୍କ ଗଳ୍ପରେ ନୂତନତାର ସ୍ଵାଦ ଆସ୍ଵାଦ୍ୟ । ଏ ଯୁଗର ଅସାମାନ୍ୟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଗଳ୍ପଗୁଡ଼ିକ ବୌଦ୍ଧଯୁଗର ‘ଆମ୍ବାପଲ୍ଲୀ’ଠାରୁ ଆରମ୍ଭ କରି ଏ ଯୁଗର ନକ୍‍ସାଲବାଦୀଙ୍କ (‘ଓଃ କାଲକାଟା’) ପର୍ଯ୍ୟନ୍ତ ‘ଦୁଇ ସୀମାନ୍ତ’ ମଧ୍ୟରେ ଆବଦ୍ଧ । ମଣ୍ଟୁବାବୁଙ୍କ ଜୀବନ-ପ୍ରଭାତରୁ ଆରମ୍ଭକରି ସନାତନ ମହାପାତ୍ରଙ୍କ (ପାଗଳଗାରଦର କାହାଣୀ) ଜୀବନର ଅପରାହ୍‍ଣ ଓ ସର୍ବୋପରି ନିଧି କାନୁଗୋଇ (ବାସୀମଡ଼ା) ଏବଂ କବି ଭୂତନାଥ (ଶେଷ କବିତା) ପ୍ରଭୃତିଙ୍କର ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଜୀବନର ବହୁ ବିଚିତ୍ର ବିଚିତ୍ର ଅନୁଭୂତି ତାଙ୍କ ଗଳ୍ପଗୁଡ଼ିକୁ କାଳଜୟୀ କରିଛି । ବାମାଚରଣ ମିତ୍ର ସାମାଜିକ ଜୀବନର କାହାଣୀକୁ ନେଇ ଗଳ୍ପ ରଚନା କରିଛନ୍ତି । ମନୁଷ୍ୟ ଏକ ଆଦର୍ଶମୟ ନୀତିମୟ ଜୀବନ ଯାପନ ଲାଗି ଯେମିତି ଆକାଂକ୍ଷିତ, ଜୀବନରେ ପରମ ସତ୍ୟ ଉପଲବ୍ଧି ନିମିତ୍ତ ସେହିପରି ବ୍ୟଗ୍ର । ଏହି ଭାବ ତାଙ୍କର ଅଧିକାଂଶ ଗଳ୍ପରେ ପରିସ୍ଫୁଟ ହୋଇଛି । ତାଙ୍କର ‘ଅସୀମ’ ‘ବଟ ମହାପୁରୁଷ’ ‘ମହାପୁରୁଷ ବାଗ’ ଓ ‘ହୋଲି’ ପ୍ରଭୃତି ଗଳ୍ପ ପ୍ରଧାନ । ମଧ୍ୟବୟସ୍କ ବ୍ୟକ୍ତିର ସାମାଜିକ ଓ ପାରିବାରିକ ଜୀବନର ବିଚିତ୍ର ଅନୁଭୂତିରେ କିଶୋରୀଚରଣ ଦାସଙ୍କ ଗଳ୍ପଗୁଡ଼ିକ ଋଦ୍ଧିମନ୍ତ । ତାଙ୍କ ଗଳ୍ପର ଚରିତ୍ରମାନେ ବୁଦ୍ଧିଦୀପ୍ତ, ପଦମର୍ଯ୍ୟାଦାସମ୍ପନ୍ନ, ଆତ୍ମସଚେତନ ଓ ଉଚ୍ଚ ଶ୍ରେଣୀର ବ୍ୟକ୍ତି । ତାଙ୍କର ଭାଷାଶୈଳୀ ସରଳ ଓ ମନୋଜ୍ଞ । ଭଙ୍ଗା ଖେଳନା, ଲକ୍ଷ ବିହଙ୍ଗ, ଘରବାହୁଡ଼ା ଓ ମଣିହରା ପ୍ରଭୃତି ଗଳ୍ପ ପୁସ୍ତିକା ତାଙ୍କର ପ୍ରତିଭାର ପରିଚୟ ଦିଅନ୍ତି । ମହାପାତ୍ର ନୀଳମଣି ସାହୁ ହାସ୍ୟରସାତ୍ମକ ଶୈଳୀରେ କୃତିତ୍ଵ ଅର୍ଜନ କରିଛନ୍ତି । ତାଙ୍କ ଗଳ୍ପରେ ବ୍ୟକ୍ତିବିଶେଷଙ୍କର ଚାରିତ୍ରିକ ଦୁର୍ବଳତା ପ୍ରତି ବିଦ୍ରୂପାତ୍ମକ ଦୃଷ୍ଟି ରହିଛି । ତାଙ୍କର ଚରିତ୍ରଗୁଡ଼ିକ ଗଭୀର ଅନ୍ତର୍ଦ୍ଵନ୍ଦ୍ୱ ମଧ୍ୟରେ ଗତିକରି ହାସ୍ୟ ଓ କରୁଣତାର ଶୀତୋଷ୍ଣଫଳ ଲାଭ କରନ୍ତି । ମାତ୍ର ଅଖିଳମୋହନ ପଟ୍ଟନାୟକଙ୍କ ଚରିତ୍ରଗୁଡ଼ିକର ଆଭ୍ୟନ୍ତରୀଣ ରୂପ ବାହ୍ୟରୂପଠାରୁ ଅନେକ ସମୟରେ ଭିନ୍ନ । ମନୁଷ୍ୟତା ସେମାନଙ୍କପାଇଁ କେବଳ ଗୋଟାଏ ମୁଖା । ଅଥଚ ସେଇ ଚରିତ୍ର ଅନେକ ସମୟରେ ଭାରୀ ଭାବପ୍ରବଣ ଓ ସ୍ନେହଲାଳସୀ (ଡିମିରିଫୁଲ) ଅଥଚ ମନୋଜ ଦାସଙ୍କର ସେଇ ଭାବଭୋଳା ମଣିଷ ଅନେକ ସମୟରେ ବିକୃତ ବିକାରଗ୍ରସ୍ତ ହୋଇ ଜୀବନରେ ଦୁଃଖ ଭୋଗ କରେ । ମାନବ ଚରିତ୍ରର ଅସହାୟ ଦୁର୍ବଳ ମୁହୂର୍ତ୍ତକୁ ରୂପ ଦେବାରେ ସେ ଜଣେ କୃତି-ଶିଳ୍ପୀ । ବାବାଚକ୍ରଧାରୀ ବୃତ୍ତାନ୍ତ, ରବିବାସରୀୟ ସଙ୍ଗୀତ, ରାୟସିଂହର ଡାଇରି, ଅତିକ୍ରାନ୍ତ ଓ ବିଲେଇ ପ୍ରଭୃତି ଗଳ୍ପଗୁଡ଼ିକ ଏକ ଏକ ଅବିସ୍ମରଣୀୟ ସୃଷ୍ଟି । ଗଳ୍ପକାର ଶାନ୍ତନୁକୁମାର ଆଚାର୍ଯ୍ୟ ମୁଖ୍ୟତଃ ବ୍ୟକ୍ତି ଚେତନାଧର୍ମୀ ଓ ମନୋବୈଜ୍ଞାନିକ ଗଳ୍ପ ରଚନାରେ ସିଦ୍ଧହସ୍ତ । ମଣିଷର ଅନାବିଷ୍କୃତ ମନର ଅରଣ୍ୟ ଭିତରେ ସେ ହଠାତ୍ ପାଠକକୁ ଛାଡ଼ିଦେଇ ଆତ୍ମଗୋପନ କରିଯାଆନ୍ତି-। ମାନବିକତାକୁ ଉପହାସ କରୁଥିବା ସେଇ ମଣିଷର ହୃଦୟ ପରିବର୍ତ୍ତନ ମଧ୍ୟ ସେ ଲକ୍ଷ୍ୟ କରିଛନ୍ତି-। ତାଙ୍କର ଦୁର୍ବାର, ହୃଦ-କୋଲପ, ପରିବାର ବୃକ୍ଷ, ମଣ୍ଟୁ, ମୂଳ ପ୍ରଭୃତି ସାର୍ଥକ ସୃଷ୍ଟି-। ସମକାଳୀନ ଗାଳ୍ପିକ ନିମାଇଁ ପଟ୍ଟନାୟକ ଚପଳମତି ବାଳକ ବାଳିକାଙ୍କର ନିଷ୍ପାପ ମନର ଅତଳରେ ଥିବା ଅଜ୍ଞାତ ରହସ୍ୟକୁ ପରିସ୍ଫୁଟ କରିବାରେ କିଶୋରୀଚରଣ ଦାସଙ୍କର ସମଧର୍ମୀ-। ତାଙ୍କର ଏହି ଶ୍ରେଣୀର ଏକକ ଚରିତ୍ର ‘ରେଖା’ କିଶୋରୀଚରଣଙ୍କର ‘ମଞ୍ଜୁ’ ଓ ‘ଗୀତା’ ଏବଂ ଶାନ୍ତନୁ ଆଚାର୍ଯ୍ୟଙ୍କର ‘ଅନୀତା’ଠାରୁ ଅନେକ ଗୁଣରେ ଭିନ୍ନ । ଚପଳମତି ଚରିତ୍ରର ଅବଚେତନ ମନର ଯୌନ ବିକାଶ ଲକ୍ଷ୍ୟକରି ତାହାକୁ ମନୋଜ୍ଞଭାବେ ପରିସ୍ଫୁଟ କରିବାରେ ସେ ଜଣେ ଅପ୍ରତିଦ୍ଵନ୍ଦ୍ୱୀ ଶିଳ୍ପୀ । ତାଙ୍କର ‘ବିଲେଇ’, ‘ପ୍ରଜାପତିର ଜନ୍ମ’ ଓ ‘ଅନ୍ଧାରର ଛାଇ’ ପ୍ରଭୃତି ଗଳ୍ପ ଚେତନା ପ୍ରବାହ ଭିତରେ ଫ୍ରୟଡ଼ୀୟ ଦର୍ଶନସମ୍ମତ ଏହି ତଥ୍ୟ ପ୍ରକାଶ କରିଛି । ଏତଦ୍‍ବ୍ୟତୀତ ନିଃସଙ୍ଗ ବ୍ୟକ୍ତିର ଏକାକୀତ୍ଵବୋଧ ଓ ନିର୍ଜନ ମନର ଆକୁଳ ଆର୍ତ୍ତନାଦ ତାଙ୍କର ସାଂପ୍ରତିକ ଗଳ୍ପମାନଙ୍କରେ ରୂପ ପାଉଛି ।

 

ଫକୀରମୋହନଙ୍କଠାରୁ ଆରମ୍ଭକରି ଏପର୍ଯ୍ୟନ୍ତ ଓଡ଼ିଆ ଗଳ୍ପ ସାହିତ୍ୟର ଯେଉଁ ବିଶାଳ ପରମ୍ପରା ପ୍ରତିଷ୍ଠିତ ହୋଇଅଛି ତାହା ଭାରତର ଅନ୍ୟ ଯେକୌଣସି ପ୍ରାନ୍ତୀୟ ଗଳ୍ପ ସାହିତ୍ୟ ସହିତ ପ୍ରତିଦ୍ଵନ୍ଦ୍ୱିତା କରିବାକୁ ସକ୍ଷମ । ଏହି କ୍ଷୁଦ୍ର ସଂକଳନଟିରେ ଆଉ କେତେକ ପ୍ରତିନିଧିମୂଳକ ରଚନା ସ୍ଥାନ ପାଇପାରିଥିଲେ ଓଡ଼ିଆ ଗଳ୍ପ-ସାହିତ୍ୟର ପ୍ରବାହକୁ ଅକ୍ଷୁଣ୍ଣଭାବେ ପ୍ରକାଶ କରାଯାଇପାରିଥାନ୍ତା; ମାତ୍ର କଳେବର ବୃଦ୍ଧି ଭୟରୁ ତାହା କରି ନପାରି ଆମେ ଦୁଃଖିତ । ତେବେ ଏ ସଂକଳନଟି ଫକୀରମୋହନଙ୍କଠାରୁ ଏ ଯୁଗ ପର୍ଯ୍ୟନ୍ତ ପ୍ରବାହିତ ଗଳ୍ପଧାରା ପ୍ରକାଶ ଦିଗରେ ଯେ ଏକ ସାର୍ଥକ ପଦକ୍ଷେପ ଏଥିରେ କାହାର ମତଦ୍ୱୈଧ ରହିବ ନାହିଁ ବୋଲି ଆମର ବିଶ୍ୱାସ । ଯେଉଁ କୃତୀ-ଶିଳ୍ପୀମାନଙ୍କର ଗଳ୍ପ ଏଥିରେ ସନ୍ନିବେଶିତ ସେମାନଙ୍କ ନିକଟରେ ଆମେ ଋଣୀ, ଯେଉଁ ପ୍ରତିଭାବାନ କଥାକାରମାନଙ୍କର କୃତିକୁ ଏଥିରେ ସ୍ଥାନ ଦେଇପାରିନାହୁଁ ସେମାନଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥୀ । ପରିଶେଷରେ ‘ଗ୍ରନ୍ଥମନ୍ଦିର’ ଏହି ଗଳ୍ପ ସଂକଳନଟି ପ୍ରକାଶ କରିବାରେ ଆମକୁ ପ୍ରେରଣା ଦେଇ ଆମର ବହୁ ଦିନର ବାସନାକୁ ଫଳବତୀ କରିଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ ହୋଇ ରହିଲୁ । ଇତି ।

 

ସଂକଳକ

୩୦ । ୮ । ୭୨

Image

 

ରେବତୀ

ଫକୀରମୋହନ ସେନାପତି

 

କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର । ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଆଗିଲି ପିଛିଲି ଚାରି ବଖରା, ଖଞ୍ଜା ପାଚିରି ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡ଼ିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି । ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇ ଟଙ୍କା, ଦରମା ଛାଡ଼ି ପାଉତି ବିଶୋଧନୀ ବାହାଲହଣା(୧୧) ଇତ୍ୟାଦିରୁ ଦୁଇପଇସା ହାତପୈଠ ହୁଏ । ସବୁ ମିଶାଇଲେ ମାସକୁ ଚାରି ଟଙ୍କାରୁ ଊଣା ହେବ ନାହିଁ । ସଂସାର ଏକରକମ ଚଳେ । ଏକରକମ କିଆଁ ? ବୋଇଲେ ଭଲ ଚଳେ । ଏଇଟା ହେଲା ହେଲାନାହିଁ, ସେଇଟା ଘରେ ନାହିଁ । ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ । ବାଡ଼ିରେ ଶାଗମାଗ ଛାଡ଼ି ସଜନା ଦୁଇଗଛ-। ଘରେ ଲଗାପଡ଼ିଆ ବରଷବିଆଣି ଗାଈ ଦୁଇଟା ବନ୍ଧା । ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ । ବୁଢ଼ୀ ଚଷୁ ମିଶାଇ ଘଷି ପାଡ଼ିଦିଏ, କାଠ କିଣା ବାଧେ ନାହିଁ । ଜମିଦାର ସାଢ଼େ ତିନିମାଣ ଜମି ଚଷିବାକୁ ଦେଇଛନ୍ତି, ଧାନ ବଳେ ନାହିଁ, କି କମେ ନାହିଁ । ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ, ପ୍ରଜାମାନେ ମାନନ୍ତି, ସୁଖ ପାନ୍ତି । ବାପରେ ଧନରେ କହି ଦୁଆର ବୁଲି ଖଜଣା ଅସୁଲ କରେ, କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ । ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ, ସେ ଚାରି ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ଚାଳରେ ଗୁଞ୍ଜି ଦେଇଯାଏ । ଜମିଦାର ପିଆଦା ଆସିଲେ ଗାଁକୁ ଛାଡ଼େ ନାହିଁ, ଆପେ ହାତ ଓଠ ଧରି ଧୂଆଁଖିଆ ଦୁଇପଇସା ଅଣ୍ଟାରେ ଗୁଞ୍ଜିଦେଇ ବିଦା କରେ । ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ ଚାରି ଜଣ, ଆପେ ଦୁଇ ପରାଣୀ, ମା’ ବୁଢ଼ୀ, ଦଶ ବରଷର ଗୋଟିଏ ଝିଅ । ଝିଅର ନାମ ରେବତୀ-। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି ‘କୃପାସିନ୍ଧୁ ବଦନ’ ଗାଏ, ଆଉ ଭଜନ ଗାଏ, କେବେକେବେ କାଠରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ, ରେବତୀ ପାଖରେ ବସି ଶୁଣୁଥାଏ । ମୁହେଁ ମୁହେଁ ଢେର୍ ଭଜନ ଶିଖିଲାଣି, ତା’ ପିଲା ମୁହଁକୁ ଭଜନଗୁଡ଼ିକ ଖୁବ୍ ମାନେ-। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି କୌଣସି ଲୋକ ଆସି ଶୁଣନ୍ତି-। ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା, ସେଇଟି ଗାଇଲେ ଶ୍ୟାମବନ୍ଧ ବଡ଼ ଖୁସିହୁଏ । ପ୍ରତିଦିନ ଝିଅକୁ ଗାଇବାକୁ କହେ, ରେବତୀ ଗାଏ–

 

କା’ ଆଗେ କରିବି ଗୁହାରି ?

ତୁମେ ନ ଚାହିଁଲେ ନାଥ ଗରିବ ଯିବ ସରି ।

କର ବା ନକର ତ୍ରାଣ, ପଦେ ସମର୍ପିଛି ପ୍ରାଣ

ହୃଦେ ଅଛି ତବ ନାମ ଧରି ।

ତୁମ୍ଭ ବିନା ତ୍ରିଜଗତ ଶୂନ୍ୟହେ ହରି !

ଶୀତଳ କର ଜୀବନ ପ୍ରେମାମୃତ ଦାନ କରି ।

 

ଦୁଇ ବରଷ ତଳେ ସ୍କୁଲ୍‍ ଡେପୁଟି ଇନ୍‍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ । ଗ୍ରାମର ମୁଖିଆ ମୁଖିଆ କେତେଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାବୁ ଓଡ଼ିଶା ବିଭାଗର ଇନ୍‍ସପେକ୍ଟରଙ୍କଠାରୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରି ସ୍କୁଲ୍‍ ବସାଇ ଦେଇଛନ୍ତି । ଶିକ୍ଷକ ବେତନ ମାସକୁ ଚାରିଟଙ୍କା । ଏହି ଚାରିଟଙ୍କା ସରକାରରୁ ମିଳେ । ଏହାଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି । ଶିକ୍ଷକଟି କଟକ ନର୍ମାଲ ସ୍କୁଲ୍‍ର ଅବଧାନ ବିଭାଗରୁ ଉତ୍ତୀର୍ଣ୍ଣ ଛାତ୍ର, ନାମ ବାସୁଦେବ । ନାମଟି ଯେପରି ବାସୁଦେବ; ଲୋକଟା ମଧ୍ୟ ସେହିପରି ବାସୁଦେବ । ଟୋକାଟାର ଭିତର ବାହାର ସବୁ ସୁନ୍ଦର । ଗାଁ ମଝିରେ ଚାଲିଯିବାବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ । ବୟସ ଅନ୍ଦାଜ କୋଡ଼ିଏ । ସୁନ୍ଦର ରୂପ, ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା । ପିଲାଦିନେ ପିହୁଳା ରୋଗ ହୋଇଥିଲା । ତା’ ମା’ ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା । ସେ ଚିହ୍ନ ଆଜିଯାଏ ଅଛି । ହେଲେ, ସେ ଚିହ୍ନ ତାକୁ ମାନେ । ବାସୁଦେବ ପିଲାକାଳରୁ ମା’ ବାପ ଛେଉଣ୍ଡ, ମାମୁଘରେ ରହି ମଣିଷ ହୋଇଛି । ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ । କେବେ ପୁନେଇଁ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହିଆସେ, “ବାପା ବାସୁ, ସଞ୍ଜବେଳେ ଟିକିଏ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି ।’’ ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି । ରେବତୀ ବାସୁକୁ ଦେଖିଲେ କହେ, “ଆହା, ମା’ଛେଉଣ୍ଡଟି କ’ଣ ଖାଏ, କିଏ ତା’ ଖାଇବା ଦେଖୁଛି ।’’ ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ । ବାସୁକୁ ଦୂରରୁ ଦେଖିଲେ ‘‘ବାସୁଭାଇ ଅଇଲେ, ବାସୁଭାଇ ଅଇଲେ” ବୋଲି ରେବତୀ ପାଟି କରି ବାପକୁ କହେ । ରେବତୀ ସଞ୍ଜବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡ଼ିକ ବାସୁକୁ ଶୁଣାଏ । ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ । ଦିନେ ଏକଥା ସେକଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ୍‍ ଅଛି, ସେଠାରେ ଝିଅମାନେ ପଢ଼ନ୍ତି, ଲୁଗାସିଆଁ ଶିଖନ୍ତି । ସେହିଦିନଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁଙ୍କର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲେ । ବାସୁ ଶ୍ୟାମବନ୍ଧୁକୁ ପିତୃତୁଲ୍ୟ ମାନେ; କହିଲା, “ଆଜ୍ଞା ମୁଁ ସେହି କଥାଟା କହିବି କହିବି ବୋଲି ହେଉଥିଲି-।’’ ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା । ରେବତୀ ପାଖରେ ବସି ଶୁଣୁଥିଲା । ଦୁଇ ଚିଲାରେ ଘର ଭିତରକୁ ଯାଇ ମା’କୁ ଆଉ ଜେଜିକୁ, “ମୁଁ ପାଠପଢ଼ିବି, ମୁଁ ପାଠ ପଢ଼ିବି” ଖବର ଦେଲା । ମା’ କହିଲେ, “ହଉ ହଉ, ପଢ଼ିବୁ ।” ଜେଜି କହିଲେ, ‘‘ପାଠ କ’ଣ ଲୋ ? ମାଇକିନିଆ ଝିଅଟା, ପାଠ କ’ଣ ? ରନ୍ଧାବଢ଼ା ପିଠାପଣା କରି ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ ?”

 

ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବକାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି, ରେବତୀ ସାଙ୍ଗରେ ବସି ଖାଉଛି । ବୁଢ଼ୀ ଆଗରେ ବସି–ଭାତ ପୁଞ୍ଜାଏ ଆଣ, ଡାଲିପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ, ଇତ୍ୟାଦି କଥା ବୋହୂପ୍ରତି ଆଦେଶ କରୁଛନ୍ତି । କଥାରେ କଥାରେ ବୁଢ଼ୀ କହିବସିଲେ “ହଁରେ ଶ୍ୟାମ ! ରେବୀ ପାଠ ପଢ଼ିବ–ପାଠ କ’ଣରେ, ତିରିଲା ଝିଅର ପାଠ ପଢ଼ା କ’ଣ ?” ଶ୍ୟାମବନ୍ଧୁ କହିଲେ, ‘‘ହେଉ, କହୁଛି ତ ପଢ଼ୁ । ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି । ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି ।’’ ରେବତୀ ଭାରି ଖପା ହୋଇଯାଇ ଜେଜିକୁ ଗାଳିଦେଇ କହିଲା, “ଯାଲୋ ବୁଢ଼ୀ ଡୁଗୁରିଟା ।’’ ତାହା ବାଦ ଅଳି କରି ବାପାକୁ କହିଲା, “ନା ବାପା, ମୁଁ ପାଠ ପଢ଼ିବି ।’’ ଶ୍ୟାମବନ୍ଧୁ, କହିଲେ, “ହଁ–ହଁ–ତୁ ପଢ଼ିବୁ ।” ସେଦିନ କଥା ଏତିକି ।

 

ତହିଁ ଆରଦିନ ଉପରଓଳି ବାସୁଦେବ ସୀତାନାଥବାବୁଙ୍କ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାପର ମୂଳ ପୁଡ଼ାଠାରୁ ଶେଷ ପୁଡ଼ାଯାଏ ଓଲଟାଇ ଓଲଟାଇ ଦେଖିଲା । ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା । ରଜାମାନେ ହାତୀ ଘୋଡ଼ା ବାନ୍ଧି ଖୁସି ହୁଅନ୍ତି; କେହି ହାତୀ, ଘୋଡ଼ା ଚଢ଼ି ଖୁସି ହୁଏ; ଆମ ରେବୀ ଛବିଟା ଦେଖି ଖୁସି । ରେବୀ ଧାଇଁ ଯାଇ ମା’କୁ କିତାପର ଛବି ସବୁ ଦେଖେଇଲା, ତାହା ବାଦ ଜେଜିକୁ ଦେଖେଇଲା । ଜେଜି କିଞ୍ଚିତ୍ ବିରକ୍ତ ହୋଇ କହିଲା, “ହଁ–ଯା–ଯା– ।’’ ରେବୀ ତାକୁ ‘ଦୂର୍’ ‘ଦୂର୍’, ଗାଳିଦେଇ ଫେରିଆସିଲା ।

 

ଆଜି ଦିନଟି ଭଲ–ଶ୍ରୀପଞ୍ଚମୀ । ରେବତୀ ସକାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି, ବାସୁଭାଇ ଆସିଲେ କିତାପ ପଢ଼ାଇ ଦେବ । ବୁଢ଼ୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ହୋଇନାହିଁ । ବେଳ ଛ’ଘଡ଼ି ସମୟରେ ବାସୁ ଯାଇ ପଢ଼ାଇଦେଲା, ସ୍ଵରେ–ଅ, ସ୍ଵରେ–ଆ, ହ୍ରସ୍ଵ-ଇ, ଦୀର୍ଘ–ଈ, ହ୍ରସ୍ଵ–ଉ, ଦୀର୍ଘ-ଊ ଇତ୍ୟାଦି । ପ୍ରତିଦିନ ପଢ଼ା ଚାଲିଲା, ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇଦିଏ । ଦୁଇ ବରଷ ମଧ୍ୟରେ ରେବତୀ ଢେର୍ ପଢ଼ିଗଲାଣି । ମଧୁ ରାଓଙ୍କ ଛାନ୍ଦମାଳା ପଢ଼ିଯିବାବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ ।

 

ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବାବେଳେ ମା’ ପୁଅ ଦୁଇ ଜଣ କଥାବାର୍ତ୍ତା ହେଲେ । ପୂର୍ବେ ବୋଧ କରୁଁ କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର ।

 

ଶ୍ୟାମବନ୍ଧୁ–କି ମା’, ଭଲ ହେବ ନାହିଁ କି ?

 

ବୁଢ଼ୀ-ହଁ ଭଲ ହେବ, ଜାତି କଥାଟା ବୁଝିଛୁ ନା ?

 

ଶ୍ୟାମବନ୍ଧୁ–ମୁଁ ଆଜିଯାଏ ଆଉ କ’ଣ ବୁଝୁଥିଲି ? ଭଲ କରଣ, ଗରିବ ପୁଅ ହେଲେ କ’ଣ ହେବ, ଜାତି ଭଲ ।

 

ବୁଢ଼ୀ–ଧନ-ଦଉଲତ ନାହିଁ ବିଚାର,

ଜାତି କଥାଟା ଆଗେ ପଚାର ।

 

ଘରେ ରହିବ ତ ?

 

ଶ୍ୟାମବନ୍ଧୁ–ଘରେ ନ ରହି ଆଉ କୁଆଡ଼େ ଯିବ ? ହଜାର ହେଲେ ମାମୁ ମାଈଁ ନା, ଆଉ କ’ଣ ?

 

ରେବତୀ ପାଖରେ ବସି ଭାତ ଖାଉଥିଲା, ଏହି କଥାର ମର୍ମ ସେ କ’ଣ ବୁଝିଲା ସେ ଜାଣେ, ମାତ୍ର ସେହିଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁଁ । ତାକୁ ବାପା ଆଗରେ ବାସୁଭାଇ ପଢ଼ାଇ ଦେଲେ କିପରି ଗୋଟାଏ ଲାଜ ମାଡ଼େ; ଅକାରଣ ସକାରଣ ସବୁବେଳେ ହସ ମାଡ଼େ, ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ । ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ, ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ । ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ, ପାଞ୍ଚ ଡାକରେ ବାହାରେ ନାହିଁ । ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ ।

 

ଦେଖୁଦେଖୁ ପଞ୍ଚମୀକୁ ପଞ୍ଚମୀ ଦୁଇ ବରଷ ହୋଇଗଲାଣି । ବିଧାତାଙ୍କର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ । ଫଗୁଣ ମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡ଼ି ଆସିଲା । ସକାଳେ ଗ୍ରାମରେ ଶୁଣାଗଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି । ମଫସଲ ଗାଁରେ ବାଡ଼ି ପଶିଲେ ତାଟି କବାଟ ପଡ଼ିଯାଏ । ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି । ଏପରି ସମସ୍ତେ ମଣନ୍ତି । ଦୁଆରକୁ କାହାର ଆସିବାର ନାହିଁ । ମାଇକିନିଆ ଦୁଇଟା କ’ଣ କରିବେ ? ପିଲାଟା ଡାକ ପାଡ଼ି ଘର ବାହାର ହେଉଛି । ବାସୁଦେବ ଶୁଣି ସ୍କୁଲ୍‍ ଛାଡ଼ି ଧାଇଁଲା । ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ, ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ, ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ । ବେଳ ତିନି ପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା, “ବାଁ–ସୁଁ ଏଁ–ବଁ ଆଁ–ଗି–ଲା ।” ବାସୁ ଭୋ ଭୋ କରି ଡକା ପାଡ଼ିଲା । ଘରେ ଚହଳ ପଡ଼ିଗଲା । ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ; ଗ୍ରାମର ଲୋକେ ଶୁଣି କହିଲେ, ହେଇଗଲା ପରା । ଦେଖୁଦେଖୁ ସଞ୍ଜବେଳକୁ କିଛି ନାହିଁ । କ’ଣ କରିବେ–ବାସୁଦେବ କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ । ଗ୍ରାମର ବନ ସେଠୀ ଧୋବା ଜଣେ ଜାଣିବା ଶୁଣିବା ଲୋକ, ତା’ ଦେହକରେ ପଚାଶ କି ଷାଠିଏ ପାର କଲାଣି । କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ, ଲୁଗାପଟା ଦିଖଣ୍ଡ ମଧ୍ୟ ମିଳିବାର ଭରସା । ଗାମୁଛାଟାଏ ଅଣ୍ଟାରେ ଭିଡ଼ିଦେଇ କୁରାଢ଼ିଟାଏ କାନ୍ଧରେ ପକାଇ ହାଜର ହୋଇଗଲା । ଗ୍ରାମରେ କରଣ ସେହି ଘରକ, ଶାଶୁ ବୋହୂ, ବାସୁଦେବ ତିନି ଜଣ ଧରାଧରି କରି କର୍ମ ଚଳାଇଲେ । ସେ ସମୟର କଥାଗୁଡ଼ାକ ଲେଖିବାକୁ ଆଉ ହାତ ଚଳୁ ନାହିଁ । ଶ୍ମଶାନରୁ ଫେରି ଆସିବାବେଳକୁ କୁଆଁତାରା ଉଇଁଲାଣି । ଘରେ ପଶିବାମାତ୍ରକେ ରେବତୀ ମା’ ପୋଖରୀପାଣି ଗଲା, ଦେଖୁଦେଖୁ ଦିନ ଦ୍ଵିପ୍ରହରବେଳେ ଗ୍ରାମରେ ହାଟ ହେଲା, ରେବତୀ ମା’ ନାହିଁ ।

 

ଦିନ ଚାଲିଯାଏ, କାହାର ଲାଗି ଦିନ ବସି ରହେ ନାହିଁ । କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଢ଼ି ଉପରେ କୋରଡ଼ା । ଦିନ ଯାଇଛି ସମସ୍ତଙ୍କର, ଯିବ ସମସ୍ତଙ୍କର । ଦେଖୁଦେଖୁ ତିନିମାସ କଟିଗଲାଣି । ଶ୍ୟାମବନ୍ଧୁ ଘରେ ଦୁଇଗୋଟି ଗାଈ ଥିଲେ, ତହବିଲ ବାକି ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ବାନ୍ଧି ଘେନିଗଲେ । ଆମ୍ଭେମାନେ ଜାଣୁଁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୈଠ ନ କରିବା ଯାଏଁ ତାହାର ନିଦ ନାହିଁ । ମାତ୍ର ତାହା ଉପରେ ଟଙ୍କା ଥାଉ ବା ନଥାଉ, ଗାଈ ଦିଓଟି ବଡ଼ ଦୁଧିଆଳୀ, ଏକଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା । ତାହା ଛଡ଼ା ଜମିଦାର ଚଷିବାକୁ ଯେ ତିନିମାଣ ଜମି ଦେଇଥିଲେ, ତାହା ଛଡ଼ାଇ ନେଲେଣି । ହଳିଆଟା ବା ଘରେ ଆଉ କିଆଁ ରହିବ ? ଦୋଳପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା । ବଳଦ ଦୁଇଟା ସାଢ଼େ ସତର ଟଙ୍କାରେ ବିକା ଯାଇଥିଲା, ଦୁଇଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା, ସଟାବଟା କରି ମାସେ ଚଳିଲା । ଆଜି ଢାଳଟା, କାଲି ପିତଳଟା, ସଟାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା । ବାସୁ ଦୁଇଓଳି ଦୁଆରକୁ ଆସେ, ରାତି ଘଡ଼ିଏ ଯାଏଁ ଥାଏ, ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏଁ । ବାସୁ କିଛି ଟଙ୍କାପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ । ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଥାଏ । ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ । ବୁଢ଼ୀ ପାଖରୁ ଗୋଟିଏ ଦୁଇଟା ପଇସା ନେଇ ସଉଦା କିଣିଦିଏ । ସେହି ଦୁଇ ପଇସାର ସଉଦାରେ ଆଠ ଦଶ ଦିନ ଚଳିଯାଏ । ଘରର ଚାଳ ଉଡ଼ି ଗଲାଣି, ଛାଉଣୀ ଦରକାର । ବାସୁ ଦୁଇ ଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇଅଛି । ଶରଣ ହେବାରୁ ଛପରବନ୍ଦି ହୋଇପାରି ନାହିଁ । ବୁଢ଼ୀ ଏବେ ଆଉ ଦିନରାତି ବସି କାନ୍ଦେନାହିଁ । କେବଳ ସଞ୍ଜହେଲେ ବସି କାନ୍ଦେ । କାନ୍ଦି କାନ୍ଦି ତଳେପଡ଼ିଯାଏ-। ସେହିଠାରେ ରାତି କାଟେ । ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ । ବୁଢ଼ୀ ଆଖିକି ଏବେ ଭଲ ଦିଶୁନାହିଁ । ବାଇଆଣୀପରି ହୋଇଗଲାଣି । ଏବେ ସେ କାନ୍ଦିବାର ଊଣା କରି ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି । ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା ସବୁର ମୂଳକାରଣ ରେବତୀ । ଏହା ସେ ମନମଧ୍ୟରେ ସ୍ଥିରସିଦ୍ଧାନ୍ତ କରିସାରିଲାଣି । ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ କୁଢ଼ଙ୍ଗୀ, ସେ ଲକ୍ଷ୍ମୀହୁଡ଼ୀ । ବୁଢ଼ୀ ଆଖିକୁ ଯେ ଦିଶୁନାହିଁ, ତାହାର କାରଣ ରେବତୀର ପାଠପଢ଼ା । ବୁଢ଼ୀ ଗାଳି ଦେବାବେଳେ ରେବତୀ ଆଖିରୁ ଦୁଇଧାରା ବହିଯାଉଥାଏ, ଡରରେ ବୁଢ଼ୀପାଖରେ ସେ ଛିଡ଼ା ହୋଇପାରେ ନାହିଁ । ବାଡ଼ି ଦୁଆରେ ନୋହିଲେ ଘର କୋଣରେ ମୁହଁ ଘୋଡ଼ାଇ କାଠଟି ପରି ବସିଥାଏ । ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେ ଦିନଯାଏ ପଢ଼ି ନଥିଲା, ସେହି ଆସି ସିନା ପଢ଼ାଇ ଦେଲା । ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ, ବାସୁ ନହେଲେ ଘର ଦଣ୍ଡେ ଅଚଳ । ପୁଣି ଜମିଦାର ଘର ଲଟ କିଛି ନାହିଁ । ଜମିଦାର ଘର ଲୋକ ଆସି ଏ ହିସାବଟା, କାଲି ସେ ହିସାବଟା ମାଗେ । ବାସୁ ନହେଲେ ପାଞ୍ଜି ବିଡ଼ାରୁ ପଢ଼ି ପତର କାଢ଼ି ଦେବ କିଏ ? ବାସୁ ନଥିଲାବେଳେ ସେ ସହଜ କଥାରେ କେବେକେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ । ରେବତୀ ଆଉ ଏଣିକି ସେହି ଗୃହ ପ୍ରାଙ୍ଗଣ ସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ, ତାହା ପାଟି ଆଉ କେହି ଶୁଣି ନାହିଁ । ବାପ ମା’ ଗଲାଦିନୁ ତାକୁ ଦାଣ୍ଡଦୁଆରେ ଆଉ କେହି ଦେଖିନାହିଁ । କେତେ ଦିନଯାଏ ଭୋ ଭୋ କରି ଡକାପାରୁଥିଲା, ଏବେ ଆଉ ପାଟି କରି କାନ୍ଦେ ନାହିଁ, ମାତ୍ର ଦିବାରାତ୍ର ତାହାର ବଡ଼ବଡ଼ ଆଖି ଦୁଇଟି ସାନ ସାନ ନୀଳକଇଁ ପରି ପାଣିରେ ଢଳଢ଼ଳ ହେଉଥାଏ । ତାହାରି କ୍ଷୁଦ୍ର ପ୍ରାଣ–ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗିଯାଇଛି । ତା’ ପକ୍ଷରେ ବର୍ତ୍ତମାନ ଦିନରାତି ସମାନ । ସୂର୍ଯ୍ୟରେ ଆଲୁଅ ନାହିଁ, ରାତିରେ ଅନ୍ଧାର ନାହିଁ । ସମସ୍ତ ଜଗତ ଶୂନ୍ୟ । କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି । ମା’ ଏହିଠାରେ ବସିଛନ୍ତି, ବାପା ଚାଲି ଯାଉଛନ୍ତି, ତା’ ଆଖିରେ କେବଳ ଏହି ଦୁଇଟା ଦିଶୁଅଛି । ବାପା ମା’ ମରିଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏ କଥା ସେ ବିଶ୍ଵାସ କରିପାରୁନାହିଁ । ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ, ଦିବାନିଶି ଅନୁକ୍ଷଣ ପିତା ମାତା ଧ୍ୟାନ, ଜେଜିମା ଡରରେ ଖାଇବାକୁ ବସେ । ଭୂଇଁରୁ ପ୍ରାୟ ଉଠେ ନାହିଁ । ଦେହରେ ହାଡ଼ ଚମ ଦୁଇଖଣ୍ଡ ଧଡ଼ଧଡ଼ ହେଉଛି । କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ, ବଡ଼ବଡ଼ ଆଖି ଦୁଇଟା ଜଳଜଳ କରି ବାସୁକୁ ଚାହିଁଥାଏ । ବାସୁ ଅନାଇଲେ ସାନ ନିଃଶ୍ଵାସଟାଏ ପକାଇ ମୁଣ୍ଡ ପୋତି ଦିଏ । ବାସୁ ପାଖରେ ଥିବାଯାଏ ତାହାକୁ ଚାହିଁ ରହିଥାଏ । ତେତେବେଳେ ତାହାର ଆଉ କିଛି ଜ୍ଞାନ ନଥାଏ–ଆଖିରେ ବାସୁବେଦ, ଚିନ୍ତା ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ ।

 

ଶ୍ୟାମବନ୍ଧୁ ମରିବାର ଆଜକୁ ହାତଗଣତିରେ ପାଞ୍ଚ ମାସ, ଜ୍ୟେଷ୍ଠ ମାସିଆ ଦିନ, ଠିକ୍ ଦିନ ଦୁଇପ୍ରହରବେଳେ ବାସୁ ଦୁଆରେ ଡାକିଲା । ଏତେବେଳେ ସେ କୌଣସି ଦିନ ଆସେ ନାହିଁ । ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇଦେଲା । ବାସୁ କହିଲା–“ଜେଜିମା, (ବାସୁ ବୁଢ଼ୀକୁ ଜେଜିମା ବୋଲି ବରାବର ଡାକେ) ଦିପୋଟି ଇନ୍‍ସପେକ୍ଟର ହରିପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲ୍‍ର ପିଲାମାନେ ଯିବେ, ମୋ ପାଖକୁ ଚିଠି ଆସିଛି, ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି, ପାଞ୍ଚଦିନ ଲାଗିବ ।’’ ରେବତୀ କଣରେ ଛିଡ଼ାହୋଇ ଶୁଣୁଥିଲା, ଲଠ୍‍କରି ବସି ପଡ଼ିଲା । ଭାଗ୍ୟେ କବାଟ ଧରିଥିଲା, ନୋହିଲେ ପଡ଼ିଯାଇଥାନ୍ତା । ବାସୁ ପାଞ୍ଚଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣିଆଣି ଅଗଣାରେ ଥୋଇଦେଇ ବୁଢ଼ୀକୁ ଜୁହାରଟାଏ ହୋଇ ଶନିବାର ମୁହଁସଞ୍ଜବେଳେ ବାହାରିଲା । ବୁଢ଼ୀ କହିଲା, ‘ବାପା, ଖରାରେ ବୁଲିବୁ ନାହିଁ, ଦେହପାକୁ ଚାହିଁବୁ, ବେଳରେ ଦିଟା ତୁଣ୍ଡରେ ଦେବୁ ।” ଏହା କହି ନିଃଶ୍ଵାସଟାଏ ପକାଇଲା । ରେବତୀ ଏକ ଧ୍ୟାନରେ ବାସୁକୁ ଚାହିଁଥାଏ । ଆଜିକା ଚାହାଣି ଅନ୍ୟ ରକମ । ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା, ଆଜି ସେ ଭାବ ନାହିଁ, ଏକଧ୍ୟାନରେ ବାସୁକୁ ଚାହିଁ ରହିଛି । ବାସୁର ମଧ୍ୟ ଆଜି ଆଗକା ଚାହାଣି ନୁହେଁ । ଆଗେ ବାସୁର ଯେମନ୍ତ ଖୁବ୍ ଇଚ୍ଛା–ରେବତୀକୁ ଭଲକରି ଦେଖିବ, କିନ୍ତୁ ଅନାଇ ପାରେ ନାହିଁ । ଆଜି ଚାରିଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ । ବାସୁ ଚାଲିଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୂରିଗଲାଣି । ରେବତୀ ଯେପରି ଚାହିଁଥିଲା, ସେହିପରି ଚାହିଁ ଅଛି । ବୁଢ଼ୀ ଡାକିବାରୁ ତାହାର ଚେତନା ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ ।

 

ରେବତୀ ବସି ଦିନ ଗଣୁଛି, ଆଜି ଛ’ଦିନ । ବାପ ମା’ ଗଲାଦିନ ଦାଣ୍ଡଦୁଆର ଦେଖି ନଥିଲା; ସକାଳୁ ଦାଣ୍ଡଦୁଆରେ ଦୁଇଥର ମୁହଁମାରି ଗଲାଣି । ବେଳ ଅନ୍ଦାଜ ଛ’ଘଡ଼ି । ହରିହରପୁରରୁ ସ୍କୁଲ୍‍ପିଲାମାନେ ଫେରିଆସିବାମାତ୍ରେ ଲୋକେ ବୋଲାବୋଲି ହେଲେ–ହରିହରପୁରରୁ ଫେରିଆସିବା ସମୟରେ ଗୋପାଳପୁର ବରଗଛମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା । ଚାରି ଥର ପୋଖରୀପାଣି ହେଲା; ଅଧରାତିବେଳେ ଚାଲିଗଲେ । ଗ୍ରାମ ଲୋକମାନେ ହାୟ ହାୟ କଲେ । ପୁଅ ଝିଅ ମା’ ମାଇକିନିଆମାନେ ପାଟିକରି କାନ୍ଦିପକାଇଲେ, କେହି କହିଲା–ଆହା କି ରୂପରେ ! କେହି କହିଲା–କି ଧୀରରେ ! କେହି କହିଲା–ଦାଣ୍ଡରେ ଚାଲିଯାଉଥିବ ଯେ ମାଛିଟିକି ମର କହିବ ନାହିଁ ।

 

ରେବତୀ ଶୁଣିଲା; ବୁଢ଼ୀ ଶୁଣିଲା । ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠରୁଦ୍ଧ ହୋଇଗଲା; ଆଉ କାନ୍ଦିପାରିଲା ନାହିଁ; ଶେଷରେ ଉଠି କହିଲା–‘‘ଆହା ବାପ, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁରେ ।” ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼େଇବାରୁ ମରିଗଲା, ନୋହିଲେ କେଭେ ମରି ନଥାନ୍ତା । ଶୁଣିଲାବେଳୁ ରେବତୀ ଘରେ ଯାଇ ପଡ଼ିଛି–ସୋରଶବଦ ନାହିଁ । ସେ ଦିନଟା ଗଲା, ତହିଁ ଆରଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନ ଦେଖି ପାଟି କରି ଡାକିଲା, ‘‘ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି !” ବୁଢ଼ୀ ବାୟାଣୀପରି ହୋଇଗଲାଣି; କାନ୍ଦବୋବାଳି ନାହିଁ, କେବଳ ରାଗରେ ଦିନରାତି ରେବତୀକୁ ଗାଳି । ପଡ଼ିଶା ଲୋକେ, ଦାଣ୍ଡଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି, “ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି ।” ବୁଢ଼ୀ ଆଖିକୁ ଦିଶୁନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ ନ ପାଇ ତା’ ଦେହରେ ହାତ ବୁଲାଇ ଦେଖିଲା, ଭାରି ଜର, ଦେହରୁ ନିଆଁ ବାହାରୁଛି, ଜ୍ଞାନ ନାହିଁ । ବୁଢ଼ୀ ଢେର୍ ବେଳଯାଏ ବସି କ’ଣ ପାଞ୍ଚିଲା । କ’ଣ କରିବ କାହାକୁ ଡାକିବ । ମନ ମଧ୍ୟରେ ଜଗତ ସଂସାର ଖୋଜିଲା, ପାଖରେ କାହାକୁ ଦେଖିଲା ନାହିଁ । କିଛି ସ୍ଥିର କରି ନପାରି ଖପା ହୋଇ କହିଲା, “ଯାହା ଆପଣାକିଆ, ତହିଁକି ଇଲାଜ କିଆଁ ?” ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜର ହେଲା, ମୁଁ କ’ଣ କରିବି ?

 

ଦିନେ ଗଲା, ଦୁଇଦିନ ଗଲା, ରେବତୀ ମାଟିରେ ଲାଗିଯାଇଅଛି, ଆଖି ଫିଟାଉ ନାହିଁ, ଡାକିଲେ ଉତ୍ତର ନାହିଁ, ଉଁଚୁ ହେବାକୁ ମଧ୍ୟ ନାହିଁ । ଆଜି ଛ’ଦିନ, ରେବତୀ ସକାଳୁ ଦୁଇ ଚାରି ଥର ପାଟି କଲାଣି, ବୁଢ଼ୀ ପାଟି ଶୁଣି ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା । କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା କହିପକାଉଛି । କୌଣସି କବିରାଜ ଦେଖିଲେ ‘‘ତୃଷ୍ଣାଦାହଃ ପ୍ରଳାପଶ୍ଚ–” ଇତ୍ୟାଦି ଶ୍ଳୋକ ପଢ଼ି କହନ୍ତେ, “ସନ୍ନିପାତସ୍ୟ ଲକ୍ଷଣଂ ।’’ ମାତ୍ର ବୁଢ଼ୀ କିଛି ଖୁସି ହେଲା । ଦେହରେ ତାତି ନାହିଁ, କଥା କହୁ ନଥିଲା, ପାଟି ଫିଟାଇଲାଣି, ଚାହୁଁ ନଥିଲା, ଆଖି ଫିଟାଇଲାଣି । ପାଣି ପିଇବାକୁ ମାଗିଲାଣି, ଛ’ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ, ଚାରିଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ । ‘‘ତୁ ଶୋଇଥା, ମୁଁ ଚାରିଟା ପଥି ରାନ୍ଧି ଆଣେ,” ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା । ପଥି ରାନ୍ଧିବ କ’ଣ ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା; ମୁଠାଏ ଚାଉଳ ନାହିଁ । ନିଃଶ୍ଵାସଟାଏ ପକାଇ ଘଡ଼ିଏ ବସିଲା । ବାସୁ ପାଞ୍ଚଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ ଦଶଦିନ କିଆଁ ଚଳିଗଲା, ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ବୁଝି ପାରିଥାନ୍ତା । ବସି ବିଚାର କଲେ ବୁଦ୍ଧି ଦିଶେ । ଘରେ କଂସାବାସନ କିଛି ନାହିଁ; ହାତରେ ଗୋଟାଏ କଣା ଢାଳ ପଡ଼ିଲା, ସେଇଟା ଧରି, ହରି ସା ଦୋକାନକୁ ବାହାରିଲା । ହରି ସା ଘର ଗ୍ରାମ ମଝିରେ-। ତାହାର ରୀତିମତ ଦୋକାନ ନାହିଁ । ଚାଉଳ, ଡାଲି, ଲୁଣ, ତେଲ ରଖିଥାଏ । କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଗଲେ କିଣନ୍ତି–କେବେହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି । ବୁଢ଼ୀ ଢାଳଟି ଧରି ହରି ସା ଦୁଆରେ ପହଞ୍ଚିଲା । ହରି ସା ବୁଢ଼ୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ୍ ବୁଝିଗଲା । ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରିପାଖ ଦେଖି କହିଲା, “ନାହିଁ ନାହିଁ ମୋ ଘରେ ଚାଉଳ ନାହିଁ; କଣା ଢାଳଟା ରଖି କିଏ ଚାଉଳ ଦେବ ?” ହରି ଘରେ ଯେ ଚାଉଳ ନଥିଲା ତାହା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା, ତେବେ ଶସ୍ତାରେ ନେବାର କଥା । ଚାଉଳ ନଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା । କ’ଣ କରିବ, ଝିଅଟା ଜରରୁ ଉଠିଛି । ତା’ ମୁହଁରେ କ’ଣ ଦେବି ? ଘଡ଼ିଏ ବସିଗଲା; ବେଳ ବୁଡ଼ିଆସିଲାଣି; ହରିକୁ ଦୁଇଚାରିଥର ଅନାଇଲା । ଯାଏଁ ଝିଅଟା କ’ଣ କରୁଛି ଦେଖେ । ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଢାଳଟା ଦିଅ ଦେଖେ ଘରେ କ’ଣ ଅଛି ।’’ ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣେ ଜାଇ, କିଛି ଲୁଣ ଦେଲା । ବୁଢ଼ୀ ଚାରି ଛ’ଜାଗା ବସି ଉଠି ଘରେ ଆସି ପହଞ୍ଚିଲା । ଏପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନକଥା କ’ଣ କହିବୁ ? ଘରେ ପହଞ୍ଚି ରେବତୀକୁ ଡାକିଲା-। ତାହାର ବିଶ୍ଵାସ ରେବତୀ ଭଲ ହୋଇଗଲାଣି, ପାଣି କାଢ଼ିଦେବ, ସେ ଭାତ ରାନ୍ଧିବ । ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, “ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି ।” ଜବାବ ନାହିଁ ।

 

ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢ଼ୁଛି, ଭୟାନକ ଯନ୍ତ୍ରଣା, ଦେହ କ୍ରମଶଃ ଶୀତଳ ହେଉଛି, ଜିଭ ଶୁଖିଲାଣି, ଭୟଙ୍କର ପିପାସା, ଜିଭଟା ଯେମନ୍ତ ଉପରକୁ ଚାଲିଯାଉଛି । ଥଣ୍ଡାକୁ ଯିବାର ଇଚ୍ଛା, ଘରଯାକ ଛାଡ଼ି, ବାହାରକୁ ଆସିଲା, ସୁଖ ଲାଗିଲା ନାହିଁ । ବାଡ଼ିଦୁଆରକୁ ଯାଇ ପିଣ୍ଡାରେ ବସିଲା । ଦିନ ଶେଷ ହୋଇଆସିଲାଣି, ଖୁବ୍ ପବନ ବହୁଛି, ବାଡ଼କୁ ଆଉଜି ବସିଲା । ବାଡ଼ିଯାକ ଅନାଇଲା, ବାପା ଗଲା ବରଷ ଏହି କଦଳୀ ଲଗାଇଥିଲେ, ଭଣ୍ଡା ବାହାରିଲାଣି । ଦୁଇ ବରଷ ତଳେ ମା’ ଗୋଟିଏ ପିଜୁଳି ଗଛ ବାଡ଼ିରେ ରୋଇଥିଲେ, ରେବତୀ ଧାଇଁ ଧାଇଁ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା, ସେ ଗଛ କେଡ଼େଟାଏ ହେଲାଣି, ଫୁଲ ଧରିଲାଣି । ସେ ଗଛ ଦେଖି ମା’ ମନରେ ପଡ଼ିଲେ । ବୁଦ୍ଧି ସ୍ଥିର ନାହିଁ, ମନ ଚଞ୍ଚଳ, ଲଗାଲଗି କିଛି କଥା ମନରେ ପଡ଼ୁନାହିଁ; ମାତ୍ର ମାତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ଛାଡ଼ୁନାହିଁ । ସଞ୍ଜ ଗଡ଼ିଗଲାଣି, ଗଛମୂଳରୁ ଡାଳ ଉହାଡ଼ରୁ ଅନ୍ଧାରଗୁଡ଼ାକ ବାହାରି ବାଡ଼ି ପୂରିଗଲାଣି, ଆଉ କିଛି ଦିଶୁନାହିଁ । ଆକାଶକୁ ଚାହିଁଲା, ପହରିକିଆ ତାରାଟିରୁ ଧକଧକ ହୋଇ କିରଣ ବାହାରୁଛି । ଏକଧ୍ୟାନରେ ରେବତୀ ସେହି ତାରାକୁ ଚାହିଁଅଛି, ଆଖିରେ ଆଉ ପଲକ ପଡ଼ୁନାହିଁ । ତାରାର ଆକାର କ୍ରମଶଃ ବଢ଼ିଯାଉଛି, ଚକ୍ରପରି ଆକାର ହୋଇଗଲାଣି, ଆହୁରି ବୃଦ୍ଧି, କ୍ରମଶଃ ଉଜ୍ଜ୍ୱଳ । ଆହା ! ଏ କି ମୂର୍ତ୍ତି ତାରା ମଧ୍ୟରେ ? ଶାନ୍ତିଦାୟିନୀ ପ୍ରେମମୟୀ ଆନନ୍ଦମୟୀ ମାତାଙ୍କର ଅଭୟମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ଡାକୁଛନ୍ତି । ମା’ ଦୁଇଗୋଟି କିରଣ ହସ୍ତ ବଢ଼ାଇଦେଲେ । ସେହି ଦିଅଟି କିରଣ ଆସି ଦୁଇଚକ୍ଷୁ ସ୍ପର୍ଶକରି ହୃଦୟରେ ପ୍ରବେଶ କଲା । ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ; କେବଳ ନିଃଶ୍ଵାସ ଶବ୍ଦ । ସେ ଶବ୍ଦ କ୍ରମଶଃ ପ୍ରବଳ, ଖୁବ୍ ଦୀର୍ଘନିଃଶ୍ଵାସ, ଶେଷରେ ମା’ ମା’, ଦୁଇଥର ଅସ୍ପଷ୍ଟ ଶୁଭିଲା । ବାଡ଼ି ନିସ୍ତବ୍ଧ, ନୀରବ ।

 

ଏଣେ ବୁଢ଼ୀ ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା, କେହି ନାହିଁ । ଘରଯାକ, ବାହାର ଅଗଣା, ଢେଙ୍କିତଳ, ଢେଙ୍କିଲାଞ୍ଜ କାହିଁ ନାହିଁ । ମନେକଲା ଜର ଭଲ ହୋଇଗଲାଣି, ବାଡ଼ିରେ ବୁଲୁଥିବ । ସେହି ଡାକ–‘ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି ।’ ବାଡ଼ି ଦୁଆରକୁ ଗଲା, ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା । ପିଣ୍ଡାଟା ଭୂମିଠାରୁ ଦୁଇହାତ ଉଚ୍ଚ, ହାତେ ଚଉଡ଼ା ।

 

“ମଲା ତୁ ଏଇଠି ବସିଛୁ ?” ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା, ଆଉଥରେ ଭଲକରି ଗୋଡ଼ଠାରୁ ମୁଣ୍ଡଯାଏ ହାତ ବୁଲାଇଲା, ନାକରେ ହାତ ଦେଇ ଗୋଟିଏ ଉତ୍କଟ ଶବ୍ଦ କଲା, ସଙ୍ଗେ ସଙ୍ଗେ ପିଣ୍ଡାତଳେ ଦୁଲ୍‌ଦାଲ୍ ଶବ୍ଦ !

 

ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ କେହି ଦେଖିନାହାନ୍ତି । ପଡ଼ୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ–

 

“ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି ।”

Image

 

ବୁଢ଼ା ଶଙ୍ଖାରି

ଲକ୍ଷ୍ମୀକାନ୍ତ ମହାପାତ୍ର

 

ପ୍ରାୟ ଫଗୁଣମାସ ଶେଷସରିକି । ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ ଛାତିବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗଶରୀର ଝାଳରେ ବୁଡ଼ି ଗୋଡ଼ବାଟେ ବହିଯାଉଛି ।

 

ଗାଁମୁଣ୍ଡରେ ଗୋଟିଏ ଘର । ପକ୍କା ପିଣ୍ଡା, ସାତସେଣିଆ ଛପର, ଜାଉଁଳି କବାଟ । ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇଦେଇ ନଥକରି ବସିପଡ଼ିଲା । କିଛିକ୍ଷଣ ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା । ଦାସୀ ବୁଢ଼ାକୁ ଚିହ୍ନେ, ପଚାରିଲା “କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି-?” ବୁଢ଼ା ଉତ୍ତର କଲା, “ହଁ”, ପୁଣି କହିଲା, “ଝିଅ, ଟୋପାଏ ପାଣି ଦିଅନ୍ତୁ, ବୁଢ଼ା ମଣିଷ, ଖରାରେ ତଣ୍ଟି ଶୁଖିଗଲାଣି ।” ଦାସୀ ପାଣି ଆଣିବାକୁ ଚାଲିଗଲା ।

 

କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରିଆସି ବୁଢ଼ା ପାଖରେ ଥୋଇଦେଲା । ବୁଢ଼ା ଉପରକୁ ଆଁ କରିଦେଇ ଢକଢ଼କ କରି ଅଧଲୋଟାଏ ପାଣି ଟେକିଦେଲା । ପାଣି ପିଇସାରି ବୁଢ଼ା ଚଉରସ ନିଃଶ୍ଵାସଟାଏ ମୁହଁବାଟେ ପକାଇ କହିଲା, “ଝିଅ ତୋର ବଡ଼ ଧରମ ହେଲା ।” ଦାସୀ କହିଲା, “ହଉ ହେଲା ତ ହେଲା ପଛକେ, ଚାଲ ବହୂ ସାଆନ୍ତାଣୀ ଡାକୁଛନ୍ତି, କିମିତିକା ଶଙ୍ଖା ଅଛି ଦେଖିବେ ।” ବୁଢ଼ା ଟୋକେଇଟି ନେଇ ଉଠିଲା । ସଦରଦରଜା ପାରିହେଲେ ଭିତରେ ପକ୍କା ବାହାର, ସାମନାରେ ଚଉପାଢ଼ି, ବାଆଁ ପାଖକୁ ଭିତରଆଡ଼ ଦୁଆର । ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ାହୋଇଥିଲା । ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ାହେଲା । ବୋହୂଟି ଧୀରେ ଧୀରେ ଦାସୀକୁ କହିଲା, “କି ଶଙ୍ଖା ଅଛି ପଚାର ମା’ ।’’ ଦାସୀ ଟିକିଏ ମୁଖରା, ସେ କହିଲା, “ଛି କର, ବୁଢ଼ାମିଣିପିଟାକୁ ଏତେ ନାଜ । ନିଜେ ଟୋକେଇରୁ ଆସି ଦେଖୁନାହଁ ?” କଥାଟା ମନକୁ ଆସିଲା । ବୋହୂଟି ଓଢ଼ଣା ଅଧେ ଟେକିଦେଇ ମୁରୁକି ମୁରୁକି ହସିହସିକା ବାହାରିଆସି ଟୋକେଇ ପାଖରେ ଛିଡ଼ାହେଲା । ବୋହୂଟିର ମୁହଁ ଦିଶିଗଲା । ମୁହଁଟି ଚକି କାଟିଦେଲାପରି, ଚମ୍ପାଫୁଲ ପରି ଗୋରା । ଚାରି ଆଙ୍ଗୁଳି ଓସାର ନାଲି, ତହିଁରେ ମୟୂର-କଣ୍ଠିଆ କସ୍ତା ଖଣ୍ଡିକ ଗୋଇଠିଯାଏ ଲମ୍ବିଛି । ତା’ ଭିତରଦେଇ ବୋହୂର କଞ୍ଚା ସୁନାପରି ଗୋରା, ଗୋଟିଏ ଚାଉଳରେ ଗଢ଼ା, ଦେହଟି ଫୁଟି ଦିଶୁଛି । ବୁଢ଼ାର ଆଖି ପୂରି ଉଠିଲା । ଏଡ଼େ ସୁନ୍ଦର, ଏଡ଼େ ନିକ ବୋହୂଟିଏ ସେ କେବେ ଦେଖି ନାହିଁ । ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ । ଏକା ଧ୍ୟାନରେ ବୋହୂଟିକୁ ଚାହିଁ ରହିଲା । ବୁଢ଼ାର ଇଚ୍ଛା କ’ଣ କହିବ ବୋଲି; କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ । କେତେବେଳେକେ ବୁଢ଼ା ମୁହଁ ଫିଟାଇ କହିଲା, “ମା’ କି ଶଙ୍ଖା ନବୁ ନେ ।’’ ‘ମା’ ବୋଲି ଡାକି ଦେଲାକ୍ଷଣି ବୁଢ଼ାର ଛାତି କୁଣ୍ଢେ ହୋଇଗଲା । ବୋହୂଟି ନାଜ ଛାଡ଼ିଦେଇ କହିଲା, “ଆସ୍‍ମାନ୍‍ତାରା ଶଙ୍ଖା ଅଛି ?” ଓଃ ଏଡ଼େ ମିଠା କଥା ! ଏପରି କଥା ତ କେହି କହେ ନାହିଁ । ବୁଢ଼ାର କାନରେ ସେ ସ୍ଵରଟା ଥରକୁ ଥର ବାଜିବାକୁ ଲାଗିଲା । ବୁଢ଼ା କହିଲା, “ନା ମା’, ରଙ୍ଗଝିଲିର, ବଉଳଫୁଲିଆ, ବିଛାମାଳିଆ, ଚୂନଟିପି ଏହିସବୁ ଅଛି । ଏହିଥିରୁ ଯାହା ନବୁ ନେ ମା’; ମୁଁ ଆସ୍‍ମାନ୍‍ତାରା ତିଆରି ହେଲେ ଆଣିଦେବି ।”

 

ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା । ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ । ଏହି ସମୟରେ ବୁଢ଼ା କହିଲା, “ଦେ ମା’, ହାତ ଦେ, ମୁଁ ଶଙ୍ଖା କଛି ଦିଏ ।” ବୋହୂଟି ହଠାତ୍ ହାତ ବଢ଼ାଇ ଦେଉଛି ବା କିପରି । ଟିକିଏ ଇତସ୍ତତଃ କଲା । ବୁଢ଼ା କହିଲା, ‘‘ମା’, ମୋତେ ନାଜ କରୁଛୁ ? ମୁଁ ପରା ତୋ ପୁଅ । ପୁଅକୁ ମା’ ନାଜ କରେନା !’’

 

ଦାସୀ ଏହି ସମୟରେ ଠୋଠୋ କରି ହସିଦେଇ କହିଲା, “ବହୂସାଆନ୍ତାଣୀଏ, ଆଚ୍ଛା ବୁଢ଼ା ପୁଅଟିଏ ପାଇଲେ । ଏକା; କପାଳ ତ ।” ବୋହୂଟି ପୁଣି ହସିଦେଇ କହିଲା, “ଦୂର୍” ।

 

ବୋହୂଟି ହାତ ବଢ଼ାଇଦେଲା, କେଡ଼େ ଟିକିଏ ନିକ ହାତଟି । କେଡ଼େ ସୁନ୍ଦର ଗୋଲ । ଅଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି । ପାପୁଲିଟି ଟୁଲ ଟୁଲ ହେଉଛି । ଶଙ୍ଖାଗୁଡ଼ିକ କି ସୁନ୍ଦର ଦିଶୁଛି । ଏ କ’ଣ ମଣିଷର ହାତ ? ନା କେହି କାରିଗର ଠାକୁର ଗଢ଼ିଛି ? ସେ ହାତକୁ ବୁଢ଼ା ତା’ର ମଳିଆ, ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ । ତା’ପରେ ବାଁ ହାତରେ ଥିରକରି ହାତଟି ଧରି ପରେ ଶଙ୍ଖା କଛିବାକୁ କାଢ଼ିଲା । ଏ ହାତ, ଶଙ୍ଖାରେ କାଳେ କଟିଯିବ; ରକତ ବାହାରି ପଡ଼ିବ ଯେ । ପୁଣି ଟିକିଏ ରହିଲା । ପୁଣି ଶଙ୍ଖା ପଟିଏ ଆଣି, ଧୀରେ ଧୀରେ ଅତି ସନ୍ତର୍ପଣରେ ଅତି ସାବଧାନତାର ସହିତ ସେ ପଟିକ କଛି ନେଲା । ସେ ହାତଟି ଧରିଥିବାବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ; ଯେପରି ତା’ର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେହିଠାରେ ତୃପ୍ତି । ସେ ହାତକୁ ପୁଣି ଛାଡ଼ିଦେବାକୁ ହେଲା । ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି !

 

ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ । ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣିଦେଇ ପଳାଇଲା । ଶାଶୁ ଦାସୀକୁ ପଚାରିଲେ, “କିଲୋ, ଶଙ୍ଖା କିଣୁଥିଲ କି-?” ଦାସୀ କହିଲା, “ହଁ, ବହୂସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି ।’’

 

ଶାଶୁ କହିଲେ, “ଦାମ କେତେ ?”

 

ବୁଢ଼ା–ଶଙ୍ଖାମୁଠାକ, କି ଦାମ୍ ?

 

ଶାଶୁ–ଫେର୍, କେତେ ଦେଖି ?

 

ବୁଢ଼ା–ମା’ଠଉଁ ମୁଁ କ’ଣ ଦାମ ନେବି ?

 

ଶାଶୁ–ଦାସୀକୁ ପଚାରିଲେ, ‘‘କିଲୋ ! ମା’ କ’ଣ ଲୋ ?”

 

ଦାସୀ ହସି କହିଲା, “ସେଇ ପିଲାଟି ବହୂସାଆନ୍ତାଣୀଙ୍କ ପୁଅ ହେଇଛି ।”

 

ଶାଶୁ ହସିଲେ । କହିଲେ, “ଆଚ୍ଛା, ଏଥର ଦାମ ନେଇଥାଅ, ଆଉଥରକୁ ପଛେ ଖାଲି ଦେଇଯିବ । ତମେ ଗରିବ ଲୋକ–’’

 

ବୁଢ଼ା–“ନା, ନା, ମୋ ମା’କୁ ମୁଁ ତ ଦେଇଛି ମୁଁ ଆଉ ଦାମ ନେବି ନାହିଁ । ଶଙ୍ଖା ମୁଠାକ ଲାଗି ମୁଁ ଗରିବ ହୋଇଯିବିନାହିଁ ।”

 

ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖିଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା । ଆଉ ଡାକିଲେ ଶୁଣିଲା ନାହିଁ । ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା, କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ ।

 

ସେ ଦିନଠଉଁ ସେ ବୁଢ଼ା ଶଙ୍ଖାରି ଦୁଇ ଦିନେ ତିନି ଦିନେ ସେ ଗାଁକୁ ଆସେ । ଶଙ୍ଖାଟା କ’ଣ ଗୋଟାଏ ନିତ୍ୟାନି ଦରବ ଯେ ରୋଜ୍ କିଣିବେ । ଅକାଳେ ସକାଳେ, ପୁନେଇଁ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ । ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ; କିନ୍ତୁ ଶଙ୍ଖା ବିକ୍ରି ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ । ସିଏ ଆସେ ତା’ର ସେହି ନିଜ ମା’ଟିକୁ ଦେଖିବାପାଇଁ । ଯେଉଁଦିନ ଆସେ, କାହାରିକୁ ନକହି ଦୁଆରଯାକେ ଚାଲିଆସେ । ବୋଝ ରଖିବାକୁ ହୁଏନାହିଁ, ଖାଲି ପାଟିକରି ଡାକିଦିଏ, “ନୂଆ ଶଙ୍ଖା ନବ ?” ତା’ ପାଟି ଶୁଣିଲାକ୍ଷଣି ବୋହୂଟି କୁଆଡ଼େ ଥାଏ, ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ, ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ । ପଚାରେ, ‘‘ମା’, ଆଉ ଶଙ୍ଖା ନବୁ ?” ବୁଢ଼ାର ଇଚ୍ଛା କାଳେ ନବାକୁ କହିବ; ତାହାହେଲେ ତା’ ମା’ର ଚମ୍ପାଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କଛି ଦେବ । କିନ୍ତୁ ବୋହୂଟି ମୁଣ୍ଡ ହଲାଇଦିଏ । ବୁଢ଼ା ଫେରି ଚାଲିଯାଏ ।

 

ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରିହୁଏ, ସେ ଦାସୀଟି ହୁରି କରିଦିଏ, “ବୋହୂ ସାଆନ୍ତାଣୀଏ, ତମ ପୁଅ ଅଇଲାଣି ।’’ ବୁଢ଼ା ଦୁଇଥର, ଚାରିଥର “ନୂଆ ଶଙ୍ଖା ନବ” ବୋଲି ଡାକିଲାରୁ, ତା’ ମା’ଟି ଆସି ଛିଡ଼ାହୁଏ । ବୁଢ଼ା ଯେଉଁ ଦିନ ଆସେ, ପ୍ରାୟ ଏହି କଥା, ଏହି ଅଭିନୟ ନିତି ନିତି । ବୁଢ଼ା ଫେରିଲାବେଳକୁ ଭାବେ, “ମା’ର ଆସ୍‍ମାନ୍‍ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବ ।” ଶେଷରେ ଠିକ୍‌କଲା ଆସନ୍ତା ରଜସଂକ୍ରାନ୍ତିବେଳକୁ ଯୁଆଡ଼ୁ ହେଲେ ମା’ଲାଗି ଆସ୍‍ମାନ୍‍ତାରା ମୁଠାଏ ଆଣିବି, ମା’ ନୂଆଶଙ୍ଖା ନାଇବ, ମୋତେ ହାତ ଦେଖାଇବ, ମୁଁ ଶଙ୍ଖା କଛି ଦେବି । ଏଇଆ ଭାବିଲାକ୍ଷଣି ବୁଢ଼ାର ମନ ଭାରି ଉତ୍‍ଫୁଲ୍ଲ ହୋଇଯାଏ-। ବୁଢ଼ା ରଜସଂକ୍ରାନ୍ତିକୁ ଚାହିଁ ରହିଥାଏ । ରଜସଂକ୍ରାନ୍ତି ଏ ଥର ତା’ର ଭାରି ଆନନ୍ଦର ଦିନ; ତା’ ମା’ଲାଗି ସେ ଆସ୍‍ମାନ୍‍ତାରା ଶଙ୍ଖା ଆଣିବ, ମା’ କେଡ଼େ ଖୁସି ହେବ ।

 

ବୈଶାଖ ମାସ ହେଲା । ବୁଢ଼ାଲୋକ, ଏଥିରେ ଖରାରେ ରୋଜ୍ ରୋଜ୍ ବାଟଚଲା, ପାଣିପିଆ; ଦେହରେ ସହିଲା ନାହିଁ, ବୁଢ଼ାକୁ ଜ୍ଵର ହେଲା । ଦେଖୁଦେଖୁ ଭାରି ଜ୍ଵର । ଗୋଡ଼ହାତ ଫୁଲିଗଲା । ସମସ୍ତେ କହିଲେ ବୁଢ଼ା ଆଉ ବଞ୍ଚିବ ନାହିଁ । ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ । ସେ ସବୁବେଳେ ଭାବି ହେଉଥାଏ ଯେ କେଉଁଦିନୁ ସେ ମା’କୁ ଦେଖିବାକୁ ଯାଇନାହିଁ । ସେଥିପାଇଁ ମନଟା ଆଉଟି ପାଉଟି ହେଉଥାଏ ।

 

ଦେଖୁଦେଖୁ ରଜସଂକ୍ରାନ୍ତି ଆସି ପାଖ ହୋଇଗଲା । ବୁଢ଼ା ଦୁଇମାସ ହେଲା ମା’କୁ ଦେଖିବାକୁ ଯାଇନାହିଁ । ଚାଲିପାରୁଥିଲେ ଯିମିତିହେଲେ ଦେଖି ଆସୁଥାଆନ୍ତା । କିନ୍ତୁ ରଜକୁ ତ ଆସ୍‍ମାନ୍‍ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ । ବୁଢ଼ା ଅନେକ କଷ୍ଟରେ ଉଠିବସି ନିଜ ହାତରେ ଶଙ୍ଖା ତିଆରି କଲା । ଆଉ କେହି କରିଦେଲେ କାଳେ ମା’ ମନକୁ ନ ଆସିବ । ଷାଠିଏବର୍ଷକାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା । ଦିନକ କାମ ଚାରିଦିନ ଲାଗୁ ପଛକେ କାମଟି କିମିତି ସରସ ହେଉ । ରଜ ଦୁଇଦିନ ଥାଇ କାମ ନିକାଶ ହେଲା । ମନ ଘେନି ଫଳ । ଏପରି ଗଢ଼ଣର ଶଙ୍ଖା ତା’ ଜୀବନରେ ତା’ ହାତରେ କେବେ ଉତୁରିନାହିଁ । ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି । ତା’ ମା’ ହାତକୁ ଏ ଶଙ୍ଖାମୁଠିକ ଖୁବ୍ ମାନିବ ।

 

ରଜ ଆଗଦିନ ପହିଲି ରଜ । ଆଜି ଝିଅବୋହୂଏ ନୂଆ ଶଙ୍ଖା ନୂଆ ଶାଢ଼ି ପିନ୍ଧନ୍ତି । ରାତିସାରା ବୁଢ଼ାକୁ ନିଦ ନାହିଁ । ସକାଳୁ ଉଠି ବୁଢ଼ା ଭାବିଲା “ମୁଁ ତ ଚାଲିପାରୁନାହିଁ, କ’ଣ କରିବି ? ଆଉ କିଏ ନେଇ ଗଲେ ତ ହେବନାହିଁ । ମା’କୁ ଢେର୍‍ଦିନୁ ଦେଖିନାହିଁ, ସତେ କ’ଣ ଏଥିରୁ ବଞ୍ଚିବି ଯେ,–ଥରେ ଦେଖିଆସେ । ଆଉ ମା’ର ସେହି ହାତରେ ଶଙ୍ଖା କଛି ଦେବି ।’’ ମା’ର ହାତଟି ମନେପଡ଼ିଲାକ୍ଷଣି ବୁଢ଼ାର ଗଦାଏ ବଳ ଆସିଲା । ବୁଢ଼ା ସଅଳ ସଅଳ ମୁଠାଏ ଖାଇଦେଇ ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା । ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲୁଥାଏ-। ପାଞ୍ଚ କୋଶ ବାଟ, ପହଞ୍ଚିଲାବେଳକୁ ବେଳ ଗଡ଼ିଗଲାଣି ।

 

ବୁଢ଼ା ଯାଇ ଯେଉଁଠାରେ ଛିଡ଼ାହୋଇ ଡାକୁଥିଲା ସେହିଠାରେ ଛିଡ଼ାହେଲା । ମନରେ କେତେ ଆନନ୍ଦ, କେତେ ଉତ୍ସାହ । ଡାକିଲା, “ଶଙ୍ଖା ନବ ?” କେହି ଶୁଣିଲେ ନାହିଁ । ପୁଣି ଡାକିଲା, “ମା’ଲୋ, ଶଙ୍ଖା ନବୁ ପରା ?’’ ତେବେବି କେହି ଆସିଲେ ନାହିଁ । ବୁଢ଼ା ଅଧୀର ହୋଇପଡ଼ିଲା । ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ । ଥରେ ଡାକିଲେ ତ ମା’ ତା’ର ଆସି ଦୁଆରବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା ! ପୁଣି ଡାକିଲା, “ମା’–ମୁଁ ଆସିଛି । ଶଙ୍ଖା ଆଣିଛି ତୋ’ପାଇଁ ।” ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ସେହି ଦାସୀ । ସାଆନ୍ତାଣୀକୁ ଦେଖି ବୁଢ଼ା କହିଲା, ‘‘ମୋ ମା’ କାହିଁ, ମୁଁ ତା’ପାଇଁ ଆସ୍‍ମାନ୍‍ତାରା ଶଙ୍ଖା ଆଣିଛି, ରଜରେ ପିନ୍ଧିବ ।” ଦାସୀ ତ ଏତେବେଳକୁ ହୁରି କରି କମ୍ପାଇ ଦିଅନ୍ତାଣି–ସେ କିଛି କହିଲା ନାହିଁ । ସାଆନ୍ତାଣୀ ଧୀରେ ଧୀରେ କହିଲେ, “ନା, ଶଙ୍ଖା ଲୋଡ଼ା ନାହିଁ ।” ବୁଢ଼ା କହିଲା, “ନା, ନା, ମୁଁ ମୋ ମା’ ଲାଗି ବଡ଼ ଶରଧାରେ ଆଣିଚି ।

 

ସାଆନ୍ତାଣୀ–ନା, ଶଙ୍ଖା କେହି ନେବେ ନାହିଁ, ଯା–

 

ବୁଢ଼ା–ହଉ, ଶଙ୍ଖା ନ ନେଲେ ନାହିଁ, ମୋ ମା’କୁ ଥରେ ଡାକିଦିଅ ମୁଁ ଦେଖିବି । କେଉଁଦିନରୁ ଦେଖିନାହିଁ ।

 

ସାଆନ୍ତାଣୀ–ଦେଖା ହୋଇ ପାରିବ ନାହିଁ ।

 

ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା । ‘ଦେଖା ହୋଇ ପାରିବ ନାହିଁ ! ମୋ ମା’କୁ ମୁଁ ଥରେ ଦେଖିପାରିବି ନାହିଁ !’ ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା । ସେ କାନ୍ଦ କାନ୍ଦ ହୋଇ କହିଲା, “ଥରଟିଏ ଦେଖିବି–ମୁଁ ଆଉ ବଞ୍ଚିବି ନାହିଁ ।”

 

ସାଆନ୍ତାଣୀ ଦାସୀକୁ କହିଲେ, “ଯା ବହୂକୁ ଡାକିଦେ ।" ଦାସୀ ଚାଲିଗଲା । କିଛିକ୍ଷଣ ପରେ ବହୂ ଆସି ଦୁଆର ପାଖେ ଛିଡ଼ାହେଲା । ସେଇଠି ସେ ସବୁଦିନେ ଛିଡ଼ାହୁଏ । ଆସିଲାବେଳକୁ ଝୁମୁରୁ ଝୁମୁରୁ ହୋଇ ଚାଲିଆସେ । ଛିଡ଼ାହୋଇ ବୁଢ଼ାକୁ ଚାହିଁଦିଏ । ତା’ର ହସହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେନାହିଁ । ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା । ସେ ଚାରିଆଙ୍ଗୁଳି ଲେଖାଏଁ ନାଲି ତହଁରି ଶାଢ଼ି ନାହିଁ କି କୁମ୍ଭକିନାରା ଦକ୍ଷିଣୀ ପାଟ ନାହିଁ । ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା । ବୁଢ଼ାର ଦେହ ଥରିଉଠିଲା, ମୁଣ୍ଡ ଘୂରିଗଲା, ବୁଢ଼ା ଆଖି ବୁଜିପକାଇଲା । ପୁଣି ଚାହିଁଲାବେଳକୁ ତା’ର ସେହି ହାତଟି ଦିଶିଗଲା–ହାତରେ କିଛି ନାହିଁ । ବୁଢ଼ା ଭୋ ଭୋ ହୋଇ ରଡ଼ିକରି ଉଠିଲା । ବହୂଟି ଫେରିପଡ଼ି ଚାଲିଗଲା । ବୁଢ଼ା କହିଲା, “ମା’ଲୋ, ମୁଁ ନ ମରି କାହିଁକି ତୋତେ ଦେଖିବାକୁ ଆସିଲି । ଏହିତା ଦେଖିବାଲାଗି ନାଲୋ ମା’–” ବୁଢ଼ା ଆଉ କହିପାରିଲା ନାହିଁ । ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖାମୁଠିକ ଫିଟାଇ ପକାଇ ବାହାରେ କଚାଡ଼ିଦେଲା । ଶଙ୍ଖା ମୁଠାକଯାକ ଚୂନା ହୋଇଗଲା । ତହୁଁ ସେ ଏକମୁହାଁ ହୋଇ ଫେରି ଚାଲିଗଲା । ଦାସୀ ଓ ଶାଶୁ ରଡ଼ିକରି ଉଠିଲେ ।

Image

 

ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ

ଗୋଦାବରୀଶ ମହାପାତ୍ର

 

ଓଡ଼ିଶାର ଖୁବ୍ କମ୍ ଲୋକ ଯେଉଁ ଗାଁ ଖଣ୍ଡିକୁ ଜାଣିଛନ୍ତି ସେହି ଗାଁଟି ନାଁ ହେଉଛି ‘ସିଆଳି’ । ସିଆଳି ଗାଁକୁ ବେଶୀ ଲୋକ ଜାଣିବାର କିଛି କାରଣ ନାହିଁ । ସେ ଗାଁ ଭିତରେ ପକ୍କାଘର ନାହିଁ । ସେ ଗାଁକୁ ଭଲ ବାଟ ନାହିଁ । ସେ ଗାଁର ଲୋକେ ପାଠ ମଧ୍ୟ ପଢ଼ିନାହାନ୍ତି । ଗୋବରଗାଡ଼ିଆରେ କଇଁ ଫୁଟିଲାପରି ଗୋପାଳ ଯେ କିପରି ସେଠାରେ ଫୁଟିଲା, ତାହା ହେଉଛି ଓଡ଼ିଶାର ନାନା ଆଶ୍ଚର୍ଯ୍ୟଜନକ ଘଟଣା ଭିତରୁ ଗୋଟିଏ ।

 

ଓଡ଼ିଶା ମୁଲକରେ ସିଆଳି ବୋଲି ଗୋଟିଏ ଗାଁ ଅଛି; ଆଉ ସେହି ଗାଁରେ ତା’ର ଘର ବୋଲି ଗୋପାଳ କେବେ ଭୁଲରେ ସୁଦ୍ଧା କାହା ଆଗରେ ନିଜର ପରିଚୟ ଦିଏନାହିଁ । ଗାଁ ନାଁ ପଚାରିଲେ ସେ ଗୋଟିଏ ଚାଲାକିକରି ଥାନାର ନାଁଟା କହିଦିଏ । କଥାଟା ସେଥିରେ ପ୍ରାୟ ଘୋଡ଼େଇ ହୋଇଯାଏ ।

 

ସିଆଳିର ଲୋକେ ମୁଣ୍ଡଝାଳ ତୁଣ୍ଡେ ମାରି ପେଟ ପୋଷନ୍ତି । କିଏ ମୂଲ ଲାଗେ, କିଏ ପନିପରିବା ବିକେ ବା ପାଇଟି ନ ପାଇଲେ ଭିକମାଗି ଚଳେ । ଏଗୁଡ଼ାଳ ସମାଜର ନିତାନ୍ତ ତଳଶ୍ରେଣୀ ଲୋକଙ୍କ କାର୍ଯ୍ୟ, ଗୋପାଳ ଏକଥା ପାଠପଢ଼ି ବୁଝିଛି । ତେଣୁ ସେ କଟକର ପକ୍କାଘର ଭିତରେ ଏଗୁଡ଼ାକୁ ଆତ୍ମୀୟ ଦୃଷ୍ଟିରେ ବା ଶ୍ରଦ୍ଧାଚକ୍ଷୁରେ ଦେଖେନାହିଁ । ଏକଥା କଳ୍ପନା କଲେ ତା’ର ଲୋମ ଟାଙ୍କୁରି ଉଠେ । ଭାବେ, ସିଆଳି ଗାଁଟା ଯେବେ ସମତଳ ଅଞ୍ଚଳରେ ତ ସେ ଆସି ବସିଛି ଗୌରୀଶଙ୍କର ଶୃଙ୍ଗରେ । ତା’ର ପାଠଠାରୁ ଗାଁ ଲୋକଙ୍କ ସ୍ଥାନ କେତେ ତଫାତ୍ !

 

ପିଲାଦିନର ଅନେକ କଥା ପକ୍କାଘର ଭିତରେ ଗୋପାଳର ମନେପଡ଼େ; ମାତ୍ର ଗୋଟିଏ କଥାକୁ ସେ କେବେହେଲେ ମନରୁ ପାଶୋରି ପାରେନାହିଁ । ସେ ନିତାନ୍ତ ଛୋଟ ଥିଲାବେଳେ ତା’ର ବାପା ଜଣେ ତହସିଲଦାରଙ୍କର ପିଆଦା ଥିଲେ । କାଠବିକା ବ୍ୟବସାୟ ଛାଡ଼ି ସେ ପିଲାକୁ ଧରି ତହସିଲଦାରଙ୍କୁ ଗୋଟିଏ ବର ମାଗିଥିଲେ । ପାଞ୍ଚବର୍ଷ ପରେ ବଦଳି ହେବା ସମୟରେ ତହସିଲଦାରବାବୁ ଅନୁରକ୍ତ ଭୃତ୍ୟପ୍ରତି ବଡ଼ ଶୁଭଦୃଷ୍ଟି ପକାଇଲେ । ତାହାରି ଫଳରେ ଗୋପାଳ କଟକ କଲେଜ ପର୍ଯ୍ୟନ୍ତ ଯାଇପାରିଛି । ଏବେ ତହସିଲଦାର ନାହାନ୍ତି କି ତା’ର ବାପା ନାହାନ୍ତି ।

 

ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ଉତ୍କଳମଣିଙ୍କ କରୁଣ ଆହ୍ଵାନରେ ଓଡ଼ିଶା ବୁକୁର କଠୋର ପଥରଖଣ୍ଡ ସୁଦ୍ଧା ତରଳିଯାଉଥିଲା ।

 

ମହାନଦୀର କରାଳ ବନ୍ୟାରେ ଶହ ଶହ ଲୋକ ଭାସିଗଲେ, ହଜାର ହଜାର ଘର ଭାଜିଗଲା, ବିଲ ଉପରେ ସାତଫୁଟ୍ ପାଣି ଠିଆହେଲା, ଗଛ ଉପରେ ମଣିଷ ଆଶ୍ରୟ ନେଲା, ସ୍ଥଳ ନପାଇ ଚାଳ ଉପରେ ମାଆ ସନ୍ତାନ ପ୍ରସବ କଲା, ଛାଡ଼ିନପାରି ପିତା ପୁତ୍ରର ଶବକୁ ଜାକି ଧରି ଗଛରେ ଲାଖିରହିଲା–ଏସବୁ କାହାଣୀ ଶୁଣି ପଥର ତରଳିବା ଅସମ୍ଭବ କ’ଣ ?

 

ଉତ୍କଳମଣିଙ୍କର ଏ ଡାକ ସମସ୍ତଙ୍କ କାନରେ ବାଜିଲା । କଲେଜ ଭିତରେ ଏକ କୋଠରିରେ ଗୋପାଳ ମଧ୍ୟ ଏକଥା ଶୁଣିଲା । ଦଳଦଳ ଛାତ୍ର ବନ୍ୟାରେ ଲମ୍ଫ ଦେବାକୁ ବାହାରିଲେ-। ବନ୍ୟାର ଏ ଅତ୍ୟାଚାରରେ କେତେକ ଯୁବକ ପ୍ରାଣରୁ ଏପରି ତପ୍ତଶ୍ଵାସ ଉଠିଲା ଯେ କଲେଜ ଭିତ୍ତିପର୍ଯ୍ୟନ୍ତ ଥରିଗଲା–ଓଡ଼ିଶା ଯେବେ ଗଲା, କାହାଘେନି କଲେଜ ?

 

ଗୋପାଳ ତ ସେଦିନ ଭାତଥାଳି ପାଖେ ବସିଲା ନାହିଁ, ରାତିରେ ଶେଯରେ ଶୋଇପାରିଲା ନାହିଁ ମଧ୍ୟ । ସନ୍ଧ୍ୟାବେଳୁ ସେ ଚଉକି ଉପରେ ବସି ବସି ଚିନ୍ତା କଲା । ତା’ର ଚିନ୍ତା ଭିତରେ ଗୋଟାଏ ଅତୀତ ଜୀର୍ଣ୍ଣଜଗତର ନିତାନ୍ତ ଅସ୍ପଷ୍ଟ ଛାୟା ଦେଖାଗଲା । କି ଦୀନହୀନ ବେଶ ସେହି ଜଗତର । ଗ୍ରାମଗହଳର କୋଳାହଳ ଭିତରେ ଗୋଟିକର ମୁହଁରେ ହେଲେ ହସ ନାହିଁ । ବିଲରେ ପାଣି, ଘରେ ପାଣି, ପ୍ରତି ଆଖିରେ ପାଣି । ବିଲ ପଡ଼ିଆରେ କୂଳଥଳ ମିଳୁନାହିଁ, ହୃଦୟରେ ଭାବନାର କୂଳଥଳ ମିଳୁନାହିଁ; ଏ ପ୍ରାଚୀନ ଜାତିଟାର ଶକ୍ତିଶାଳୀ ବଂଶଧରଗଣ ଶକ୍ତି ହରାଇ କୁଆଡ଼େ ଭାସିଯାଉଛନ୍ତି ତାହା କଳ୍ପନା କରି ହେଉନାହିଁ । ସବୁଆଡ଼େ ହାହାକାର, ସବୁଆଡ଼େ ଚିତ୍କାର । ସେହି ଭିତରେ ଗୋପାଳ ଦେଖିପାରିଲା ତା’ର ସେହି ପୂର୍ବ ପରିଚିତ ସିଆଳି ଗାଁର ଚିତ୍ର । ସେ ଗାଁର ଲୋକେ ଭାସିଯାଇଛନ୍ତି, ଗାଁର ପୂର୍ବପଟ ସେହି ଭାଗବତଘରଟା ଆଉ ନାହିଁ-। ଗ୍ରାମଦେବତୀ ବାଉତେଇଙ୍କ ମଣ୍ଡପର ପଥରଖୁଣ୍ଟ କେବଳ ପାଣି ଉପରକୁ ଦେଖାଉଛି । ଗାଁର ଯେଉଁ ଉଚ୍ଚ ମଶାଣିଭୂଇଁ ଖଣ୍ଡକ ସମସ୍ତଙ୍କର ଆଶ୍ରୟ ସ୍ଥଳ, ସେଠାରେ ବଡ଼ ବରଗଛକୁ କିଏ ଆଶ୍ରୟ ଦେଇପାରିନାହିଁ । ତା’ର ବୁକୁ ଦାଉଁ ଦାଉଁ ପଡ଼ିଲା, ଉଠିଲା । କେବେ ତ ସେ ପକ୍କାଘରେ ବସି ସିଆଳି କଥା ଭାବି ନାହିଁ, ଏତେଦିନେ ସେହି ସ୍ମୃତି କାହିଁକି ଜାଗିଲା, ସେ ତତ୍ତ୍ଵ ସେ ଖୋଜିବାକୁ ଚେଷ୍ଟା କଲାନାହିଁ । ସେ କେବଳ ଆଖିଆଗରେ କେତେଗୁଡ଼ାଏ ବିଭଙ୍ଗ ଚିତ୍ର ଦେଖିଲା; ବେଳେବେଳେ ଚମକିଲାପରି ଚଉକିରେ ସିଧାହୋଇ ବସି ଗୋଟାଏ ଦୀର୍ଘଶ୍ଵାସ ଛାଡ଼ିଲା-। କଇଁଫୁଲପରି ଧଳା ଶେଯଟାରେ ସେ ବହୁବାର ଏପାଖ ସେପାଖ କଡ଼ ଲେଉଟାଇଲା, ଆଖି ଫିଟାଇରଖି ଯାହା ଚିନ୍ତାକଲା ଆଖି ମୁଦିରଖି ସେହି କଥା ମଧ୍ୟ ଭାବିଲା । ଗୋଟାଏ କ୍ଷୁଦ୍ର ପଲ୍ଲୀର ହତଭାଗାଙ୍କ ଚିତ୍କାର ତା’ର ପ୍ରାଣକୁ ବେଳେବେଳେ ଚମକାଇ ଦେଲା । ବରଫ-ଶୁଭ୍ର କାନ୍ଥ ଦେହରେ ସେ ପ୍ରେତଛାୟା ଦେଖିପାରିଲା । କିଏ କହିଲା, ‘ଗୋପାଳ, ଗୋପାଳ, ଗୋପାଳ’, କିଏ କହିଲା–‘ବାବୁରେ’, କିଏ କହିଲା–‘ଧନରେ’, କିଏ କହିଲା–‘ଗୋପାଳବାବୁ ।’ ଗୋପାଳ ଆଉ ଶୋଇବ କ’ଣ ?

 

ଦିନେ ସ୍ଵେଚ୍ଛାସେବକଦଳ ବନ୍ୟା ଅଞ୍ଚଳରେ କାମ କରିବାପାଇଁ ଯେତେବେଳେ ବାହାରିଲେ, ଗୋପାଳ ମଧ୍ୟ ସେମାନଙ୍କ ସଙ୍ଗେ ବାହାରିଲା । ବାହାରିବା ଆଗରୁ ସ୍ଵେଚ୍ଛାସେବକମାନଙ୍କୁ ବହୁତ ଆୟୋଜନ କରିବାକୁ ହେଲା । କେତେଦିନ ପାଇଁ ଲୁଗାପଟା ଓ ଖାଦ୍ୟପେୟର ବ୍ୟବସ୍ଥା ହେଲା । କଲେଜ ଭିତରୁ ଗାଁ ଭିତରକୁ ଯିବା ଅନ୍ୟ ସ୍ଵେଚ୍ଛାସେବକଙ୍କ ପକ୍ଷରେ ଯାହା ହେଉନା କାହିଁକି ଗୋପାଳ ପକ୍ଷରେ ଗୋଟାଏ ନୂତନ କଥା । କଲେଜରୁ ଗାଁ ତ କମ୍ ତଫାତ୍ ନୁହେଁ । କେତେଦିନ ରହିବାକୁ ହେବ କିଏ ଜାଣେ ? ସେଥିପାଇଁ ଦଶ ପାଞ୍ଚ ଖଣ୍ଡ ଅଧିକା ଲୁଗା ନହେଲେ ନ ଚଳେ । ଯେଉଁଠାରେ ଲୋକେ ଖାଇବାକୁ ପାଉନାହାନ୍ତି ସେଠାରେ ପ୍ରତିଦିନ ଜଳଖିଆ ବା ମିଳିବ କୁଆଡ଼ୁ ? ତେଣୁ ଇସ୍ତିରିଦିଆ ଲୁଗାଗୋଛା ସହିତ କମଳା, ଅଙ୍ଗୁର, ଖଜୁରୀ, ଚିନି, ଅଟା, ଷ୍ଟୋଭ୍ ପର୍ଯ୍ୟନ୍ତ ବ୍ୟବସ୍ଥା ଗୋପାଳ ଅନ୍ୟମନସ୍କ ଭାବରେ କରି ପକାଇଲା । ବନ୍ୟାସ୍ରୋତ ପଛେ ପଛେ ସ୍ୱେଚ୍ଛାସେବକ ସ୍ରୋତ ଗାଁ ଗହଳକୁ ଚାଲିଲେ ।

 

ଦିଗନ୍ତ ବିସ୍ତୃତ ବିଲ ପଡ଼ିଆ–ସେ ଭିତରେ ମଫସଲର ଚିହ୍ନ ସୁଦ୍ଧା ନାହିଁ । ବନ୍ୟାର କରାଳ ଜିହ୍ଵା ସବୁ ଶେଷକରି ଦେଇଛି । ଦୂରରୁ ଦେଖିଲେ ଠାଏଠାଏ ଗଛ ଗହଳରେ କେତେଟା ଘର ଦେଖାଯାଉଛି, ତାହାରି ଭିତରେ ହତଭାଗା ଚାଷୀ ଭାଇଙ୍କର ସଂସାର । ସେ ଭିତରକୁ ଯିବାକୁ ହେଲେ କାଦୁଅ, ପାଣି, କଣ୍ଟା, ଖୁଞ୍ଚା, ଅମଡ଼ା ରାସ୍ତା–ସବୁ ଭେଟିବାକୁ ପଡ଼ିବ । ସେ ଭିତରର ଜୀବଙ୍କ ସେବା କରିବାକୁ ହେଲେ ନିଜକୁ ମଶା, ମେଲେରିଆ, ଜ୍ଵର, ମହାମାରୀ ବସନ୍ତର ସମ୍ମୁଖୀନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । କଟକ–ବ୍ରହ୍ମପୁରର ରାଜରାସ୍ତା ସେଠାରେ ନାହିଁ କି ପୁରୀର ବଡ଼ଦାଣ୍ଡ ସେଠାରେ ନାହିଁ । ତେଣୁ କଟକ କୋଠରୀଠାରୁ ଯେ ଏହା ବହୁତ ଦୂରରେ, ତାହା ଗୋପାଳ ବୁଝିବାକୁ ବାକି ରହିଲା ନାହିଁ ।

 

କଟକ ଛାଡ଼ିଗଲାବେଳେ ଗୋପାଳର ମନ ଯେପରି ଥିଲା, ବନ୍ୟା ଅଞ୍ଚଳର ମାଧପୁର କେନ୍ଦ୍ରକୁ ଆସିଲାବେଳକୁ ତହିଁର ଘୋର ପରିବର୍ତ୍ତନ ଘଟିଯାଇଛି । ତିନିଦିନର ରାସ୍ତା, ତାକୁ ଲାଗିଛି ଠିକ୍ ତିନିବର୍ଷ ପରି । ଚାଲିଆସିବାରେ ତା’ର ଚାରିଟା ଇସ୍ତିରିଦିଆ ଧୋତି କାଦୁଅ ଛିଡ଼ିକି ନଷ୍ଟ ହୋଇଯାଇଛି । ସାଙ୍ଗରେ ବୋହିଥିବା ସୁରେଇର ଛଣା ପାଣି ସରିଯିବା ଫଳରେ ବାଟରେ ଭଲ ପାଣି ଟୋପାଏ ପିଇବାକୁ ମିଳିନାହିଁ । ଜୋତା ଲଗାଇବାର ଆଦୌ ସୁବିଧା ଘଟିନାହିଁ । ତେଣୁ ଅନଭ୍ୟସ୍ତ ଗୋଡ଼ରେ ଦୁଇଟା କଣ୍ଟା ଗଳିଛି ଓ ଗୋଟିଏ ଗେଣ୍ଡା କାଟିଛି । ଆଣିଥିବା ଜଳଖିଆ ଅଧାରୁ ବେଶି ଶେଷ ପାଇଛି । ଏପରି କ୍ଷେତ୍ରରେ ତା’ର ମନ ଖୁବ୍ ବିଗିଡ଼ିଯାଇଛି ।

 

ଚାଉଳଦିଆ କେନ୍ଦ୍ର–କେବଳ ସେଠାରେ ଜନସମୁଦ୍ର ଦରିଦ୍ର, ନିଃସହାୟ ପଲ୍ଲୀବାସୀ ପ୍ରାଣପ୍ରିୟ ପିଲା କୁଟୁମ୍ବ ଧରି ମୁଠାଏ ମୁଠାଏ ଚାଉଳପାଇଁ ସେଠାରେ ଜମା ହୋଇଛନ୍ତି–ମୁଠାଏ ପାଇଲେ ପୁଅଠାରୁ ବାପ, ଭାଇଠାରୁ ଭାଇ ଭିଡ଼ି ଓଟାରି ଗିଳିପକାଇବାରେ କୁଣ୍ଠାବୋଧ କରୁନାହାନ୍ତି । ସେଠାରେ ଗୋପାଳର କର୍ତ୍ତବ୍ୟ ? ସେ ଗୋଟାଏ ଦୀର୍ଘଶ୍ଵାସ ପକାଇଲା । ତା’ପରେ ଧୀରେ ଧୀରେ ରୁମାଲରେ ମୁହଁ ପୋଛି, ତା’ର ଇସ୍ତିରିଦିଆ ଲୁଗା କାହା ଦେହକୁ ନ ଲାଗିଲା ପରି ବଡ଼ ସାବଧାନରେ ଠିଆହେଲା । କିନ୍ତୁ ଚାରିଆଡ଼େ ତ କଙ୍କାଳ, ଚାରିଆଡ଼େ ତ ଦରିଦ୍ର, ସେ କାହାକୁ କରଛାଡ଼ ହୋଇ ରହିବ ? ଦିନେ ଦୁଇଦିନ ଗଲା, ସେ ମୁଠିଚାଉଳ ଦେବାର ଅଭ୍ୟସ୍ତ ହେଲେ ମଧ୍ୟ ଲୋକଙ୍କ ବ୍ୟବହାରରେ ନିତାନ୍ତ ଉତ୍ତ୍ୟକ୍ତ ହୋଇ ଉଠିଲା । କିଏ ପାଖକୁ ମାଡ଼ି ଆସୁଛି, କିଏ ଉପରେ ପଡ଼ିଛି, କିଏ କୁଞ୍ଚି କାନିଧରି ଭିଡ଼ୁଛି, କିଏ ହାତ ଧରି ଟାଣୁଛି । ପ୍ରତି ମୁହୂର୍ତ୍ତରେ ତାକୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ିଛି । ମନ ନିତାନ୍ତ ତିକ୍ତ ହୋଇଉଠୁଛି । କେଡ଼େ ବୋକା ଲୋକଗୁଡ଼ାକ ! ଭଦ୍ରାମି ଜାଣନ୍ତି ନାହିଁ । ଖାଇବାକୁ ନାହିଁ ବୋଲି ଭଦ୍ରଲୋକର ଲୁଗା ଭିଡ଼ିବେ ? ଛି !

 

ଖାଲି ଯେ ଗୋପାଳ ଏ କଥା ମନରେ ଭାବିଲା ତା’ ନୁହେଁ, କାର୍ଯ୍ୟରେ ମଧ୍ୟ ଦେଖାଇଦେଲା । ବିରକ୍ତ ହେଲା, ନାକ ଟେକିଲା, ହାତ ଛିଞ୍ଚାଡ଼ିଲା, ଫୋପାଡ଼ିଲା ପରି ଚାଉଳ ଦେଲା । ଦରିଦ୍ର ପଲ୍ଲୀବାସୀ ତଥାପି ଶିଖିପାରିଲେ ନାହିଁ–ଏଇ ହେଉଛି ଗୋପାଳ ମନରେ କଷ୍ଟ !

 

ଗୋପାଳଠାରୁ ସମସ୍ତେ ଚାଉଳ ନିଅନ୍ତି; କିନ୍ତୁ ଗୋପାଳ ଦେଖେ, ଅର୍ଗଳି ପାଖେ ଗୋଟିଏ ବୁଢ଼ା କେବଳ ଠିଆହୋଇ ଫେରିଯାଏ । ସେ ପାଖକୁ ଆସି ମାଗେ ନାହିଁ କି ମାଗିବାପାଇଁ କାହାକୁ କହେ ନାହିଁ । ଗୋପାଳ ତାକୁ ଦେବ ବୋଲି ବିଚାରେ, ମାତ୍ର ଗହଳି ପାରହୋଇ ଯାଇ ଦେଇପାରେ ନାହିଁ । ଦିନେ, ଦୁଇଦିନ, ଚାରିଦିନ ଗଲା, ବୃଦ୍ଧର ସେହି କରୁଣ ଦୃଷ୍ଟି ଗୋପାଳ ଭୁଲିପାରିଲା ନାହିଁ । କେବଳ ପରିଚିତ ମୁହଁ ପରି ତାକୁ ଜଣାପଡ଼ିଲା । ଦିନେ ଆଗରୁ ଲୋକ ଆଡ଼େଇ ଆଡ଼େଇ ସେ ଯାଇ ବୃଦ୍ଧ ପାଖେ ପହଞ୍ଚିଲା । ପଚାରିଲା–

 

“ନେଲଣି ?”

 

ବୃଦ୍ଧ ମୁଣ୍ଡ ହଲାଇ କହିଲା–“ହଁ ।”

 

‘‘ତେବେ ଠିଆ ହୋଇଛ ?”

 

ବୃଦ୍ଧ ତା’ର ଶୁଖିଲା ଧଳା ଛେପ ଲାଗିଥିବା ଓଠକୁ ଶୁଖିଲା ଜିଭରେ ଚାଟି ଥରେ ଦି’ଥର ପାଟି ବୁଲାଇଲା । ତା’ପରେ ଗୋପାଳ ମୁହଁକୁ ଥୁଥୁ କରି ଦୁଇ ଲେଣ୍ଡା ଛେପ ପକାଇ ଆଖିତରାଟି ଚାହିଁ ରହିଲା ।

 

ଖୁବ୍ ଚହଳ ତ ପଡ଼ିଗଲା । ଗୋପାଳର ମୁହଁ କଳା ପଡ଼ିଗଲା । ସମସ୍ତେ କହିଲେ–“ସିଆଳିର ସାନ୍ତରା କଲେ କ’ଣ ? ଗୋପାଳ ସେ ରାତିରାତି ରାଗ, ଅପମାନ, ବିରକ୍ତରେ କଟକ କୋଠରି ଅଭିମୁଖେ ଯାତ୍ରା କଲା । ତା’ର ଚାରିଦିନ ପରେ କଟକରେ ଉତ୍କଳମଣି ସାଧାରଣ ସଭାରେ କାନ୍ଦି କାନ୍ଦି ହାତ ପ୍ରସାରି ମାଗିଲେ, “କାହାର ଛିଣ୍ଡାଲୁଗା ଅଛି, ତାହା ମଧ୍ୟ ଦେଲେ ଦରିଦ୍ରର ସେବାରେ ଲାଗିବ ।”

 

ଦରିଦ୍ରର ସେବା ! ଛିଣ୍ଡାଲୁଗା ! ଗଭୀର ବିରକ୍ତିରେ ମୁଣ୍ଡ ପୋତି ବସିରହି କଲେଜ ଘରେ ଗୋପାଳ ପୁଣି ଚମକିଲା । ନିଜର ଲୁଗାକୁ ଚାହିଁଲା, ଦେଖିଲା ଖଣ୍ଡିଏ ସୁଦ୍ଧା ଚିରା ନାହିଁ । ପୁଣି ମୁଣ୍ଡ ପୋତିଲା ପୁଣି ଟେକିଲା । ଯେ ଭଦ୍ରାମି ଜାଣେନାହିଁ, ତା’ର ପୁଣି ସେବା କରିବାକୁ ହେବ-? –ଗୋପାଳ ଏଥିର ତତ୍ତ୍ଵ ଖୋଜି ପାଇଲାନାଇଁ । ଛିଣ୍ଡାଲୁଗା, ପୁରୁଣା ଲୁଗା, କାହାପାଇଁ-? ଗୋପାଳ ମୁଣ୍ଡ ଟେକି ନିଜର ଲୁଗାକୁ ପୁଣି ଚାହିଁଲା–ସଫା ଆଖି ମେଲାକରି ଦେଖିଲା–ସେହି ଲୁଗାରେ ସେହି ଅର୍ଗଳି ପାଖ ବୃଦ୍ଧର ଛବି । ଆଖି ମଳିଲା, ରୁମାଲରେ ଆଖି ପୋଛିଲା । ରୁମାଲକୁ ଚାହିଁ ଦେଖିଲା, ସେଥିରେ ଛେପ ଲାଗିନାହିଁ । ତଥାପି ସେହି ବୃଦ୍ଧ ଆଖି ଆଗରେ ! ବୃଦ୍ଧ–ବାସ୍ତବିକ ବୃଦ୍ଧ । କେବଳ ହାଡ଼ ଉପରେ ଚମ ଛାଉଣି ହୋଇଛି । ବିରାଟ ବପୁର କଙ୍କାଳ ସେ-I ସେ କାନ୍ଦୁନାହିଁ; ସେ ହସୁ ନାହିଁ । ଉଲଗ୍ନ ବେଶରେ ଲୁଗାର ପ୍ରତି ସୂତା ଦେହରେ ସେ ଜଡ଼ିତହୋଇ ରହିଛି । ଉତ୍କଳମଣିଙ୍କର ଏହି କି ସେହି ଦରିଦ୍ର !! ଏହାରି ସେବାପାଇଁ ଛିଣ୍ଡା ଲୁଗା ! ଗୋପାଳ ମୁହଁ ପୋଛି ଠିଆ ହେଲା । ଦୁଆରମୁହଁରେ ଶବ୍ଦ ହେଲା–ଦିଅ, ଲୁଗା ଦିଅ । ଲୁଗା ଦିଅ । ସ୍ଵେଚ୍ଛାସେବକଙ୍କ ମୁହଁକୁ ଚାହିଁ ଗୋପାଳ ପ୍ରଥମେ କିଛି କହି ପାରିଲା ନାହିଁ । ଜଣେ କହିଲା–“ସେଟା ଦିଅ”, ଜଣେ କହିଲା–“ଏଟା ଦିଅ ।’’ ଗୋପାଳ ମନା କଲା ନାହିଁ, ହାତରେ ଭିଡ଼ିଆଣି ବଢ଼ାଇଦେଲା । ସତେ ଯେପରି ସେହି ସ୍ଵେଚ୍ଛାସେବକଙ୍କ ଭିତରେ ସେହି ବୃଦ୍ଧଙ୍କୁ ସେ ଦେଖିପାରିଲା । ଖଣ୍ଡକୁ ଖଣ୍ଡ ଲୁଗା, କାମିଜ ଦେଉ ଦେଉ ପଚାରି ପକାଇଲା–“କ’ଣ ବୁଢ଼ାପାଇଁ ?” ସମସ୍ତେ ହସି ଉଠି କହିଲେ–“ନା, ପିଲା, ବୁଢ଼ା, ବୁଢ଼ୀ, ଯୁବକ, ଯୁବତୀ ସମସ୍ତଙ୍କ ପାଇଁ । ଗୋପାଳ ମୁହଁ ପୋତି ପୁଣି ମୁହଁ ପୋଛିଲା ।

ଏହି ଘଟଣାର ମାସକ ପରେ ଗୋପାଳ ଯେତେବେଳେ ଆଖି ଛଳଛଳ କରି, ଆଣ୍ଠୁ ଡିଆଁଲୁଗା ଖଣ୍ଡିଏ ପିନ୍ଧି ମାଧପୁର କେନ୍ଦ୍ରର ସେହି ଅର୍ଗଳି ପାଖେ ଠିଆହୋଇ ଚାଉଳ ଦେଉଥିଲା, ସିଆଳି ଗାଁର ବୃଦ୍ଧ ସାନ୍ତରା ବାଡ଼ି ଭରାଦେଇ ଗୋପାଳର ହାତ ଧରି କହି ପକାଇଲେ–

 

“ବାବୁ, ଉତ୍କଳମଣିଙ୍କ ସାଥିରେ ଏବେ ତୁ ଗାଁକୁ ଫେରି ଆସିଲୁ ?”

 

ଗୋପାଳର ମୁହଁ ହସରେ ଫାଟିପଡ଼ିଲା । କହିଲା–“ହଁ, ଫେରି ଆସିଲି ତମରି ଯୋଗୁଁ, ତମର ଛେପ ମୋ ଆଖିରେ ଲୁହ ପାଲଟିଗଲା । ଏବେ ବୁଝିଛି, ସେହି ଛେପ ଦରିଦ୍ର ପ୍ରାଣର ପ୍ରତିବାଦ !”

Image

 

ତଳବରଡ଼ା

ଅନନ୍ତପ୍ରସାଦ ପଣ୍ଡା

 

ଅସୀମବାବୁ ପଛକୁ ଫେରି ଚାହିଁଲେ । ବିସ୍ମୃତିର କଳା ପରଦା ଗୋଟିଏ ପରେ ଗୋଟିଏ ଆଡ଼େଇ ଯିବାକୁ ଲାଗିଲା । ଆଖିଆଗରେ ଫୁଟିଉଠିଲା ଅତୀତର କେତେ ଅଧାପାସୋରା ଛବି–ଅତୀତର କେତେ ଅନୁଭୂତି–ଯାହାକୁ ସେ କେବେ ଭାବିବାକୁ ସମୟ ପାଇ ନଥିଲେ ।

 

ଖାଲି ଫାଇଲ୍ ଫାଇଲ୍ ଫାଇଲ୍ । କାଗଜ ଚାଷର ସୀମା ନାହିଁ । ସମୁଦ୍ରର ଅସରନ୍ତି ଲହଡ଼ି ଭଳି ଫାଇଲ୍ ପରେ ଫାଇଲ୍ ମାଡ଼ିଆସୁଥାଏ । ସେଇ ଅସରନ୍ତି ଫାଇଲ୍‍ର ଲହଡ଼ି ମଧ୍ୟରେ ଅସୀମବାବୁ ଉବୁଟୁବୁ ହୋଇ ବୁଡ଼ୁଥାଆନ୍ତି ଉଠୁଥାନ୍ତି, ଭାସୁଥାନ୍ତି ପହଁରୁଥାନ୍ତି । ଟିକିଏ ଭାବିବାକୁ ବେଳ ନାହିଁ l ଚିନ୍ତା କରିବାକୁ ଫୁରୁସତ୍ ନାହିଁ । ଗୋଟିଏ ଧରାବନ୍ଧା ଗୃହ ଭିତରେ ଅଣନିଃଶ୍ଵାସୀ ହୋଇ କାମ କରିବାକୁ ପଡ଼େ । ଠିକ୍ ଯେପରି ଦାତବ୍ୟ ଚିକିତ୍ସାଳୟର ଆଉଟ୍‍ଡୋର୍ ଡାକ୍ତର । ଅଗଣିତ ରୋଗୀର ଭିଡ଼ । ଆଗରୁ ଭିଡ଼ାଭିଡ଼ି ଠେଲାପେଲା, ଗହଳିଚହଳିର ସୀମା ନଥିଲା । ଏବେ ନୂଆ ପ୍ରଣାଳୀ ଚାଲୁ ହୋଇଛି–“କିଉ ସିଷ୍ଟେମ୍”–ଧାଡ଼ି ବାନ୍ଧି ଛିଡ଼ାହେବା; ଜଣକ ପରେ ଜଣେ ! ବାସ୍ ଏତିକି ଫରକ; କିନ୍ତୁ ସେଇ ଭିଡ଼ । ଜଣେ ରୋଗୀ ଆସିଲା, ତା’ଠାରୁ ପଦେ ଶୁଣିବାକୁ ବେଳ ନାହିଁ । ହଁ କ’ଣ ହୋଇଛି ତୋର ? ପେଟକୁ ମାରୁଛି–ହେଇ ନେ ନେ ମିଷ୍ଟ ଆଲବା, କରମିନେଟିଭ ମିକ୍‍ଶ୍ଚର୍ । ତା’ପରେ ଆଉ ଜଣେ ପହଞ୍ଚିଲାଣି । କ’ଣ ହୋଇଛି ତୋ’ର ? ମୁଣ୍ଡ ବିନ୍ଧୁଛି–। ହୁଁ ଏଇ ଯେ–ଔଷଧ (୨୩)ବରାଦପତ୍ର ତାଡ଼ା ଆଗରେ ଥୁଆ ହୋଇଛି; ଜଣେ ରୋଗୀ ପଛକୁ ଆଉ ଜଣେ–ଗୋଟିଏ ଔଷଧ ପତ୍ର ପରେ ଆଉ ଗୋଟିଏ–ରୋଗର ନିଦାନ କରିବାକୁ ବେଳ କାହିଁ ? ସରକାରୀ ଅଫିସ୍‍ରେ ମଧ୍ୟ ଠିକ୍ ସେହି କଥା–ଫାଇଲ୍ ପରେ ଫାଇଲ୍ ଗଦା ହୋଇଯାଉଛି–ଅସୀମବାବୁଙ୍କୁ ଟିକିଏ ଭାବିଚିନ୍ତି କାମ କରିବାକୁ ବେଳ ନାହିଁ ।

 

ସେ ଯେପରି ଅଣନିଃଶ୍ଵାସୀ ହୋଇଯାଉଛନ୍ତି କାମର ଚାପାରେ, କିନ୍ତୁ କି କାମ ସେ ? ଅସୀମବାବୁ ସକାଳ ନଅଟାରୁ ଅଫିସ୍ କାମରେ ହାତ ଦିଅନ୍ତି । ଅଫିସ୍‍ରୁ ଫେରିବାବେଳକୁ ସନ୍ଧ୍ୟା ହୋଇଯାଇଥାଏ । ଦେହ ମନ ଅବସନ୍ନ; ପାଇଖାନାରୁ ଫେରି ଚିତ୍ ହୋଇ ପଡ଼ିଯାନ୍ତି ଖଟ ଉପରେ–ଅବଶ ଅଙ୍ଗଗୁଡ଼ିକୁ ଟିକିଏ ଟିକିଏ ସୁଧାରି ଦେବାପାଇଁ । ସେତିକିବେଳେ ଟିକିଏ ଭାବି ନିଅନ୍ତି କ’ଣ ଆଜି ସେ କରିଛନ୍ତି ?

 

କ’ଣ କରିଛନ୍ତି ? ଏ ପ୍ରଶ୍ନର ଠିକ୍ ଉତ୍ତର ଖୋଜି ପାଆନ୍ତି ନାହିଁ । ଅବଶ୍ୟ ରାଶି ରାଶି ଫାଇଲ୍ ସଫା କରିଛନ୍ତି; କିନ୍ତୁ ଫଳ କ’ଣ ହୋଇଛି ? ଫଳାଫଳ ବିଚାର କରିବାକୁ ବେଳ କାହିଁ ?

 

ସଭିଏଁ ତ ବ୍ୟସ୍ତ ଖାଲି ସବୁ କଥାରେ । ଘଣ୍ଟାରେ ତିନି ଶହ ମାଇଲ ବେଗରେ ଏରୋପ୍ଲେନ୍‍ରେ ଯାଇ ସୁଦ୍ଧା ମନୁଷ୍ୟ ତୃପ୍ତ ହୋଇପାରୁନାହିଁ–ଭାବୁଛି ଆହୁରି ଆହୁରି କ୍ଷିପ୍ରତର ବେଗରେ ଯିବାକୁ ହେବ । ଜେଟ୍ ବିମାନ ଦରକାର । ଘଣ୍ଟାରେ ଛଅଶହ ମାଇଲ ଯେମିତି ହେଉ ଯିବାକୁ ପଡ଼ିବ । ଏଇ ବ୍ୟଗ୍ରତା, ଏଇ କ୍ଷିପ୍ରତା ଆଜି ମାନବ ସମାଜକୁ ଉତ୍‌କ୍ଷିପ୍ତ କରିଦେଇଛି । ମନୁଷ୍ୟର ସ୍ଥିରତା ନାହିଁ । ଚିନ୍ତା କରିବାକୁ ବେଳ ନାହିଁ । ଚିନ୍ତାପ୍ରସୂତ କଳ୍ପନାକୁ କାର୍ଯ୍ୟରେ ପରିଣତ କରିବାକୁବି ସମୟ ନାହିଁ ।

 

ଖାଲି କଳ୍ପନା ! ଜଳ୍ପନା ! ପରିକଳ୍ପନା ! ଯୋଜନା ! ଏଇଆକୁ ଘେନି ଆଜି ସମସ୍ତେ ବ୍ୟସ୍ତ । ଯୋଜନା ତିଆରି ହେଉଛି–ବିରାଟ ରିପୋର୍ଟ ପ୍ରକାଶ ପାଉଛି । ସେ ରିପୋର୍ଟ ପଢ଼ିବାକୁ ବେଳ କାହିଁ ? ନିତ୍ୟ-ନୈମିତିକ ଫାଇଲ୍ ରୂପରେ ତ ସମସ୍ତେ ବ୍ୟସ୍ତ । ତା’ପରେ ପୁଣି ଗୋଟିଏ ଆଲୋଚନାଚକ୍ରର ବୈଠକ ବସୁଛି । ଯୋଜନାର ବିଚାର ହେବ । ପୁଣି ସେଇ କଳ୍ପନା, ଜଳ୍ପନା, କଥାବାର୍ତ୍ତା, ଭୋଜିଭାତ, ମଉଜମଜଲିସ୍, ସାଇଟ୍‍ସିଇଂ । ପୁଣି ଗୋଟାଏ ବିରାଟ ରିପୋର୍ଟ ।

 

ରିପୋର୍ଟ ପ୍ରକାଶ ପାଇବା ପରେ ପରେ ପୁଣି ସେଇ ଆଲୋଚନା । କିନ୍ତୁ ଏଥର ନାଁର ପ୍ରଭେଦ । ୱାର୍କିଂ ଗ୍ରୁପ୍ ଅର୍ଥାତ୍ କାମିକାଦଳର ଗଠନ । କିନ୍ତୁ ଏଇ କାମିକାଦଳର କାମ ପ୍ରକୃତ କାମ କରିବା ନୁହେଁ । ପୁଣି ସେଇ ରିପୋର୍ଟର ପୁନର୍ବିଚାର, ପୁଣି କେତେକ ବ୍ୟବସ୍ଥାର ପରାମର୍ଶ ।

 

ପରାମର୍ଶ, ଉପଦେଶ, ପରାମର୍ଶ । ଖାଲି ପରାମର୍ଶ ଦେବାରେ ସଭିଏଁ ବ୍ୟସ୍ତ; କିନ୍ତୁ ସେ ପରାମର୍ଶକୁ କାର୍ଯ୍ୟକାରୀ କରିବ କିଏ ? ଲୋକ ନାହିଁ । ବାରମ୍ବାର ବିଜ୍ଞାପନ ଦେଲେ ସୁଦ୍ଧା ଲୋକ ମିଳୁନାହାନ୍ତି । ତଥାପି ଯୋଜନାର ନିର୍ଦ୍ଦେଶ । ୱାର୍କିଂ ଗ୍ରୁପ୍‍ର ଆଦେଶ–କାମ କରିବାକୁ ହେବ ।

 

ତା’ ପଛେ ପଛେ ଆଉ ଦଳେ ଲୋକ ଆସିଲେ ସେମାନଙ୍କର କାମ ତନଖି କରି ଦେଖିବେ କ’ଣ କାମ ହୋଇଛି । ରିପୋର୍ଟ ଦେବେ; କିନ୍ତୁ ଅସଲ କାମଟା ରହିଗଲା–କାମ କରୁଛି କିଏ ?

 

ଏ ପ୍ରଶ୍ନର ପ୍ରକୃତ ଉତ୍ତର ଅସୀମବାବୁ ଖୋଜି ପାଆନ୍ତି ନାହିଁ । ମନରେ ଜାଗିଉଠେ ଏକ ଅଶାନ୍ତ ଝଡ଼ । ଅନ୍ତରାତ୍ମା–ବିହଙ୍ଗ ଗୋଟିଏ ଲୌହ ପିଞ୍ଜରା ଭିତରେ ଆବଦ୍ଧ ଥାଇ ଫଡ଼ଫଡ଼ ହୋଇ ଉଠେ । ବାଟ ଖୋଜେ ସେ କିପରି ଏ ପିଞ୍ଜରା ଭିତରୁ ମୁକ୍ତି ପାଇବ । ପୁଣି କିପରି ସେ ଯାଇ ବିଚରଣ କରିପାରିବ ସେଇ ଉନ୍ମୁକ୍ତ ସୁନୀଳ ଆକାଶରେ । ତାଙ୍କର ମନ ଯାହା ଚାହୁଁଛି ତାହା କରିବାର ସୁବିଧା କାହିଁ ?

 

ମନ ତାଙ୍କର କ’ଣ ଚାହୁଁଛି ? ଅସୀମବାବୁ ଅନେକ ଥର ଆପଣାକୁ ଏଇ ପ୍ରଶ୍ନ ପଚାରନ୍ତି । ଉତ୍ତର ଆସିଛି–ମନ ତାଙ୍କର ଚାହେଁ–ସେ ହେବେ ଜଣେ ସଚ୍ଚା ଦେଶସେବୀ । ଦେଶ ଓ ଦଶର ଉପକାର କରିବାହିଁ ତାଙ୍କର କର୍ତ୍ତବ୍ୟ । ସେଇଥିରେହିଁ ସେ ପା’ନ୍ତି ଆନନ୍ଦ; ଅନାବିଳ ଆନନ୍ଦ ।

 

ଦେଶ ଓ ଦଶର ସେବା । ତାଙ୍କର ଇଚ୍ଛା ହୁଏ ସେ ଯାଇ ଦଶଜଣ ଭିତରେ ଆପଣାକୁ ମିଶାଇ ଦିଅନ୍ତେ–ସେମାନଙ୍କ ସୁଖଦୁଃଖର କଥା ବୁଝନ୍ତେ । ଯଥାସାଧ୍ୟ ଚେଷ୍ଟା କରନ୍ତେ କିପରି ସେମାନଙ୍କର କିଛି ଉପକାର କରିପାରିବେ; କିନ୍ତୁ ସେ ଆଶା ମନ ମଧ୍ୟରେ ମିଳେଇଯାଏ । ଅସୀମବାବୁ ଫାଇଲ୍ ଚାପାରେ ନାକେଦମ୍ ହୋଇପଡ଼ନ୍ତି । ବେଳ କାହିଁ ? ବାଟ କାହିଁ ? କେତେବେଳେ ଯିବେ ? କେଉଁ ବାଟେ ଯିବେ ? ଅସୀମବାବୁ ଆଗକୁ ଚାହିଁଲେ । ନୂଆ ରାଜଧାନୀର ସଳଖ ସୁନ୍ଦର କଳା ରାସ୍ତା ଆଗକୁ ଲମ୍ବି ଯାଇଛି–କିନ୍ତୁ ରାସ୍ତା ଜନମାନବ ଶୂନ୍ୟ । କେବଳ ହାଟଦିନ କଦବା କେହି ସେଇ ହାଟ ରାସ୍ତାରେ ଯା-ଆସ କରନ୍ତି–ତା’ ନହେଲେ ସନ୍ଧ୍ୟାପରେ ସବୁ ନୀରବ ନିଶ୍ଚଳ । ନୂଆ ରାଜଧାନୀର ସବୁ ଅଧିବାସୀଙ୍କର ଫାଇଲ୍ ପେଶାହିଁ ଜୀବିକା । ଦିନ ଦଶଟାଠାରୁ ସନ୍ଧ୍ୟା ଛ’ଟା ଯାଏଁ କଲମ ପେଶି ପେଶି ଅବସନ୍ନ ଦେହମନ ଘେନି ଘରକୁ ଫେରନ୍ତି । ସନ୍ଧ୍ୟା ୫ଟାରୁ ୬ଟା ଯାଏଁ ନୂଆ ରାଜଧାନୀର ଓସାରିଆ ପିଚୁ ରାସ୍ତା ଅସଂଖ୍ୟ ସାଇକେଲ ଘଣ୍ଟିରେ ମୁଖରିତ ହୋଇଉଠେ । କିନ୍ତୁ ତା’ପରେ ସବୁ ଶୂନଶାନ୍‌ । ନୀରବ ନିଶ୍ଚଳ ।

 

ଯେ ଯାହା ଘରେ ପଶିଲେ ତ ଆଉ ବାହାରିବାକୁ ମନ ହୁଏନାହିଁ । ଯଦିବା ବାହାରିଲେ, ଯିବେ କୁଆଡ଼େ ? ଯେଉଁଠିକି ଗଲେବି ସେହି ଅଫିସ୍‍ର ସ୍ମୃତିଟା ଭୂତପରି ପଛେ ପଛେ ଗୋଡ଼ାଇଛି-। ଯେଉଁଠି ବସିଲେ ସେହି ଭୂତଟା ମୁଣ୍ଡ ଉପରେ ଚାପିବସୁଛି । କିଛି କଥାବାର୍ତ୍ତା ପଡ଼ିଲା ତ ସେହି ଅଫିସ୍ କଥା । ଆଜି ତାଙ୍କର ବଡ଼ବାବୁଟା କିପରି ତାଙ୍କ ଲେଖାଉପରେ କଲମ ଚଳାଇ ବାହାଦୁରିଟା ଦେଖାଇ ହେଉଥିଲେ; କିନ୍ତୁ ଖାଇଲେ କେଞ୍ଚାଏ । ଅଣ୍ଡର୍ ସେକ୍ରେଟାରି ଏକବାରେ ତାଙ୍କ ଭିଉଟାକୁ ନାକଚ କରିଦେଇ ମୂଳ ନୋଟ୍‍ଟାକୁ କାଏମ ରଖିଲେ । ତା’ପରେ ପୁଣି କଥା ପଡ଼େ । କିଏ କାହାକୁ ସୁପର୍‌ସିଡ଼୍ କରିଗଲା । କାହାର ଦାବି କିପରି ଅବହେଳିତ ହୋଇଗଲା-। ଏମିତି ଏମିତି କେତେ କେଉଁ କଥା । କିନ୍ତୁ ସେସବୁ କେବଳ ସେଇ ଫାଇଲ୍, ସେଇ ଅଫିସ୍, ସେଇ ସୁପର୍‌ଶେସନ୍, ସେଇ ପ୍ରିସିଡ଼ିଂ–ସେଇ ଚାକିରି କଥା । ଯେପରି ଦୁନିଆରେ ଆଉ କିଛି କଥା ନାହିଁ । ତା’ପରେ ଆହୁରି ଗୋଟିଏ କଥା । ଚାରିଆଡ଼େ ଯେତେବେଳେ ସମାଜବାଦର ଧ୍ଵନିରେ କାନଅତଡ଼ା ପଡ଼ିଯାଏ ସେତିକିବେଳେ ନୂଆ ରାଜଧାନୀରେ ବିଭିନ୍ନ ଟାଇପ୍ କ୍ଵାଟର୍ସ ଭିତରେ ବାସ କରୁଥିବା ଅମଲା କର୍ମଚାରୀଙ୍କ ଅବଚେତନ ମନ ମଧ୍ୟରେ କିଏ ଯେପରି ହାତୁଡ଼ିରେ ବାଡ଼େଇ ବାଡ଼େଇ କହୁଥାଏ–ତୁମେ ଅମୁକ ଶ୍ରେଣୀର ଚାକର । ବାଃ, ଶ୍ରେଣୀହୀନ ସମାଜର କି ସୁନ୍ଦର ନମୁନା ଦେଖିବାକୁ ମିଳେ ଏଇ ସୁନ୍ଦର ଗୋଲାମପୁରୀ ମଧ୍ୟରେ ! ସୁନ୍ଦର ଘର, ବିଜୁଳି ଆଲୁଅ, ଫ୍ଳାସଡ଼୍ ପାଇଖାନା, ପାଣିକଳ–ଆଉ ତା’ରି ମଧ୍ୟରେ ଆବଦ୍ଧ କେତୋଟି ଜୀବନ–ସତେ ଯେପରି ଜୀବନ ନୁହେଁ–ଗୋଟାଏ ଧରାବନ୍ଧା ଗତର ଗଡ୍ଡଳିକା ପ୍ରବାହ ଚାଲିଛି–ସୁନା ରୁପା, ତମ୍ବା ଓ ଲୁହା ପିଞ୍ଜରାବଦ୍ଧ ପକ୍ଷୀକୁ ଦେଖି ରୁପା ପିଞ୍ଜରାବଦ୍ଧ ପକ୍ଷୀ ତାତ୍ସଲ୍ୟରେ ଆଖି ଫେରାଏ–ମୁହଁରେ ଅସମ୍ଭବ ରକମର ଗମ୍ଭୀରତା ଫୁଟିଉଠେ । କିନ୍ତୁ କି ବୃଥା ଅହମିକା ! ଭୁଲିଯା’ନ୍ତି ସେମାନେ ସଭିଏଁ ଯେ ଗୋଟିଏ ଶ୍ରେଣୀର ଜୀବ–ପିଞ୍ଜରାବଦ୍ଧ ପକ୍ଷୀ । ତା’ ଅପେକ୍ଷା କଟକ ସହରର ସେଇ ଦୁର୍ଗନ୍ଧିଆ ଅନ୍ଧାରିଆ ଗଳି ଭିତରର ପାନଦୋକାନୀର ଜୀବନ ଯେ ତାଙ୍କର ଜୀବନଠାରୁ ସ୍ଵଚ୍ଛନ୍ଦତାର ସାବଲୀଳ । ଅସୀମବାବୁ ନିତିପ୍ରତି ଦେଖୁଥାନ୍ତି ଓ ହସୁଥାନ୍ତି–ବାସ୍ତବିକ ନୂଆ ସହରରେ ପ୍ରକୃତ ଜୀବନ କାହିଁ ? ସେ ଖୋଜି ପା’ନ୍ତି ନାହିଁ । ସବୁ ଖାଲି ଗୋଟାଏ ବୃଥା ଅହମିକା । ଖାଲି ଗୋଟାଏ ବୃଥା ଆଡ଼ମ୍ବର । ଖାଲି ଗୋଟାଏ ଟଙ୍କାର ଖେଳ । ଏଇ ତ ? ଅସୀମବାବୁ ନିଜେବି ପିଞ୍ଜରାବଦ୍ଧ ପକ୍ଷୀ । କିନ୍ତୁ ମନ ତାଙ୍କର ସେଇ ପିଞ୍ଜରା ଭିତରେ ଆବଦ୍ଧ ହୋଇ ରହିବାକୁ ଚାହେଁନା । ସେ ପିଞ୍ଜରାର ଲୌହଗାତ୍ରକୁ ଅକ୍ଳେଶରେ ଏଡ଼ିଦେଇ ଉଡ଼ିଯାଏ ଅସୀମ ଉନ୍ମୁକ୍ତ ଆକାଶବକ୍ଷକୁ । ସେ ସ୍ଵପ୍ନ ଦେଖନ୍ତି–

 

ଦୀର୍ଘ ତିରିଶବର୍ଷ ପରେ ସେ ଏବେ ପିଞ୍ଜରାରୁ ମୁକୁଳି ଯାଇଛନ୍ତି । ଏତେ ଦିନ ପିଞ୍ଜରାବଦ୍ଧ ହୋଇ ପଡ଼ିଥିବାରୁ ତାଙ୍କର ଡେଣା ଦୁଇଟା କିପରି ବସି ଯାଇଥିଲା । ପହିଲେ ପହିଲେ ସାହସବି ହେଲା ନାହିଁ କେମିତି କିପରି ସେ ଏଡ଼େବଡ଼ ବିଶାଳ ଉନ୍ମୁକ୍ତ ଆକାଶ ବକ୍ଷରେ ଉଡ଼ି ବୁଲିପାରିବେ । ଭାବିଲେ ଟିକିଏ ଖଣ୍ଡିଉଡ଼ା ଦେଲାପରେ ସବୁ ସହଜ ହୋଇଯିବ ନିଶ୍ଚୟ ।

 

ତା’ପରେ ପିଞ୍ଜରା ଭିତରେ ଥିବାବେଳେ ଟେକା ଭାତ ହେଲେ ସୁଦ୍ଧା ଠିକ୍ ସମୟ ମୁତାବକ ମୁଠିଏ ମୁଠିଏ ମିଳୁଥିଲା; ଏବେ ଯେ ପୁଣି ନିଜର ଆହାରପାଇଁ ନିଜକୁ ଭାବିବାକୁ ପଡ଼ିବ-। ହୁଏତ ଉପଯୁକ୍ତ ଆହାର ମିଳିବି ନ ପାରେ । କିନ୍ତୁ ପରକ୍ଷଣରେ ଅସୀମବାବୁଙ୍କ ମନରେ ଆସେ ସାହସ । ଯେଉଁ ବିଶ୍ଵନିୟନ୍ତା ପୃଥିବୀରୁ ଅସଂଖ୍ୟ ପ୍ରାଣୀଙ୍କୁ ଆହାର ଯୋଗାଇ ଦେଇଛନ୍ତି ସେ କ’ଣ ତାଙ୍କୁ ଦେବେ ନାହିଁ ? ନିଶ୍ଚୟ ଦେବେ ।

 

ତା’ପରେ ଅସୀମବାବୁ ତାଙ୍କର ତୃତୀୟ ଅଙ୍କ ଅଭିନୟର ପରିକଳ୍ପନା କରି ବସନ୍ତି–କ’ଣ କିପରି କରିବେ ? ଆଖିଆଗରେ ଭାସିଉଠେ ଅସଂଖ୍ୟ ପରିକଳ୍ପନା । ସବୁଗୁଡ଼ିକ ଦେଶ ଓ ଦଶର ଉପକାର ପାଇଁ ଅଭିପ୍ରେତ । ଅବଶ୍ୟ ସେଇ ଦଶଜଣକ ଭିତରେ ସେ ବି ଜଣେ । କିନ୍ତୁ ତାଙ୍କର ପରିକଳ୍ପନା କେବଳ ଆତ୍ମସର୍ବସ୍ଵ ନୁହେଁ । କିମ୍ବା ଦିନେ ଆପଣାକୁ ପୋଡ଼ିଜାଳି ଅନ୍ୟର ଉପକାର କରିବା ନୀତିଟାକୁବି ଅସୀମବାବୁ ପସନ୍ଦ କରନ୍ତି ନାହିଁ । କାରଣ ସେ ବିଶ୍ଵାସ କରନ୍ତି ଯେ ଏଭଳି କାର୍ଯ୍ୟକଳାପ କଦାପି ସ୍ଵାଭାବିକ ନୁହେଁ–ଖାଲି ଉପରେ ଉପରେ ଦେଖାଇ ହେବାର ଛଳନା ମାତ୍ର । ତା’ ଅପେକ୍ଷା ବରଂ ନିଜେ ନିଜର ଉପକାର କରିବା ସଙ୍ଗେ ସଙ୍ଗେ ଅପର ଦଶ ଜଣଙ୍କର ଉପକାର କରିପାରିବା ପନ୍ଥାଟାକୁ ଅସୀମବାବୁ ଶ୍ରେୟସ୍କର ମନେ କରନ୍ତି । ଆଜି ତାଙ୍କର ମନରେ ସେଇ ପରିକଳ୍ପନା ଉଙ୍କିମାରି ଉଠୁଛି, କାରଣ ତାଙ୍କର ମୁକ୍ତିର ବାଟ ଏବେ ଦେଖାଗଲାଣି । ଆଉ ବେଶୀ ଦୂର ନୁହେଁ–ବେଶୀ ଡେରି ନାହିଁ ଆଉ–ହେଇ, ହେଇ ତ ଦିଶୁଛି; ଦେଖାଯାଉ–

 

ପୁଣି ମନେପଡ଼େ, ତାଙ୍କର କେତେଜଣ ବନ୍ଧୁଙ୍କ କଥା । ଯେଉଁଦିନ ପିଞ୍ଜରାରୁ ମୁକୁଳିଯା’ନ୍ତି ସେଦିନ ଦୁଃଖ ଓ କ୍ଷୋଭରେ ତାଙ୍କ ଛାତି ଦୋହଲିଯାଏ । କେତେକଙ୍କ ଆଖିରୁ ଲୁହଧାରବି ଗଡ଼ିପଡ଼େ । ଅସୀମବାବୁ ଦେଖି କାବା ହୋଇଯାନ୍ତି । ଆହା, ଦୁନିଆର ଏ ଲୋକଗୁଡ଼ାକ କି ମୂର୍ଖ ! ପିଞ୍ଜରାରୁ ମୁକୁଳିବେ–ଅସୀମ ଉନ୍ମୁକ୍ତ ଆକାଶରେ ଅବାଧରେ ବିଚରଣ କରିବେ–ମନ ଖୁସିରେ ଉଡ଼ିବୁଲିବେ; କିନ୍ତୁ ଏତେ ଆନନ୍ଦରେବି ତାଙ୍କର ନିରାନନ୍ଦ ଭାବ ଆସେ କାହିଁକି ? ଖାଲି ଗୋଟାଏ ଧରାବନ୍ଧା ଜୀବନର ମୋହ ତୁଟାଇବା ସମ୍ଭବପର ହୁଏ ନାହିଁ–ହଁ ଗୋଟାଏ ଦୁର୍ବଳତା । ଏଟାବି ସ୍ଵାଭାବିକ । ଅସୀମବାବୁ ଏପରି ଲୋକମାନଙ୍କ ଅବସ୍ଥା ଦେଖି ଦୟା କରନ୍ତି–ଭଗବାନଙ୍କଠାରେ ପ୍ରାର୍ଥନା କରନ୍ତି ସେମାନଙ୍କୁ ଠିକ୍ ବାଟ ଦେଖାଇଦେବାପାଇଁ ଓ ମୁକ୍ତିର ଆନନ୍ଦ ଉପଭୋଗ କରିବାର ଶକ୍ତି ଓ ସୁବିଧା ଦେବାପାଇଁ ।

 

ସେ ଯାହାହେଉ । ଅସୀମବାବୁଙ୍କ ପ୍ରାଣରେ ଆଜି ଆନନ୍ଦର ସୀମା ଧରୁ ନାହିଁ । ସେ ଆଖିଆଗରେ ଦେଖୁଛନ୍ତି ଆଉ ଅଳ୍ପଦିନପରେ ସେ ପ୍ରକୃତରେ ଅସୀମ ଆକାଶରେ ଅବାଧରେ ବିଚରଣ କରିବାର ସୁବିଧା ଓ ସୁଯୋଗ ପାଇପାରିବେ । ତା’ପରେ ତାଙ୍କ ଜୀବନ ଗତିକରିବ ଏକ ସ୍ଵଚ୍ଛଳ ସ୍ଵାଭାବିକ ମାର୍ଗରେ, ନିଜର ଆଦର୍ଶ ପୂରଣପାଇଁ ସେ ପାଇବେ ଯଥେଷ୍ଟ ସୁବିଧା ଓ ସୁଯୋଗ ।

 

ଅସୀମବାବୁ ଏକ ନିକଟ ଭବିଷ୍ୟତର ଅସୀମ ଆନନ୍ଦର ସ୍ଵପ୍ନରେ ଆପଣାକୁ ବୁଡ଼ାଇଦିଅନ୍ତି । ସ୍ଵତଃ ମନରେ ପଡ଼ିଯାଏ । ଗୋଟାଏ ଗାଉଁଲି ଢଗ–

 

“ତଳ ବରଡ଼ା ଖସୁଛି

ଉପର ବରଡ଼ା ହସୁଛି,

ମଝି ବରଡ଼ା ଥାଇ ବୋଲୁଛି

ମୋ ଦିନ କାଳ ଆସୁଛି !’’

 

ଅସୀମବାବୁ ଭାବନ୍ତି ବାସ୍ତବିକ କେଡ଼େ ବିରାଟ ସତ୍ୟ କଥାଟାଏ !

Image

 

ପାଗଳଗାରଦର କାହାଣୀ

ସୁରେନ୍ଦ୍ର ମହାନ୍ତି

 

ଗୋଜିଆ ଝିଙ୍କର କାଠି ପରି ସାତଦିନର ରୁଢ଼ରେ ମୁହଁର ଅର୍ଦ୍ଧାଂଶ ଆବୃତ । ଗହିଡ଼ା କୋଟରଗତ ଆଖି ଦୁଇଟିରେ କ୍ରୁଦ୍ଧ ହିଂସ୍ରତା ଓ ରହସ୍ୟ ଘନ ଆନନ୍ଦର ମିଶାମିଶି ଏକ ବିଚିତ୍ର ଦୃଷ୍ଟି-। ମଧ୍ୟବୟସୀ ଗୋଲେଇ ପେଟତଳକୁ ଲାଲ ସିଲ୍କର ଖଣ୍ଡେ ପାଇଜାମା । ଦେହରେ ଲାଲ ଭେଲ୍‌ଭେଟ୍‌ରେ ଖଣ୍ଡେ ଡ୍ରେସିଙ୍ଗ୍ ଗାଉନ । ଡ୍ରେସିଙ୍ଗ୍‍ଗାଉନ ସାମନା ଅବିନ୍ୟସ୍ତ ଭାବରେ ଖୋଲା-। ଗୋଟିଏ ଧଳାବୃତ୍ତ ପରି ଦିଶୁଥିବା ମୁଣ୍ଡର ଚନ୍ଦା ଚାରିପଟେ ଲମ୍ବା କହରା ବାଳସବୁ କୁଣ୍ଡଳୀ ବୁଲି ତଳକୁ ଲମ୍ବି ଆସିଅଛି । କପାଳ ଉପରେ ଆଣ୍ଟି ବନ୍ଧାହୋଇଛି ଲାଲ ଛିଟର ରୁମାଲ । ଜୀବନରେ ଅତି ସଂଯତ, ପରିମିତିବୋଧସମ୍ପନ୍ନ ସମାଜ ଓ ସଂସ୍କାରଭୀରୁ, ଗଭୀର ଦାୟିତ୍ଵବୋଧଗ୍ରସ୍ତ, ସକାଳ ଦଶଟାରେ ଅଫିସ୍ ପୋଷାକ ଓ ସନ୍ଧ୍ୟାରେ ଧୋତି ପଞ୍ଜାବିପିନ୍ଧା, ପୁଣି ସକାଳ ଓ ସନ୍ଧ୍ୟା ନିୟମିତ ଭ୍ରମଣରେ ବାହାରିବାବେଳେ, କାରଣରେ ବା ଅକାରଣରେ ମୁଣ୍ଡ ଉପରେ ଗୋଟିଏ ଛତା ମେଲାଇ ଧରି ଚାଲିବାରେ ଅଭ୍ୟସ୍ତ–ଖତ ଓ ସାର ବିଭାଗର ସ୍ଵନାମଧନ୍ୟ ଡିରେକ୍ଟର୍ ଶ୍ରୀ ସନାତନ ମହାପାତ୍ର । ଏହିପରି ପୋଷାକ ପିନ୍ଧି, ଗୋଟିଏ ଘରେ ବନ୍ଦୀ ହୋଇ ରହିବା; ତାଙ୍କର ଘୋର ଶତ୍ରୁମାନେ ସୁଦ୍ଧା କଳ୍ପନା କରି ନଥିଲେ ।

 

ସନାତନ ମହାପାତ୍ର ଦିନେ ହଠାତ୍ ପାଗଳ ହୋଇଗଲେ ।

 

ତାଙ୍କ ପାଗଳାମିର ପ୍ରଥମ ସୂଚନା ପ୍ରକାଶ ପାଇଥିଲା, ଯେଉଁଦିନ ସେ ଚାକିରିରୁ ହଠାତ୍ ବିଦାୟ ନେଇ ଆସିଲେ ।

 

ଆଜିର ହରମୋନ୍ ଓ ଭିଟାମିନ୍ ବଟିକା ଯୁଗରେ, ପଞ୍ଚାବନବର୍ଷ ବୟସ ଅବଶ୍ୟ କିଛି ନୁହେଁ–ପୁଣି ଖତ ଓ ସାର ବିଭାଗରେ ସନାତନ ମହାପାତ୍ରଙ୍କ ବିଶେଷ ଅଭିଜ୍ଞତା ଓ ପାରଦର୍ଶିତା ଦୃଷ୍ଟିରୁ, ପଞ୍ଚାବନବର୍ଷ ପରେ ସୁଦ୍ଧା, ତାଙ୍କ ଚାକିରିକାଳ ବଢ଼ାଇବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କର ତିଳାର୍ଦ୍ଧ ଆପତ୍ତି ନଥିଲା । କେନ୍ଦ୍ର ସରକାରରେ ମଧ୍ୟ ତାଙ୍କୁ ଏହି ବିଭାଗରେ ଏକ ଉପରପାହିଆର ପଦ ଅର୍ପିତ ହୋଇଥିଲା । ମାତ୍ର ଏସବୁ ଉଜ୍ଜ୍ୱଳ ସମ୍ଭାବନା ପ୍ରତି ଦୃକ୍‍ପାତ ନକରି ସନାତନ ଯେଉଁ ଦିନ ଚାକିରିରୁ ବିଦାୟ ନେଇ ଆସିଲେ, ସେ ଦିନ ତାଙ୍କ ମାନସିକ ସୁସ୍ଥତାରେ ଅନେକେ ଘୋର ସନ୍ଦେହ ପୋଷଣ କରିଥିଲେ । ତାହାହିଁ ଅବଶେଷରେ ଅତ୍ୟନ୍ତ ଶୋଚନୀୟ ଭାବରେ ସତ୍ୟରେ ପରିଣତ ହେଲା ।

 

କିଛି ଗୋଟାଏ କର । କିଛି ତ ଗୋଟାଏ କରିବା ଆବଶ୍ୟକ । ରାଧାଗୋବିନ୍ଦବାବୁଙ୍କୁ ସାହିତ୍ୟରେ ପ୍ରଫେସରୀ ଚାକିରି ଭଲ ଲାଗିଲା ନାହିଁ । ସେ ଚାକିରିରୁ ଅବସର ନେଲେ । ଚାକିରିରୁ ଅବସର ନେଇ ସେ ତ ପୁଣି ଗୋଟିଏ ଅଟାପେଷା କଳ ବସାଇଛନ୍ତି । ଅବନୀବାବୁ ସନାତନଙ୍କ ସମବୟସୀ । ସେ ମଧ୍ୟ ଚାକିରିରୁ ଅବସର ନେଇ ଗୋଟିଏ ତେଜରାତି ଦୋକାନ ଖୋଲିଛନ୍ତି ।

 

ପଞ୍ଚାବନବର୍ଷ ବୟସ ବା କ’ଣ ? ଅନେକଙ୍କ ପାଇଁ ଜୀବନର ଦ୍ଵିତୀୟ ପ୍ରସ୍ଥ ତ ପଞ୍ଚାବନବର୍ଷ ବୟସରେ ଆରମ୍ଭ ହୁଏ ।

 

କିଛି ଗୋଟାଏ କରିବାପାଇଁ ସନାତନଙ୍କ ବନ୍ଧୁବର୍ଗଙ୍କର ଶତ ଅଯାଚିତ ଉପଦେଶ; କ’ଣ କରିବେ ସେ ସମ୍ପର୍କରେ ସନାତନଙ୍କ ଶୁଭଚିନ୍ତକମାନଙ୍କର ଶତ ଉତ୍ପୀଡ଼କ ପରାମର୍ଶ ଓ ଏସବୁ ସତ୍ତ୍ୱେ କିନ୍ତୁ କରୁ ନଥିବାରୁ, ସନାତନଙ୍କ ଆତ୍ମୀୟ ଓ ସ୍ଵଜନବର୍ଗଙ୍କର ଅଭିଯୋଗପୂର୍ଣ୍ଣ ଦୃଷ୍ଟି....ସବୁ ମିଶି ସନାତନଙ୍କୁ ଧୀରେ ଧୀରେ ପାଗଳ କରିଦେଲା ।

 

ସନାତନଙ୍କ ଭବିଷ୍ୟତ କର୍ମଯୋଜନା ସମ୍ପର୍କରେ ତାଙ୍କର ବନ୍ଧୁ ବା ସ୍ଵଜନବର୍ଗ ତାଙ୍କୁ ପଚାରିଲେ ସନାତନ ଉତ୍ତରରେ କେବଳ ମୁରୁକି ମୁରୁକି ହସୁଥିଲେ...ଏକ ନୂଆ ମତଲବ ମୁଣ୍ଡକୁ ଆସିଲେ ଶୃଙ୍ଖଳାମୁକ୍ତ ଦୁରନ୍ତ ଗ୍ରାମ୍ୟବାଳକର ଓଠରେ ରହସ୍ୟଘନ, କୌତୂହଳଦୀପ୍ତ ହସ ପରି !

 

କିନ୍ତୁ କିଛି ନ କରିବାପାଇଁ ତ ସନାତନ ଚାକିରିରୁ ଅବସର ନେଇ ନଥିଲେ । ଖତ ଓ ସାର ବିଭାଗର ଡିରେକ୍ଟରେଟ୍‌ରେ ଶୀତତାପ ନିୟନ୍ତ୍ରିତ, ନିଓନ୍ ଆଲୋକରେ ଆଲୋକିତ, ବହଳ ପର୍ଦ୍ଦାରେ ଆବୃତ୍ତ, ସନାତନଙ୍କ ଅଫିସ୍‍ର କାଚଅଣ୍ଟା ଝରକା ବାହାରେ, ସେଦିନ ବୈଶାଖର ରୌଦ୍ରଦୀପ୍ତ ଆକାଶତଳେ, ବୈଶାଖୀର ପାଗଳ ଘୂର୍ଣ୍ଣିରେ, ଝରକାଦେହରେ ଲାଗି କୃଷ୍ଣଚୂଡ଼ା ଗଛଟା ଦୋଳୁଥିଲା; ରୌଦ୍ରଦଗ୍ଧ ଧରଣୀର ଅବରୁଦ୍ଧ କାମନା; ଅକସ୍ମାତ୍ ପ୍ରକାଶର ଏକ ପନ୍ଥା ପାଇବା ପରି-

 

ସେଦିନ ଝରକା ବାହାରେ ସେହି କ୍ଷୁଧିତ ଆକାଶ ଓ ଅଶାନ୍ତ ଲାଲ କୃଷ୍ଣଚୂଡ଼ା ଅତି ମର୍ମାନ୍ତିକ ଭାବରେ ସନାତନଙ୍କୁ ଚେତାଇ ଦେଇଥିଲା...ତାଙ୍କର ଅନ୍ନପୁଷ୍ଟ ଜୀବନ ଏକାନ୍ତ ଭାବରେ ବୁଭୁକ୍ଷ । ଖତ ଓ ସାରର ଆବର୍ଜନା ମଧ୍ୟରେ ଆନନ୍ଦର ଉତ୍ସ ନିଷ୍ଠୁର ଭାବରେ ଶୁଷ୍କ; ଅନୁତେଜିତ ଦୈନନ୍ଦିନତାର ଶୀତଳତା ମଧ୍ୟରେ ଅନୁଭୂତିର ତୀବ୍ରତା ଅତ୍ୟନ୍ତ ଦୟନୀୟ ଭାବରେ ବାର୍ଦ୍ଧକ୍ୟଗ୍ରସ୍ତ ।

 

ଝରକା ବାହାରେ ରୌଦ୍ରଦୀପ୍ତ ଆକାଶଆଡ଼େ ଚାହିଁ, ସନାତନଙ୍କର ଝଲସିପଡ଼ିଥିବା ଧୂମାଚ୍ଛନ୍ନ ଦୃଷ୍ଟିରେ ଭାସିଉଠିଥିଲା, ଗୋଟିଏ ସ୍ଵୈରିଣୀର ଛବି–ଦୁଇ ନୀଳ ଆଖିରେ ତା’ର ଆଲିଙ୍ଗନ ପାଇଁ ଅଶ୍ଳୀଳ ଇଙ୍ଗିତ, ବ୍ୟଗ୍ର ବିଲମ୍ବିତ ବାହୁରେ ଆଲିଙ୍ଗନ ପାଇଁ ଅକୁଣ୍ଠ ଆହ୍ୱାନ...ମାତ୍ର ସେ ନିର୍ଲଜ୍ଜ ଇଙ୍ଗିତର ପ୍ରତ୍ୟୁତ୍ତର ଦେବାପାଇଁ ପ୍ରୌଢ଼ତ୍ଵର ଶୀତଳତା ମଧ୍ୟରେ, ସନାତନ ଅତ୍ୟନ୍ତ ଅସହାୟ ଭାବରେ ପଙ୍ଗୁ । ମସ୍ତିଷ୍କର ସ୍ନାୟୁକେନ୍ଦ୍ରଗୁଡ଼ିକ ଅଥର୍ବତା ମଧ୍ୟରେ ଗୋଟିକ ପରେ ଗୋଟିଏ ଧୀରେ ଧୀରେ ସ୍ତିମିତ ହୋଇ ଆସିଥିଲା ଉତ୍ସବର କୋଳାହଳ ଶେଷରେ ରାତ୍ରିର ପ୍ରଦୀପ ପରି...ତାଙ୍କର ହୃଦୟ ଯେପରି ଗୋଟିଏ ନିର୍ଜନ ଓ ପରିତ୍ୟକ୍ତ ଅନ୍ଧକାର ଦୁର୍ଗର ରୁଦ୍ଧ ପ୍ରାଚୀର, ନିତ୍ୟନୂତନ ଅନୁଭୂତିର ଅଗଣିତ ଅଶ୍ଵାରୋହୀ, ସେହି ନିଷ୍ପ୍ରାଣ ପ୍ରାଚୀର ଦେହରେ ବାରମ୍ବାର ଆଘାତ କରି ମିଳାଇ ଯାଉଥିଲେ ଅରଣ୍ୟ ଅନ୍ଧକାର ମଧ୍ୟରେ ।

 

ସନାତନ ଝରକା ପାଖରୁ ଫେରିଆସି, ଦୁଇ ହାତରେ କପାଳର ଦୁଇ ପାଖ ଚାପି ଧରି ଚଉକି ଉପରେ ବସି ପଡ଼ିଲେ । ସେ ସେହିଦିନ ସ୍ଥିର କରିଥିଲେ, ବଞ୍ଚିବାର ଏ ପାଗଳଗାରଦ ଭାଙ୍ଗିବାପାଇଁ, ତାଙ୍କୁ ପାଗଳ ହେବାପାଇଁ ପଡ଼ିବ ।

 

ସନାତନ ଯେଉଁଦିନ ପାଗଳ ହୋଇଗଲେ, ସେ ଦିନଟିର ସ୍ମୃତି ତଥାପି ସେ ଭୁଲିନାହାନ୍ତି...ଅଙ୍କାବଙ୍କା ରେଖାର ଦୁର୍ବୋଧ୍ୟ ଜଟିଳତା ମଧ୍ୟରେ ଗୋଟିଏ ଚିତ୍ରର ଅସ୍ପଷ୍ଟ ରେଖାପରି ସେଦିନର ଘଟଣାବିହୀନ ଶାନ୍ତ ସକାଳଟି ସନାତନଙ୍କର ଚେତନାରେ ତଥାପି ଉତ୍କୀର୍ଣ୍ଣ ହୋଇ ରହିଅଛି ।

 

ଆଶ୍ଵିନର ଗୋଟିଏ ମେଘଧୂଆ, ସୁନେଲି ସକାଳ । ଝରକା ବାହାରେ ଗଛଗୁଡ଼ାକର ପତ୍ରଶୀର୍ଷ ଉପରେ କିଏ ଯେପରି ଲକ୍ଷ ଲକ୍ଷ ସୁନାର ପ୍ରଦୀପ ଜାଳି ଦେଇଯାଇଅଛି । ତା’ର କୋମଳ ଆଲୋକ ଖୋଲା ଝରକାବାଟେ ସନାତନଙ୍କ ବିଛଣା ଚାରିପଟେ ବିଛେଇ ହୋଇପଡ଼ିଅଛି ଫୁଲର ପାଖୁଡ଼ା ପରି । ପୂର୍ବରାତ୍ରିରେ ଏକାଦିକ୍ରମେ ଗତ କେତେ ରାତି ପରି ସନାତନଙ୍କୁ ଭଲ ନିଦ ହୋଇ ନଥିଲା । ତାଙ୍କର ଉତ୍ତପ୍ତ ଆଖିଆଗରେ ବାରମ୍ବାର ଭାସିଉଠୁଥିଲା ସେ ଦିନର ରୌଦ୍ରତପ୍ତ ଆକାଶ ଓ ଅଶାନ୍ତ କୃଷ୍ଣଚୂଡ଼ାର ପୃଷ୍ଠଭୂମିରେ ସେହି ଅକୁଣ୍ଠିତା ସ୍ଵୈରିଣୀର ଅଶରୀରୀ ମୂର୍ତ୍ତି ! ଅନ୍ଧକାର କୋଠରି ବାହାରେ, ନୀଳ ଜ୍ୟୋତ୍ସ୍ନାର କୋମଳ ଆଲୋକରେ ରାତ୍ରି ସ୍ତିମିତି ହୋଇପଡ଼ିଥିଲା ରତିକ୍ଳାନ୍ତା ଅସଂବୃତ୍ତବସନା ସେହି ସ୍ଵୈରିଣୀ ପରି । ଶେଷ ରାତିକୁ ଶୀତଳ ପାହାନ୍ତି ପବନରେ ସନାତନଙ୍କ ଆଖିରେ ସାମାନ୍ୟ ନିଦ ଲାଗିଆସିଥିଲା ।

 

ସକାଳ ଆଲୁଅରେ ନିଦ ଭାଙ୍ଗିଯିବା ପରେ ସନାତନଙ୍କର ମନେହେଲା, ଛଅଫୁଟ୍ ଉଚ୍ଚତାବିଶିଷ୍ଟ ତାଙ୍କର ପୃଥୁଳ ମେଦବହୁଳ ଦେହ ଗୋଟିଏ ଚପଳ ପ୍ରଜାପତି ପରି ହାଲୁକା ହୋଇଯାଇଅଛି । ସନାତନ ଭିଡ଼ିମୋଡ଼ି ହୋଇ ନିଜର ଦୁଇ ଲୋମଶ ହାତଆଡ଼େ ଚାହିଁଲେ...ଏ ତ ହାତ ନୁହେଁ, ଚପଳ ପ୍ରଜାପତିର ଦୁଇଟି ରଙ୍ଗୀନ ଡେଣା । ସନାତନ ବିଛଣାରେ ଶୋଇ ଦୁଇ ପାଦ ହଲାଇଲେ । ଏ ତ ପାଦ ନୁହେଁ, ମୃଗଶିଶୁର ଅଶାନ୍ତ ଖୁରା । ଏ ଏକ ଅଭୂତପୂର୍ବ ଘଟାନ୍ତର ! ଯେଉଁ ଅଶାନ୍ତ ଚୈତାଳି ସେହି ପରିତ୍ୟକ୍ତ ଅନ୍ଧକାର ଦୁର୍ଗର ଶୈବାଳାଚ୍ଛନ୍ନ ପ୍ରାଚୀର ଦେହରେ ବାରମ୍ବାର ମଥା ପିଟି ଫେରିଯାଉଥିଲା, ଆଜି ସେହି ଚୈତାଳି ଫିଟାଇ ଦେଇଯାଇଛି ଯେପରି ଏକ ନୂତନ ବାତାୟନ । ଆଉ ମେଦର ଅସ୍ତରଣତଳୁ ଏ ଯେଉଁ ନୂତନ ପ୍ରଜାପତି ଆଜି ମୁକ୍ତିଲାଭ କରିଅଛି, ସେହି ବାତାୟନ ପଥରେ ତା’ପାଇଁ ବାହିତ ହୋଇ ଆସିଅଛି; ଯେପରି ରୂପ, ରସ, ଗନ୍ଧ ଓ ଆଲୋକର ଏକ ଆନନ୍ଦମୟ ଆମନ୍ତ୍ରଣ ।

 

ସନାତନ ବିଛଣା ଉପରୁ ତଳକୁ ଡେଇଁ ପଡ଼ିଲେ ।

 

ଦୋତାଲାର ବାରଣ୍ଡା ନିର୍ଜନ ।

 

ତଳମହଲାର ପଛ ପ୍ରସ୍ତରେ ଦୈନନ୍ଦିନତାର ନୈମିତ୍ତିକ କୋଳାହଳ ଆରମ୍ଭ ହୋଇଯାଇଅଛି । ପ୍ରୌଢ଼ ସନାତନ ଚପଳ ଶିଶୁ ପରି, ସିଡ଼ିରେ ଏକାଏକା କୁଦାକେ ଦୁଇ ତିନି ପାହାଚ ଅତିକ୍ରମ କରି ତଳକୁ ଓହ୍ଲାଇ ଆସିଲେ !

 

ଏଇ ସିଡ଼ିରେ ଓହ୍ଲାଇଲାବେଳେ ପୁଣି ଉପରକୁ ଉଠିଲାବେଳେ କାହିଁ ସେ ପୂର୍ବ ଦିନମାନଙ୍କର ସନ୍ତର୍ପିତ ଗତି, କାହିଁ ସେ ଆଃ-ଉଃ ଆର୍ତ୍ତନାଦ !

 

ଏ ଅଭୂତପୂର୍ବ ପଟାନ୍ତର ସନାତନଙ୍କୁ ବିସ୍ମିତ କରିନେଲା ।

 

ନିଭୃତ ବୈଠକଖାନା ।

 

ବୈଠକଖାନା କାନ୍ଥରେ ସର୍ବାଧୁନିକ ସୌନ୍ଦର୍ଯ୍ୟବୋଧ ଓ କଳାର ନିଦର୍ଶନରୂପେ ଦୁଇଟି ବୀଭତ୍ସ ଓ କିମ୍ଭୂତ ମୁଖା ଝୁଲୁଥିଲା । ନିଗୃହୀତ ଅବଚେତନର ଯେଉଁ କଳାଭୂତ ଆଜି ସଭ୍ୟତାର ଚେତନାକୁ ଉତ୍ପୀଡ଼ିତ କରୁଅଛି, ତା’ରି ମୁଖା କାନ୍ଥରେ ଝୁଲାଇ ଆଜିର କଳାପ୍ରେମୀ ନିଜର ରୂପତୃଷ୍ଣା ମେଣ୍ଟାଉଅଛି....ତା’ର ମୁଣ୍ଡର ବାଳସବୁ ନିଆଁହୁଳାପରି, ଦାନ୍ତସବୁ କାହାଣୀରେ ମଣିଷଖିଆ ରାକ୍ଷସର ଲମ୍ବା ମୁନିଆ ଦାନ୍ତ ପରି, ଲହଲହ ଜିଭରେ ରକ୍ତର ତୃଷ୍ଣା କୋଟରଗତ ଦୁଇ ଆଖିରେ ଆଖିପିତୁଳାମାନ ଜଳନ୍ତା କୋଇଲାପରି । ସନାତନଙ୍କ ଜ୍ୟେଷ୍ଠପୁତ୍ର ଗୋଟିଏ କଲେଜରେ ଇଂରାଜୀ ସାହିତ୍ୟରେ ଅଧ୍ୟାପକ । ଗୋଟିଏ ପ୍ରଦର୍ଶନୀରୁ ସେ ଏ ଦୁଇଗୋଟି ଜଉତିଆରି ମୁଖା ଆଣି କାନ୍ଥରେ ଝୁଲାଇଥିଲେ–ସର୍ବାଧୁନିକ କଳାପ୍ରେମର ନିଦର୍ଶନରୂପେ ।

 

ସନାତନ କାନ୍ଥରୁ ଗୋଟିଏ ମୁଖା କାଢ଼ି ନିଜ ମୁହଁ ଉପରେ ବାନ୍ଧିଲେ । ତା’ପରେ ଅନ୍ୟ ମୁଖାଟି ଡ୍ରେସିଙ୍ଗ୍‍ଗାଉନ ଭିତରେ ଲୁଚାଇ ତାଙ୍କ ନାତି ମଣ୍ଟୁର ପଡ଼ିଶା ଘର ଭିତରକୁ ପାଦ ଚିପି ଚିପି ସନ୍ତର୍ପଣରେ ପଶିଆସିଲେ ।

 

ମୁହଁରେ କ୍ଳାନ୍ତି ଓ ବିରକ୍ତିର ଶତରେଖା କୁଞ୍ଚନ ଟାଣି, ମଣ୍ଟୁ ସାହିଢ଼ଳା ଟେବୁଲ୍ ଉପରେ ହାମୁଡ଼େଇ ପଡ଼ି ପୃଷ୍ଠାଏ ହସ୍ତାକ୍ଷର ଲେଖୁଥିଲା; ମାତ୍ର ତା’ର ଦୃଷ୍ଟି ନିବଦ୍ଧ ଥିଲା ଝରକା ବାହାରେ ଚୂନଧୁଆ ସକାଳ ଉପରେ । ସନାତନ ପାଦ ଚିପି ଚିପି ଆସି ମଣ୍ଟୁର କାନ୍ଧଉପରେ ଗୋଟାଏ ଟିପା ମାରିଲେ । ମଣ୍ଟୁ ଚମକିପଡ଼ି ପଛରେ ମୁଖାପିନ୍ଧା ସନାତନଙ୍କ ଆଡ଼େ ଚାହିଁ, ମୁହୂର୍ତ୍ତକ ପାଇଁ ଭୟରେ ଜଡ଼ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲା । ମଣ୍ଟୁ ଯେଉଁ ଭୂତର କାହାଣୀ ବିନିଦ୍ର ଆଖିରେ ରାତ୍ରିର ଅନ୍ଧକାର ଭିତରେ ଶୁଣେ, ଦିନର ଆଲୁଅରେ ସେ ଭୂତକୁ ଦେଖି କିଳିକିଳା ଚିତ୍କାର କରି ଉଠିଥିଲା; ମାତ୍ର ସନାତନ ମୁହଁରୁ ମୁଖାଟି କାଢ଼ି, ଅଟ୍ଟହାସ କରି ହସିଉଠିଲେ...ଅତୀତରେ ବହୁବର୍ଷର ଅବରୁଦ୍ଧ ହସ, ପାହାଡ଼ୀ ଝରଣାପରି ଝରିଆସିଲା ନିରାନନ୍ଦ ପ୍ରୌଢ଼ତ୍ଵର ଗୋଲେଇ ପେଟଉପରେ ମେଦ ଓ ମାଂସର ତରଙ୍ଗ ସଞ୍ଚାଳିତ କରି ।

 

ଜେଜେଙ୍କର ଏହି କିମ୍ଭୂତ କେଶସଜ୍ଜା ମଧ୍ୟରେ ଯେଉଁ ନୂଆ ସମ୍ଭାବନା ଅଛି, ତାହା କଳନା କରି ମଣ୍ଟୁ ମଧ୍ୟ ହସିଉଠିଲା । ଦୁହିଁଙ୍କର ଆଖିରେ ଏକ ନୂଆ ଷଡ଼ଯନ୍ତ୍ରର ଚକ୍ରାନ୍ତ ।

 

ସନାତନ ଡ୍ରେସିଙ୍ଗ୍ ଗାଉନ ଭିତରୁ ଅନ୍ୟ ମୁଖାଟି କାଢ଼ି ମଣ୍ଟୁର ମୁହଁରେ ପିନ୍ଧାଇଦେଲେ-। ଏକ ତୀବ୍ର ଅଭୂତପୂର୍ବ ଉତ୍ତେଜନାରେ ମଣ୍ଟୁର ଦେହ ଥରିଉଠିଲା । ବୈଠକଖାନା କାନ୍ଥରେ ଏହି ମୁଖା ଦୁଇଟି ଝୁଲାଯିବା ଦିନୁ ମଣ୍ଟୁ ଏଥିରେ କେତେ ନୂତନ ରୋମାଞ୍ଚକର ସମ୍ଭାବନା ଦେଖି ଆସିଥିଲା–ମାତ୍ର ବାପାଙ୍କର କଳାପ୍ରେମ ଆହତ ହେବା, ପୁଣି ନିଜେ ବେତ୍ରାହତ ହେବା ଭୟରେ ମଣ୍ଟୁ ସେ ମୁଖା ଦୁଇଟିକୁ ସ୍ପର୍ଶ କରିବାପାଇଁ ସୁଦ୍ଧା କେବେ ସାହସ କରି ନଥିଲା । ଆଜି କିନ୍ତୁ ନିଜ ହାତରେ ସେହି ମୁଖାଟିକୁ ସମ୍ପୂର୍ଣ୍ଣ ଅଯାଚିତ ଭାବରେ ପାଇ ମଣ୍ଟୁର ଆନନ୍ଦ ଓ କୌତୂହଳର ସୀମା ରହିଲା ନାହିଁ ।

 

ସନାତନ ଆଉଥରେ ମୁଖାଟିକୁ ପିନ୍ଧି କାନ୍ଥରେ ଝୁଲୁଥିବା ଗୋଟିଏ ଅଇନାରେ ନିଜକୁ ସପ୍ରଶଂସ ଦୃଷ୍ଟିରେ ଚାହିଁ ଦେଖୁଥିଲେ । ଇତିମଧ୍ୟରେ ମଣ୍ଟୁ ଅନ୍ୟ ମୁଖାଟିକୁ ମୁହଁରେ ପିନ୍ଧି, ତା’ର କଳ୍ପନାରେ ପରିକଳ୍ପିତ କିଳିକିଳା କଣ୍ଠରେ ଏକ ବିଚିତ୍ର ଯୁଦ୍ଧଧ୍ୱନି କରି ସନାତନଙ୍କ ପିଠି ଉପରକୁ କୁଦିପଡ଼ିଲା ।

 

ଏହାପରେ ତଳମହଲାର ନିଃଶବ୍ଦ ଓ ନିର୍ଜନ ବୈଠକଖାନା ମୁହୂର୍ତ୍ତକ ମଧ୍ୟରେ ପରିଣତ ହୋଇଗଲା କାହାଣୀର ଝଞ୍ଜାବିକ୍ଷୁବ୍ଧ ଏକ ସମୁଦ୍ରରେ, କାଉଚଟା ପରିଣତ ହୋଇଗଲା ପଣ୍ୟସମ୍ଭାରଭରା ଜାହାଜରେ, ମଣ୍ଟୁ ଦୂରଦେଶୀ ସୌଦାଗରରେ ଓ ରାକ୍ଷସର ମୁଖାପିନ୍ଧା ସନାତନ ଏକ ଜଳଦସ୍ୟୁରେ ! ଜଳଦସ୍ୟୁ ସହିତ ଯୁଦ୍ଧର ତୀବ୍ରତା, କାଉଚରୂପୀ ଜାହାଜର ‘ଡେକ୍’ ଉପରେ ବେଶୀକ୍ଷଣ ସୀମାବଦ୍ଧ ରହିପାରିଲା ନାହିଁ । ସମଗ୍ର ବୈଠକଖାନାଟା ପରିଣତ ହୋଇଗଲା ଯୁଦ୍ଧକ୍ଷେତ୍ରରେ । ‘ଟି’ପୟ ଉପରୁ ଫୁଲଦାନିଟା ତଳେ ପଡ଼ି ଚୂନା ହୋଇଗଲା, ଆସ୍‍ଟ୍ରେଗୁଡ଼ା ଏଠିସେଠି ଭାଙ୍ଗିପଡ଼ିଲା ମୃତାହତ ସୈନିକଙ୍କ ପରି, କାଉଚ ଓ ଚଉକିଗୁଡ଼ା ବିପର୍ଯ୍ୟସ୍ତ ଭାବରେ ଓଲଟିପଡ଼ି ରଣକ୍ଷେତ୍ରର ଦୃଶ୍ୟ ଉପରେ ଯେପରି ସମ୍ପୂର୍ଣ୍ଣତାର ତୂଳୀ ବୁଲାଇଦେଲା ।

 

ଶତ ନିୟନ୍ତ୍ରଣ ଓ ଶାସନ ଭିତରେ ଶୃଙ୍ଖଳାବଦ୍ଧ ମଣ୍ଟୁ କେବେ ଏପରି ଯୁଦ୍ଧ ଲଢ଼ି ନଥିଲା-। ଛଅଫୁଟ୍ ଉଚ୍ଚତା ଓ ଦୁଇ ମହଣ ଓଜନର ଜଳଦସ୍ୟୁ, ଖଣ୍ଡେ ହାତବାଡ଼ିକୁ ଖଣ୍ଡାପରି ଯେତେ ଉତ୍ସାହ ଓ ବିକ୍ରମରେ ବୁଲାଇଲେ ସୁଦ୍ଧା ଶସ୍ତ୍ର ସୌଦାଗରର ଲମ୍ଫଝମ୍ପରେ ସେ ଏକ କିଳିକିଳା ରଡ଼ି ଦେଇ ଅଚିରେ ଭୂତଳଶାୟୀ ହୋଇଗଲେ । ବିଜୟୀ ସୌଦାଗର ତାହାର ପ୍ରତ୍ୟୁତ୍ତରସ୍ଵରୂପ ଆଉ ଏକ ବିଚିତ୍ର ଧ୍ୱନି କରି, ଚିତ୍ ହୋଇ ପଡ଼ିଥିବା ଜଳଦସ୍ୟୁର ଛାତି ଉପରେ ବୀରବିକ୍ରମରେ ମାଡ଼ି ବସିଲା । ସନାତନ ମଣ୍ଟୁର ଭୂତଛଡ଼ା କିଳିକିଳା ରଡ଼ି ସହିତ ବାରଣ୍ଡାରେ ବନ୍ଧାଥିବା ଆଲ୍‍ସେସିଆନ କୁକୁରର ଗର୍ଜନ ମିଶି, ଏପରି ଏକ ଭୌତିକ କୋଳାହଳ ଆରମ୍ଭ କରିଦେଲା ଯେ, ସନାତନଙ୍କ ପରିବାରର ସମସ୍ତେ ତ୍ରସ୍ତବ୍ୟସ୍ତ ହୋଇ ବୈଠକଖାନା ଭିତରକୁ ପଶିଆସିଲେ । ବୈଠକଖାନାର ବିପର୍ଯ୍ୟସ୍ତ ଅବସ୍ଥା, ଚଟାଣ ଉପରେ ଓଲଟି ପଡ଼ିଥିବା ଟେବୁଲ, କୁଶନ୍, ଚୌକି, ଭଙ୍ଗା ଫୁଲଦାନି ପୁଣି ସନାତନ ଓ ମଣ୍ଟୁ ମୁହଁରେ ପିନ୍ଧିଥିବା ଜଉତିଆରି ଅସୁରମୁଖାର ଭଙ୍ଗା ଟୁକୁରା ଯେଉଁ ପରିବେଶ ସୃଷ୍ଟି କରିଥିଲା ଓ ତା’ ମଝିରେ ଅର୍ଦ୍ଧନଗ୍ନ ସନାତନଙ୍କ ଛାତି ଉପରେ ମଣ୍ଟୁ ଯେପରି ଭଙ୍ଗୀରେ ମାଡ଼ିବସିଥିଲା, ସବୁ ମିଶି ସନାତନଙ୍କ ସ୍ଵଜନବର୍ଗଙ୍କୁ ବିସ୍ମୟରେ ଅଭିଭୂତ କରିଦେଲା-। ଏ ପରିସ୍ଥିତିରେ ସେମାନେ ଫାୟାର୍ ବ୍ରିଗେଡ଼୍ ଡାକିବେ, ପୁଲିସ ଡାକିବେ ବା ଆମ୍ବୁଲାନ୍‍ସ୍ ଡାକିବେ ସ୍ଥିର କରି ନ ପାରି କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆହୋଇ ରହିଥିଲେ । ସେମାନଙ୍କୁ ଦେଖି ମଣ୍ଟୁ ଅପରାଧୀପରି ସନାତନଙ୍କ ଛାତି ଉପରୁ ଉଠି, କେଉଁଠି ଆତ୍ମଗୋପନ କରିବ ଭାବି ସ୍ଥିର କରିପାରିଲାନାହିଁ । କିନ୍ତୁ ସନାତନ ସମ୍ପୂର୍ଣ୍ଣ ଅନାସକ୍ତ ଭାବରେ ତଳୁ ଉଠି, ଉଚ୍ଚ କଣ୍ଠରେ ହସି ଉଠିଲେ–ଏକ ଅନ୍ଧାର ଗୁମ୍ଫା ଭିତରୁ ଗୋଟିଏ ଗିରିନଦୀର ଆବଦ୍ଧ ଜଳସ୍ରୋତ ପ୍ରମତ୍ତ ଗର୍ଜନରେ ଯେପରି ଲମ୍ଫଦେଇ ଆସିଲା । ବେପରୁଆ ହସର ସେ ଲଗାମଛିଣ୍ଡା ଲହର ହଠାତ୍ ପ୍ରଶମିତ ହେଲାନାହିଁ । ବହୁ ସମୟ ପର୍ଯ୍ୟନ୍ତ ନିଜ ଅଟ୍ଟହାସର ଅଛିଣ୍ଡା ଲହରରେ ସନାତନଙ୍କ ଶୃଙ୍ଖଳାବଦ୍ଧ ଗୃହସ୍ଥଳୀର ସଂଯତ ପରିବେଶ ଏକ ଝଞ୍ଜାର ଆଘାତରେ ଯେପରି ଥରି ଉଠିଲା ।

 

ସନାତନ ଏହାପରେ ପାଗଳ ବୋଲି ବିଧିବଦ୍ଧ ଭାବରେ ଘୋଷିତ ହୋଇଗଲେ ।

 

ସହରର ରାସ୍ତାରେ ଏଇ ପରିଚିତ ମୂର୍ତ୍ତିଟି ଯେତେବେଳେ ଦୂର ଦିଗ୍‌ବଳୟରେ କେବଳ ନିଜର ଦୃଷ୍ଟି ନୁହେଁ, ତା’ ସହିତ ନିଜକୁ ମଧ୍ୟ ହଜାଇ ଦେଇ ନିର୍ବାକ୍ ଜଡ଼ତାରେ ଠିଆ ହୋଇଥାଏ, ଅଥବା ରାସ୍ତାକଡ଼ କେଉଁ ଗଛମୂଳେ ଗଛଦେହରେ ଆଉଜି ସାମ୍ନାର ଜନସ୍ରୋତ ଆଡ଼େ ଅନାସକ୍ତ, ଅଚଞ୍ଚଳ ଦୃଷ୍ଟିରେ ଚାହିଁ ବସିଥାଏ, ନୋହିଲେ ପାର୍କ୍‍ର ଗୋଟିଏ ନିର୍ଜନ କୋଣରେ ଖଣ୍ଡେ କାଠବେଞ୍ଚ୍ ଉପରେ ତଳକୁ ମୁଣ୍ଡ ନୁଆଁଇ ବସିଥାଏ, ସେତେବେଳେ ଦୂରରୁ ଚାହିଁଲେ, କେଉଁ କୁଶଳୀ ଶିଳ୍ପୀର ବ୍ରୋଞ୍ଜ ତିଆରି ଗ୍ରୀକ୍ ଯୁଗର ଗୋଟିଏ ନିଖୁଣ ମୂର୍ତ୍ତିପରି ମନେହୁଏ ।

 

ଏହାପରେ ସନାତନ ମହାପାତ୍ରଙ୍କ ପରିଚୟ ପରିବର୍ତ୍ତିତ ହୋଇ ପରିଣତ ହେଲା, ପାଗଳ...ପାଗଳବାବୁ ! କିନ୍ତୁ ସନାତନଙ୍କ ପାଗଳାମି ଥିଲା ଅତ୍ୟନ୍ତ ନିର୍ଦ୍ଦୋଷ । ସେଥିରେ କେହି ଆହତ ହେବା ଭଳି ହିଂସ୍ରତା ନଥିଲା, କିମ୍ବା ସୀମା ଓ ଶାଳୀନତା ଲଙ୍ଘନ କଲାଭଳି କୌଣସି ଯଥେଚ୍ଛାଚାର ନଥିଲା ।

 

ମାତ୍ର ପରିବେଶ ଓ ପରିବେଷ୍ଟନୀର ନିଃଶ୍ଵାସରୁଦ୍ଧା ପ୍ରକୃତିସ୍ଥତା ତାଙ୍କୁ ଧୀରେ ଧୀରେ ପାଗଳ କରିଦେଲା ।

 

କୁହୁଡ଼ିର ପାତଳା ପଦାର୍ଥରେ ଢଙ୍କା ଚୈତ୍ରର ଗୋଟିଏ ସକାଳ । ନିର୍ମେଘ ନୀଳ ଆକାଶ...ଛାୟାଢ଼ଙ୍କା ସରୋବରର ଗଭୀର ଜଳରାଶି ପରି ଖଣ୍ଡେ ମେଘ ଭାସି ଯାଉଥିଲା, ରାଜହଂସର ସନ୍ତରଣ ଭଙ୍ଗୀରେ ସେଠି ଅନନ୍ତ ପ୍ରଶାନ୍ତି, ଅନାହତ ଆନନ୍ଦ ।

 

ସନାତନ ଗୋଟିଏ ଜନବିରଳ ରାସ୍ତାକଡ଼ରେ ଗୋଟିଏ ଦେବଦାରୁ ଗଛ ଦେହରେ ଆଉଜି ଉପରର ଆକାଶକୁ ଚାହିଁ ବସିଥିଲେ ପଥରର ଗୋଟିଏ ମୂର୍ତ୍ତିପରି...ଯେପରି ପ୍ରଥମ ଥରପାଇଁ ସେ ଚାହିଁ ଦେଖୁଥିଲେ ସୃଷ୍ଟିର ଏହି ବିଚିତ୍ର ପ୍ରକାଶ ।

 

ସନାତନ ମୁଣ୍ଡରେ ଗୋଟିଏ ଚଉଡ଼ା ଫେଲ୍ଟ ଟୋପି ଓ ଖଣ୍ଡେ ଡୋରିଆ ପାଇଜାମା ପିନ୍ଧି ଉପରର ଆକାଶକୁ ଯେପରି ବିଚିତ୍ର ଭଙ୍ଗୀରେ ଚାହିଁ ବସି ରହିଥିଲେ, ତାହା ତାଙ୍କ ଚାରିପଟେ ପିମ୍ପୁଡ଼ିମଳା ବାନ୍ଧିଲା ପରି ଏକ କୌତୂହଳୀ ଜନତାକୁ ଆକର୍ଷଣ କରି ଆଣୁଥିଲା । ସେମାନେ ନିଜ ନିଜ ମଧ୍ୟରେ, କୌତୁକରେ ପାଟି କରି କହୁଥିଲେ–“ପାଗଳ...ଏଇ ପାଗଳ... ।”

 

ସନାତନ ହସିଲେ...ଏଇ କ୍ଷୁଦ୍ର ଦ୍ଵିପଦ ଦଳର ନୀଚ ମୂଲ୍ୟବୋଧ ପ୍ରତି ଏକ ପ୍ରଚଣ୍ଡ ଉପହାସ ।

 

ତୁଚ୍ଛ ଦୈନନ୍ଦିନତାର ବହୁ ଊର୍ଦ୍ଧ୍ଵରେ, ଆକାଶର ରଙ୍ଗଭୂମିରେ, ମେଘ ଓ ରୌଦ୍ରର, ଝଡ଼ ଓ ବିଦ୍ୟୁତର, ଆଲୋକ ଓ ଛାୟାର ଯେଉଁ ବିରାଟ ମହାନାଟକ ପ୍ରତି ମୁହୂର୍ତ୍ତରେ ଅଭିନୀତ ହୋଇ ଯାଉଅଛି, ତାହା କ’ଣ କେବେ ଥରକପାଇଁ ଦେଖିଛନ୍ତି ଏଇ କ୍ଷୁଦ୍ର ପିପିଲିକାର ଦଳ !

 

ଆଉ ଦଳେ କୌତୂହଳୀ ଜନତା, ସନାତନଙ୍କ ଆଡ଼େ ଆଙ୍ଗୁଳି ଦେଖାଇ କହୁଥିଲେ–“ପାଗଳ...ଏଇ ପାଗଳ !”

 

ଗୋଟିଏ ଗୋଟିଏ ଅତି କ୍ଷୁଦ୍ର ଆକସ୍ମିକ ଘଟଣା ଜୀବନର ଗତି ଓ ଇତିହାସ ବଦଳାଇ ଦିଏ । ସେ ଦିନର ସେଇ ସକାଳ । ଏ ଶତାବ୍ଦୀର ମଣିଷ ଧୀରେ ଧୀରେ ଯେପରି ପାଗଳ ହୋଇ ଆସୁଅଛି, ତା’ର ଇସ୍ତାହାର ପ୍ରକାଶ ପାଇଅଛି ଆଧୁନିକ ଚିତ୍ରକଳାରେ, କବିତାରେ, ସଙ୍ଗୀତରେ, ନୃତ୍ୟରେ, ରାଜନୀତିରେ, ବଞ୍ଚିବାରେ ।

 

ମୁହଁରେ ରାକ୍ଷସର ମୁଖା ପିନ୍ଧି ମଣ୍ଟୁ ଓ ତାଙ୍କ ଭିତରେ ସେ କି ପ୍ରଚଣ୍ଡ ଯୁଦ୍ଧ ! ସେଦିନର ସେଇ ସକାଳ ସନାତନଙ୍କ ହିସାବୀ ଜୀବନର ଗତି ବଦଳାଇ ଦେଇଥିଲା । ସେହି ସକାଳ ପରଠାରୁ ସନାତନଙ୍କ ପରିଚୟ ପରିଣତ ହୋଇଥିଲା, ପାଗଳରେ !

 

କିନ୍ତୁ ସନାତନ କ’ଣ ପାଗଳ ?

 

ନିଜ ପ୍ରତି ପାଗଳାମିର ସନ୍ଦେହ ଘୁଞ୍ଚାଇବା ପାଇଁ ସନାତନ ଦୁଇ ହାତରେ ମୁଣ୍ଡ ବାଳ ଓ ଦାଢ଼ିକୁ ଟାଣି, ଅକାରଣରେ ତଳୁ ଉଠି ଠିଆ ହୋଇପଡ଼ିଲେ ।

 

ନା–ସନାତନ ସମ୍ପୂର୍ଣ୍ଣ ପ୍ରକୃତିସ୍ଥ । ସନାତନ ପାଗଳ ନୁହଁନ୍ତି । ତାଙ୍କର ତଥାକଥିତ ପାଗଳାମି ଜୀବନର ଏକ ନୂତନ ଆସ୍ଵାଦନ, ବଞ୍ଚିବାର ଏକ ନୂତନ ପର୍ଯ୍ୟାୟ ।

 

ଆଉରି ଦଳେ କୌତୂହଳୀ, ବେକାର ଜନତା ମାଛି ବେଢ଼ିଲା ପରି ଚାରିକଡ଼େ ବେଢ଼ି ଆସୁଥିଲେ । ଆଃ...କି ବିରକ୍ତିକର ସାନ୍ନିଧ୍ୟ ! ତଥାପି ସେମାନେ ପିମ୍ପୁଡ଼ି ପରି ମେଳା ବାନ୍ଧି ନିଜର ବିକୃତ କୌତୂହଳ ମେଣ୍ଟାଉଥିଲେ–“ପାଗଳ...ଏଇ ପାଗଳ !”

 

ସନାତନଙ୍କ ମୁଣ୍ଡକୁ ଗୋଟାଏ ନୂଆ ଖିଆଲ ଆସିଲା । ଚାରିପଟେ ବେଢ଼ିଥିବା କୌତୂହଳୀ ବେକାର ଜନତାକୁ ତଡ଼ିବାପାଇଁ ସନାତନ ତଳୁ ଦୁଇଖଣ୍ଡ ଭଙ୍ଗା ଇଟାର ଟୁକୁରା ଉଠାଇ ତଡ଼ି ଆସିଲେ । ତା’ପରେ ସେମାନେ ଏକ ପାଗଳର ଆକ୍ରମଣରୁ ଆତ୍ମରକ୍ଷା ପାଇଁ, ଯେପରି ଛତ୍ରଭଙ୍ଗ ଦେଇ ଊର୍ଦ୍ଧ୍ଵଶ୍ଵାସ ହୋଇ ଧାଇଁ ପଳାଇଲେ । ତାହା ସେମାନଙ୍କ ପଛେ ପଛେ ଆଉରି ଦ୍ଵିଗୁଣିତ ବେଗରେ ଧାଇଁବାପାଇଁ ସନାତନକୁ ଉତ୍ସାହିତ କରିଦେଲା ।

 

ଆଃ...ମୃଗ ଶିଶୁପରି ଏକା ଅକାରଣ ଆନନ୍ଦରେ ଧାଇଁବାରେ କି ଆନନ୍ଦ ! କି ଉତ୍ତେଜନା ! ଆନନ୍ଦବିହୀନ, ଉତ୍ତେଜନାହୀନ ବଞ୍ଚିବାର କାରାବନ୍ଧନ ଭିତରୁ ଏ ମୁକ୍ତିରେ କି ଅନାସ୍ଵାଦିତ ରୋମାଞ୍ଚ !

 

ମାତ୍ର ସେ ରୋମାଞ୍ଚ ସନାତନ ବେଶୀକ୍ଷଣ ଉପଭୋଗ କରିପାରିଲେ ନାହିଁ । ଚାରିଜଣ ପୁଲିସ କନେଷ୍ଟବଳ ସନାତନଙ୍କୁ ଅକ୍ତିଆର କରି, ଗୋଟିଏ ଭ୍ୟାନ୍‌ରେ ପୂରାଇ, ତାଙ୍କ ଘରେ ଛାଡ଼ିଦେଇ ଆସିଲେ ।

 

ସନାତନ ଏହାପରେ ଘୋଷିତ ହେଲେ...ବଦ୍ଧ ପାଗଳ !

 

ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ, ଗୋଟିଏ କୋଠରି ଭିତରେ ସେ ଆବଦ୍ଧ ହୋଇ ରହିଲେ । ବାହାରକୁ ଛାଡ଼ିଲେ, ତାଙ୍କ ହିଂସ୍ର ଆକ୍ରମଣରେ କେହି ଆହତ ହେବାର ଆଶଙ୍କାରେ ତାଙ୍କୁ ଏକ ବନ୍ଦୀପରି ରହିବାପାଇଁ ପଡ଼ିଲା ।

 

ଏହି ନିର୍ଜନ ଓ ନିଭୃତ ପାଗଳଗାରଦ ଭିତରେ ସନାତନ କେଉଁଦିନ ଯେ ଏକ ଚିତ୍ରଶିଳ୍ପୀ ହେଲେ, ତାହାର ଇତିହାସ ଅବଶ୍ୟ ଲିଖିତ ହେବ ନାହିଁ । ମାତ୍ର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ, ପୁଣି ରାତିରେ ନିଦ ନ ଲାଗିବା ପର୍ଯ୍ୟନ୍ତ, ସନାତନ ଖଣ୍ଡେ ଅଙ୍ଗାର ହାତରେ ଧରି ଅତ୍ୟନ୍ତ ଅଭିନିବିଷ୍ଟ ପରି, କାନ୍ଥରେ ଏଣୁତେଣୁ ଗାରାନ୍ତି । ମୁହଁରେ ଗୋଜିଆ ଝିଙ୍କର କାଠି ପରି ରୂଢ଼ । ଗହିଡ଼ା, କୋଟରଗତ ଆଖି ଦୁଇଟିରେ କ୍ରୁଦ୍ଧ ହିଂସ୍ରତା ଓ ରହସ୍ୟ ଘନ ଆନନ୍ଦର ମିଶାମିଶି ଏକ ବିଚିତ୍ର ଦୃଷ୍ଟି-। ଦେହରେ ଲାଲ ଭେଲ୍‍ଭେଟ୍‍ର ଖଣ୍ଡେ ଡ୍ରେସିଙ୍ଗ୍ ଗାଉନ । ମୁଣ୍ଡରେ ଲମ୍ବା କହରା ବାଳସବୁ କୁଣ୍ଡଳୀ ବୁଲି ତଳକୁ ଲମ୍ବି ଆସିଛି । କପାଳ ଉପରେ ଆଣ୍ଟି ବନ୍ଧା ହୋଇଛି ଲାଲ ଛିଟର ଖଣ୍ଡେ ରୁମାଲ ।

 

ଏଇ ନୈମିତ୍ତିକ ପରିଧାନ ପିନ୍ଧି, ସନାତନ କାନ୍ଥରେ ଛବି ଆଙ୍କନ୍ତି । ଛବିର କଥାବସ୍ତୁ ସହଜରେ ବୁଝାପଡ଼େନାହିଁ । ପାହାଡ଼ ଓ ପର୍ବତର ରେଖା ଦିଶେ ଗୋଟିଏ ଗୋଟିଏ ଅନାବୃତା ନାରୀର ସ୍ତନାଗ୍ର ପରି, ଗଛସବୁ ଦିଶେ ଏକ ନଗ୍ନ ନାରୀ ଦେହର ଲୀଳାୟିତ ଭଙ୍ଗିପରି, ପ୍ରାନ୍ତର ସବୁ ଦିଶେ ଏକ ବିଶାଳକାୟ ମଣିଷର ଦେହ ପରି । ଶିଶୁ ହାତରେ ଅବିନ୍ୟସ୍ତ ରେଖାର ଜଟିଳତା ମଧ୍ୟରେ କୌଣସି ସୁଚିନ୍ତିତ ବ୍ୟଞ୍ଜନା ନାହିଁ, କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ, କୌଣସି ଶୃଙ୍ଖଳାବଦ୍ଧ ପ୍ରକାଶ ନାହିଁ...ଯେପରି ଏକ ଭାଷାହୀନ ମୂଳ ଅନ୍ତରର ଅବର୍ଣ୍ଣନୀୟ ଉପଲବ୍ଧି ପ୍ରକାଶ କରିବାପାଇଁ ଭାଷା ଓ ଭଙ୍ଗୀ ଖୋଜି ମିଳୁନାହିଁ । ଋଜୁ ଓ ତିର୍ଯ୍ୟକ୍ କୋମଳ ଓ କଠୋର ଶତ ରେଖାର ଜଟିଳତା ମଧ୍ୟରେ ପ୍ରକାଶର ପଥ ଯେପରି ଅବରୁଦ୍ଧ ହୋଇ ପଡ଼ିଅଛି ।

 

ସନାତନଙ୍କ ପାଗଳାମିର ଅପାଠ୍ୟ କାହାଣୀ ।

Image

 

ହୋଲି

ବାମାଚରଣ ମିତ୍ର

 

ଋତୁରାଜ ବସନ୍ତ ସମାଗତ । ଶୀତର ଜଡ଼ତା ଛାଡ଼ି ପୃଥିବୀ କ୍ରମେ ପ୍ରଖର ସୂର୍ଯ୍ୟ ଆଡ଼କୁ ନିକଟେଇ ଯାଉଛି । ମଝିରେ ଏହି ରସମୟ ସ୍ଥିତି । ଗଛସବୁ କଅଁଳିଆ ପତ୍ରରେ କମନୀୟ ଦିଶୁଛନ୍ତି । ପଲାଶବନରେ ନିଆଁ ଲାଗିଛି । ଆମ୍ବତୋଟାରେ କୋଇଲି ତୁହାଇ ତୁହାଇ ଅଧୀରଭାବରେ ଡାକି ଚାଲିଛି । ମଧୁମଦଲୋଭୀ ଭ୍ରମରମାନେ ଚୂତମଞ୍ଜରୀ ସୁବାସରେ ଉନ୍ମତ୍ତ ହୋଇ ଏ ଗଛରୁ ସେ ଗଛ ଧାଉଁଛନ୍ତି । ଚାରିଆଡ଼େ ଅପୂର୍ବ କମନୀୟ ଶୋଭା । ଜଳେ–ସ୍ଥଳେ–ମରୁତ–ବ୍ୟୋମେ ବସନ୍ତର ବୈଜୟନ୍ତୀ । ଦେହରେ ମନରେ ଅପୂର୍ବ ସମ୍ବେଦନ ସ୍ପନ୍ଦନ ।

 

ନବୀନ ବର୍ଷାର ମେଘଭଳି ଯାହାଙ୍କର କାନ୍ତି, ଯାହାଙ୍କର କିରୀଟରେ କୋଟି କୋଟି ସୂର୍ଯ୍ୟ ବିରାଜିତ, ବ୍ରହ୍ମାଣ୍ଡ ମାଳମାଳ ହୋଇ ଯା ଲୋମକୂପେ ବିରାଜଇ, ଯାହାଙ୍କର ବଂଶୀ ଅହରହ ପ୍ରତ୍ୟେକ ଜୀବକୁ ଡାକୁଚି ଆସ ଆସ ବୋଲି, ସେଇ ବାସନ୍ତୀ ବସନ ପରିହିତ, ଆଜାନୁଲମ୍ବିତ ବନମାଳା ଶୋଭିତ, ଅତି କମନୀୟ ସୁଠାମ କିଶୋର ବିଗ୍ରହ ବସନ୍ତୋତ୍ସବରେ ମାତିଛନ୍ତି । ହୋଲି ଖେଳତ ନନ୍ଦକୁମାର । ଆମେ ଆମରି ମନର ମାଧୁରୀ ମିଶାଇ କରିଅଛୁ ତାଙ୍କୁ ରଚନା, ବୈଜ୍ଞାନିକମାନେ ବସନ୍ତର ବା ବସନ୍ତୋନ୍ମାଦନାର ଯେକୌଣସି କାରଣ ବାଢ଼ନ୍ତୁ ନା କାହିଁକି ।

 

ଆଜି ଦଶମୀ ତିଥି; କିନ୍ତୁ ଏକାଦଶୀ ମଧ୍ୟ ପଡ଼ିଥିବାରୁ ପଞ୍ଚଦୋଳ ଆରମ୍ଭ ଆଜିଠୁଁ । କୁଶଭଦ୍ରାର ଏପାରି କୁଶୁପୁରର ଲୋକେ ଆଜିଠୁଁ ପାଞ୍ଚଦିନ ଶ୍ରୀ ଶ୍ରୀ ରାଧାବଲ୍ଲଭ ଜୀଉଙ୍କୁ ନେଇ ମାତନ୍ତି, ଅବିର ଖେଳନ୍ତି । ପ୍ରତିବର୍ଷ ପରି ଆଜି ଶ୍ରୀ ଶ୍ରୀ ରାଧାବଲ୍ଲଭ ଦୁଆର ଦୁଆର ବୁଲି ଆନନ୍ଦ ବିତରଣ କରୁଛନ୍ତି । ହୋଲିଆମାନେ ଅବିର ଥାଳି ଧରି ମାଦଳ ବଜାଇ ଗାଇ ଗାଇ ଯାଉଛନ୍ତି–ରାଧାବଲ୍ଲଭ–ମୋହନ ଖେଲେ ହୋରି... । ପିଲାଏ କାଲୁରୁବାଲୁରୁ ଆଗେଆଗେ ନାଚି ଯାଉଛନ୍ତି । ପ୍ରତ୍ୟେକେ ମୁହଁରେ ଅବିର ବୋଳିହୋଇ ଡାଳ ପତ୍ର ବାନ୍ଧି ମାଙ୍କଡ଼ ସାଜିଛନ୍ତି । କାହାକୁ ଧୋବ ଧୋବଳିଆ ଦେଖି ପକେଇଲେ ତ ମାଦଳ ଆହୁରି ଜୋରରେ ବାଜିଉଠେ । ପିଲାଏ କିଳିକିଳା ନାଦରେ ଗଗନ ପବନ କମ୍ପାଇ ଦଉଡ଼ନ୍ତି ତା’ ପାଖକୁ । ଆଉ ହୋଲିଆମାନେ ଆନନ୍ଦରେ ଗାଆନ୍ତି–

 

“କୋଇ କୋଇ ଗାୱେତ କୋଇ କୋଇ ବଜାୱେ

କୋଇ କୋଇ ମାରତ ପିଚକାରି...।’’

 

ଦିନ ଦ୍ଵିପ୍ରହର ସରିକି ହେଲାଣି । ଗାଁ ବୁଲା ସାରି ଠାକୁରେ ନଈ ଆଡ଼କୁ ଢଳିଢ଼ଳି ଆସୁଥାନ୍ତି । ନଦୀରେ ସ୍ନାହାନ ସାରି ବାହୁଡ଼ିବେ । ହୋଲିଆମାନେ ଇତ୍ୟବସରରେ ମଧ୍ୟ ଗାଧୋଇ ନେବେ ।

 

ଆଜି ଇଦୁଜ୍ଜହା–କୁରବାନି ଦିନ ମଧ୍ୟ ପଡ଼ିଥାଏ । ରହିମ୍ ଖାଁ ଠିକ୍ ଏଇ ସମୟରେ କୁଶଭଦ୍ରାର ଆରପାରିରୁ, ଅହମଦପୁରରୁ (ଯାହାକୁ ଏପାରିର ଲୋକେ ଆଜିକାଲି ଜନାନ୍ତିକେ ପାକିସ୍ତାନପୁର ବୋଲି କହନ୍ତି) ବାହାରି ନଈପାରି ହୋଇ ଯାଉଥାନ୍ତି କୁଶୁପୁରର ରାମ ପ୍ରଧାନଙ୍କ ଘରକୁ ମୁବାରକ୍ ଜଣାଇବାକୁ । ହାତରେ ତାଙ୍କର ଗୋଟିଏ ଥାଳି, ଥାଳିରେ ଅଛି ବିରିଆନି, କବାବ, ପଲାଉ ଇତ୍ୟାଦି । ରହିମ୍‍ଙ୍କ ବିବି ଜେବୁନିନ୍‍ସା ଭାରି ଭଲ ରାନ୍ଧି ଜାଣନ୍ତି । ସେ ନିଜେ ତାଙ୍କ ପ୍ରିୟ ଦିଅର ରାମ ପ୍ରଧାନଙ୍କ ପାଇଁ ଏ ସବୁ ରାନ୍ଧି ମିଆଁଙ୍କ ହାତରେ ପଠାଇଛନ୍ତି ।

 

ରାମ ପ୍ରଧାନ ଓ ରହିମ୍ ଖାଁ ଆବାଲ୍ୟ ବନ୍ଧୁ । ରହିମ୍ ଅବଶ୍ୟ ରାମ ପ୍ରଧାନଙ୍କ ଭାଗଚାଷୀ; କିନ୍ତୁ ତାଙ୍କ ବଂଶ ବଂଶାନୁକ୍ରମେ ଅହମଦପୁରର ଖଲିଫା । ଖଲିଫା ବଂଶ ଓ ପ୍ରଧାନ ବଂଶର ବନ୍ଧୁତ୍ଵ ଅର୍ଥନୈତିକ ଓ ସାମାଜିକ ଆଦି ବାଧା ଅତିକ୍ରମ କରି ଅନ୍ୟ ଏକ କ୍ଷେତ୍ରରେ ମିଳିତ ହୋଇଛି ଆଜିକୁ ଚାରି ପୁରୁଷ ହେବ । ଖଲିଫା ବଂଶ ହେଉଛି ପ୍ରଧାନ ବଂଶର ସୂର୍ଯ୍ୟ ମଇତ୍ର ବନ୍ଧୁ । ଗୋଟିଏ ବଂଶରେ କୌଣସି କ୍ରିୟାକର୍ମ ହେଲେ ଅନ୍ୟ ବଂଶର ସ୍ତ୍ରୀ ପୁରୁଷମାନେ ସେଥିରେ ଯୋଗ ଦିଅନ୍ତି, ବାହାଘର ହେଲେ ତେଲ ହଳଦି ଯାଏଁ ଓ ବେଭାର ଆସେ । ହୁଏତ କେବେ ସାମାଜିକ ଆପତ୍ତି ଉଠିଥିଲା; କିନ୍ତୁ ବର୍ତ୍ତମାନ ଏ ଦୁଇବଂଶ ମଧ୍ୟରେ ବନ୍ଧୁତ୍ଵ ଏକ ଆଦରଣୀୟ ବ୍ୟତିକ୍ରମ ବୋଲି ସ୍ଵୀକୃତ ହୋଇସାରିଛି । ପୁଣି ରହିମ୍ ଖାଁ ଅହମଦପୁରର ଖଲିଫା ଓ ରାମ ପ୍ରଧାନ କୁଶୁପୁରର ଗଣ୍ୟମାନ୍ୟ ଲୋକ ଥିବାରୁ ସ୍ଵାର୍ଥାନ୍ଧ ନେତାମାନେ ଧର୍ମ ଭିତ୍ତିରେ ଭାରତକୁ ଭାଗ ଭାଗ କରି ଦେଇଥିବାରୁ ଭିତରେ ଯାହା ଥାଉନା କାହିଁକି, ଏ ଦୁଇଗାଁ ଭିତରେ ବାହାରର ସଦ୍‌ଭାବ ରକ୍ଷା କରିପାରିଚି । ବ୍ୟକ୍ତିଗତ ଭାବରେ ଦେଖିବାକୁ ଗଲେ ଏ ବନ୍ଧୁତ୍ଵ ରହିମ୍ ଖାଁ ଓ ରାମ ପ୍ରଧାନଙ୍କ ମାନସିକ ବ୍ୟାପ୍ତି ଅନେକ ବଢ଼ାଇ ଦେଇପାରିଚି । ଧର୍ମ ପ୍ରତି ଦୁହିଁଙ୍କର ଆନ୍ତରିକତା ଥିବାରୁ ପ୍ରତିଦିନ ସନ୍ଧ୍ୟାବେଳେ, ରାମ ପ୍ରଧାନ ଘରେ ହେଉ ବା ରହିମ୍‌ ଖାଁ ଘରେ ହେଉ, ଗୀତା, କୋରାନ୍, ସରିଫ ବିଷୟରେ ଚର୍ଚ୍ଚା କରନ୍ତି–ମୁଗ୍ଧ ହୁଅନ୍ତି, ଆନନ୍ଦିତ ହୁଅନ୍ତି ।

 

ନଈ ବନ୍ଧ ଉପରକୁ ଉଠିଲାବେଳକୁ ଶ୍ରୀ ଶ୍ରୀ ରାଧାବଲ୍ଲଭ ଢଳିଢ଼ଳି ଆସୁଥାନ୍ତି । ରାମ ପ୍ରଧାନଙ୍କ ନାତି ପ୍ରଥମେ ରହିମ୍‍ଙ୍କୁ ଦେଖିପକାଇ ପାଟିକଲା, ଆରେ ହେଇରେ ଅଜା । ବଡ଼ବଡ଼ିଆମାନେ ‘ହାଁ ହାଁ’ କହୁ କହୁ ନାତି ଯାଇ ଅଜାଙ୍କ ଦାଢ଼ିରେ ଅବିର ବୋଳିଦେଇ ତାଳି ମାରି ନାଚିଲା । ରହିମ୍ ପ୍ରଥମେ ଦାନ୍ତ ନିକୁଟି ହସିଦେଲେ; କିନ୍ତୁ ତତ୍‌କ୍ଷଣାତ୍ ଗମ୍ଭୀର ହୋଇଗଲେ । ତାଙ୍କର ମନେପଡ଼ିଗଲା ଅଳ୍ପଦିନତଳେ ଦୁଇ ଗାଁ ଭିତରେ ଗୋହତ୍ୟା ନିରୋଧ ନେଇ ଯେଉଁ କାଣ୍ଡ ଘଟିଯାଇଛି ସେଥିରେ ଅହମଦପୁରର ସମସ୍ତେ ଉତ୍ତ୍ୟକ୍ତ ହୋଇଅଛନ୍ତି । ସେ ରାଗ କୌଣସିମତେ ଥତାମତା ହୋଇ ରହିଚି । ଗୋରୁମାଂସ ଖାଇଲେ ନାନା ରୋଗ ହୁଏ, ତେଣୁ ତାକୁ ନ ଖାଇବା ଭଲ ଏବଂ ଆମ ହିନ୍ଦୁଭାଇମାନେ ଆମରି ଭଲପାଇଁ କହୁଛନ୍ତି, ଏ କଥା ଖଲିଫା ବୁଝାଇବାରୁ ଅହମଦପୁରିଆମାନେ ନ ବୁଝି ମଧ୍ୟ ବୁଝିଲାପରି ରହିଛନ୍ତି; କିନ୍ତୁ ଏ ଅପମାନ ମନଭିତରେ ରାଗକୁ କୁହୁଳାଉଚି ଅନବରତ । ଗୋମାଂସ ତ୍ୟାଗରେ କିଛି କଥା ନାହିଁ ଯେ, ସେ କଥାକୁ ବାଧ୍ୟ କରାଇବାଦ୍ଵାରା ତାଙ୍କର ଧର୍ମ ଓ ବ୍ୟକ୍ତିତ୍ଵକୁ ଘୃଣା ଭଳି ତାଙ୍କୁ ଲାଗୁଛି । ତେଣୁ ଆଜି ପୁଣି ହଠାତ୍ କି କାଣ୍ଡ ହେବ କିଏ ଜାଣେ । ସେତେବେଳକୁ ଅନ୍ୟପିଲାଏ ରହିମ୍‌ଙ୍କୁ ଘେରିଯାଇ ସାରିଲେଣି । ରହିମ୍ ଥାଳିଆ ଟେକି ଧରି ବଡ଼ପାଟି କରି ଚିତ୍କାର କରୁଥାଏ–ଅରେ ହମ୍ ମୁସଲମାନ । କିନ୍ତୁ ପିଲାଏ ସେ କଥା ଶୁଣିବା ଅବସ୍ଥାରେ ନାହାନ୍ତି । ରହିମ୍ ଭୟାର୍ତ୍ତ ଦୃଷ୍ଟିରେ ଅହମଦପୁରଆଡ଼େ ଚାହିଁଲେ । ଗାଁର ଅନ୍ୟ ମୁସଲମାନ ଭାଇଙ୍କ କଥା ନ ମାନି ସେ ଆଜି ଆସିଛନ୍ତି, ତେଣୁ କଥାଟା ଅଧିକ ଖରାପ ଲାଗୁଛି, ଅଧିକ ଭୟର କାରଣ ମଧ୍ୟ ଅଛି । ହୋଲିଆମାନଙ୍କ ମଧ୍ୟରେ ବଡ଼ବଡ଼ିଆମାନେ ମଧ୍ୟ ତାଟକା ହୋଇ ଚାହିଁରହିଥାନ୍ତି କିଂକର୍ତ୍ତବ୍ୟବିମୂଢ଼ଭାବରେ ।

 

ନିମିଷକେ ହଠାତ୍ ସବୁ ଓଲଟପାଲଟ ହୋଇଗଲା । ଫୁଲ ଭିତରୁ ହଠାତ୍ ଯେପରି ଗୋଖର ସାପ ବାହାରିପଡ଼ିଲା । ଅହମଦପୁରର ଟୋକାଏ ଛପି ସବୁ ଦେଖୁଥିଲେ । ଏଇ ଘଟଣା ଆଳରେ ସେମାନେ ପୂର୍ବ ଅପମାନର ଦାଉ ସାଧିବାପାଇଁ ଦଳଦଳ ହୋଇ ଠେଙ୍ଗା, ବାଡ଼ି, ତେଣ୍ଟା, ଶାବଳ ଆଦି ଧରି ‘ମାରୋ ଶାଲେ କାଫେରକୋ’ ‘ଆଲ୍ଲାହୁ ଆକବର’ ‘କୁରୁବାନି, କୁରୁବାନି’ ଚିତ୍କାର କରି ଡିଆଁ ମାରି ଦୌଡ଼ିଲେ । କୁଶୁପୁରର ଜଣେ ଦୌଡ଼ିଯାଇ ଗାଁରେ ଖବର ଦେବାରୁ ସିୟାଡ଼ୁ ମଧ୍ୟ ସେମିତି ଦଳଦଳ ହୋଇ ‘ରାଧାବଲ୍ଲଭ କି ଜୟ’ କହି ଦୌଡ଼ିଲେ ନଈବାଲିକୁ । ନଈବାଲି ଉପରେ ଦୁଇଦଳ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଗଲା ।

 

ରହିମ୍ ପ୍ରଥମେ ଆବାକାବା ହୋଇ ନଈବନ୍ଧ ଉପରେ କିଛିକ୍ଷଣ ଛିଡ଼ା ହୋଇ ରହିଲେ । ଦେହ ତାଙ୍କର ଥରୁଥାଏ । ବାଧା ଦେବାର ଶକ୍ତି ତାଙ୍କର ନଥାଏ; କିନ୍ତୁ ସେ ଯେ ନିଜକୁ ଏସବୁପାଇଁ ଦାୟୀ ମନେକରି କିଛି ଗୋଟାଏ କରିବାକୁହିଁ ହେବ ଭାବି ଦୌଡ଼ିଲେ ଦଙ୍ଗା ଭିତରକୁ; କିନ୍ତୁ ମଣିଷ ହୋଇ ଆଉ ସେତେବେଳେ କେହି ନଥାନ୍ତି । ସମସ୍ତେ କ୍ରୋଧର ଏକ ଏକ ଯନ୍ତ୍ର । ତାଙ୍କ କଥା କାନରେ କାହାର ପଡ଼ିଲା ନାହିଁ । ସେ ଧକ୍କା ଖାଇ ଖାଇ ଛିଟିକି ପଡ଼ିଲେ ନଈ ଭିତରକୁ । ଆଖି ଆଗରେ ଦେଖିଲେ ସଙ୍ଗାତ ରାମ ପ୍ରଧାନଙ୍କ ପୁଅ ନବ ଅବଦୁଲ୍‍ର ମୁଣ୍ଡ ଏକା ଶାବଳ ପାହାରକେ ଦିଫାଳ କରିଦେଲା । ଅବଦୁଲ୍‌ର ସର୍ବାଙ୍ଗ ରକ୍ତରେ ବୁଡ଼ିଗଲା । ତଥାପି ଅବଦୁଲ୍ ପଡ଼ିବା ଆଗରୁ ନବ ଛାତିରେ ଶାବଳ ଭୁଷିଦେବାରୁ ନବ ଛାତିରୁ ରକ୍ତ ଫୁଆରା ଭଳି ବାହାରି କୁଶଭଦ୍ରାର ତତଲା ବାଲିରେ ପଡ଼ିବାକୁ ଲାଗିଲା । ଅଳ୍ପ ସମୟ ପରେ ନବ ଓ ଅବଦୁଲ୍ କୁଣ୍ଢାକୁଣ୍ଢି ହୋଇ ତଳେ ପଡ଼ିଗଲେ ।

 

ରହିମ୍ ଆଉ ସମ୍ଭାଳି ପାରିଲେ ନାହିଁ । ‘ମାରୋଶାଲେ କାଫେରକୋ’ ବୋଲି ସେ ଚିତ୍କାର କରି ଦୌଡ଼ିଲେ ପୁଣି । ତାଙ୍କର ମନେପଡ଼ିଗଲା ବର୍ତ୍ତମାନ ସଲାତୁଲ ଉସ୍ତ (ମଧ୍ୟାହ୍ନ ପ୍ରାର୍ଥନା)ର ସମୟ । ଥମ୍‍କିନା ଛିଡ଼ା ହୋଇଗଲେ । କ’ଣ କରିବେ ଭାବି ପାରିଲେ ନାହିଁ । ଆଜିପର୍ଯ୍ୟନ୍ତ କୌଣସି ଦିନ ସେ ପ୍ରାର୍ଥନା ଛାଡ଼ିନାହାନ୍ତି, କାରଣ କୋରାନ୍ ସରିଫରେ ଆଦେଶ ଅଛି ଏହି ପ୍ରାର୍ଥନାକୁ ବିଶେଷ ଧ୍ୟାନ ଦେବାପାଇଁ । କ୍ରୋଧରେ ତାଙ୍କର ସର୍ବାଙ୍ଗ କମ୍ପୁଥାଏ । ତଥାପି ସେ କୁଶଭଦ୍ରାର ପାଣିରେ ମୁହଁ ହାତ ଧୋଇ ବାଲିରେ ଗାମୁଛା ପାରି ନମାଜ ପଢ଼ିବାକୁ ଲାଗିଲେ । କୋରାନ୍ ସରିଫର କଥା ତାଙ୍କ କାନରେ ବାଜୁଥାଏ–ସବୁ ମଣିଷ ଏକ–ଆମର ବିଭେଦ ଭାବହିଁ ପାପ...ଆମର ଅହଂ, ସ୍ଵାର୍ଥବୁଦ୍ଧି ଓ ଅବିଦ୍ୟା ଏ ପାପ ବଢ଼ାଏ–ଯିଏ ସଂଯମୀ ଖୁଦା ତାଙ୍କୁହିଁ ସ୍ନେହ କରନ୍ତି...ଯେଉଁମାନେ ଭଗବାନଙ୍କ ନାମରେ କଳି ସୃଷ୍ଟି କରନ୍ତି ସେମାନଙ୍କୁ ପରିହାର କର । କିନ୍ତୁ ଯେତେ ଚେଷ୍ଟା କଲେବି ନମାଜରେ ମନ ଦେଇ ପାରିଲେ ନାହିଁ । ଅବଦୁଲ୍‌ର ଶବ ଉପରେ ନଜର ପଡ଼ିବାମାତ୍ରେ ହିନ୍ଦୁ ଉପରେ କ୍ରୋଧ, ଘୃଣା, ଈର୍ଷା ପ୍ରବଳ ଭାବରେ ଭିତରୁ ଠେଲି ଆସୁଥାଏ । ନମାଜ ସହିତ ଗୋଳେଇ ହୋଇ ଯାଉଥାଏ ନିଜ କଥା...କାଫେର୍ ଏମାନେ...ଏମାନେ ମୁହଁରେ କହନ୍ତି ତାଙ୍କ ଧର୍ମ ଉଦାର, ଇୟାଡ଼େ ସରକାରୀ ପଇସାରେ ହିନ୍ଦୁ ମନ୍ଦିର ବନାନ୍ତି...ଏମାନେ ସଂଖ୍ୟାରେ ଆମଠୁ ବେଶି ବୋଲି ଜବରଦସ୍ତି ତାଙ୍କର ହୋଲି ଆମେ ପାଳନ କରିବୁ...ଏଙ୍କୁ ବିଶ୍ୱାସ(୩୪) ନାହିଁ । ପାକିସ୍ତାନ ପଳାଇବି...ଏଙ୍କର ଭାଇ ଭାଇ ଡାକ ଏକ ଫରେବି (ଛଳନା)...ହିନ୍ଦୁ ଧର୍ମହିଁ ଫରେବି ଧର୍ମ...ଶାଲେ କାଫେର । ନମାଜ ଜାଗାରୁ ଉଠି ଦୌଡ଼ିଯାଇ ଗୋଟାଏ ହିନ୍ଦୁକୁ ମାରିଦେବାକୁ ତାଙ୍କର ଭାରି ଇଚ୍ଛା ହୁଏ; କିନ୍ତୁ ପୁଣି କୋରାନ୍‍ସରିଫ ମନେପଡ଼ିଯାଏ–ଜୀବନ ମରଣ ଖୁଦାଙ୍କ ହାତରେ...ପରର ପାପ ଦୋଷ ପ୍ରତି ଦୃଷ୍ଟି ନ ଦେଇ ତାଙ୍କୁ ସମବେଦନା ଜଣାଅ । ତାଙ୍କ ମନ ଭିତରେ ଏମିତି ଭିଡ଼ାଓଟରା ଲାଗିଥାଏ । ଆଉ ସମ୍ଭାଳି ନପାରି ନମାଜ ଛାଡ଼ି ହଠାତ୍ ଉଠିପଡ଼ି ମୃତ ଅବଦୁଲ୍ ହାତରୁ ଶାବଳଟା ଟାଣିନେଇ ‘ଜେହାଦ ଜେହାଦ’ ପାଟି କରି ଦୌଡ଼ୁ ଦୌଡ଼ୁ ବେହୋସ ହୋଇ ପଡ଼ିଗଲେ, ନମାଜ ଛାଡ଼ି ଉଠି ପଡ଼ିଥିବାର ଲଜ୍ଜା କୋହ ସମ୍ଭାଳି ନପାରି । ସୂର୍ଯ୍ୟ ସେତେବେଳେ ଠିକ୍ ମୁଣ୍ଡ ଉପରେ । ଶାଗୁଣାମାନେ ଉପରେ ଚକ୍କର ମାରୁଥାନ୍ତି । କୁଶଭଦ୍ରାର ବନ୍ଧ ଉପର ଆମ୍ବତୋଟାରେ କୋଇଲି କୁହୁ କୁହୁ ଡାକୁଥାଏ । ନବ ଆଉ ଅବଦୁଲ୍ କୁଣ୍ଢାକୁଣ୍ଢି ହୋଇ ପଡ଼ିଥାନ୍ତି । ଦୁଇଦଳ ଭିତରେ ପିଟାପିଟି ସେମିତି ଚାଲିଥାଏ ।

 

ରାମ ପ୍ରଧାନ ଯେତେବେଳେ ପୁଅର ମରିବା ଖବର ପାଇଲେ ସେତେବେଳେ ସେ ବଳଦମାନଙ୍କୁ ଖୁଆଉଥିଲେ ନିତିଦିନ ପରି । ଶୁଣିବାମାତ୍ରେ ତାଙ୍କର ଗୋଡ଼ହାତ ଅଚଳ ହୋଇଗଲା-। କ’ଣ କରିବେ ବା କରିବା ଉଚିତ ସେ ଭାବି ପାରିଲେ ନାହିଁ । ଘରଭିତରୁ ହଠାତ୍ କାନ୍ଦବୋବାଳି ଶୁଣି ସେ ଆହୁରି ଧକଚକେଇ ଗଲେ । କିଏ ଜଣେ କହିବା ପରେ ତାଙ୍କୁ ଜଣାଗଲା ଯେ ନବ ବୋଉ ମୂର୍ଚ୍ଛା ଯାଇଛନ୍ତି । ତଥାପି ସେ ସ୍ଥାଣୁ ଭଳି ଛିଡ଼ା ହୋଇ ରହିଲେ । ତାଙ୍କର ସମସ୍ତ ଦେହ କ୍ରୋଧରେ ଥରି ଉଠିଲା । ପାଖରେ ପଡ଼ିଥିବା କଟୁରିଟା ଜାବୁଡ଼ି ଧରି ନଈଆଡ଼କୁ ଖଣ୍ଡେ ବାଟ ଦୌଡ଼ିଗଲେ ପ୍ରତିଜ୍ଞା କରି ଯେ ରହିମ୍‍କୁ ହାଣି ତା’ରି ରକ୍ତରେ ଶ୍ରୀ ଶ୍ରୀ ରାଧାବଲ୍ଲଭ ଜୀଉଙ୍କୁ ହୋରି ଖେଳାଇବେ । ମନରେ ତାଙ୍କର ପଡ଼ିଗଲା ଯୁଗେଯୁଗେ ହିନ୍ଦୁମାନଙ୍କ ପ୍ରତି ମୁସଲମାନଙ୍କ ଅତ୍ୟାଚାର, ଆଉରଙ୍ଗଜେବଙ୍କ ଅତ୍ୟାଚାର । ...ୟାଙ୍କ ଧର୍ମହିଁ ନିଷ୍ଠୁରତା ଉପରେ ପ୍ରତିଷ୍ଠିତ...ଏମାନଙ୍କର ଦୟାମାୟା ନାହିଁ । ଏମାନେ ବ୍ୟଭିଚାରୀ, ନରହନ୍ତା, ଅବିଶ୍ଵାସୀ...ଏମାନେ ଯାଆନ୍ତୁ ଶଳେ ପାକିସ୍ତାନ ପଳେଇ । କିନ୍ତୁ ଦୌଡ଼ୁ ଦୌଡ଼ୁ ତାଙ୍କର ମନେପଡ଼ିଗଲା ମହାଭାରତ କଥା, ଶ୍ୟେନରୂପୀ ଭଗବାନ କହିଛନ୍ତି–ଯେଉଁ ଧର୍ମ ଅନ୍ୟ ଧର୍ମକୁ ଘୃଣାକରେ ତା’କୁ ଧର୍ମ–ରହିମ୍ କହୁଥିଲା କୋରାନ୍‌ରେ ଅଛି, ଧର୍ମ ବିଷୟରେ ଜବରଦସ୍ତି ପାପ । ମନେପଡ଼ିଗଲା ତାଙ୍କର ସର୍ବଧର୍ମାନପରିତ୍ୟଜ୍ୟ । ରହିମ୍ ଓ ମୁଁ ନିରାସକ୍ତ ହେବାପାଇଁ କେତେ ପ୍ରାର୍ଥନା କରିଛୁ ସେ ସବୁ କ’ଣ ଏଇ ଚରମ ପରୀକ୍ଷାବେଳେ ବ୍ୟର୍ଥ ହୋଇଯିବ...ହେ ରାଧାବଲ୍ଲଭ ମୋତେ ଶକ୍ତି ଦିଅ...ଶକ୍ତି ଦିଅ । ମନେମନେ ସେ ଆବୃତ୍ତି କରିବାକୁ ଲାଗିଲେ...

 

“ତସ୍ମାଦ୍‍ସକ୍ତଃ ସତତଂ କାର୍ଯ୍ୟଂ କର୍ମଂ ସମାଚାର...

କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ...

ପାପମାନମ୍ ପ୍ରଜହି ହ୍ୟେନମ ଜ୍ଞାନବିଜ୍ଞାନ ନାଶନମ୍ ।”

 

”ଦୌଡ଼ୁ ଦୌଡ଼ୁ ସେ ଥମ୍‍କିନା ଛିଡ଼ା ହୋଇଗଲେ । ହାତମୁଠା ତାଙ୍କର ଶିଥିଳ ହୋଇଗଲା । କଟୁରିଟା ସଶବ୍ଦେ ତଳେ ପଡ଼ିଗଲା । ମନେହେଲା କଟୁରିଟା ହୋହୋ କରି ହସି ଉଠି କହୁଛି, ଭୀରୁ, ସବୁ ହିନ୍ଦୁ ଭୀରୁ, ଭଗବାନ ଅନ୍ୟାୟ ବିରୁଦ୍ଧରେ ଯେତେ ବୁଝାଇଲେ କ’ଣ ହେବ; ସବୁ ଭୀରୁର ଦଳ...ତୁମ ଉଦାରତା ଏଇ ଭୀରୁତାରୁ ଜାତ...ରାମ ପ୍ରଧାନ କଟୁରିଟା ପୁଣି ଉଠାଇ ନେଇ ଖଣ୍ଡେ ବାଟ ଦୌଡ଼ିଗଲେ, ପୁଣି ଥମ୍‍କିନା ଛିଡ଼ା ହୋଇ ପଡ଼ିଲେ । ଅସହାୟ ଭାବରେ ସେ ଉପରକୁ ଚାହିଁ ହାତଯୋଡ଼ି କହିଲେ ‘ହେ ରାଧାବଲ୍ଲଭ, ମୁଁ ଅର୍ଜୁନ ନୁହେଁ ଯେ ଏ ବିପରୀତ ଭାବକୁ ଏକ କରିପାରିବି । ମୋତେ ରକ୍ଷାକର–ମୋତେ ରକ୍ଷାକର ପ୍ରଭୁ...’ କହୁ କହୁ ସେ ବେହୋସ ହୋଇ ତଳେ ପଡ଼ିଗଲେ ।

 

ସେତେବେଳକୁ ପୁଲିସ ଆସି ନଈ ବାଲିରେ ଦୁଇଟି ଶବକୁ ଜଗି ଛିଡ଼ା ହୋଇ ସାରିଲେଣି, ଦୁଇ ଦଳରୁ ଅନେକ ଧରାହୋଇ ଚାଲାଣ ହୋଇ ସାରିଲେଣି । ଚୌକିଦାରମାନେ ଶାଗୁଣାମାନଙ୍କୁ ଖେଦୁ ଥାଆନ୍ତି । କୋଇଲିର ଅଧୀର ଡାକ ଥମି ନାହିଁ । ସୂର୍ଯ୍ୟ ପଶ୍ଚିମ ଆଡ଼କୁ ଢଳିଲେଣି । ପଶୁପକ୍ଷୀମାନେ ଘରମୁହାଁ ହୋଇ ଦୌଡ଼ୁଛନ୍ତି । କୁଶଭଦ୍ରାର ସ୍ରୋତ ସେମିତି କୁଳୁକୁଳୁ ନାଦରେ ବହିଯାଉଛି ସମୁଦ୍ରକୁ । ପୃଥିବୀ ସେମିତି ବୁଲୁଛି କାଳହୀନ ମହାକାଳ ମଧ୍ୟରେ କାଳ ସୃଷ୍ଟି କରି । ଏତେ ଯେ କାଣ୍ଡ ଘଟିଗଲା, କାହାରି ସେମିତି ସେଥିରେ କିଛି ଯାଏଁ ଆସେ ନାହିଁ । ଶ୍ରୀ ଶ୍ରୀ ରାଧାବଲ୍ଲଭ ମଧ୍ୟ ହୋରି ଖେଳିସାରି ଶୋଇଲେଣି ।

 

ରାତି ପ୍ରାୟ ତିନିଟା, ପ୍ରତିଦିନର ଅଭ୍ୟାସବଶତଃ ରାମ ପ୍ରଧାନ ଦୁ-ଦସ୍ତେ ବିଛଣା ଛାଡ଼ି ଉଠିଲେ ନଈ ଆରପାରିର କୁକୁଡ଼ା ଡାକ–ଚକ୍ରଧର ରକ୍ଷାକର ଶୁଣି । ରାଧାବଲ୍ଲଭଙ୍କୁ ପ୍ରଣାମ କରି ସେ କାନେଇ ରହିଲେ ରହିମ୍‍ର ‘ଆଲ୍ଲାହୁ ଆକବର’ ଡାକକୁ । ଏହା ସେମାନଙ୍କର ନିତିଦିନର ଅଭ୍ୟାସ ।

 

ବାହାରେ ନିସ୍ତବ୍ଧ ମୌନ ରାତ୍ରି, ସୁନ୍ଦର ଅଥଚ ଉଦାର ମୌନ ନିର୍ଲିପ୍ତ । ସମସ୍ତ ପୃଥିବୀ ଯେପରି ଧ୍ୟାନମଗ୍ନ । ଗଛବୃନ୍ଦବି ଧ୍ୟାନସ୍ଥ । କୁଶଭଦ୍ରାର ନଈବାଲିରେ ନିଆଁ ଜଳୁଥିବାର ଦେଖି ରାମ ପ୍ରଧାନଙ୍କ ମନେପଡ଼ିଗଲା ସବୁକଥା । ସବୁ ଘଟଣା ପୁଣିଥରେ ଯେପରି ତାଙ୍କ ଆଖି ଆଗରେ ଘଟିଗଲା କିନ୍ତୁ ବର୍ତ୍ତମାନ ସେ ଖାଲି ନିର୍ଲିପ୍ତ ଦର୍ଶକ । ମନରେ କୌଣସି ଭାବାନ୍ତର ନାହିଁ । କେବଳ ଯେତେବେଳେ ମନେପଡ଼ିଗଲା ରହିମ୍‍କୁ ଏ ଘଟଣା ଶଯ୍ୟାଶାୟୀ କରି ପକାଇଥିବା ସେ ମନରେ ବେଦନା ଅନୁଭବ କଲେ । ଧୀରେ ଧୀରେ ସେ ଚାଲିଲେ ନଈ ଆଡ଼କୁ ।

 

ରହିମ୍‍ର ମଧ୍ୟ ନିଦ ଭାଙ୍ଗି ଯାଇଥାଏ ସେତେବେଳକୁ । ସେ ମଧ୍ୟ କାନେଲ ଥାଏ ‘ରାଧାବଲ୍ଲଭ ହେ’ ଡାକକୁ । ରହିମ୍‍ର ବୁଢ଼ୀମା ଆର ବଖରାରେ ଲହରେଇ କାଶି ପଚାରିଲେ “ଏ ରହିମ୍, ଆରେ ରାମଚନ୍ଦ୍ରର ଉଠିସ ନେହିଁ, କ୍ୟା କ୍ୟୁ ? ଆରେ ଏ ରହିମ୍ ନିଆଁନଗା ନିକମ୍ମା, ଆରେ ଯାକେ ଦେଖୋ କ୍ୟା ହୁୟା ଉସ୍‍କା ।’’ ବୁଢ଼ୀ ଆଉ କହିପାରିଲେ ନାହିଁ, କାଶି କାଶି ବେଦମ୍ ହୋଇଗଲେ । ନିତିଦିନର ଅଭ୍ୟାସ ଭଳି ସେ ଏତିକିବେଳେ ଉଠି ରହିମ୍‍କୁ ଉଠାଇ ଦିଅନ୍ତି । ରହିମ୍ ଉଠି ନମାଜ ପଢ଼ି ଚାଲିଯାଏ ସଙ୍ଗାତ ସହିତ ଗାଧୋଇବାକୁ । ରହିମ୍ ପାଟିକରି କହିଲେ, “ଯାତାହୁଁ ଅମ୍ମିଜାନ୍ ତୁମ୍ ମତ୍ ଫିକ୍ର କରୋ, ଖାସି (କାଶ) ବଢ଼ ଯାଏଗି ।” ରହିମ୍ ମଧ୍ୟ ଧୀରେ ଧୀରେ ଚାଲିଲେ ନଈଆଡ଼େ ।

 

ନଈ ବାଲିରେ ନିଆଁ ଜଳୁଥିବାର ଦେଖି ତାଙ୍କ ଛାତି ଛନ୍ କରି ହେଲା । ତେବେ କ’ଣ ସଙ୍ଗାତ ମୋତେ ନ ଡାକି ଶବ ପୋଡ଼ାଇ ଦେଲେ ? ଅଭିମାନରେ ତାଙ୍କ ଆଖି ଛଳଛଳ ହୋଇଗଲା; କିନ୍ତୁ ନିଆଁ ପାଖକୁ ଯାଇ ଦେଖିଲେ କିଏ ତିନିଜଣ ବିଦେଶୀ ଧୁନି ଜାଳି ହୋଇ ଗୀତ ଗାଉଛନ୍ତି । ପଚାରି ବୁଝିଲେ ସେମାନେ ବିହାରୀ, ପୁରୀକୁ ଚାଲି ଚାଲି ଯାଉ ଯାଉ ବାଟବଣା ହୋଇ ରାତିକ ନଈ ବାଲିରେ କଟାଇ ଦେଉଛନ୍ତି । ସେମାନେ ଗାଉଥାନ୍ତି–

 

“ଲଲୀନି ଲାଲନ ଲାଲ ଅଭିରନ ସଖିଗନ ଲାଲହି ଲାଲ,

ଲାଲତରୁ ସଞ୍ଚାରି ଲାଲ ଦିନ ଯାମିନୀ ଲାଲହି ପିୟର କି ସାଲ୍ ।”

 

ରହିମ୍ ବିଭୋର ହୋଇ ଛିଡ଼ାହୋଇ ରହିଲେ ସେଠି । ଅନାଇ ଦେଖିଲେ ଅବଦୁଲ୍ ଓ ନବ ଅଦୂରେ କୁଣ୍ଢାକୁଣ୍ଢି ହୋଇ ପଡ଼ିଛନ୍ତି ସେମିତି । ପୁଲିସ ଏପର୍ଯ୍ୟନ୍ତ ଶବ ଦୁଇଟିକୁ ଡାକ୍ତରଖାନା ନେଇ ନାହିଁ, ଜଗି ବସିଛନ୍ତି ଚୌକିଦାରମାନେ । ଜଣେ ବିହାରୀ ପୁଲିସ ମଧ୍ୟ ବିଦେଶୀମାନଙ୍କ ସହିତ ଯୋଗ ଦେଇ ଗାଉଚି । ଅଦୂରେ ଶାଗୁଣାମାନଙ୍କ ଡେଣା ପଡ଼ଫଡ଼ ଓ ବିଲୁଆ ଡାକ ଶୁଭୁଛି; କିନ୍ତୁ ନିଆଁ ପାଖରେ ଚାଲିଛି ଭିନ୍ନ ପ୍ରକାର କଥା । କାହାରି ସହିତ କାହାରି ଯେପରି ସମ୍ବନ୍ଧ ନାହିଁ, କିମ୍ବା ସତେ ଯେମିତି ଏସବୁ ବିପରୀତ ଭିତରେ କୋଉଠି ଗୋଟେ ସମ୍ବନ୍ଧ ଲୁଚିରହିଛି । ଆଶ୍ଚର୍ଯ୍ୟ କଥା, ସେହି ବିଦେଶୀମାନଙ୍କ ଭିତରୁ ଜଣେ ହଠାତ୍ ରହିମ୍‍କୁ ଅନୁରୋଧ କଲା–

 

ଏକ ହୋଲୀ ଶୁନାଇଏ ଭାୟା !

 

ରହିମ୍‍ଙ୍କ ମନ ଭିତରୁ ହଠାତ୍ ଗୋଟାଏ କୋହ ଉଠିଲା । ସେ କୋହ ଦୁଃଖର ନୁହ କି ଆନନ୍ଦର ନୁହ; କି ଏକ ଅଜଣା ଅପୂର୍ବ ବେଦନା ତାଙ୍କ ମନକୁ ଘାରିଦେଲା । ମନରୁ ତାଙ୍କର ସ୍ଵତଃ କାଫି ସିନ୍ଧୁ ରାଗର ଗାନ ବାହାରିଆସିଲା–ବଲ୍‍ମାରେ ଚୁନରିୟା ମୈକୋ ଲାଲ ରଙ୍ଗାହେ–ହେ ମୋର ପ୍ରିୟ ! ମୋର ଏ ଆବରଣ ତୁମରି ରଙ୍ଗ-ରଞ୍ଜିତ ହୋଇଯାଉ । ଗମଗମ ହୋଇ ତାଙ୍କର କଣ୍ଠରୁ ସ୍ଵର ବାହାରୁଥାଏ, ଝରଝର ହୋଇ ଆଖିରୁ ଲୁହ ଝରୁଥାଏ । ଗୀତ ସରିବା ପରେ ସମସ୍ତେ ନିଶ୍ଚଳ ହୋଇ ବସି ରହିଲେ କିଛିକ୍ଷଣ, କାହାରି ତୁଣ୍ଡରୁ କଥା ବାହାରୁ ନଥାଏ । ପ୍ରଶଂସା ଜଣାଇବାକୁ ମଧ୍ୟ ଇଚ୍ଛା ହେଉ ନଥାଏ ।

 

ହଠାତ୍ ‘ଶୋଭାନ୍ ଆଲ୍ଲାହ’ ଶୁଣି ଚମକି ପଡ଼ି ରହିମ୍ ଦେଖିଲେ ଛିଡ଼ା ହୋଇଛନ୍ତି ସଙ୍ଗାତ । ଆଖିରୁ ତାଙ୍କର ଲୁହ ଝରି ଯାଉଛି । ସେ ହଠାତ୍ ଗାଇବାକୁ ଲାଗିଲେ–

 

“ଆସହାଦୋ ଆଲ୍ଲା ଇଲାହା ଇଲ ଆଲାହ,

ଆସହାଦୋ ଆନ୍ନା ମୃହମ୍ମଦର ରିସୁଲୁଲ୍ଲାହ... ।”

 

ରାମ ପ୍ରଧାନଙ୍କ ସ୍ଵର ବିସ୍ତୃତି ସମସ୍ତଙ୍କୁ ଅଭିଭୂତ କରିଦେଲା । ଧୀର ମନ୍ଥରଗତିରେ ପରିଷ୍କାର ଭାବରେ କରୁଣ ସ୍ଵରରେ ପ୍ରତ୍ୟେକ ଶବ୍ଦ ତାଙ୍କ କଣ୍ଠରୁ ନିର୍ଗତ ହେଉଥାଏ । ବିଦେଶୀମାନଙ୍କ ମଧ୍ୟରୁ ଜଣେ ଆନନ୍ଦରେ କହିଲା, “ଅବ୍ ଭଗବାନ୍ ଜରୁର୍ ହିଆଁ ହୋଙ୍ଗେ । କୋରାନ୍ ସରିଫ କହତେ ହେଁ ଭଗବାନକା ନାମ ଶୁନ୍‍କର ଯିସ୍‌କା ହିୟା ଉଚ୍ଛ୍‍ଲତା ୱହି ଭକ୍ତ ହୈ, ଚାହେ ଓ ହିନ୍ଦୁ ହୋ ୟା ମୁସଲମାନ । ଭଗବାନ ଶ୍ରୀକିସନ କହେହେଁ ହାମାରା ଭକ୍ତ ଯାହା ହୈ ହାମ୍ ୱାହାଁ ରହୁଙ୍ଗା । ଧନ୍ ହେୟ ଆପ୍ ଲୋଗ୍ ।”

 

ସକାଳୁଆ ହେମାଳ ପବନ ସେତେବେଳକୁ ବୋହିବାକୁ ଲାଗିଲାଣି । ପୂର୍ବଦିଗର ପ୍ରଭାତୀ ତାରା ଦପଦପ ହୋଇ ଜଳୁଥାଏ । ଅହମଦପୁରରୁ ଭାସି ଆସୁଥାଏ ପ୍ରଭାତୀ ପ୍ରାର୍ଥନା ଓ କୁଶୁପୁରରୁ ପ୍ରଭାତୀ ବନ୍ଦନା ।

 

ବିଦେଶୀମାନେ ବାଟ ପଚାରି ଚାଲିଗଲେ । ରହିମ୍ ରାମ ପ୍ରଧାନଙ୍କୁ ଛାତିରେ ଚାପିଧରି ପଚାରିଲେ–ସଙ୍ଗାତ, ଆମରି ପୁଅ ପରସ୍ପର ହାତରେ ମଲେ, ତେବେ କ’ଣ ଖୁଦା ଚାହାନ୍ତି ଆମେ ଚିର ଶତ୍ରୁ ହୋଇ ରହିବାକୁ ?

 

ରାମ ପ୍ରଧାନ ହସି କହିଲେ, “ଭାଇ, ଦେଖ ନବ ଆଉ ଅବଦୁଲ୍ କେମିତି କୁଣ୍ଢାକୁଣ୍ଢି ହୋଇ ଶୋଇଛନ୍ତି । ଭଗବାନଙ୍କ ସଙ୍କେତ–ଆମେ ନୂଆ କରି ପରସ୍ପରକୁ ଚିହ୍ନିବା, ଛଳନାରେ ନୁହ, ସ୍ଵାର୍ଥରେ ନୁହ, ରାଜନୀତିରେ ନୁହ, ଆପଣାକୁ ବଳିଦେଇ...”

 

ଦୁହେଁ ହାତ ଧରାଧରି ହୋଇ ଚାଲିଲେ ନଈର ଉପରମୁଣ୍ଡକୁ ଗାଧୋଇବା ପାଇଁ ନିତିଦିନର ଅଭ୍ୟାସ ଅନୁସାରେ ।

Image

 

Unknown

ଡିମିରିଫୁଲ

ଅଖିଳମୋହନ ପଟ୍ଟନାୟକ

 

ଭଦ୍ରମହିଳା ମୋତେ ପ୍ରଥମରୁହିଁ ସଞ୍ଜୟ ବୋଲି ଧରି ନେଇଥିଲେ । ମୋର ସେଥିରେ ପ୍ରତିବାଦ କରିବାକୁ ମଧ୍ୟ ସାହସ ନଥିଲା ।

 

ଘଟଣାଟା ପ୍ରଥମରୁ କୁହେ ।

 

ମୁଁ ଆହ୍ଲାବାଦ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଛାତ୍ର । ପୂଜାଛୁଟିରେ ବୁଲି ଯାଇଥିଲି ଗୌହାଟୀ । ସେଇଟା ବୋଧହୁଏ ସହରର ଏକ ଅଭିଜାତ ସମ୍ପନ୍ନ ପଡ଼ା ହେବ । କାରଣ ପ୍ରାୟ ଏକପ୍ରକାରର ସୁନ୍ଦର ସୁନ୍ଦର ଘର ସବୁ ଧାଡ଼ିବାନ୍ଧି ରାସ୍ତା କଡ଼ରେ ଠିଆ ହୋଇଛନ୍ତି । ଏଇ ନୂଆ ନୂଆ ଘରଗୁଡ଼ିକ ଯେ ଆଧୁନିକ ରୁଚି ସମ୍ପନ୍ନ ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ବେଳେବେଳେ ଏମାନଙ୍କର ଏକପ୍ରକାରର ଗଠନ ପ୍ରଣାଳୀ ଦର୍ଶକ ମନରେ ଏକ କ୍ଳାନ୍ତି ଆଣିଦିଏ । ମନେହୁଏ ଏମାନେ ଯେମିତି ରାତାରାତି ବଜାରରେ ବିକ୍ରି ହଉଥିବା କୌଣସି ପ୍ରାସାଦ-ଶୈଳୀ ବହି ଭିତରୁ ଓହ୍ଲେଇ ଆସି ଏଇ ରାସ୍ତା କରରେ ସ୍ଥାବର ହେଇଯାଇଛନ୍ତି । ଘର କହିଲେ ଯେଉଁ ସ୍ଵାତନ୍ତ୍ର୍ୟ କଥାଟା ମନକୁ ଆସେ ତାହା ଯେପରି ଏଇ ଅତିକାୟ ପ୍ରାସାଦଗୁଡ଼ିକରେ ଏକାନ୍ତ ଅଭାବ । ସେ ଘରର ଅଧିବାସୀମାନଙ୍କ ସହିତ ମୋର ପରିଚୟ ନଥିବା କଥା ।

 

ତେବେ ଘରକଥାଟା ମୋଟେ ମୁଖ୍ୟ କଥା ନୁହେଁ । ମୁଁ ମୋର ମୂଳ କଥାକୁ ଫେରିଆସେ ।

 

ମୁଁ ରହୁଥାଏ ଏଇ ଅଭିଜାତ ପଡ଼ାର ଗୋଟିଏ ହୋଟେଲରେ । ଏକ ପ୍ରାୟ ଆସନ୍ନ ସନ୍ଧ୍ୟାରେ ମୁଁ ପାଦ ଗଣି ଗଣି ସେଇ ରାସ୍ତାରେ ହୋଟେଲକୁ ଫେରୁଚି ।

 

ଅକସ୍ମାତ୍ ଆକାଶର ଉତ୍ତର କୋଣରୁ ମେଘ ଘୋଟି ଆସିଲା ଓ ପ୍ରବଳ ବେଗରେ ପବନ ବହିବାକୁ ଆରମ୍ଭକଲା । ବଡ଼ବଡ଼ ବର୍ଷା ଟୋପା ପଡ଼ିବାକୁ ଆରମ୍ଭ କରିବାରୁ ମନେହେଲା ଆଉ ଅଳ୍ପ ବାଟ ମଧ୍ୟ ଅଗ୍ରସର ରହିବା ସମ୍ଭବ ନୁହ ।

 

ଅଗତ୍ୟା ରାସ୍ତାକରର ନିକଟତମ ଘରଆଡ଼କୁ ଆଶ୍ରୟପାଇଁ ପ୍ରାୟ ଦୌଡ଼ିବାକୁ ଆରମ୍ଭ କଲି । ସାଧାରଣ ସମୟ ହୋଇଥିଲେ ଫାଟକ ଖୋଲିବା ଆଗରୁ ଦରୁଆନ ବା ଆଲ୍‍ସେସିଆନ୍ କୁକୁର ଜନିତ ଯେଉଁ ସ୍ଵାଭାବିକ ସଙ୍କୋଚ ବା ଭୟ ଆସି ଥାଆନ୍ତା ଆସନ୍ନ ବର୍ଷାର ବୃହତ୍ତର ଆଶଙ୍କାରେ ସେ ସମସ୍ତ କଥା ମୁହୂର୍ତ୍ତକ ପାଇଁ ମଧ୍ୟ ମନକୁ ଆସିଲା ନାହିଁ । ଫାଟକ ଖୋଲି, ସମ୍ପୂର୍ଣ୍ଣ ଓଦା ହୋଇଯିବା ପୂର୍ବରୁ ଘରର ବାରଣ୍ଡା ଉପରକୁ ଉଠିଯାଇ ସାମାନ୍ୟ ଆଶ୍ଵସ୍ତ ଅନୁଭବ କଲି ।

 

ଘରର ବାରଣ୍ଡାଟି ଏକ ଲୋଭନୀୟ ରୁଚିରେ ସଜାଯାଇଛି । ମସୃଣ ପ୍ରଶସ୍ତ ମୋଜାଇକର ମେଜିଆ ଉପରେ ଚାରିଖଣ୍ଡ ବେତବୁଣା ବାସ୍କେଟ୍ ଚଉକି । କାନ୍ଥରେ ପାଲିସ୍‍କରା ସାଗୁଆନ କାଠର ନାମଫଳକ । ତଳକୁ ଛୋଟ ଗୋଟିଏ ଚିଠି ବାକ୍‍ସ । ଦକ୍ଷିଣପଟର ସିମିଟ୍ ଜାଲି ଉପରେ ଘଞ୍ଚ ରାଧାତମାଳ ଲଟେଇପଡ଼ିଛି । କିଛି ପୋର୍ସିଲେନ୍‌ର କୁଣ୍ଡରେ ଛୋଟ ଛୋଟ କେତୋଟି ଦୁଷ୍ପ୍ରାପ୍ୟ କାକ୍‍ଟସ୍ ।

 

ବାହାରେ ବର୍ଷାର ତାଣ୍ଡବ ଚାଲିଚି ଅବିରାମ ଓ ମଝିରେ ମଝିରେ ବିଜୁଳି ଆକାଶକୁ ଦୁଇଭାଗ କରୁଛି । କିନ୍ତୁ ଆଶ୍ଚର୍ଯ୍ୟ ! ଏତେ ବଡ଼ଘରଟାରେ କେହି ଲୋକ ଥିଲା ପରି ମନେ ହେଉ ନାହିଁ । ଏଇ ପରିସ୍ଥିତିରେ ରେଡ଼ିଓ ବା କାଚ ବାସନର ଶବ୍ଦ ଶୁଣାଯିବା ସଙ୍ଗତ ନହେଲେ ମଧ୍ୟ ଘରର କବାଟ ଝର୍କା ବନ୍ଦ କରିଯିବା ପାଇଁ ଅନ୍ତତଃ ତତ୍ପରତା ଦେଖାଯିବା ଉଚିତ; କିନ୍ତୁ କିଛି ହେଲେ ଶବ୍ଦ ଶୁଣିବାକୁ ମିଳେନା । ଉତ୍ତାଳ ପବନରେ ସଦର ଦରଜାର ଝୀନ ପର୍ଦ୍ଦା କନା ଗୋଡ଼ହାତ ଲମ୍ବେଇ ଚିତ୍ ହୋଇ ଆନନ୍ଦରେ ଉଡ଼ୁଛି ଏବଂ ତା’ ଭିତର ଦେଇ ଦେଖିହଉଚି ଯେ ଡ୍ରଇଂରୁମ୍‍ର କିଛି ପତ୍ର-ପତ୍ରିକା ମଧ୍ୟ ଘର ଭିତରେ ଉଡ଼ିବୁଲୁଛନ୍ତି । ଯେ କେହି ଲୋକ କେବଳ ଶବ୍ଦ ଶୁଣି ମନେ କରନ୍ତା ସେ ଘର ଭିତରେ ଯେପରି ଅନେକଗୁଡ଼ିଏ ପାରା ବାହାରକୁ ବାହାରିବାର ନିଷ୍ଫଳ ଚେଷ୍ଟାରେ ଡେଣା ପିଟୁଛନ୍ତି ।

 

ନାଚଖାନାର ଆଡ଼୍‍ଡ଼ାରୁ ଶୁଣାଯାଉଥିବା ବିଭିନ୍ନ ଯନ୍ତ୍ର-ସଙ୍ଗୀତର ଉଚ୍ଛୃଙ୍ଖଳ ଐକ୍ୟତାନ ପରି ବର୍ଷା ଝରିଚାଲିଛି । ଦୂରର ଲାଇଟ୍ ପୋଷ୍ଟ୍ ପାଖରେ ସ୍ପଷ୍ଟ ଦେଖିହଉଚି କେମିତି ଗୋଟିଏ ଗୋଟିଏ ଜଳବିନ୍ଦୁ ତଳର ପାଣି ଉପରେ ବର୍ଛାର ଉଜ୍ଜ୍ୱଳ ଫଳକ ପରି ବିଦ୍ଧ ହୋଇ ପରମୁହୂର୍ତ୍ତରେ ରୁପାର ଗୁଣ୍ଡ ପରି ବିଚ୍ଛୁରିତ ହୋଇ ପଡ଼ୁଛନ୍ତି ।

 

ଖୁବ୍ ଦ୍ରୁତଗତିରେ ଗୋଟାଏ ଅତି ଦୀର୍ଘ କୃଷ୍ଣକାୟ ଗାଡ଼ି ପୋର୍ଟିକୋ ତଳକୁ ପଶି ଆସି ବ୍ରେକ୍ ଦେଲା । ଗାଡ଼ି ପୋର୍ଟିକୋ ତଳେ ନିଶ୍ଚଳ ହୋଇଯିବା ପରେ ମଧ୍ୟ ତା’ର ସାମନାର ଉଜ୍ଜ୍ୱଳ ଆଲୁଅ ଦୁଇଟା ତଥାପି ଜଳୁଥିଲା ଓ ସେଲ ଆଲୁଅ ମୋ ଉପରେ ପଡ଼ି ମୋର ସମସ୍ତ ବ୍ୟକ୍ତିତ୍ଵକୁ ଲାଞ୍ଛିତ କରୁଥିଲା ପ୍ରତି ମୁହୂର୍ତ୍ତରେ । ମୋର ମନେହେଲା, ମୁଁ ଯେପରି ଜଙ୍ଗଲରେ ପଥଭ୍ରଷ୍ଟ ହୋଇଥିବା ସେଇ କଟୁଆଳପୁତ୍ର । ଯିଏ ଏକ ନିଶ୍ଚିତ ଆଶ୍ରୟର ସନ୍ଧାନରେ ପ୍ରତାରିତ ହୋଇ ଦୈତ୍ୟର ଗୁମ୍ଫାରେ ଆଶ୍ରୟ ନେଇଛି ।

 

ଆଲୁଅ ଲିଭିଗଲା ଓ ଅନ୍ଧକାର ମୁଖ ବ୍ୟାଦାନ କରି ସମଗ୍ର ପରିବେଶଟିକୁ ମୁହୂର୍ତ୍ତକ ମଧ୍ୟରେ ଗିଳିନେଲା ।

 

ଗାଡ଼ି ଭିତରୁ ଗୋଟିଏ ଉତ୍କଣ୍ଠିତା ନାରୀକଣ୍ଠ ବେଶ୍ ଜୋରରେ କହି ଉଠିଲା, “ଆରେ ! ତମେ ସଞ୍ଜୟ...” ଏବଂ ତା’ପରେ ଯେଉଁ ନାରୀ ଗାଡ଼ିରୁ ଓହ୍ଲେଇ ଆସି ଏକ ମଧୁର ଉଷ୍ଣ ଆକର୍ଷଣରେ ମୋତେ ଘର ଭିତରକୁ ନେଇଗଲେ ତାଙ୍କୁ ମୁଁ ଆଲୁଅରେ ପ୍ରଥମ ଥରପାଇଁ ଦେଖିଲି-

 

ଭଦ୍ରମହିଳାଙ୍କର ବୟସ ପ୍ରାୟ ଚାଳିଶ ପାଖାପାଖି; କିନ୍ତୁ ତାଙ୍କର ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଅତୁଟ ରହିବାକୁ ଯେ ସେ ଖୁବ୍ ଯତ୍ନବାନ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଲୋକରେ ଆମେ ଦୁହେଁ ପରସ୍ପରକୁ ଚାହିଁରହିଚୁ ଅଥଚ କାହା ମୁହଁରେ କଥା ନାହିଁ । କିନ୍ତୁ ସେ ଯେ ମୋତେ ସଞ୍ଜୟ ବୋଲି ଭୁଲ୍ କରୁଛନ୍ତି ଏଇ କଥାଟା ମୁଁ କେମିତି କହିବି ? ସେଇ କଥାହିଁ ମୁଁ ଚିନ୍ତା କରୁଚି ମନେମନେ ଏବଂ ଠିକ୍ ଏଇ ସମୟରେ ମୋ କଥାକୁ ଅପେକ୍ଷା ନ ରଖି ଆରମ୍ଭ କଲେ ଭଦ୍ରମହିଳା–

 

“ତମେ, ଏତେ ଟିକିଏବି ବଦଳି ନାହଁ ସଞ୍ଜୟ ! –ସେବେ ତମକୁ ଯେମିତି ଦେଖିଥିଲି, ତମେ ଠିକ୍ ସେମିତି ଅଛ ।’’ ...ତା’ପରେ ପୂଝାରିକୁ ଡାକି କଫିପାଇଁ ବରାଦ ଦିଆଗଲା । –“ମୁଁ ଠିକ୍ ମନେରଖିଚି ନା ତମେ ଚା’ ଖାଅ ନାହିଁ । ବାପ-ମା’ମାନେ ପିଲାମାନଙ୍କ କଥା ସବୁ ଠିକ୍ ଠିକ୍ ମନେରଖନ୍ତି । କିନ୍ତୁ ତମେ କହିଲ ଦେଖି ସଞ୍ଜୟ, ମୁଁ ଚା’ରେ କେତେ ଚାମୁଚ ଚିନି ଖାଏ ?”

 

ଏକ ନିଶ୍ଚିତ ଭୁଲ ଉତ୍ତର ଦେବା ଅପେକ୍ଷା ନୀରବ ରହିବା ଉଚିତ ମନେକଲି । କିନ୍ତୁ ଏଇ ଅଳ୍ପ ସମୟ ଭିତରେ ଭଦ୍ରମହିଳାଙ୍କର ଆଖି ଦୁଇଟାକୁ ଏକ ସୁଦୂରପ୍ରସାରୀ ଉଦାସୀନତା ଗ୍ରାସ କରି ବସିଚି । ସେ କାଉଚ୍‌ ଉପରେ ସାମାନ୍ୟ ଆଉଜି ପଡ଼ି କହିଲେ, “ମୁଁ ଜାଣେ ସଞ୍ଜୟ, ତମର ବୟସରେ ଆମମାନଙ୍କ କଥା ମନେରଖିବା ଖୁବ୍ ସ୍ଵାଭାବିକ ନୁହ; କିନ୍ତୁ ଏହି ମଞ୍ଜୁ କଥା ଦେଖ, ସେ ଏମିତି କ’ଣ ବା ରିସର୍ଚ୍ଚ କରୁଛି । ଏଇ ଚାରି ପାଞ୍ଚବର୍ଷ ଭିତରେ ଥରେ ଆସି ଆମମାନଙ୍କୁ ଦେଖିଯିବାକୁ ତା’ର କ’ଣ ସମୟ ହଉ ନାହିଁ ? ଏଇ ତମେ ତ ଆସିଲ ! ତା’ର ବାପା ମୋତେ କହୁଥିଲେ, ସେ ତା’ପାଇଁ ପ୍ଲେନ୍‍ଟିକଟ ପଠେଇ ଦେଇଛନ୍ତି...କିନ୍ତୁ କାଇଁ, ଛୁଟି ତ ଆରମ୍ଭ ହୋଇ ସରିବାକୁ ବସିଲା–ଆସିଲା ନାହିଁ ତ ?”

 

ମୁଁ ମୂକ ହୋଇ ବସିରହିଛି କେବଳ, ଗୋଲକଧନ୍ଦା ଜଟିଳରୁ ଜଟିଳତର ହୋଇ ଚାଲିଛି-। ବାହାରର ବର୍ଷା ନ କମିଲେ ମୋର ଏ ପରିସ୍ଥିତିରୁ ମୁକ୍ତି ପାଇବା ଯେ ଅସମ୍ଭବ ସେ କଥା ମୁଁ ଅନୁମାନ କରିସାରିଲିଣି ।

 

ଭଦ୍ରମହିଳା କହିଚାଲିଛନ୍ତି...‘‘ମଞ୍ଜୁ ତ ଜାଣେ ଯେ ସେ ଏଇ ଆସନ୍ତା ଡିସେମ୍ବରରେ ବିଲାତ ଚାଲିଯିବ । ତା’ର ବାପା ପ୍ରାୟ ସବୁ ଠିକ୍ କରିସାରିଲେଣି । ତା’ପରେ ପୁଣି ଯେ କେବେ ଦେଖା ହେବ, ସେ କଥା କିଏ ଜାଣେ ? ପିଲାଦିନେ ପାଖରେ ମଞ୍ଜୁ ଥିଲା, ତମେ ଥିଲ, ଭାରି ଭଲ ଲାଗୁଥିଲା । କିନ୍ତୁ ପାଠ ପଢ଼ିବାକୁ ଯାଇ ଏତେଟି ନିଜର ଲୋକମାନଙ୍କଠାରୁ ଦୂରେଇଯିବା ଠିକ୍ ନୁହେଁ”–ଭଦ୍ରମହିଳାଙ୍କ କଣ୍ଠସ୍ଵର ଓ ଦୃଷ୍ଟି କଠିନ ହୋଇଉଠିଲା–“ମୁଁ ମଞ୍ଜୁର ଟଙ୍କା ବନ୍ଦ କରିଦେଇ ତାକୁ ଯେକୌଣସି ମୁହୂର୍ତ୍ତରେ ଆସିବାକୁ ବାଧ୍ୟ କରିପାରନ୍ତି–କିନ୍ତୁ ସଞ୍ଜୟ, ମା’ ହୋଇ ତା’ ତ କରାଯାଏନା ।”

 

ବର୍ଷାର ବେଗ ସାମାନ୍ୟ କମିଚି । କୋର୍ଣ୍ଣିସ୍‌ରେ ଲାଗିରହିଥିବା ଟୋପା ଟୋପା ପାଣି ଟପ୍‍ଟପ୍ ହୋଇ ତଳକୁ ପଡ଼ିବାର ଶବ୍ଦ ସ୍ପଷ୍ଟ ଶୁଣିହେଉଛି । ମୁଁ ଘଣ୍ଟାକୁ ବାରମ୍ବାର ଦେଖି ଉଠିବାର ସୂଚନା ଦେଲି ଓ କହିଲି ଯେ ମୋର ଜଣେ ବନ୍ଧୁଙ୍କ ସହିତ ଆପଏଣ୍ଟ୍‍ମେଣ୍ଟ୍ ଥିବାରୁ ମୁଁ ଶୀଘ୍ର ଚାଲିଯିବାକୁ ବାଧ୍ୟ ହଉଛି । ଆସିଲାବେଳେ ଭଦ୍ରମହିଳା ମୋର ଠିକଣା ପ୍ରଶ୍ନ କଲେ ଓ ମୁଁ କହିଲି, ମୁଁ ଏଇ ମୋଡ଼ ଉପରେ ଟିଭ୍ୟୁ ହୋଟେଲର ୨୪ ନମ୍ବର ରୁମ୍‌ରେ ଆସି ଓହ୍ଲେଇଚି । ଭଦ୍ରମହିଳା ବୋଧହୁଏ ଆଉ କ’ଣ କହିବାକୁ ଯାଉଥିଲେ, କିନ୍ତୁ ମୁଁ ସେତେବେଳକୁ ପାହାଚ ତଳକୁ ଓହ୍ଲେଇ ସାରିଥିଲି ।

 

ଭଦ୍ରମହିଳା ପୁଣି ଥରେ ବାଧାଦେଲେ–“ନା, ତମେ ଏଇ ବର୍ଷାପାଣିରେ ଚାଲି କରି ଯିବ ନାହିଁ ସଞ୍ଜୟ !” ତାଙ୍କର କଣ୍ଠରେ ଆଦେଶର ସ୍ଵର ବ୍ୟଞ୍ଜନା–“ଗାଡ଼ିରେ ବସ । ସୋଫର ତମକୁ ନେଇ ଛାଡ଼ି ଦେଇ ଆସିବ; ଆଉ ତା’ଛଡ଼ା ସେ ତମ ହୋଟେଲଟା ମଧ୍ୟ ଦେଖିଆସିବ ।”

 

ଅଗତ୍ୟା ଗାଡ଼ିରେ ବସିଲି ଏବଂ ଗାଡ଼ିରେ ଯେତେ ସମୟ ବସିଥିଲି ଭଦ୍ରମହିଳା କିମ୍ବା ତାଙ୍କର ପରିବାର ବିଷୟରେ ମୋର ସମସ୍ତ କୌତୂହଳ ଅତି କଷ୍ଟରେ ଦମନ କରିଥିଲି ।

 

ତା’ ଆରଦିନ ହୋଟେଲର ବେହେରା ସକାକୁ ଆସି ଚା’ର ସରଞ୍ଜାମ ମୋର ଖଟ ପାଖରେ ରଖିଦେଇ ଯାଇଚି ଏବଂ ଠିକ୍ ଏତିକିବେଳେ ଶୁଣିଲି ଜଣେ ଭଦ୍ରଲୋକ କବାଟରେ ଠକ୍ ଠକ୍ କରି ସୂଚନା ଦେଉଛନ୍ତି, “ମୁଁ ଭିତରକୁ ଆସିପାରେ ?” ନିଜର ପରିଧେୟ ସାମାନ୍ୟ ସଞ୍ଜତ କରିନେଇ କହିଲି, “ଆସନ୍ତୁ ।’’

 

ଘର ଭିତରକୁ ପଶି ଆସିଲେ ଜଣେ ପ୍ରୌଢ଼ ଭଦ୍ରଲୋକ । ଦେଖିଲେଇ ମନେହେବ ଯେପରି କୌଣସି ଦାରୁଣ ଦୁଃଖର ଆଘାତରେ ତାଙ୍କର ବୟସ ଅଯଥା ଆଗେଇ ଯାଇଛି ଅନେକ ବର୍ଷ । ଦେହର ଧୋତି-ପଞ୍ଜାବି ଓ ହାତର ବାଡ଼ି ଏକ ସୁସ୍ପଷ୍ଟ ଆଭିଜାତ୍ୟର ସୂଚନା ଦିଏ । ଭଦ୍ରଲୋକ ମୋଟା ଲେନ୍‍ସ୍‍ର ଚଷମାଟାକୁ ଆଖିରୁ କାଢ଼ି ଆଣି ରୁମାଲ୍‌ରେ ଥରେ ଦୁଇଥର ପୋଛି ନେଇ ପୁଣିଥରେ ଆଖିରେ ଦେଲେ ଓ ଚଉକି ଉପରେ ବାଡ଼ିଟିକୁ ଆଉଜେଇ ଦେଇ ଆଉଥରେ ଭଲ ଭାବରେ ଦେଖିନେଲେ ମତେ ।

 

ମୁଁ ତାଙ୍କୁ ଚଉକିରେ ବସିବାଲାଗି ଇଙ୍ଗିତ ଦେଲି ।

 

ଚଉକିରେ ବସୁ ବସୁ ଭଦ୍ରଲୋକ କହିଲେ–“ମୁଁ ଠିକ୍ ଜାଣିଥିଲି ଯେ, ମୋର ସ୍ତ୍ରୀ ଏକ ମସ୍ତ ଭୁଲ୍ କରୁଛନ୍ତି–ହଁ ତମେ କାଲି ସନ୍ଧ୍ୟାରେ ଯେଉଁ ବଙ୍ଗଳାରେ ବର୍ଷାବେଳେ ଆଶ୍ରୟ ନେଇଥିଲ ସେଟା ମୋର ଘର ଓ ସେ ମୋ ସ୍ତ୍ରୀ । ଆଜି ସକାଳେ ସେ ମତେ ପ୍ରାୟ ଜୋର କରି ପଠାଇଲେ । ସେ ସ୍ଥିର ନିଶ୍ଚିତ ଯେ ତମେ ହଉଚ ସଞ୍ଚୟ ।”

 

ମୁଁ କ୍ଷମା ମାଗିବାର ଭଙ୍ଗୀରେ କହିଲି–“ଦେଖନ୍ତୁ, ମୋ ନାଁ ଅଶୋକ, ମୁଁ କାଲି ସନ୍ଧ୍ୟା ପରିସ୍ଥିତି ପାଇଁ ସତରେ ଲଜ୍ଜିତ । କିନ୍ତୁ କେଜାଣି କାହିଁକି ଆପଣଙ୍କ ସ୍ତ୍ରୀଙ୍କର ସ୍ନେହର ଆତିଶଯ୍ୟରେ ମୁଁ ମୁହଁ ଖୋଲି କହିପାରିଲିନାହିଁ ଯେ, ମୁଁ ସଞ୍ଜୟ ନୁହେଁ ।”

 

ଭଦ୍ରଲୋକ କହିଲେ–“ମୁଁ ମାନୁଚି, ସଞ୍ଜୟର ଗଠନ ସହିତ ତମର ଅନେକ ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଅଛି । ଖୁବ୍ ନିରୀକ୍ଷଣ କରି ଦେଖିଲେ ହୁଏତ ଜାଣି ହବ ତମେ ସଞ୍ଜୟ ନୁହ । ତେବେ ଏଥିରେ ତମର କ୍ଷମା ମାଗିବା ବା ଲଜ୍ଜିତ ହେବାର କୌଣସି କାରଣ ନାହିଁ ଅଶୋକ–ଏଟା ନିୟତିର ଏକ ନିଷ୍ଠୁର ପରିହାସ । ଦିନେ ମୋର ଝିଅ ମଞ୍ଜୁଶ୍ରୀ ସହିତ ସଞ୍ଜୟର ବିବାହ ପ୍ରାୟ ସ୍ଥିର ହୋଇଯାଇଥିଲା; କିନ୍ତୁ ତା’ତ ଆଉ ସମ୍ଭବ ହେଲାନାହିଁ... ।”

 

ଭଦ୍ରଲୋକଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଇଥିଲା ଓ ସେ ସ୍ଥିର ଚକ୍ଷୁରେ ଟିପୟର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଚାହିଁ ବସିରହିଲେ ।

 

ମୁଁ ୟା ଭିତରେ କପେ ଚା’ ତିଆରିକରି ଭଦ୍ରଲୋକଙ୍କ ଆଡ଼କୁ ଆଗେଇ ଦେଲି । ଠିକ୍ ପୂର୍ବପରି ଅନ୍ୟମନସ୍କ ଭାବରେ ଚା’କପ୍‍କୁ ଓଠ ପାଖକୁ ନଉ ନଉ ସେ କହିଲେ–“ସେ କଥା ତମକୁ କହି ଲାଭନାହିଁ । ତେବେ ଅନେକ ଦିନ ପରେ ମୁଁ ମୋର ସ୍ତ୍ରୀଙ୍କୁ କାଲି ରାତିରେ ପ୍ରକୃତରେ ଖୁସି ହେବାର ଦେଖିଲି । ସେ ତମକୁ ଦେଖି ଭାବୁଚନ୍ତି ଯେ, ତାଙ୍କର ଏକମାତ୍ର ସ୍ଵପ୍ନ ସାର୍ଥକ ହେବାକୁ ଯାଉଚି । ମୁଁ ତାଙ୍କର ଭୁଲ ଭାଙ୍ଗିଦେବାକୁ ଚାହେଁନା–ଏକ ନିରପରାଧ ଭ୍ରମର ବିନିମୟରେ ଯଦି ସେ ତାଙ୍କର ଅବଶିଷ୍ଟ ଜୀବନ ଆନନ୍ଦରେ କଟାଇ ପାରନ୍ତି ତାହାହେଲେ ତା’ଠାରୁ ଆଉ ଅଧିକା କ’ଣ ହୋଇପାରେ !”

 

ଏତିକି କହି ଭଦ୍ରବ୍ୟକ୍ତି ପୁଣିଥରେ ନୀରବ ହେଲେ–ସେ ଯେପରି ସମସ୍ତ କଥା କେବଳ ମନେମନେ ନିଜକୁହିଁ କହୁଥିଲେ । ଆଖିରୁ ମୋଟା ଲେନ୍‌ସ୍‍ର ଚଷମାଟା କାଢି ନେଇ ରୁମାଲରେ ଆଖି ପୋଛୁ ପୋଛୁ ସେ ପୁଣି ଆରମ୍ଭ କଲେ–“ତମେ ବୟସରେ ମୋ ପୁଅ ପରି । ତମକୁ ମୁଁ ଅଶୋକ ବୋଲି ନା, ଭୁଲ କହିଲି, ତମକୁ ମୁଁ ସଞ୍ଜୟ ବୋଲିହିଁ ଡାକିବି । କୌଣସି ଅସତର୍କ ମୁହୂର୍ତ୍ତରେ ଧରାପଡ଼ିଯାଇ ମୁଁ ମୋ ସ୍ତ୍ରୀଙ୍କର ମଧୁର ଭ୍ରମ ଭାଙ୍ଗିବାକୁ ଚାହେଁନା ।

 

–ଶୁଣ ସଞ୍ଜୟ, ଆଜିଠାରୁ ଏ ପରିବାରରେ ତମର ଏକମାତ୍ର ପରିଚୟ ସଞ୍ଜୟ–ଆଉ ତମ ପାଖରେ ମୋର ଗୋଟିଏ ମାତ୍ର ଭିକ୍ଷା–ଭିକ୍ଷା ନୁହେଁ, ଦାବି–ତମକୁ ମଝିରେ ମଝିରେ ଆସିବାକୁ ପଡ଼ିବ ଏଠିକି । ମୋର ଅର୍ଥର ଅଭାବ କେବେ ନଥିଲା, ଏବେବି ନାହିଁ–ତେବେ ଯାହା ଅଭାବ ରହିଯାଇଚି ତାକୁ କେବଳ ତମେହିଁ ପୂରଣ କରିପାରିବ ।”

 

ଭଦ୍ରବ୍ୟକ୍ତିଙ୍କର ସ୍ଵରର କାତରତା ବର୍ଣ୍ଣନାର ଅତୀତ ।

 

–“ତମେ କଥା ଦିଅ ସଞ୍ଜୟ, ତମର ସମସ୍ତ ଅସୁବିଧା ସତ୍ତ୍ୱେବି ତମେ ମଝିରେ ମଝିରେ ଆସି ସଞ୍ଜୟର ଅଭିନୟ କରିଯିବ ।’’

 

ମୁଁ ସତରେ ବିଚଳିତ ହୋଇପଡ଼ିଥିଲି–କହିଲି, “ମୁଁ କଥା ଦଉଚି, ଆସିବି, ଆପଣ ନିଶ୍ଚିନ୍ତ ରହିପାରନ୍ତି ।”

 

ଭଦ୍ରଲୋକଙ୍କ ଛାତି ଉପରୁ ମସ୍ତ ଓଜନଦାର ପଥର ଓହ୍ଲାଇଗଲା ଯେମିତି ।

 

–“ହଁ, ମୁଁ ଶୁଣିଲି, ତମେ ଆଜି ସନ୍ଧ୍ୟା ପ୍ଲେନ୍‍ରେ ଦିଲ୍ଲୀ ଯାଉଚ । ମୋର ସ୍ତ୍ରୀ, ମଞ୍ଜୁଶ୍ରୀପାଇଁ କିଛି ଜିନିଷ ପଠାଇଦେବ । ଆମେ ଦୁଇଜଣଯାକ ଏୟାର୍‍ପୋର୍ଟରେ ତମକୁ ଦେଖା କରିବୁ–ଆଉ ତମର ସମୟ ନଷ୍ଟ କରିବି ନାହିଁ, ମୁଁ ଚାଲିଲି ।”

 

ଭଦ୍ରଲୋକଙ୍କୁ କିଛି ବାଟ ବଳେଇ ଦେଇ ମୁଁ ମୋର ରୁମ୍‍କୁ ଫେରିଲି ।

 

ଏୟାର୍‍ପୋର୍ଟ ଲାଉନିରେ ଇତସ୍ତତଃ ହୋଇ ମନେମନେ ଏଇ ରହସ୍ୟମୟ ଦମ୍ପତିଙ୍କୁ ଖୋଜୁଥିଲି । ହଠାତ୍ ଦେଖିଲି–ଭଦ୍ରଲୋକ ମୋ କାନ୍ଧ ଉପରେ ମୃଦୁ ଚାପ ଦେଇ କହୁଛନ୍ତି–“ହଲ୍ଲୋ ସଞ୍ଜୟ ।” ଚମକିପଡ଼ିଲି । ଦେଖିଲି ତାଙ୍କର ବାହୁଲଗ୍ନା ହୋଇ ଠିଆହୋଇଛନ୍ତି ବିଗତ ରାତ୍ରିର ସେଇ ସ୍ନେହମୟୀ ନାରୀମୂର୍ତ୍ତି । ଭଦ୍ରମହିଳା ଗୋଟିଏ ସୁନ୍ଦର ପ୍ୟାକେଟ୍ ମୋ ହାତକୁ ବଢ଼ାଇ ଦେଇ ସୁନ୍ଦର ଇଂରେଜୀରେ କହିଲେ, “ଦିସ୍ ଇଜ୍ ଫର୍ ମଞ୍ଜୁ–ମାଇଣ୍ଡ ଦି ଟ୍ରବଲ୍ ।”

 

ମୁଁ ସଞ୍ଜତ ହୋଇ ତାଙ୍କ ହାତରୁ ତାକୁ ଗ୍ରହଣ କଲି । ପ୍ୟାକେଟ୍ ଉପରେ ଫେଲ୍‍ଟ ପେନ୍‍ସିଲ୍‌ରେ ବଡ଼ବଡ଼ ଆଞ୍ଚୁଡ଼ା ଅକ୍ଷରରେ କେବଳ ଦୁଇଟା ଅକ୍ଷର ଲେଖାଯାଇଚି–ମଞ୍ଜୁ ।

 

ଧାତବ କଣ୍ଠରେ ମାଇକ୍ ପାସେଞ୍ଜରମାନଙ୍କୁ ପ୍ଲେନ୍‍କୁ ଯିବାକୁ ଅନୁରୋଧ କଲା । ଭଦ୍ରମହିଳା ମୋର ବାଁ ହାତ ଉପରେ ତାଙ୍କର ପାପୁଲିର ମୃଦୁଚାପ ହୁଗୁଳା କରିନେଲେ ।

 

ମୁଁ ଭଦ୍ରଲୋକଙ୍କୁ ସାମାନ୍ୟ ଦୂରକୁ ଡାକି ନେଇ ଆସ୍ତେ ପଚାରିଲି–“ଦେଖନ୍ତୁ, ମୁଁ ତ ମଞ୍ଜୁ ଦେବୀଙ୍କ ଠିକଣା ଜାଣେନା; ପ୍ୟାକେଟ୍ ଉପରେ ଲେଖି ଦେଲେ ସୁବିଧା ହୁଅନ୍ତା ।”

 

ମନୁଷ୍ୟର ଆଖି ଏପରି ସ୍ଥିର-ନିର୍ଜୀବ ହୋଇଯିବାର କେବେ ଦେଖିନି–ଠିକ୍ କାଚର ଆଖି ପରି, ତା’ପରେ ଗୋଟାଏ ପ୍ରଚଣ୍ଡ ଅଟ୍ଟହାସ୍ୟର ନୀରବ ଇଙ୍ଗିତରେ ତାଙ୍କର ପ୍ରୌଢ଼ ଶରୀରଟି ଦୋହଲିଗଲା ଦୁଇଥର ।

 

ସେ ମୋର କାନର ଆହୁରି ପାଖକୁ ମୁହଁ ଆଣି ଦାନ୍ତ ଚିପି ଚିପି କହିଲେ–“ମଞ୍ଜୁର ଠିକଣା ମୁଁ ମଧ୍ୟ ଜାଣେନା । ମୋର ସ୍ତ୍ରୀଙ୍କର ମସ୍ତିଷ୍କବିକୃତି ପରେ ପରେ ସେ ଆଜିକି ବହୁବର୍ଷ ତଳେ ଟ୍ରେନ୍ ଆକସିଡ଼େଣ୍ଟରେ ମରିଯାଏ । ସେ ସମ୍ବାଦ ମୋର ସ୍ତ୍ରୀଙ୍କୁ ଆଜି ଯାଏଁ ଦିଆଯାଇନାହିଁ । ସେତେବେଳେ ମଞ୍ଜୁ ପଢ଼ୁଥିଲା ଥାର୍ଡ଼ଇୟରରେ; ତେଣୁ ଆଜି ତିନିବର୍ଷ ପରେ ସେ ରିସର୍ଚ୍ଚ କରିବାକୁ ବାଧ୍ୟ ଓ ତା’ପରେ ତାକୁ ବିଲାତ ଯିବାକୁ ପଡ଼ିବ ଆହୁରି ଗବେଷଣା କରିବାକୁ...”

 

ପ୍ଲେନ୍‌ର ପ୍ରପୋଲର ପ୍ରଚଣ୍ଡ ଶବ୍ଦ କରି ଘୂରିବାକୁ ଆରମ୍ଭ କଲାଣି । ମାଇକ୍‌ର ସେଇ ଧାତବ କଣ୍ଠ ତୁହାକୁ ତୁହା ମୋ ନାଁ ଧରି ଡାକୁଚି । ମୁଁ ତରତରରେ ପ୍ଲେନ୍‌ର ସିଡ଼ି ଉପରକୁ ଉଠିଗଲି । ସିଡ଼ିର ମଝିରେ ଆଉଥରେ ମୁହଁ ଫେରେଇ ଚାହିଁଲି । ସେମାନେ ମୋତେ ହାତ ହଲେଇ ବିଦାୟ ଦେଉଥିଲେ–

 

–ମୋର ମନେହେଲା ଭଗବାନଙ୍କର ନିଷ୍ଠୁର ସୃଷ୍ଟିର ଦୁଇଟି ନିଃସଙ୍ଗ, ଅଭିଶପ୍ତ ମନୁଷ୍ୟ-ପିତୁଳା ଆକାଶକୁ ହାତ ତୋଳି ନାଚୁଛନ୍ତି ।

Image

 

ମୂକ

ରାଜକିଶୋର ପଟ୍ଟନାୟକ

 

ସୂର୍ଯ୍ୟ ବୁଡ଼ିଯାଉଥିଲେ, ପଶ୍ଚିମରେ ତାଙ୍କର ଅରୁଣିମା ଲିଭି ନଥିଲା, ବିଦାୟବେଳର ହସ ପରି ତାଙ୍କର ପଛରେ ଲାଗିରହିଥିଲା ଆକାଶରେ । ଧୂଳି ଓ କୁହୁଡ଼ିରେ ଆକାଶଟା ଫିକା ଦିଶୁଚି । କେଇଟି ବଡ଼ ଝଙ୍କାଳିଆ ଗଛ ନେଳିଆ ଅନ୍ତରାୟ ପରି ଗୋଲାପି ସୂର୍ଯ୍ୟାସ୍ତ ଆଗରେ ଠିଆହୋଇଥିଲା ।

 

ବିନୋଦବାବୁ ଅଫିସ୍‍ରୁ ସେଦିନ ସଅଳ ଫେରିଆସିଛନ୍ତି । ତାଙ୍କର ଦେହଟା ଥକିପଡ଼ିଛି-। ମୁହଁରେ ଆନନ୍ଦର ରେଖା ଦିଶିଯାଉଛି । ମନ ଭିତରଟା ସେହି ପଶ୍ଚିମ ଆକାଶ ପରି ଧୂଳିଆ ଓ କୁହୁଡ଼ିଆ । ସାନଭାଇର ପାଟି ଶୁଭିଲା ଦୂରରୁ–ଭାଇ, ଭାଇ, ହେଇ ଦେଖ, ଗୋଟିଏ କୁକୁରଛୁଆ ନେଇଆସିଛି ମୋର ଜଣେ ଚିହ୍ନାଲୋକଠୁଁ ।

 

ବିନୋଦବାବୁଙ୍କ ଚିନ୍ତାରେ ଉପରର ନୀଳ ଆକାଶ ପରି ଗୋଟିଏ ନେଳିଆ ଅନ୍ତରାୟ ଆସି ଠିଆହୋଇଗଲା । ଛୁଆ କୁକୁର ଗୋଟିଏ ଅତିଥି ହୋଇ ଆସିଲାଣି–ଖାଇପିଇ ସେ ବଢ଼ିବ ମାଡ଼ଗାଳି ଭିତରଦେଇ ।

 

ଚାରିଗୋଡ଼ିଆ ପଶୁଟିଏ ଆସି ପହଞ୍ଚିଲା । ଆଖି ଦିଓଟି ଫିକା କଳା, ସେଥିରେ ପୁଣି କେତେ ପ୍ରଶ୍ନ, କେତେ କୌତୂହଳ । ଅଖାର ଝୁଲାମୁଣି ଭିତରେ ଦେଢ଼ମାଇଲ ସାଇକେଲରେ ବସି ସେ ତା’ର ମା’ ପାଖରୁ ଗୋଟିଏ ଅଚିହ୍ନା ଖାଉନ୍ଦ ଘରକୁ ଆସିଛି । ଆସିଲାବେଳେ ମା’ଠୁଁ ଶେଷ ଥର ଦୁଧ ଖାଇଥିଲା, ଭୋକ ଲାଗିନାହିଁ । ମୁଣି ଭିତରେ ଦେହକୁ ଉଷୁମ କରି ଆସିଥିଲା । ସେଥିପାଇଁ ବୋଧହୁଏ ମା’କୁ ମନେରଖିନାହିଁ ।

“ଆରେ, କାହିଁକି ଆଣିଲୁ ଏଟିକୁ ? ଆମ ଘରେ ଯତ୍ନ ହୋଇପାରୁନାହିଁ କୁକୁରଙ୍କର । ଯେଉଁଟି ଆସିଲା, ଅଯତ୍ନରେ ଶୀଘ୍ର ତାହାର ପରମାୟୁ ଶେଷ କରି ଚାଲିଗଲା । କେଉଁ ସଉକ ଥିବାବାଲା ଘରେ ପଡ଼ିଥିଲେ ଖୁସିରେ ବର୍ଷ କେତେ ରହନ୍ତା ।’’

ସାନଭାଇ କହିଲା, “ନାଇଁ–ଏଇଟି ଭଲ । ପୂରା ବିଲାତି ନୁହେଁ । ପଖାଳ, ଡାଲି, ଶୁଖୁଆ, ମାଛକାତି ସବୁ ଖାଇବ–ଠିକ୍ ବୁଲା କୁକୁରଙ୍କ ପରି । ସେମାନେ କ’ଣ ମରନ୍ତି...ୟା’ ନା କ’ଣ ଦେବା–ଜେଲି, ଜେନ୍, କୁତୀ, ଯୁନ୍ ? କ’ଣ ଦେବା ?”

ନାଁ କ’ଣ ଦିଆହେବ ବୋଲି ଘରଯାକର ସମସ୍ତେ ଛୁଆଟିକୁ ଥରକୁଥର ଟାଣିଆଣି ତାହାର ମୁହଁକୁ ଗୋଡ଼କୁ ପରୀକ୍ଷା କରୁଥାନ୍ତି । ଖବରକାଗଜରେ ବାହାରିଛି ଜଣେ ମେମ୍‍ର ଛବି । ନାଁ ତାହାର ଯୁନ୍ । ନୂଆ ଛୁଆଟି ନାଁ ଯୁନ୍ ରଖିଲେ ହେବ କି ନାହିଁ, ବିଚାର ଚାଲିଥାଏ । ଆଉ ଛୁଆଟି ଜଣକର କୋଳରୁ ଆଉ ଜଣକର କୋଳକୁ ଚାଲିଥାଏ । ହାତପାପୁଲିରେ ବସା ହୋଇ ଦେଖା ହେଉଥାଏ । ଖୁଜୁବୁଜୁ ନାହିଁ, ଅସ୍ତବ୍ୟସ୍ତ ନାହିଁ, କଥା ନାହିଁ, ହସ ନାହିଁ–ସେ ମୂଳ ।

ମଣିଷ ମୂକ ହୋଇଥିଲେ କି ହୋଇଗଲେ ତାକୁ ଅଦରକାରୀ ବୋଲି ସମସ୍ତେ ଫୋପାଡ଼ି ଦିଅନ୍ତି । ଖାଲି ନିଜର ମା’ ସେତକ କରେ ନାହିଁ । ଏଇ ମୂକ ପଶୁଟିକୁ ତାହାର ମା’ ଯେମିତି ଆଦର କରିଥିଲା, ଆଉ ପାଞ୍ଚଜଣ ନୂଆ ମଣିଷବି ସେମିତି ଆଦର କରିବାକୁ ଖୋଜୁଥିଲେ-। କାରଣ କୁକୁର ଦରକାରରେ ଲାଗେ–ମୂକ କାହାରି ଦରକାରରେ ଲାଗିବ ନାହିଁ-। ମୂକ ମଣିଷଠାରୁ ମୂକ ପଶୁର ବେଶି ପ୍ରୟୋଜନ ଏହି ସଂସାରରେ ।

 

‘ଯୁନ୍’ର ଗୋଡ଼ହାତ ପରୀକ୍ଷା କରାହେଲା–ନଖଗୁଡ଼ାକ ଧଳା–ପଞ୍ଚାଟା ଖଇରା ରଙ୍ଗ, ଦେହ ଫିକା କଳା–ମୁହଁଟା ଖଇରା–ନାକ ଅଗ କଳା । ମୁଣ୍ଡରେ ଟିକିଏ ଧଳା ଚାନ୍ଦ । ମୋଟାମୋଟି ଦେଖିବାକୁ ଗୋଟାଏ ବିଲୁଆ ପରି । ହଉ, ‘ଖୁବ୍‌ ଭଲ ହୋଇଛି ।’

 

ମଣିଷ ନିଜର ସ୍ତ୍ରୀକି ଅପରର ସ୍ତ୍ରୀର ସୌନ୍ଦର୍ଯ୍ୟ ବାଛି ଟିପ୍ପଣୀ କାଟିଲାବେଳେ ଏଇ ତିନିପଦ ‘ଖୁବ୍ ଭଲ ହୋଇଛି’ କହିବାକୁ ସାହସ କରେ ନାହିଁ । କାରଣ ମଣିଷର ଶତ୍ରୁ ପଶୁ ନୁହେଁ–ସେହି ମଣିଷ ।

 

ବିଭାଘର ପରେ ଝିଅ ବାପଘରୁ ଶାଶୁଘରକୁ ବୋହୂ ହୋଇ ଆସିଲାବେଳେ ଯେମିତି କେଇ ଦିନପାଇଁ ଗୋଟାଏ ଧୁମ୍‌ଧାମ୍ ଲାଗେ, ଯୁନ୍‍ପାଇଁ ଠିକ୍ ସେମିତି । ସମସ୍ତେ ଦେଖିବେ, ଧରିବେ, ଖେଳାଇବେ । ଓଡ଼ିଆରେ କଥା କହିବେ, ସର୍କସ୍ ଶିଖାଇବେ । ଏହା ବାଦ ଭୋକଶୋଷର ଉତ୍ପାତ ରହିଛି ।

 

‘ଯୁନ୍’ ତାହାର ମା’କୁ ତିନିଦିନରେ ଭୁଲିଗଲା । ଦୂରର ଲୋକଙ୍କ ଗୋଡ଼େ ଗୋଡ଼େ ଛୁଟିଥାଏ । ଲୁଗା ଫେରକୁ ତାହାର ମୁନିଆ ଦାନ୍ତରେ ଟାଣେ–ମା’ର ଲାଙ୍ଗୁଡ଼ଟାକୁ ଦିନକୁ ତିନି ଚାରିଘଣ୍ଟା ସେ ଧରି ଭିଡ଼ୁଥିଲା । ଏଠି ସେତକ ନପାଇ ଲୋକଙ୍କର ଲୁଗା, କୂଅ ଦଉଡ଼ି ଆଦି ବସି କାମୁଡ଼ୁଥାଏ ।

 

ନୂଆବୋହୂ ଆଦର ଯତ୍ନ ପାଇଲାପରି ‘ଯୁନ୍’ ଭାରି ଗେହ୍ଲେଇ ହୋଇଥାଏ । ସମସ୍ତେ ତାହା କଥା ପଚାରନ୍ତି । ତା’କୁ ଗେହ୍ଲାକରି ଆଉଁସନ୍ତି । କୋଳର ଉଷୁମ ବଦଳରେ ଅଖାଦିଆ ବାକ୍‍ସ ଯୁନ୍‍କୁ ବାରଅଣା ଚଉଦଅଣା ଠକାଏ ।

 

ଯୁନ୍ ତାହାର ନୂଆ ଘରକୁ ଚିହ୍ନିଗଲା । ସେଠି କେତେ ବଖରା ଘର ଅଛି, କେତେ ମଣିଷ ଅଛନ୍ତି, ସବୁର ତାଲିକା ଯେମିତି ମନେରଖିଗଲା ।

 

ବଡ଼ ସୁନ୍ଦର ଦିଶେ । ସହରର ଏପାଖ ସେପାଖ ଥିବା ଦୋମହଲା ତିନିମହଲା ଘରପାଖରେ ‘ଯୁନ୍’ ଖାଉନ୍ଦର ଏକମହଲା ଘର । ସେହି ଘରର ଉଚ୍ଚତା ପାଖରେ ମଣିଷଗୁଡ଼ାକବି କେମିତି ଗୋଟିଏ ସାମଞ୍ଜସ୍ୟ ରଖି ଚଳପ୍ରଚଳ ହୁଅନ୍ତି । ସେହି ମଣିଷଙ୍କ ପାଖରେ ‘ଯୁନ୍’ ବୁଲୁଥାଏ-। ଲୋକଙ୍କର ପିନ୍ଧା ଜୋତାଠାରୁ ଟିକିଏ ଉଚ୍ଚ । ବେଶ୍ ମାନେ–ଠିକ୍ ଉପରୁ ତଳକୁ ଯେମିତି ସବୁ କଥା ଗଡ଼ିଆସେ ସଂସାରରେ ।

 

ଘରଭିତରୁ କେହି ବାହାରିଲେ ଯୁନ୍ ପଛେ ପଛେ ଚାଲେ । ପାଟି ହୁଏ, ‘ହେଇ, ଯୁନ୍‌କୁ ରଖ ।‘ ଏଡ଼େ ବକଟେ ହୋଇ ଖାଲି ଗୋଡ଼ ପାଖେ ନସରପସର ହେଉଛି । କୁଦି ହୋଇଯିବ । ତାହାର ପାଟି ନାହିଁ ଯେ ସେ କହିଦେବ ସେ କେଉଁଠି ବସି ତାହାର ଗୋଡ଼କୁ କାମୁଡ଼ୁଛି କି ଠିଆହୋଇଛି ।

 

ଯୁନ୍‌କୁ ଡକାପଡ଼େ । ସେ ତାହାର ନାଁ ଜାଣିଲାଣି । କିଏ ଡାକୁଛି ବୁଝି ଚାଲିଆସେ । କାନମୋଡ଼ା ଖାଏ–ଏମିତି ଅସାବଧାନ ହେଉଥିବାରୁ ସେ କେତେବେଳେ ଲାଙ୍ଗୁଳ ଜାକି, କେତେବେଳେ ଲାଙ୍ଗୁଳ ହଲେଇ, କେତେବେଳେ କପାଳର ଚମକୁ କୁଞ୍ଚାଇ ଯେମିତି ବୁଝିବାକୁ ଚେଷ୍ଟାକରେ । ସେଇଆ ତାହାର ପ୍ରଶ୍ନ ଓ ଉତ୍ତର ।

 

ଅଫିସ୍‍ରେ ବିନୋଦବାବୁଙ୍କର ବର୍ଷିକିଆ ହାକିମଙ୍କ ମନ୍ତବ୍ୟ ଯେମିତି ପାଟି ନ କରି, ମାଡ଼ଗୋଳ ନକରି ଧୀରେ ଶିଖେଇ ଦେଇଯାଏ–ବାଟ କେଉଁଆଡ଼େ, ଆଉ ସେ ବାଟରେ କ’ଣ ବିପଦ ଆପଦ ରହିଛି । ବିନୋଦବାବୁ ସେଥିରୁ ବାରଖଣ୍ଡ ସମ୍ପାଦିଲେଣି ଯତ୍ନକରି–ସେଥିରେ ବଡ଼ ହାକିମ କହିଛନ୍ତି ବିନୋଦବାବୁ କାମିକା, ବିନୋଦବାବୁ ହୁଣ୍ଡା, ବିନୋଦବାବୁ ପଛବୁଦ୍ଧିଆ, ଆଉ ବିନୋଦବାବୁ ଶାନ୍ତିପ୍ରିୟ ।

 

ଯେମିତି ଯୁନ୍ ଘରର ବିଭିନ୍ନ ହାକିମଙ୍କ ସାଟିଫିକେଟ୍ ନେଇ ନିଜର ଯୋଗ୍ୟତା ବିଷୟରେ ବୋଧହୁଏ ସାବଧାନ ହୁଏ । କାରଣ ଏହିପରି ଶାନ୍ତି ଆଦି ପାଇସାରିଲା ପରେ ସେ ଯାଇ ଗୋଟିଏ କଣରେ ଶୁଏ ।

 

ସେଇ ଘରେ ରହି ଯୁନ୍ ଟିକିଏ ପାରିଗଲା । ଏକାଏକା ଗାଈ ପାଖକୁ ଭରସିପାରେ; କୁକୁଡ଼ାମାନେ ତାକୁ ଡରନ୍ତି । ଅଚିହ୍ନା ଲୋକର ପାଞ୍ଚହାତ ଦୂରଯାଏ ଆସିପାରେ । ଆଉ ଘରଲୋକ ଖାଇଲାବେଳେ ଥାଳିଠାରୁ ହାତେ ଦୂରରେ ମାପିଲାପରି ହୋଇ ବସିପାରେ ।

 

କେଇଦିନ ଆଗେ ସୂର୍ଯ୍ୟ ବୁଡ଼ିଲାବେଳେ ସେ ତାହାର ମା’ ପାଖରୁ ମେଲାଣି ହେଇ ଆସିଥିଲା । ସେକଥା ଭୁଲିଯାଇଛି । ମଣିଷ କହେ ଯେ ପଶୁ ବୋଲି ତାହାର ଭୁଲିବା ସମ୍ଭବ ।

 

ବିନୋଦବାବୁ ଅଫିସ୍‍ରୁ ଫେରନ୍ତି ସେହି ସୂର୍ଯ୍ୟାସ୍ତ ପରେ । ଯୁନ୍ ତାଙ୍କୁ ଅପେକ୍ଷାକରି ରହିଥାଏ–ସେ ଖାଇଲାବେଳେ ତା’କୁ ଖଣ୍ଡେ କ’ଣ ମିଳିବ ବୋଲି । ଘରର ମଣିଷ ପରି ସେ କେତେ କଥା ଖାଇଲାଣି–ପଖାଳ, ପିଠା, ଖେଚୁଡ଼ି, ହବିଷ ଅରୁଆ, କେକ୍, ଲେମ୍ବୁ ଆଦି ସବୁ ପ୍ରକାରର ପଦାର୍ଥ ଖାଲି ନଡ଼ିଆ, ପଣସ, ସପୁରି, କଇଥ ଆଦି କେଇଟି ଜିନିଷକୁ ସୁଖ ପାଏନାହିଁ ବୋଲି ବିନୋଦବାବୁଙ୍କର ଦୁଃଖ ।

 

ସ୍ତ୍ରୀଙ୍କ ଉପରେ ରାଗ ଯେ ସେ ଚିଙ୍ଗୁଡ଼ି ମାଛ, କଙ୍କଡ଼ା, ହରିଣ ମାଂସ ଖାଆନ୍ତି ନାହିଁ । ସେଥିପାଇଁ ତାଙ୍କର ଯେତେବେଳେ ଦେହ କିଛି ଖରାପ ହୁଏ ବିନୋଦବାବୁ ଚେତେଇ ଦେବାକୁ ଭୁଲନ୍ତି ନାହିଁ ।

 

ଏବେ ଯୁନ୍‍କୁ ଦେଖାଇ ଉଲୁଗୁଣା ଦିଅନ୍ତି । “ତମେ ଯେମିତି କେଇଟି ଜିନିଷ ବାଛି କରି ଖାଉଛ–ଏବେ ଆମ ଯୁନ୍ ସେହି ସେତକ ତମଠାରୁ ଶିଖିଲାଣି ।”...ଯୁନ୍ ଘାସ ଖାଉଛି ଗାଈଙ୍କ ପରି; କିନ୍ତୁ ମଣିଷ ପରି ନଡ଼ିଆ, ସପୁରି ଖାଇବାକୁ ରାଜି ହେଉନାହିଁ । ....ଏ ଘରେ କେହି ଆମକୁ ମୁରବି ତଳେ ରଖିବେ ନାହିଁ ଏଥର ।

 

ଯୁନ୍ କଥା କହେ ନାହିଁ । ଶୁଙ୍ଘିଦେଇ ଚାଲିଯାଏ । ସ୍ତ୍ରୀ କିନ୍ତୁ ତାଙ୍କର କଡ଼ା ଉତ୍ତର ଶୁଣେଇ ଦିଅନ୍ତି । ବିନୋଦବାବୁ କହନ୍ତି, “ଆହେ, ଗୋଟିଏ କଥା କହିବି–ଖରାପ ଭାବିବ ନାହିଁ । ଏଇ କୁକୁର ମୋ’ ଇଚ୍ଛା ଅନୁସାରେ ଖାଇଲା ନାହିଁ, ମୁଁ ପଦେ କହି ତୁନିପଡ଼ିଲି । କଥା ସେଇଠି ସଇଲା । ...ଆଉ ତମେ କଥା ଉପରେ କଥା କହିବାରୁ କ’ଣ ଲାଭ ହେଉଛି ଜାଣ ? ପଡ଼ିଶା ଅଡ଼ିଶାରେ ଲୋକେ କହିବେ ସେଠି ଦି’ ଜଣଙ୍କର ପଡ଼ୁନାହିଁ । ଜଣକ ମୁହଁ ପୂର୍ବକୁ ଓ ଆଉ ଜଣକ ମୁହଁ ପଶ୍ଚିମକୁ ।

 

ସ୍ତ୍ରୀ ଗୋଇଠାଏ ଦେଇଦିଅନ୍ତି ଯୁନ୍‌କୁ । ଯୁନ୍ ଚମକି ପଡ଼େ । ଥରେ କେଁ ତାହାର ପାଟିରୁ ବାହାରିଯାଏ । ଟିକିଏ ଘୁଞ୍ଚିଯାଏ ଅନ୍ୟ ପାଖକୁ ବିନୋଦବାବୁଙ୍କର ।

 

ବିନୋଦବାବୁ ଜଳଖିଆ ଖଣ୍ଡେ ଯୁନ୍ ଆଡ଼କୁ ଫୋପାଡ଼ିଦେଇ ଗୁଣୁଗୁଣୁ ହୋଇ କହନ୍ତି “ବୁଝିଲୁ ଯୁନ୍–ସଂସାରରେ ଯେ ମୂକ ହୋଇ ରହେ ଓ ସହେ ସେ ସମସ୍ତଙ୍କଠାରୁ ଏମିତି ଗୋଇଠା ଖାଏ । ମୁଁ ଅଫିସ୍‍ରେ ବହୁତ ଖାଇଲିଣି ଓ ଖାଉଛି । ମୋଠାରୁ ଊଣା ଶିକ୍ଷିତ ଲୋକ ଉପରେ ଥିଲେ ଯେ ଗୋଇଠା ଝିଙ୍ଗାସ ଧକ୍କା ଦେଇ ଦେଇ ମୋତେ ଶିଖାଇଲେ କୁଆଡ଼େ-କେତୋଟି ନେଲେଣି ଓ କେଇଟି ବଦଳି ହୋଇଗଲେଣି । ନ୍ୟାୟରେ କି ଅନ୍ୟାୟରେ କହନ୍ତୁ, ମୁଁ ତୋରି ପରି କେବେହେଲେ ପ୍ରତିବାଦ କରିନାହିଁ । ମନକୁ ବାଧିଲେ ସାଙ୍ଗଙ୍କ ପାଖରେ ନଇଲେ ଘରେ ଆସି ‘କେଁ’ ‘କେଁ’ ହୋଇଛି ।“

 

ଆଦର ପାଇ ଯୁନ୍ ବିନୋଦବାବୁଙ୍କର ଗୋଡ଼କୁ ଚାଟୁଥାଏ ।

 

ସାନ ଭାଇ ଆସି ପହଞ୍ଚିଲା । ନୂଆ ଚାକିରି କରିଛି ଯେ ତାହାର ଅନେକ ବିଷୟରେ ମନ ବଳୁଛି । ସେ ଆସି ତାହାର ରାଗର ଗୋଟିଏ ଅଧ୍ୟାୟ ଠିଆଠିଆ କହିଗଲା ।

 

ସାନଭାଇର ଜଳଖିଆ ଆସିଲା । ବିନୋଦବାବୁ ଖାଇସାରି ବସିଥାନ୍ତି । ଅଇଁଠା ବାସନ ରହିଥାଏ ବୋଲି ଯୁନ୍‍ବି ସ୍ଥାନ ଛାଡ଼ି ନଥାଏ ।

 

ଅଧା ଖାଇସାରିଲାବେଳକୁ ଭାଇର ରାଗ କମି ଆସିଥିଲା । ବିନୋଦବାବୁ ଯୁନ୍‌କୁ ଆଉଁସି ଭାଇ ଆଡ଼କୁ ଚାହିଁଲେ । ଭାଇ କହିଲେ, ଯୁନ୍‍ଟା ବେଶ୍ ଭଲ କୁକୁରଟାଏ ହେବ ମୁଁ କହୁ ନଥିଲି ?”

 

ବିନୋଦବାବୁ କହିଲେ, “ହଁ, ଭଲ କୁକୁର ହେବ । ମା’ ପାଖରୁ ଗୋଡ଼ ଚାଟିବା ଶିଖି ଆସିଛି ବେଶ୍ । ତାହାର କିଛି ଅସୁବିଧା ରହିବ ନାହିଁ ।...ସେଇ କଥା ମୁଁ ଏବେ ଶିଖିଲି ମୋର ବାଳ ପାଚିଲାବେଳକୁ ।

 

“ରାଗିଗଲେ ମଣିଷ ଭାସିଯିବ ସଂସାରର ନିଷ୍ଠୁର ଗହଳିରେ । ସଂସାରରେ ଭଲରେ ଚଳିବାକୁ ହେଲେ ମଣିଷ ଗାଳି ଖାଇଲେବି ଦାନ୍ତ ଦେଖାଇ ହସି ଜାଣୁଥିବ ଆଉ ଖୋଜୁଥିବ ଲୋକଙ୍କର ଗୋଡ଼କୁ । ପାଇଲେ ଆଉଁସିଦବ ବୋଲି । ଯୁନ୍‍କୁ ଯେତେ ଗାଳିମାଡ଼ ଦେଲେବି ପୁଣି ପାଖକୁ ଆସି ପାଦକୁ ଚାଟି ଦେଉଛି । ସେ କ’ଣ ରାଗରୋଷ ଅଭିମାନ କରିପାରନ୍ତା ନାହିଁ । ସେ ସବୁ ଥିଲେ ସେ କ’ଣ ବଞ୍ଚିଥାନ୍ତା ?

 

“କୁକୁରର ବୁଦ୍ଧି ଅଛି । ବୁଝିବା ଶକ୍ତି ଅଛି । ଘରର ମୁରବି କିଏ ଜାଣିପାରେ, କାହାର ଗୋଡ଼କୁ ବେଶୀ ଚାଟିବା ଦରକାର ଠିକ୍ ଜାଣିଛି । ଆଦର ପାଇଲେ ପଛେ ପଛେ ଧାଏଁ । ଏତିକି ଜାଣିଛି ବୋଲି ପାଠ ନପଢ଼ି, କଥା ନକହି ଯୁଗଯୁଗ ଧରି ବଞ୍ଚିଯାଇଛି ।”

 

ସାନଭାଇର ପ୍ରବଳ ପ୍ରତିବାଦ–“କୁକୁର ହୋଇ ବଞ୍ଚିବାକୁ ହେଲେ ଏଇ ଜୀବନର ପ୍ରୟୋଜନ ନାହିଁ ।–ସଂସାରଟା ବହୁତ ବଡ଼ । ଯେ କୁକୁରପରି ଜିଇ ରହିବ ସେ ପ୍ରକାର ଲୋକଙ୍କପାଇଁ ସ୍ଥାନ ଅଛି ।’ ସ୍ଵରରେ ତାହାର ରୋଷ ‘ଯୁନ୍’କୁ ମଣିଷର ଆଦର୍ଶ କରି ରଖା ହୋଇଛି ବଡ଼ଭାଇ କଥାରେ ।

 

ବିନୋଦବାବୁ ଧୀର ଓ ଦୃଢ଼ ସ୍ଵରରେ କହିଲେ, “ଭୁଲ–ଭୁଲ । ମଣିଷ ଆଗ ବଞ୍ଚିସାରିଲେ ତା’ପରେ ମଣିଷ ହୋଇ ବଞ୍ଚେ । ଖାଲି ବଞ୍ଚିରହିବା ପାଇଁ ବଳୁଆ ହୋଇ ରହିପାରିବା ପାଇଁ ମଣିଷର ଆଦର୍ଶ ହେଉଛି ଏହି କୁକୁର–ଯୁନ୍ । ବଞ୍ଚିସାରିଲେ ତା’ପରେ ଆଦର୍ଶ ଖୋଜିବା ଦରକାର ପଡ଼ିବ ।

 

ବାପ ପୁଅ, ଭାଇ ଭାଇ, କର୍ମୀ ନେତା, ଗୁରୁ ଚେଲା, ଖାଉନ୍ଦ ଚାକର–ସବୁଠାରେ ଏହି ଗୋଟିକ ବାଟ । ଯେ ସେ ବାଟ ଚିହ୍ନେ ଶୀଘ୍ର ଉନ୍ନତ କରିଯାଏ । ସେହି ବାଟ ହେଉଛି ଉପରବାଲାଙ୍କର ବଡ଼ଙ୍କର ପାଦ ଗୋଇଠି ଚାଟିବାର ବାଟ । ସେତିକି କରିପାରିଲେ ଫଳ ଆପଣାଛାଏଁ ଆସି ହାତରେ ରହେ ।’’

 

ଯୁନ୍ ନାଁ ଶୁଣି ଥରକୁଥର କୁକୁରଟି ମୁହଁ ଟେକେ, କାନ ଠିଆ କରେ ପୁଣି ତଳକୁ କରେ-। ମଣିଷ ଦୁଇଟିଙ୍କର କଥା ବୁଝିବାକୁ ଚେଷ୍ଟାକରେ । କ’ଣ ଭାବି ଉଠିଗଲା–କୂଅମୂଳକୁ ପାଣି ପିଇବାପାଇଁ ।

 

ଯୁନ୍‌ର ଦେହ ଗୋଟାଏ କୁକୁରର ସାଇଜକୁ ଆସିଗଲାଣି । ଲୋମଗୁଡ଼ାକ ଟିକେ ଘନ ଓ ଚିକ୍କଣ ଦିଶେ । ମୁହଁଟାବି ଦେହକୁ ମନାଏ । ମଣିଷ ସାବାଳକ ହେଲେ ତାହାର ଦେହ ଓ ମୁହଁରେ ତେଜ ଫୁଟିଲା ପରି ଯୁନ୍‍ବି ନୂଆପ୍ରକାର ଦିଶେ । ତାହାର ଭୁକିବା ଗହିରିଆ ହୋଇଛି–ବୁଦ୍ଧି ମଧ୍ୟ ଟିକିଏ ସରୁ ହୋଇଛି ।

 

ଘରର ଆଉ ପାଞ୍ଚଜଣଙ୍କ ପରି ରହିବା, କରିବାର ପଦ୍ଧତି ଯୁନ୍‍ବି ଶିଖିଯାଉଛି । ତାହାର କାମ ସେ କରେ । ଆଳସ୍ୟ କି କ୍ଳାନ୍ତି ନାହିଁ । ନିଜ ଇଚ୍ଛାରେ ଗୋଟିଏ କାମ କରେ, ସେ ଖାଉନ୍ଦଙ୍କ ହତା ଭିତରୁ ବୁଲାକୁକୁରଙ୍କୁ ତଡ଼ି ବାହାର କରିବା ।

 

ଘରର ଝରକା ଭିତରୁ ନଇଲେ କୋଠାର ମେଲା ଛାତ ଉପରୁ ରାସ୍ତାରେ କି ହତାରେ କୁକୁରଟିଏ ଦେଖିଲେ ଯୁନ୍ କୁଦିହୁଏ ରାଗରେ । ସତେ କି ତାକୁ ପାଇଲେ ମାରି ଖାଇଯିବ । ମାଲିକକୁ ଦେଖାଏ ଯେ ଘରଛଡ଼ା ଆଉ ସବୁ ବାହାରର ଲୋକଙ୍କୁ ଓ ଜାତିଭାଇଙ୍କୁ ମଧ୍ୟ ଘୃଣା କରୁଛି । ସେଥିପାଇଁ ଆଉଁସା ଓ ପ୍ରଶଂସାବି ପାଏ ।

 

ବିନୋଦବାବୁ କହନ୍ତି, ମଣିଷ ଚାକିରି ନ କରି କୁକୁରମାନେ ଚାକିରି କରୁଥିଲେ ଏବେ ଗୋଳମାଳ ହୁଅନ୍ତା ନାହିଁ । ଛୋଟ ଘରୁ ଆସିଥିବା ଲୋକେ ଭଲ ଚାକିରି କରି ଜାଣୁଛନ୍ତି, ଉପରକୁ ଉଠି ପାରୁଛନ୍ତି । ଟିକିଏ ଚଳିବା ଘରୁ ଆସିବା ଲୋକଗୁଡ଼ାକ ଖାଲି ଅଫିସ୍‍ଯାକ ସମସ୍ୟାରେ ଭରପୂର କରିଦେଉଛନ୍ତି ।

 

ପଶୁଜାତିର ସୌନ୍ଦର୍ଯ୍ୟ ନେଇ ଯୁନ୍‍ବି ସୁନ୍ଦର ଦିଶୁଛି । ପିଲାଙ୍କୁ କୋଳିଗଛର ପାଚିଲା କୋଳି ଲୋଭାଇଲା ପରି ରାସ୍ତାରେ ବୁଲାକୁକୁର ଗୋଟିଏ ଅଧେ ଠିଆ ହୋଇ ଚାହିଁ ରହନ୍ତି । ତାଙ୍କର ନାକପୁଡ଼ା ଫୁଲିଉଠେ । ଯୁନ୍ ଚିତ୍କାର କରେ ରାଗରେ । ସେହି ପ୍ରତିବାଦ ନ ଶୁଣି କେହି ପାଖେଇ ଆସିଲେ ‘ଯୁନ୍’ର ସ୍ଵରରେ ଦୟା ଓହ୍ଲାଇ ଆସେ । ପାଟି କରେ ଟିକିଏ ଯାଇ ବୁଲି ଆସିବାପାଇଁ ।

 

ଘରର ଲୋକଙ୍କର କଡ଼ା ଶାସନ–ଯୁନ୍‍କୁ ବାହାରକୁ ଛାଡ଼ିବ ନାହିଁ ଏହି ଦି’ ମାସ I ବୁଲା କୁକୁରଗୁଡ଼ାକ ଶିଖେଇ ଖରାପ କରିଦେବେ ।

ଯୁଗଯୁଗ ଧରି ଏମିତି ପ୍ରବୃତ୍ତିକୁ ବନ୍ଧବାଡ଼ ଦେଇ ରୋକି ମଣିଷ ସେଥିରୁ ହୀରାକୁଦ ତିଆରି କରି ବିଜୁଳି କାଢ଼ିଛି । ଶିକ୍ଷକ ଶିକ୍ଷାମନ୍ଦିରରେ, ପୁଲିସବାଲା ରାସ୍ତାରେ, ସମାଜ ପଢ଼ି ଘରେ ଘରେ ଏମିତି ମଣିଷର ଉଚ୍ଛୃଙ୍ଖଳତାକୁ ରୋଧି ଦେଇଛନ୍ତି । ମଣିଷବି ବାନ୍ଧିଛି ପଶୁଙ୍କୁ ।

ମଣିଷଙ୍କ ପରି ‘ଯୁନ୍’ବି ଥରେ ଥରେ ସବୁ ଭୁଲିଯାଏ । ନିଜର ଖାଉନ୍ଦଘର, ଶାସନ, ଶିକୁଳି ସବୁ ଭୁଲିଯାଏ ।

ଆସିଲେ ମାଡ଼ ଖାଏ । ଶିକୁଳି ଖଟା ହୋଇ ପଡ଼ି ରହେ । ତେବେବି ବେଳେବେଳେ କରୁଣ ଚିତ୍କାର ଶୁଣାଏ । ଦୂରରୁ ବୁଲାକୁକୁର ଜବାବ ଦିଅନ୍ତି । ମଣିଷର ସମସ୍ୟା ପରି ତାହାର ସମସ୍ୟା–ତଥାପି ସେ କାହାର ଦୃଷ୍ଟି ଆକର୍ଷଣ କରେନାହିଁ ।

‘ଯୁନ୍’ ଶୋଇ ରହିଛି ଖରାରେ ବହୁତ ବେଳଯାଏ । କ୍ଳାନ୍ତ ଦିଶେ । ଯୁନ୍ ଛୁଆ କରିବ । ବହୁତ ଖାଉଛି ଘଷି ପାଉଁଶ, ଗୋବର, ମାଛକାତି ଆଦି ଅନେକ ପ୍ରକାର ପଦାର୍ଥ ।

ଯୁନ୍‌କୁ ଜଗିଥାଅ ସମସ୍ତେ–ସେ ଯେମିତି ଘର ଭିତରେ ଛୁଆ ନକରେ । ଆଉ ଯୁନ୍‌ର ଆଖି ଥାଏ ପକ୍କାଘରଟିର ଶୋଇବା କୋଠରୀର ଖଟ ତଳକୁ । କେତେ ରାତି ଉଜାଗର ରହି ସେହି ଘରକୁ ସେ ଚୋର ଉପଦ୍ରବରୁ ରକ୍ଷା କରିଛି । ତିନିବର୍ଷର ବାଛୁରୀ ଆରାମରେ ଖାଇ ଶୋଇଛି । ଘରର ଲୋକେ ନିଘୋଡ଼ ଶୋଇଛନ୍ତି । ଥଣ୍ଡା ବର୍ଷାରେ ପଦାରେ ପଡ଼ିରହି ସାରା ରାତି ଜଗିଛି ଯୁନ୍-

 

ଶହ ଶହ ବର୍ଷ ଧରି କୁକୁର ଛୁଆ କରିଛି ବର୍ଷକୁ ଦୁଇଥର । ତାହା ପାଖରେ ଛୁଆ ରହିନାହିଁ । ବିଲୁଆ, ବାଘ, ମଣିଷ ଆଦି ଥରକୁଥର ଚୋରାଇ ନେଇଛନ୍ତି । କିଏ ନେଇ ପାଳିଛି କାମରେ ଲଗେଇବ ବୋଲି ଶସ୍ତାରେ । ଆଉ କିଏ ନେଇ ତାକୁ ଭୋଜି କରିଛି । ଯୁନ୍‍ର ଇଚ୍ଛା ସେ ଘର ଭିତରେ ଛୁଆ କରିବ ।

 

ଟେବୁଲ ପାଖରେ ବସିଥିଲାବେଳେ ଯୁନ୍ ଆସି ଠିଆ ହୁଏ ବିନୋଦବାବୁଙ୍କ ଜଙ୍ଘ ଉପରେ ମୁହଁଟି ରଖି । ଦେହରେ ଶିହରଣ ଖେଳିଯାଏ । ବିଚରା ଯୁନ୍ ଆସି ଭିକ ମାଗୁଛି ଘରେ ରହିବ ବୋଲି କେଇଦିନ ।

 

କୁଆ, ବିରାଡ଼ି, ଗାଈ, ମାଙ୍କଡ଼, ଶତ୍ରୁ ସମସ୍ତଙ୍କୁ ହୁରୁଡ଼େଇଛି ଏତେ ଦିନ । ନିଜର ଶୋଇବା, ଖାଇବା କଥା ନ ଭାବି ବିନୋଦବାବୁଙ୍କ କଥା ଭାବିଛି । ତାଙ୍କ ଜୋତାରୁ ଧୂଳି ସବୁ ଚାଟି ସଫା କରିଛି ।

 

ବିନୋଦବାବୁ ସ୍ତ୍ରୀଙ୍କୁ ଡାକି କହନ୍ତି, ହେଇ ଦେଖ, ‘ଯୁନ୍ ଘର ଭିତରେ ବହୁତ ବୁଲିଲାଣି, ଜଗିଥିବଟି–ନଇଲେ ସେ ଛୁଆ କରି ପରା ଘରଟାକୁ ମାଡ଼ି ବସିବ–କାହାକୁ ଛାଡ଼ିବ ନାହିଁ ।’

 

‘ଅଜାତିଆ ଛୁଆଗୁଡ଼ାକ ହେବେ–ପଦାରେ କେଉଁଠି ସେଗୁଡ଼ାକ ହୋଇ ଚଞ୍ଚଳ ମରିହଜିଗଲେ ଛୁଟି । ସେ କେଇଦିନ ଯୁନ୍ ଘରକୁ କ’ଣ ଜଗିବ ? ଖାଲି ଗୁଡ଼ାଏ ଲେଖାଁ ଖାଇବ ଯାହା ।

 

ଛାଞ୍ଚୁଣିର ଧମକରେ ଯୁନ୍ ବାହାରିଯାଏ ପଦାକୁ । ଚାକରର ସ୍ଥାନ ସବୁଦିନେ ଏମିତି ପଦାରେ । ଯେଉଁ ମିସ୍ତ୍ରି ଘର ତିଆରି କରେ, ଯେଉଁ ବଢ଼େଇ ସାଜସରଞ୍ଜାମ ବନାଏ, ଯେଉଁ ଗୁଡ଼ିଆ ମିଠେଇ ଛାଣେ ସେମାନେ ସେତିକି ଭୋଗ କରନ୍ତି ନାହିଁ । କର୍ମୀ ଦେଶକୁ ଗଢ଼ିଦିଏ, ନେତା ହୁଏ ସେଠା ରାଜା । ଚାକର ଯାହା କରୁ ନା କାହିଁକି ଘରର ସେ କେହି ନୁହେଁ, ସେ ଘରର ଚାକର; ଦେଶର ଚାକର, ନେତାଙ୍କ ଚାକର; ବଡ଼ ଅଫିସରଙ୍କର ଚାକର ଓ ବଡ଼ ଧନିକର ଚାକର । ତାହାର ସ୍ଥାନ ଯେଉଁଠି ଥିଲା ସେଇଠି ରହେ ।

 

ଆଉ ଲୋକେ ଚାକରକୁ ଭଲ ପାଆନ୍ତି; ବିନୋଦବାବୁଙ୍କ ଘରେ ସମସ୍ତେ ଯୁନ୍‍କୁ ଆଦର କଲାପରି ।

Image

 

ମ୍ଳେଚ୍ଛ ନିଧନ

ରାଜକିଶୋର ରାୟ

 

ବାଘ ହେଣ୍ଟାଳ ଦେଉଛି….

 

ହାତୀ ବନସ୍ତ ଥରାଉଛି....

 

ଆଉ ଯେତେକ ନିଶାଚର ପଶୁପକ୍ଷୀ, ଅରଣ୍ୟକ ଓ ହିଂସ୍ର, ସମସ୍ତେ ଜାଗ୍ରତ ଏଇ ନିଶାର୍ଦ୍ଧରେ...

 

କୋରାପୁଟ, ଗୁଣୁପୁର ଓ ରାୟଗଡ଼ାର ଜଙ୍ଗଲ...ଅସୂର୍ଯ୍ୟ ପଶ୍ୟ, ବିରାଟ, ନିସ୍ତବ୍ଧ ।

 

ଅରଣ୍ୟର ଏକ ଶକ୍ତି ଅଛି, ଅଛି ଆତ୍ମା, ବନସ୍ପତି ଉଠିଯାଇଛି ଆକାଶଚୁମ୍ବୀ । ନିର୍ଝର ଝରିଯାଇଛି ଶୈଳଶିଖରୁ...ଶାଳବନର ଶୋଭା...ସବୁ ଯିମିତି ଆଜି ନିରୀକ୍ଷଣ କରୁଛନ୍ତି ରାମା ରାଓକୁ...

 

ଏ ରାମା ରାଓ କିଏ ? ସେ ଜନ୍ମ ନେଇଛି କେଉଁଠି ? କ’ଣ ତା’ର ବ୍ୟବସାୟ, କିଏ ତା’ର ଜନକ ଜନନୀ ? ଅଥଚ ଏହାର ଉତ୍ତର କିଛି ନାହିଁ ।

 

ସେ ଏହି ନିଶାର୍ଦ୍ଧରେ ଚାଲିଛି କୋରାପୁଟ ନିଘଞ୍ଚ ଜଙ୍ଗଲରେ । ନିଜର ପ୍ରାଣଟାକୁ ହାତମୁଠାରେ ରଖି ସେ ଦେଖୁଛି ତା’ର କାଳ ଶେଷ ହୋଇଆସୁଛି । ଆସିବା ପୂର୍ବରୁ ସେ କିଛି କରିଯିବ ଏ ସଂସାରରେ ଯାହାପାଇଁ ସେ ସୌଖୀନ ମଣିଷ ପାଖରେ ହେବ ଘୃଣିତ, ଆଉ କୋଟି କୋଟି ଶୋଷିତ ମଥିତ ଦଳିତ ପ୍ରାଣୀ ନିକଟରେ ସେ ହେବ ତ୍ରାଣକର୍ତ୍ତା ।

 

ସେଇ ନିରନ୍ନ ଆଦିବାସୀ ଗାଁର ମୁଣ୍ଡିଆ ପାଖ ମହୁଲ ଗଛତଳେ ରାମା ରାଓ ଶୋଇପଡ଼ି ସ୍ଵପ୍ନ ଦେଖୁଛି ।

 

–ମାଆ ଖାଇବାକୁ ଦେ ।

 

–‘ନାହିଁ ବାପ !’

 

–‘କିଛି ନାହିଁ ।’

 

‘ମୁଁ ମେହନତ୍ କରିବି, କିଏ କାମ ଯୋଗାଇଦିଅ ।’

 

‘ତା’ବି ନୁହେଁ; କାରଣ ଗୋଟିଏ କାମକୁ ହଜାରେ ଟଙ୍କା ଲାଞ୍ଚ ।’

 

‘ମୋର ଜମିବାଡ଼ି କାହିଁ ?’

 

‘ସାହୁକାର ନେଇଯାଇଛି ।’

 

‘ମୁଁ ବଞ୍ଚିବି କେମିତି ?

 

‘ଅଦରକାରୀ ଜୀବଗଣ ମରିଗଲେ ଭଲ; କେହି ଲୁହ ଗଡ଼ାଇବେ ନାହିଁ କି ଆହା କରିବେନି । କାରଣ ରାମା ରାଓ ଭଳି ମଣିଷ ଜନ୍ମନିଏ ଦରିଦ୍ରତାର ପଚା ଶଢ଼ା ପତିଭିତରୁ...ମରେ, ଯେମିତି ମରିଯାଏ କୁକୁରଟା ଲାଠିମାଡ଼ ଖାଇ ଅହେତୁକ ଭାବରେ । ଏ ଜଘନ୍ୟ ଜନ୍ମ ଓ ମୃତ୍ୟୁକୁ ଯିଏ ବିଧାନ କରୁଛି, ସେ ଈଶ୍ଵର ନୁହନ୍ତି । ସେ ଏଇ ମଣିଷ ଯାହାର ମଥା ଉପରେ ସୂର୍ଯ୍ୟ ଶଶୀ ତାରା କିରଣ ଢାଳନ୍ତି । ଯାହାର ପାଦତଳେ ଲିପିହୋଇଯାଏ ଚନ୍ଦନ ଅଗୁରୁ । ଯିଏ ବଞ୍ଚିଛି ଅନ୍ୟର ମରଣ ଉପରେ ।’

 

ରାମା ରାଓ ସ୍ଵପ୍ନ ଦେଖୁଛି–ଅଶରୀରୀ ତା’ର ପିତାର ପ୍ରେତାତ୍ମା ଚାହୁଁଛି ରକ୍ତ ସେଇ ଗୌନ୍ତିଆ ସାହୁକାରର, ଯିଏ ତାକୁ ଶାଳବନର ଗୋଟିଏ ପ୍ରାନ୍ତରେ ହତ୍ୟା କରିଥିଲା । କାରଣ ହତ୍ୟା କରିବାକୁ ସେ ସୁଖ ପାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷ ତାହାର ଭାରି ପ୍ରିୟ-

 

ପାଠ ପଢ଼ିବି ସେ ପାଇ ନଥିଲା ସମାଜରେ ସ୍ଵୀକୃତି । ଅତ୍ୟାଚାର, ଶୋଷଣ, ନିଦାରୁଣ ଲାଞ୍ଛନା ଭିତରେ ଏକା ରାମା ରାଓ ନୁହେଁ, ଅଗଣିତ ରାମା, ଶ୍ୟାମା, ରାଓ, ପଟ୍ଟନାୟକ, ମିଶ୍ର, ନାୟକ, ସାହୁ ମଣିଷ ଜୀବନରେ ଅଭିଶାପ ବହନ କରି ପଥ ଚାଲୁଛନ୍ତି...କିଏ ହତାଶାରେ ଭାଙ୍ଗିପଡ଼ି ଅଦୃଷ୍ଟଲିପି ଭାବି କୂର୍ମ ଭଳି ଅବୟବ ସହିତ ବିଚାର ବୁଦ୍ଧି ଓ ପ୍ରଜ୍ଞାକୁ ସଂକୁଚିତ କରିନେଉଛି, କିଏ ବା ଏସବୁ ଅକଥନୀୟ ସାମାଜିକ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ଅବଶେଷରେ ଶକ୍ତିଶାଳୀ ପୁଞ୍ଜିପତିର ଆଘାତରେ ଶେଷ ହୋଇଯାଇଛି ।

 

ରାମା ରାଓ ଚିତ୍କାର କଲା–

 

‘ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବି ।’

 

‘ନା, ତା’ ହେବ ନାହିଁ । ତା’ ଆଗରୁ ଶିବଶିଷ୍ୟ ନନ୍ଦୀ ଭୃକୁଟୀଙ୍କୁ ତୋଷ କରିବାକୁ ହେବ-।’

 

–ମୁଁ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯିବି...ମୋତେ ଦେଖାଇ ଦିଅ ସେ କେଉଁଠାରେ ଅଛନ୍ତି ।’

 

‘ନା, ତା’ ହେବନି, ବିଶେଷଜ୍ଞ ଅଜ୍ଞ ନୁହଁନ୍ତି । ବିଶେଷ ଜ୍ଞାନ ଥିବାରୁ ସେ ବିଶେଷଜ୍ଞ; ଆଉ ତାକୁ ଏହି ଜ୍ଞାନ ଆହରଣ କରିବାକୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ସେ ଟଙ୍କାର ମୂକ ଓ ସୁଧ କ୍ରମେ ବେଶୀ ହେଉଛି । ତୁମେ କିଛି ଟଙ୍କା ଦିଅ । ତୁମେ ତାଙ୍କୁ ପାଇବ ।’

 

–‘ମୁଁ ପୁଲିସ୍ ସାହାଯ୍ୟ ମାଗୁଛି, ମତେ ମୋ ସାହିବାଲା ଏକଘରକିଆ କରି ରଖିଛନ୍ତି; କାରଣ ମୁଁ ଜଣେ ବାଳିକାକୁ ଆଶ୍ରୟ ଦେଇଛି, ଯାହାକୁ ପଡ଼ାର ଦୁର୍ବୃତ୍ତମାନେ ଆଶା ରଖିଥିଲେ ।’

 

‘ପୁଲିସ୍ ସାହାଯ୍ୟ ଏମିତି ମିଳେନି...ଯେଉଁମାନେ ଏ ବିଷୟରେ ଅଭିଜ୍ଞ, ତାଙ୍କୁ ପଚାର ।’

 

‘ତେବେ ମୁଁ ସମ୍ବାଦପତ୍ରରେ ଏ କଳଙ୍କିତ ସମାଜର ଜଘନ୍ୟ ବ୍ୟାପାର ଛପାଇଲି–’

 

“ହାଃ ହାଃ କେହି ଛପାଇନି, କାରଣ ତୁମେ ବ୍ରାହ୍ମଣ ନୁହ । ତୁମେ ମାତ୍ର ରାମା ରାଓ, ବର୍ଣ୍ଣହୀନ ଅବର୍ଣ୍ଣ । ବ୍ରାହ୍ମଣ ହୋଇଥିଲେ ତୁମକୁ ଅନୁରୋଧ କରିବାକୁ ପଡ଼ନ୍ତା ନାହିଁ । ଛାପା ହୁଅନ୍ତା–‘ବିରାଟ ସଭାରେ ରାମଚନ୍ଦ୍ର ମିଶ୍ର ତାଙ୍କର ଓଜସ୍ଵିନୀ ଭାଷାରେ ସମସ୍ତଙ୍କୁ ଚମତ୍କୃତ ଓ ସ୍ତବ୍ଧ କରିଦେଲେ–ଏଥିସହିତ ଆବକ୍ଷ ତୁମର ଆଲୋକଚିତ୍ର ମୁଦ୍ରିତ ହୋଇଥାନ୍ତା । ଏହାକୁ ଜାତିଆଣ ଭାବ କହନାହିଁ ବନ୍ଧୁ ! ଏହା ଏ ଜାତିର ଐଶ୍ୱର୍ଯ୍ୟ ।”

 

ରାମା ରାଓ ପ୍ରଥମେ ଥିଲା ଓଡ଼ିଆ, ପରେ ହେଲା ତେଲେଙ୍ଗା । ପୂର୍ବପୁରୁଷଗଣ ପରପୁରୁଷରେ ଏଣ୍ଡୁଅ ବର୍ଣ୍ଣ ବଦଳାଇବା ଭଳି ରୂପାନ୍ତରିତ ହେଲେ; ତଥାପି କୈବଲ୍ୟ ମିଳିଲା ନାହିଁ-। ରାଓ ପଟ୍ଟନାୟକ ବଂଶୀରେବି ବାଜଣା ବାଜିଲା ନାହିଁ ।

 

ଗୋଡ଼ର ଚଟି ଛିଣ୍ଡିଲା...ଦର୍ଶନର ଛାତ୍ର ରାମା ରାଓ କାଣ୍ଟ୍, ବର୍ଗସ, ରାଧାକୃଷ୍ଣନ୍, ଶଙ୍କରାଚାର୍ଯ୍ୟ ବାଟ ଦେଇ ମହାତ୍ମା ଗାନ୍ଧି ପର୍ଯ୍ୟନ୍ତ ଚାଲିଆସିବାରେ ବୈଷମ୍ୟ ଭିତରେ ଭାରତୀୟ ଐକ୍ୟ ସନ୍ଧାନ କରୁ କରୁ ପ୍ରଥମେ ପ୍ରଥମେ ଦୁଇ ଦିନ ଦୁଇ ରାତି ଉପାସ ରହିଗଲା ।

 

ତୁମେ ଜାତିରେ କ’ଣ ?

 

ଆଗ ଆମେ କରଣ ଥିଲୁ ।

 

ଏବେ ? .....ତେଲଗୁ ।

 

କାହିଁକି ତେଲଗୁ ହେଲ ? ...ବାପା ଜାଣିଥିବେ ।

 

ସାକ୍ଷାତକାରର ନମୁନା ଏହା; ଚାକିରି ମିଳିଲା ନାହିଁ । ରାମା ରାଓର ଘର ନାହିଁ, ବନ୍ଧନ ନାହିଁ; ପେଟ ଅଛି, ଦାନା ନାହିଁ । ଅଛନ୍ତି କିଏ ? ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ....କେହି ସେରେ ଚାଉଳ ଦେଇପାରିଲେ ନାହିଁ ରାମା ରାଓକୁ ତା’ର ଉଦର ପୂର୍ଣ୍ଣ କରିବାପାଇଁ-

 

ତିନିଦିନ ଉପାସ ପରେ ଗୋଟିଏ ଦିବସର ମଧ୍ୟଭାଗରେ ରାମା ରାଓ ଶପଥ ନେଲା–

 

ମୁଁ ମଣିଷ ହେବିନି, ମୁଁ ହେବି ପଶୁ । ମୋର ବାସସ୍ଥଳ ଏଣିକି ହେବ ଅରଣ୍ୟ, ମୋର ବନ୍ଧୁ ହେବେ ବନଜୀବୀ ଆଦିବାସୀ; ମୋର ମିତ୍ର ଆଜିଠାରୁ ଏଇମାନେ.....

 

ବିଦେଶର ଚିନ୍ତା ଦେଇଗଲା ରାମା ରାଓ ହାତରେ ଦୁଇଟା ପିସ୍ତଲ, ଗୁଡ଼ାଏ ଗୁଳି, ଗୋଟିଏ ବର୍ଛା; ଆଉ ଗୁଡ଼ାଏ ଚେତନା । ସବୁ ଜିନିଷ ଉପରେ ଲେଖାଥାଏ ଉକ୍ତ ସଂକେତ । ଏଇ ନିଶାଣ ସାହାଯ୍ୟରେ ମଣିଷ ଯଦି ଶପଥ ନେଇ କାର୍ଯ୍ୟ କରେ, ତେବେ ସେ ହେବ ସୁଖୀ । ତାକୁ କେହି ଶୋଷଣ କରିବେ ନାହିଁ କି ଅପମାନ ଦେବେ ନାହିଁ । ସେ ହେବ ଜ୍ଵଳନ୍ତ ଅଗ୍ନି ପିଣ୍ଡ....ସେଠାରେ ସାଲିସ୍ ନାହିଁ; ଧର୍ମଗ୍ରନ୍ଥ ଛୁଆଁଇ ‘ଭଲ ପିଲା’ ହୁଅ ବୋଲି କେହି ନିଜ ଶୁଆଗୀତ ଗାଇଲେ ନାହିଁ ।....ରାମା ରାଓ ହତ୍ୟାକଲା ଧନପତି ସାହୁକାରକୁ, ଖୁନ୍ କଲା ପୁଲିସ୍‌କୁ, ଗାଁ ପୋଡ଼ିଲା; ସହର ଜାଳିଲା, ନିର୍ବିଚାରରେ ସେ ହିଂସାକୁ ଗ୍ରହଣ କରିନେଲା ଶାଶ୍ଵତ ସତ୍ୟ ଭାବରେ....ସେ ଏକଥା ନୁହେଁ, ଶହ ଶହ ରାମା ରାଓ ଆଖି ପିଛୁଳାକେ ପ୍ରଳୟଙ୍କର ଝଡ଼ ସୃଷ୍ଟି କଲେ । ସମାଜର ଆତଙ୍କ ହେଲେ ସେମାନେ ।

 

ଏଇମାନେ ସ୍କୁଲ୍‍ରେ ହେଲେ ଶିକ୍ଷକ, କଲେଜରେ ଅଧ୍ୟାପକ, ସେକ୍ରେଟାରିଏଟରେ ଗୋପନରେ ରହିଲେ । ସବୁ ସଂସ୍ଥାରେ ସେମାନେ ଅସନ୍ତୋଷର ବୀଜବପନ କଲେ । ଯୋଗାଯୋଗ ରଖୁଛନ୍ତି ଏମାନେ ସବୁଆଡ଼େ ସ୍ଵଦେଶରେ ଓ ବିଦେଶରେ ।

 

କୋରାପୁଟ ଜଙ୍ଗଲରେ ରାମା ରାଓ ଓ ତା’ର ସାଥୀଙ୍କର କୃଷ୍ଣବର୍ଣ୍ଣ ତମ୍ବୁ ଉପରେ ଯେତେବେଳେ ପୁଲିସ ପକ୍ଷରୁ ରାଇଫଲରୁ ଗୁଳି ଚାଲେ, ସେତେବେଳେ ରାମା ରାଓର ହାତରେ ଥିଲା ବାପୁଜୀଙ୍କର ଛୋଟ ଏକ ଚିତ୍ର । ସେ ସେଇଟିକୁ ନିଜ ନେତ୍ରବାରିରେ ଥରକୁଥର ପୋଛି କହୁଥିଲା–

 

“ବାପୁ ମୁଁ ଶେଷରେ ପାରିଲି ନାହିଁ, ତୁମର ନୀତି-ନିୟମ ମାନି ମୁଁ ବହୁବର୍ଷ ଅକଥନୀୟ ଅତ୍ୟାଚାର ସହିଗଲି ସେମାନଙ୍କଠାରୁ–ଯେଉଁମାନଙ୍କୁ ତୁମେ କରିଥିଲ ଶିଷ୍ୟ ଓ ଭାବିଥିଲି ସେହିମାନେ ମଣିଷର ଦୁଃଖ ଅପହରଣ କରି ରାଜ୍ୟ ପ୍ରତିଷ୍ଠା କରିବେ; ମାତ୍ର ସେଇ କଳଙ୍କିତ ଚରିତ୍ରର ମଣିଷଗୁଡ଼ାକ ନିଜ ସ୍ଵାର୍ଥକୁ ଆଗରେ ରଖି ଦେଶର ସ୍ଵାର୍ଥକୁ ମାଡ଼ିମକଚିଦେଲେ । ତାଙ୍କର ସ୍ତ୍ରୀ ହାଟକବରଣୀ ହୋଇ ନାଟ କଲେ ଓ ପରମପୂଜ୍ୟା ହେଲେ । ତାଙ୍କର ପୁଅ ମହାର୍ଘ ବ୍ୟୟବହୁଳ ଶିକ୍ଷା ପାଇ ମଣିଷ ହେଲେ । ତାଙ୍କରି କୋଠାଘର ରାଜଧାନୀର ସବୁଠାରୁ ଉତ୍କୃଷ୍ଟ ସୌଧ । ଦୁଇ ପୁରୁଷଯାଏ ବ୍ୟାଙ୍କ୍‍ରେ ଯାହା ରଖିଗଲେ, ତାହା ଶେଷ ହେବନି । ଆଉ ମୋ ଭଳି ସଚ୍ଚା, ଅହିଂସ ସତ୍ୟାଗ୍ରହୀ, ତା’ର ପିଲାଏ ଔଷଧ ପାଇଲେନି, ଶିକ୍ଷା ପାଇଲେନି, ସବୁଆଡ଼େ ସେମାନେ ହେଲେ ଲାଞ୍ଛିତ । ତୁମେ କିନ୍ତୁ ବାପୁ, ଏଭଳି ସମାଜ ଗଠନ କରିବାକୁ ଏ ଦେଶକୁ ସ୍ଵାଧୀନ କରି ନଥିଲ ।

 

“ମୁଁ ଜାଣେ ଆଉ ଦୁଇ ମୁହୂର୍ତ୍ତ ଭିତରେ ପୁଲିସବାହିନୀ ମୋ ଉପରେ ଝାମ୍ପଦେବେ । ମୁଁ ଯେଉଁ ବିପ୍ଳବର ଆଦ୍ୟ ଝଡ଼ ଉଡ଼ାଇଛି ତାହା ବନ୍ଦ ହେବନି । ମୋର ସାଥୀମାନେ ରକ୍ତବାହୁର ଦଳ-। ସେମାନେ ସମସ୍ତେ ପ୍ରଥମ ଜୀବନରେ ଥିଲେ ସତ୍ୟ ଓ ଅହିଂସାର ଉପାସକ । ଆଜି କିନ୍ତୁ ସେ ପଥରେ ସେମାନେ ବିଶ୍ଵାସୀ ନୁହନ୍ତି । ଗୋଟିଏ କଥା କହିଦେଇଯାଏ, ଏସବୁ ଅଭିଶାପର ମୂଳ ଆପଣଙ୍କ ହାତ ତିଆରି ତଥାକଥିତ ଜନକଲ୍ୟାଣ କର୍ମୀଗୋଷ୍ଠୀ, ଯିଏ ବାହାରେ ସୁଚତୁର ତିଳକମାର୍କା ବୈଷ୍ଣବ ସାଜିଲେବି ଭିତରେ ସେମାନେ ଧର୍ମଦ୍ରୋହୀ ଓ ଜନଦ୍ରୋହୀ । “ମୁଁ ଜାଣେ ତୁମର ବହୁ ପୂଜାର୍ଘର ମୂର୍ତ୍ତି ଏବେ ଖଣ୍ଡ-ବିଖଣ୍ଡିତ ହୋଇଛି । ମୁଁ ଦୁଃଖିତ, ମାତ୍ର ମହାକାଳର ଚକ୍ର ଘୂରୁଛି ଶାଶ୍ଵତ ବିବର୍ତ୍ତନ ପଥରେ–ଯଦି ପାର ତୁମର ବିଖଣ୍ଡିତ ଅବୟବଗୁଡ଼ାକ ଏକତ୍ର କରି ପୁଣି ଥରେ ମାଟିର ଧରଣୀ ପୀଠ ଉଠିଆସ, ସେତେବେଳେ ପୁଣି କି ଦର୍ଶନ ଦେବ, ତାହା ତୁମର ଧ୍ୟେୟ ହେଉ....”

 

ଏହି ପ୍ରାର୍ଥନା ପରେ ଗୋଟିଏ ମାତ୍ର ପିସ୍ତଲ ଗୁଳିରେ ରାମା ରାଓର ବକ୍ଷ ବିଦୀର୍ଣ୍ଣ ହୋଇଯାଇଥିଲା । ତାଆରି ପାଖରେ ପଡ଼ିଥିଲା ଚୂର୍ଣ୍ଣବିଚୂର୍ଣ୍ଣ ଗାନ୍ଧି ଫଟୋ...ପୁଲିସ୍‌ ଅବାକ୍ ହେଲେ–ରାମା ରାଓ ବିପ୍ଳବୀ, ହିଂସାରେ ବିଶ୍ଵାସୀ, ଅଥଚ ତା’ ପାଖରେ ବାପୁଜୀଙ୍କର ଚିତ୍ର.... ?

 

ସେତେବେଳେ ଅରଣ୍ୟରୋଦନ କରିଥିଲା; ସେଇ ନିଘଞ୍ଚ କୋରାପୁଟର ଶୈଳମଥାନଶୋଭିତ ଅରଣ୍ୟ; ସେ ବୋଧହୁଏ ସତ୍ୟକୁ ଅନ୍ଵେଷଣ କରୁଥିଲା ।

Image

 

ମୁଁ ପାରିବି

କିଶୋରୀଚରଣ ଦାସ

 

ସେ ପ୍ରଥମେ ହାତଯୋଡ଼ି ନମସ୍କାର କଲେ; କିନ୍ତୁ ତାଙ୍କ ମୁହଁରେ ଗୋଟିଏ ଦାମ୍ଭିକତା ଥିଲା । ସେଥିରୁ ମନେ ହେଉଥିଲା ଯେ ସେ ପ୍ରାର୍ଥୀ ନୁହନ୍ତି । ମୁଁ ତାଙ୍କୁ ପାଖ ଚଉକିରେ ବସିବାପାଇଁ ଅନୁରୋଧ କଲି ।

 

ତାଙ୍କର ରୁକ୍ଷ ଚେହେରା ଓ ଶୁଶ୍ରୂଳ ମୁହଁ । ସେ ରୁକ୍ଷତାରେ ଦୈନ୍ୟ ନାହିଁ । ଅଯତ୍ନର କ୍ରୋଧ ଥିଲା ପରି ଲାଗୁନାହିଁ । ଧାରଣା ହେଉଛି ଯେ ରୁକ୍ଷତା ତାଙ୍କର ନିଜସ୍ଵ–ପାହାଡ଼ର ପଥର–ଗୁଣ, ଜଙ୍ଗଲର ଅସଂଯମତାକୁ–ସାଉଁଳିବାର, ସଜାଇବାର ଦୁଃସାହସ କାହାର ନାହିଁ ।

 

ତାଙ୍କର ମୁଣ୍ଡବାଳ କହରା, ଗୋଟିଗୋଟିକିଆ; ବୋଧହୁଏ ତେଲ କିମ୍ବା କ୍ରିମ୍ ଲାଗିନାହିଁ କେବେହେଲେ ଏବଂ ମନେହେଉଛି ଯେ ସେହି ଋଷିଗଣ ସଦଳବଳେ ଓ ଅଦମ୍ୟ ଉତ୍ତେଜନାରେ ଉଠିଆସିଛନ୍ତି ତାଙ୍କ ବଡ଼ ମୁଣ୍ଡର ପହରା ଦେବାପାଇଁ । ଆଗନ୍ତୁକ ସେହି ପ୍ରଚୁରତାରେ ହାତ ବୁଲାଇ ଆଣିଲେ, ତାଙ୍କ ଭାରୀ ଆଖିପତାର ଦୃଷ୍ଟି ମୋ ଆଡ଼କୁ ଦେଲେ ଓ କହିଲେ, “ମୁଁ ଆପଣଙ୍କୁ ଜାଣିଛି-।”

 

ଚାହାଣିରେ ଅସାଧାରଣ ଏକାଗ୍ରତା । ଯେପରିକି ସେ ତୁମ ସମ୍ପୂର୍ଣ୍ଣ ମନର ଉତ୍ତର, ପ୍ରତିକ୍ରିୟା ଚାହାନ୍ତି । ଅନ୍ୟମନସ୍କ ହୋଇଯିବାର ଉପାୟ ନାହିଁ ।

 

ହୁଏତ ମୁଁ ତାଙ୍କୁ ଦବେଇଦେଇ କହିପାରିଥାଆନ୍ତି–କୁହନ୍ତୁ, ଯାହା କହିବାର ଅଛି ଶୀଘ୍ର କୁହନ୍ତୁ । କିନ୍ତୁ ମୁଁ ସେମିତି କହିଲି ନାହିଁ । କାରଣ ମୋର ମଧ୍ୟ ତାଙ୍କୁ ଜାଣିବାର ଇଚ୍ଛା ହେଲା ।

 

ମୁଁ ସିଧାସଳଖ ତାଙ୍କର ନାଁ ଗାଁ ପଚାରିଲି ନାହିଁ । ତା’ଠାରୁ ଭଲ ହେବ ମୁଁ ତାଙ୍କ କଥା ଶୁଣିଯିବି; ଧୀରେ ଧୀରେ ତାଙ୍କର ଉଦ୍ଦେଶ୍ୟ ଓ ପରିଚୟ ଫୁଟିଉଠିବ ।

 

ସେ କହିଲେ, “ମୁଁ ଆପଣଙ୍କର ସୁନାମ ଶୁଣିଛି, ଶୁଣିଛି ଆପଣ କେମିତି ଖରାତରାରେ ଗାଁ ଗଣ୍ଡା ବୁଲୁଛନ୍ତି; ଲୋକମାନଙ୍କ ଅଭାବ ଅସୁବିଧା ବୁଝୁଛନ୍ତି । ଏ ଅଞ୍ଚଳକୁ ଏମିତିକା ଅଫିସର ଆଗରୁ କେହି ଆସି ନଥିଲେ ।

 

ମୁଁ ନିଜ ପ୍ରଶଂସା ଶୁଣି ଟିକିଏ ଅପ୍ରତିଭ ହୋଇଗଲି । ଏହି ଦିଗରେ ଆଉ କିଛି କହିବାକୁ ବାରଣ କରିବାକୁ ଯାଉଛି, ଏହି ସମୟରେ ଦେଖିଲି ଯେ ତାଙ୍କ ମୁହଁ ହଠାତ୍ ଭାରାକ୍ରାନ୍ତ ହୋଇଗଲା । ସେଥିରେ ସନ୍ଦେହ, ନିରାଶା ଓ ପ୍ରଶ୍ନବାଚକଚିହ୍ନ । ସେ ଖସିଆସିଥିବା ଏଣ୍ଡି ଚାଦରଟିକୁ କାନ୍ଧଉପରକୁ ନେଲେ । ଟେବୁଲ୍ ଉପରେ ଥିବା ଗୋଟିଏ ପେପର୍‍ୱେଟ୍‍କୁ ଦୁଇହାତରେ ମୁଠେଇ ଧରିଲେ । ମୁଁ ଭାବିଲି ଯେ ସମୟ ନେଉଛନ୍ତି, ତାଙ୍କ ମନକଥା ମୋତେ କହିବେ ।

 

ତାଙ୍କର ରୁକ୍ଷ ପ୍ରଶସ୍ତ ମୁହଁ ପାଖେଇ ଆସିଲା । ତାଙ୍କ ଚାହାଣି ମୋର ସମସ୍ତ ବ୍ୟକ୍ତିତ୍ଵକୁ ମାପଚୁପ କଲା ପରି ମନେହେଲା । ତା’ପରେ ସେ ଧୀର ଗଳାରେ କହିଲେ, “କିନ୍ତୁ ଆପଣ ପାରିବେ ?”

 

ତାଙ୍କର ଆନ୍ତରିକତା ମୋତେ ବାଧିଲା । ମୋତେ ବାଧିଲା ଯେ ସେ କେବଳ କହିବାପାଇଁ କହୁନାହାନ୍ତି, ଢଙ୍ଗ କରୁନାହାନ୍ତି । ମୋର ରାଗିବାକୁ ଇଚ୍ଛା ହେଲା । ସେ କିଏ ? ମୋ ବାପା, ନା ମୋ ନେତା ?

 

ତା’ପରେ ସେ ଚଉକିରେ ଆଉଜିଗଲେ ଓ ସଦୟଭଙ୍ଗୀରେ କହିଲେ, “ଆପଣ ପାରିବେ ନାହିଁ ।”

 

ମୋତେ କଥାଟା ବୁଝିବାକୁ ସମୟ ନଦେଇ ସେ କହିଲେ, “ଆପଣଙ୍କର ବଳବୟସ ଅଛି, ଉତ୍ସାହ ଅଛି; କିନ୍ତୁ ଏ ଦେଶର ପାପ ହଜାର ହଜାର ବର୍ଷର ବୁଢ଼ା, ସେ ସହଜେ ଚଙ୍କିବ ନାହିଁ-। ବୁଦ୍ଧଙ୍କଠାରୁ ଆରମ୍ଭ କରି ଗାନ୍ଧିଜୀ ପର୍ଯ୍ୟନ୍ତ କେତେ ମହାତ୍ମା ଚେଷ୍ଟା କରି ଯାଇଛନ୍ତି; କିନ୍ତୁ ସେ ଅଥର୍ବ ବୁଢ଼ାର କିଛି କ୍ଷତି ହୋଇନାହିଁ । ସେ ସେମିତି ବସିରହିଛି, ନିର୍ଲଜ୍ଜ ମୁହଁରେ ହସୁଛି ଓ କହୁଛି, ମୁଁ ଆହୁରି ବୁଢ଼ା ହେବି, ଆହୁରି ବଞ୍ଚିବି । ....ଆପଣ ପାରିବେନାହିଁ । ସେ ପାପ ଆମ ସମସ୍ତଙ୍କର ପାପ...ସ୍ୱାର୍ଥପରତା ।’’

 

ସ୍ଵାର୍ଥପରତା । ମୋର ମନେହେଲା ସେହି ଶବ୍ଦର ସଙ୍ଘାତ ମୁଁ ଶୁଣି ପାରୁଛି, ମୋର ଅଫିସ୍–ଟେବୁଲ, ନିଷ୍ପତ୍ତି ଅପେକ୍ଷାରେ ପଡ଼ିରହିଥିବା ଫାଇଲ୍ ଓ କାଗଜ କଲମ, ଡେସ୍କକ୍ୟାଲେଣ୍ଡର, ମୋର ହାକିମଗିରିରେ ସମସ୍ତ ପ୍ରତୀକ ସେହି ଶବ୍ଦରେ ପ୍ରତିଧ୍ଵନିତ ହେଉଛନ୍ତି । ଆତ୍ମରକ୍ଷାର ପ୍ରବୃତ୍ତିରେ ମୁଁ ଗୋଟିଏ ସୁଲଭ ଇଂରେଜୀ ଶବ୍ଦ କହିଲି–ୱେଲ ! ଅର୍ଥାତ୍ ତାଙ୍କ କଥା ସତ, ସେଥିପାଇଁ ଆମେ ସମସ୍ତେ ଦାୟୀ;–କିନ୍ତୁ କ’ଣ କରାଯିବ ?

 

ସେ ପୁଣି କହିଲେ, ସ୍ଵାର୍ଥପରତା ଆମର ଅସ୍ଥିମଜ୍ଜାଗତ । ବିଦେଶୀ ଶାସନକୁ ତଡ଼ିବାପାଇଁ ଆମେ କିଛିଦିନ ଏକାଠି ହୋଇଥିଲୁ । ଆପଣ ସ୍ଵାର୍ଥ ଭୁଲିଯାଇ ଦେଶ ଓ ଦଶର ମଙ୍ଗଳପାଇଁ କଷ୍ଟ ସହିଥିଲୁ । କିନ୍ତୁ ବର୍ତ୍ତମାନ ମନେହେଉଛି ଯେ, ଆମେ ଏକାଠି ହୋଇ ନଥିଲୁ, ଆମର ଛୋଟଲୋକ ସବୁ ଏକାଠି ହୋଇଥିଲା । ଆମର ବଡ଼ପଣ କେବେ ନଥିଲା କି ନାହିଁ ।’’

 

ମୁଁ ମୋର ସିଗାରେଟ ପ୍ୟାକେଟ୍ ଖୋଲିଲି । ନିଜେ ନେବା ଆଗରୁ ତାଙ୍କ ଆଡ଼େ ବଢ଼ାଇଲି । କିନ୍ତୁ ସେ ନ ନେଇ ହାତ ଯୋଡ଼ିଲେ । ଅଗତ୍ୟା ମୁଁ ଗୋଟିଏ କାଢ଼ି ଖାଇଲି ଓ ବେଲ୍ ବଜାଇ ଚପରାସିକୁ ଡାକିଲି ଚା’ ଆଣିଦେବା ପାଇଁ; କିନ୍ତୁ ଚପରାସିକୁ ଦୁଇକପ୍ ଆଣିବାକୁ କହିବାରୁ ସେ କହିଲେ, “କ୍ଷମା କରିବେ, ମୋପାଇଁ ମଗାଇବେ ନାହିଁ ।”

 

ମୁଁ ଟିକିଏ ଆଶ୍ଚର୍ଯ୍ୟ ହୋଇ ପଚାରିଲି, “ଚା’ବି ଖାଆନ୍ତି ନାହିଁ ?’’

 

“ନାହିଁ ଆଜ୍ଞା । ପାଠ ପଢ଼ିଲାବେଳେ ଛାଡ଼ିଦେଇଛି, ଯେତେବେଳେ ପ୍ରଥମେ ଜେଲ୍ ଗଲି ।”

 

ଜେଲ ! ନିଶାନିବାରଣ ! ମୋର କୌତୂହଳ ଜାଗ୍ରତ ହେଲା । ମୁଁ ତାଙ୍କୁ ଆଉଥରେ ନିରୀକ୍ଷଣ କଲି । ତାହାହେଲେ ଏହି ରୁକ୍ଷତା ସାଙ୍ଗରେ ଜେଲ ଲାଠିମାଡ଼ ଇତ୍ୟାଦିର ସମ୍ପର୍କ ଅଛି । ଦାମ୍ଭିକତାରେ ଅଛି ନମାନିବାର ଅଭ୍ୟାସ । ଏହି ଏକାଗ୍ର ଚାହାଣି ହେଉଛି ଏକମୁଖୀ ସଂକଳ୍ପ ଓ ସାଧନାର ଅସ୍ତ୍ର । ମୋଟା ଲୁଗା, ମୋଟା ଏଣ୍ଡି ଚାଦର ।

 

ସେ କ’ଣ ସତରେ ଜଣେ ନେତା ? ସେ ଭୋଗିଛନ୍ତି, ଜାଣିଛନ୍ତି, ସେଥିପାଇଁ ତାଙ୍କର ଏହି ପ୍ରବୀଣତା, ଏହି ନିରାଶା ?

 

ସନ୍ଦେହ ନାହିଁ । ପ୍ରତି ମୁହୂର୍ତ୍ତରେ ଗତିରେ ତାଙ୍କର ଚେହେରା ମୋତେ କହିଲା ଯେ, ସେ ଜଣେ ନେତା । ତାଙ୍କର ଆନ୍ତରିକତା ଅନାବଶ୍ୟକ ନୁହେଁ ।

 

ସେ ମୋ ଭାବନାକୁ ଅନୁମୋଦନ କଲେ । କହିଲେ, “ମୁଁ ଆପଣଙ୍କୁ ମୋର ପରିଚୟ ଦେଇପାରିନାହିଁ । ମୋ ନାଁ ହେଉଛି ମନ୍ଦରଧର ମହାପାତ୍ର ।”

 

ଆଉ କିଛି କହିଲେ ନାହିଁ । ଧରିନେଲେ ଯେ ସେତିକି ଯଥେଷ୍ଟ ହେବ, ସେତିକିରୁ ମୁଁ ତାଙ୍କ ଚରିତ୍ର ଇତିହାସ ସବୁ ଜାଣିପାରିବି ।

 

ମୁଁ ଏ ଅଞ୍ଚଳରେ ନୂଆ । ସବୁ ମୁଖ୍ୟ ବ୍ୟକ୍ତିମାନଙ୍କୁ ଜାଣିବାର ଅବକାଶ ହୋଇନାହିଁ । ତଥାପି ତାଙ୍କ ନାଁ ମୋତେ ଜଣାଶୁଣା ଲାଗିଲା । କଲେଜର ବାର୍ଷିକ ଅନୁଷ୍ଠାନରେ ବୋଧହୁଏ ତାଙ୍କ କଥା କିଏ କହୁଥିଲା । ନା ଉନ୍ନୟନ କମିଟି ମିଟିଙ୍ଗ୍‍ରେ–? ନା କୃଷି ସମ୍ମିଳନୀ ? ମୋର ପୂର୍ବପରି ମନେ ପଡ଼ିଲା ନାହିଁ । ତେବେ ତାଙ୍କର ସୁଖ୍ୟାତି ଅଛି । ଏଥିରେ ଆଉ ଭାବିବାର କିଛି ନାହିଁ । ମୁଁ ମୋର ଅବଗତି ଜଣାଇଲି ଓ ବିନୟ ଭାବରେ କହିଲି, “ମୁଁ ଆପଣଙ୍କ କଥା ଶୁଣିଛି । ଏପର୍ଯ୍ୟନ୍ତ ଆପଣଙ୍କ ସାଙ୍ଗରେ ପରିଚୟ ହୋଇପାରି ନଥିଲା । ଯାହା ହେଉ–।”

 

ସେ ହାତ ଉଠାଇ ମୋ ସୌଜନ୍ୟର ଅଙ୍ଗୀକାର କଲେ ଓ କହିଲେ, “ମୋ କଥା ଭୁଲିଯାଆନ୍ତୁ । ମୁଁ କେହି ନୁହେଁ । ଦେଶର ଭବିଷ୍ୟତ ଆପଣମାନଙ୍କ ଉପରେ । ସେଇଥିଲାଗି ମୁଁ ଆପଣଙ୍କ ପାଖକୁ ଆସିଛି । ମୁଁ ଆପଣଙ୍କ ଉତ୍ସାହ ଭାଙ୍ଗିଦେଉନାହିଁ । କିନ୍ତୁ ମୁଁ ମୋ ମନକଥା କହିବି କାହା ଆଗରେ ? ମୋରି ପରି ଅନ୍ୟ ପ୍ରାଣହୀନ ଫସିଲ୍‍ମାନଙ୍କୁ ? ମୁଁ ଅନ୍ତତଃ କାନ୍ଦୁଛି, ଦୁଃଖ କରୁଛି । ସେମାନଙ୍କର ସେ କ୍ଷମତା ଚାଲିଗଲାଣି ।”

 

“ମୁଁ ଦୁଃଖ କରିବି ନାହିଁ ?” ସେ କହିଚାଲିଲେ, “ଏହି କଲେଜକୁ ମୁଁ ନିଜ ହାତରେ ଠିକ୍ କରିଛି । ମାଇନର୍ ସ୍କୁଲ୍‍ରୁ ହାଇସ୍କୁଲ୍‍, ହାଇସ୍କୁଲ୍‍ରୁ କଲେଜ । ଘର ଘର ବୁଲି ଚାନ୍ଦା ମାଗିଛି । ଦେଶର ଏମୁଣ୍ଡରୁ ସେମୁଣ୍ଡ ବୁଲିଛି ଭଲ ମାଷ୍ଟର ଯୋଗାଡ଼ କରିବାପାଇଁ । ସେମାନେ କହୁଥିଲେ କଲେଜର ନାଁ ଦେବେ ମନ୍ଦରଧର କଲେଜ । ମୁଁ ମନାକଲି । କହିଲି–ମୁଁ କେବଳ ନିମିତ୍ତ ମାତ୍ର; କଲେଜ ମୋର ନୁହେଁ, ଦେଶର, ଆମ ସମସ୍ତଙ୍କର । କିନ୍ତୁ ମୁଁ ଦେଖିଲି ମୋରି ଆଖିଆଗରେ ଏ କଲେଜ ମରି ମରି ଗଲା । ବଡ଼ କୋଠା ଗଢ଼ିଉଠିଲା, ବଡ଼ ହଲ୍ ତିଆରି ହେଲା, ହେଲେ ସରସ୍ଵତୀ ରହିପାରିଲେ ନାହିଁ । ଅହମିକା, ଜାତିପତିର ଭେଦଭାବରେ ସେ ଘର ଦୂଷିତ ହୋଇଗଲା । ମାଷ୍ଟରମାନେ ଦଳ ବାନ୍ଧିଲେ, ପିଲାମାନେ ରାଜନୀତି କଲେ । ମୁଁ ଯେଉଁମାନଙ୍କୁ ଯୋଗ୍ୟ ଶିକ୍ଷକ ବୋଲି ବାଛି ଆଣିଥିଲି, ସେହିମାନେହିଁ ଦଳାଦଳିର ବଡ଼ପଣ୍ଡା ହେଲେ । ଏବେ କ’ଣ ହେଲା ? ପିଲାମାନେ ଭଲ ପାସ୍ କରୁନାହାନ୍ତି । ଡିଗ୍ରୀକ୍ଲାସ୍ ପାଇଁ ଗ୍ରାଣ୍ଡ୍ ମିଳୁନାହିଁ, ଲାଇବ୍ରେରି ବହି ଉଇ ଖାଇଗଲେଣି–

 

“ମୁଁ ସେଠୁ ଅଲଗା ହୋଇଗଲିଣି । ଶୁଣିଲି ନୂଆ ମାନେଜିଙ୍ଗ୍ କମିଟିରେ ଆପଣ ଅଛନ୍ତି-। ଆପଣଙ୍କ ଛାତିରେ ଦମ୍ଭ ଅଛି, ମନରେ କେତେ ଉଦ୍ଦେଶ୍ୟ, କେତେ ଯୋଜନା ଅଛି-। କିନ୍ତୁ ଯେଉଁଠି ଜ୍ଞାନର ସମ୍ମାନ ନାହିଁ, ଛୋଟରୁ ବଡ଼ ଯାଏଁ ସ୍ଵାର୍ଥର ମୋହରେ ଅନ୍ଧ, ସେଠି ଆପଣ କ’ଣ କରିପାରିବେ ? ପାରିବେ ?”

 

ଏ ରାଗ ଏ ଅଭିମାନ ନିଷ୍ଫଳ ହୋଇପାରେ; କିନ୍ତୁ ମିଛ ନୁହେଁ । ମୁଁ ତାଙ୍କର ଭାବଦଗ୍ଧ ବୟସ୍କ ମୁହଁକୁ ଦେଖିଲି ଓ ଦୃଷ୍ଟି ତଳକୁ କଲି । କିଛିକ୍ଷଣର ନୀରବତା ପରେ ସେ ପୁଣି କହିଲେ, “ମୁଁ ଏହି କେତେ ବର୍ଷତଳେ ପ୍ରାଦେଶିକ କୃଷି ସମ୍ମିଳନୀକୁ ଡକାହୋଇଥିଲି । ସେଠି କିଏ କେତେ ବକ୍ତୃତା ଦେଲେ; ମୁଁ ମଧ୍ୟ ମୋର ବକ୍ତୃତା ଦେଇଥିଲି । ମୁଁ ଗର୍ବର ସହିତ କହିଲି ଯେ, ଆମ ଅଞ୍ଚଳକୁ ଲୋକମାନେ ଆଧୁନିକ, ସେମାନେ ଉନ୍ନତିର ପନ୍ଥା ଜାଣନ୍ତି । ଯେ ଆମ ଅଞ୍ଚଳକୁ ଅଧିକ ଟ୍ରାକ୍ଟର, ଖତ ଓ ମଞ୍ଜି ଆସିଛି, ଆହୁରି ଆସିବା ଉଚିତ; ଉତ୍ପାଦନ ବଢ଼ିଛି, ଆହୁରି ବଢ଼ିବ । କିନ୍ତୁ ସବୁ କରତାଳି ବାହାବା ପରେ ମୁଁ ଯେତେବେଳେ ଘରକୁ ଫେରିଲି, କ’ଣ ଦେଖିଲି ଜାଣନ୍ତି ? ଦେଖିଲି ମୋର ପଡ଼ୋଶୀ ଦୁଇଜଣ,–ସଭ୍ୟ ବିଦ୍ଵାନ ବ୍ୟକ୍ତି–କଜିଆ କରୁଛନ୍ତି । ସେମାନଙ୍କର ଶହ ଶହ ଏକର ଜମି ଅଛି, ହେଲେ ସେମାନେ ଦୁଇ ଘର ମଝିରେ ଥିବା ଜମିଖଣ୍ଡକ ପାଇଁ କଜିଆ କରୁଛନ୍ତି-। ଉଦୁଉଦିଆ ଖରାରେ ଛିଡ଼ାହୋଇ ଅନର୍ଗଳ ଦେଶୀ ବିଦେଶୀ ଭାଷାରେ ଗାଳି ଦିଆଦେଇ ହେଉଛନ୍ତି । କଳହର ବିଷୟ କ’ଣ ନା, ସେ ଜମିର ଗୋଟିକିଆ ଆମ୍ବ ଗଛଟା କାହାର, କାହା ପିଲାଏ ଖାଇବେ । ସେତେବେଳେ ମୁଁ ଭାବିଲି ଯେ, ମୁଁ କାହିଁକି ଉତ୍ପାଦନ ବଢ଼ୁ ବୋଲି ପାଟି କରୁଥିଲି ? ଏ ଦେଶର ଧରଣୀ ବନ୍ଧ୍ୟା ହୋଇ ରହିଥିଲେ ଭଲ ହୋଇ ନଥାଆନ୍ତା !”

 

ତିକ୍ତତା । ତିକ୍ତତାର ଅଧିକାରରେ ସେ ଆହୁରି ପଦେ ଯୋଡ଼ିଦେଲେ, “ସେମାନେ ସମାଜର ମୁଖିଆ, ଆପଣ ସେମାନଙ୍କୁ ନିଶ୍ଚୟ ଜାଣିଥିବେ, ଜଣଙ୍କର ଦୁଇ ମହଲା କୋଠା, ଆଉ ଜଣେ କୃଷ୍ଣଭକ୍ତ–ଘରକୁ ଲାଗି ନିଜର କୃଷ୍ଣ ମନ୍ଦିର, ଦୁଇଘର ମଝିରେ ପାଚିରି ଉଠା ହୋଇସାରିଲାଣି, ଆମ୍ବଗଛ କେବେଠୁ କଟାହୋଇଗଲାଣି ।”

 

ଏହି କ୍ରମରେ ସେ ଆହୁରି କେତେ କଥା କହିଗଲେ, ଆଉ କେତେ ଉଦ୍ୟମ ଓ ପରାଭବ କଥା । ଚିକିତ୍ସା, ସମବାୟ, ସମାଜ-ସଂସ୍କାର ଇତ୍ୟାଦି । ଶେଷୋକ୍ତ ବିଷୟରେ ତାଙ୍କ ଭାଷାର ତେଜ ଓ ଭାବର କରୁଣତା ସବୁଠାରୁ ବେଶି ମର୍ମସ୍ପର୍ଶୀ ହୋଇପାରିଥିଲା । ଯୌତୁକ ପ୍ରଥା ନିବାରଣ ସମ୍ପର୍କରେ କହୁ କହୁ ସେ କହିଲେ–“ଏହି ଯୌତୁକ ଦାବି ମେଣ୍ଟାଇବାକୁ ଯାଇ କେତେ କନ୍ୟାପିତା ସର୍ବସ୍ଵାନ୍ତ ହୋଇଯାଇଛନ୍ତି ।

 

“ମୁଁ ଏହି ରାକ୍ଷସ ବିରୁଦ୍ଧରେ ପ୍ରାଣପଣ ଲଢ଼ିଛି ଓ ସେଥିପାଇଁ କେତେ ଗଣ୍ୟମାନ୍ୟ ଲୋକଙ୍କର ଶତ୍ରୁତା ଭୋଗିବାକୁ ପଡ଼ିଛି । କେବଳ ସେତିକି ନୁହେଁ, ମୁଁ ନିଜେ ଚିଆଁ ଖାଇଛି; ତା’ର ଦାଗ ଏପର୍ଯ୍ୟନ୍ତ ଲିଭିନାହିଁ । ମୋ ପୁଅ ବାହାଘରରେ ମୁଁ ଅଧଲାଟାଏ ଯୌତୁକ ନେଇନାହିଁ । କିନ୍ତୁ ମୋ ଝିଅବେଳକୁ କ’ଣ ହେଲା ? ମୁଁ ଗୋଟିଏ ଭଲ ପିଲା ସାଙ୍ଗରେ ବାହାଘର ଠିକ୍ କରିଥିଲି । କେତେଦିନୁ ତା’ବାପା ଓ ମୁଁ ସମୁଦି ଡକାଡ଼କି ହେଉଥିଲୁ । ପୁଅ ଝିଅଙ୍କୁ ସାଙ୍ଗସାଥୀମାନେ କୌତୁକ ପରିହାସ କରୁଥିଲେ । କିନ୍ତୁ ଶେଷକୁ ତା’ବାପା ପଶୁ ପାଲଟିଗଲା । ସେ ପୁଅକୁ ଲକ୍ଷେ ଟଙ୍କା ଲୋଭରେ ଆଉ କେଉଁ ଝିଅ ସାଙ୍ଗରେ ଛନ୍ଦିଦେଲା । .....ମୁଁ କିଛି କହିପାରିଲି ନାହିଁ । ମୋ ଝିଅର ଏକୁଟିଆ କାନ୍ଦଣା ମୁଁ ଶୁଣିଲି, ସହିଲି । ବେଳେବେଳେ ଇଚ୍ଛା ହୋଇଥିଲା ତା’ ତଣ୍ଟିଚିପି ମାରିଦେବି,–କାହିଁକି ସେ ଏ ସମାଜରେ ଜନ୍ମ ହେଲା ?

 

“ମୋ ଝିଅର କପାଳ ଭଲ, ସେ ଆଉ ଗୋଟିଏ ଭଲ ଜାଗାରେ ବାହା ହୋଇପାରିଲା । କିନ୍ତୁ ତା’ରି ପରି ଏମିତି କେତେ ଝିଅ କାନ୍ଦୁଥିବେ, କାନ୍ଦୁଛନ୍ତି । ସେମାନଙ୍କର ଆଖିରୁ ଲୁହ କିଏ ପୋଛିଦେଇ ପାରିବ ?”

 

ସେ ଉଠିବାକୁ ବସିଲେ; କିନ୍ତୁ ମୋର ମନେ ହେଲା ତାଙ୍କର ବର୍ତ୍ତମାନ ଛାଡ଼ି ଚାଲିଯିବା ଶୋଭା ପାଉନାହିଁ । ଯେପରିକି ସେ ଗୋଟିଏ ବାକ୍ୟ ଅସମ୍ପୂର୍ଣ୍ଣ ରଖିଦେଇ ଗଲେ, ଉତ୍ତୁଙ୍ଗ ଢେଉକୁ ଲୋଟିପଡ଼ିବାକୁ ଦେଲେ ନାହିଁ । ଝଡ଼କୁ ତାଙ୍କୁ ଅଧା ବାଟରେ ବସେଇ ଦେଇଗଲେ । କେତେକଅଣ ଭାଙ୍ଗିରୁଜି ଗଲା । ମୋ ମୁଣ୍ଡ ଗୋଳମାଳ ହୋଇଯାଉଛି, ତାଙ୍କ ଚାହାଣିର ଧାସ କମୁନାହିଁ । ଏ ଅବସ୍ଥା କ’ଣ ଏମିତି ରହିଥିବ ? ନା, ମୁଁ କିଛି ଉତ୍ତର ଦେବି କିମ୍ବା ସେ ତାଙ୍କର ଶେଷ ପଦଟିକୁ କହିଦେଇ ମୋତେ ନିର୍ବାକ୍, ନିଃଶେଷ କରି ଚାଲିଯିବେ ।

 

ମୁଁ ଉତ୍ତର ଦେବାପାଇଁ ସମୟ ଚାହିଁଲି । ତେଣୁ ତାଙ୍କୁ ଆଉ କିଛି ସମୟ ବସିରହିବା ପାଇଁ ଅନୁରୋଧ କଲି । ସିଗାରେଟରେ ଘନଘନ ଫୁଙ୍କ ଦେଇ କହିଲି, “ବସନ୍ତୁ, ପୁଣି ଆପଣଙ୍କ ସାଙ୍ଗରେ କେବେ ଦେଖାହେବ ।”

 

ସେ ମୋ କଥା ମାନି ବସିରହିଲେ ।

 

ହଠାତ୍ ମୁଁ ତାଙ୍କ ମୁହଁରେ ଲଘୁତା ଓ ଆମୋଦର ସଞ୍ଚାର ଦେଖିଲି । ସସ୍ମିତ ବଦନରେ ସେ କହିଲେ, “କ୍ଷମା କରିବେ । ଆପଣଙ୍କୁ ଦେଖି ମୋର ପୁଅକଥା ମନେ ପଡ଼ୁଛି; ସେ ଅନେକାଂଶରେ ଆପଣଙ୍କ ପରି ।”

 

ସେ ମୋର ଜିଜ୍ଞାସାକୁ ଅବହେଳା କଲେ ନାହିଁ । ଚଟ୍‍କରି ତାଙ୍କ କଥାର ଅର୍ଥ ବୁଝାଇ ଦେଇ କହିଲେ; “ସେ ଅବଶ୍ୟ ଆପଣଙ୍କଠାରୁ ଅନେକ ଛୋଟ; କିନ୍ତୁ ସେ ଆପଣଙ୍କର ଆଶାବାଦୀ । ସେ ମଧ୍ୟ ସ୍ଵପ୍ନ ଦେଖୁଛି ।”

 

ସ୍ମୃତିକୁ ଡାକିଆଣିଲା ପରି ସେ ଶୂନ୍ୟକୁ ଚାହିଁଲେ ଓ କହିଲେ, “ସେ ସ୍ଵପ୍ନ ଆଜିକାର ନୁହେଁ । ସେ ଯେତେବେଳେ ପିଲା ହୋଇଥିଲା, ମୁଁ ଶେଷ ଥରପାଇଁ ଜେଲ୍‌ରୁ ମୁକୁଳି ଆସିଲି ଓ ସ୍ଵାଧୀନତା ହାତପାଆନ୍ତାରେ ଥିଲା । ଘରକୁ ଫେରିଆସିଲା ପରେ ତା’ର ଆନନ୍ଦ ଆଶ୍ୱାସନା, ‘ବାପା, ତୁମେ ଆଉ ଜେଲକୁ ଯିବ ନାହିଁ । ମୁଁ ବଡ଼ ହୋଇଗଲିଣି, ଆମ ଦେଶ ସ୍ଵାଧୀନ ହେବ ।” ତା’ ପିଲାଳିଆ ମନରେ ସେ ଦୁଇଟି ବସ୍ତୁ ଏକାଠି ବସା ବାନ୍ଧିଥିଲେ,–ଯେ ଦେଶ ସ୍ଵାଧୀନ ହେବ ଓ ସେ ବଡ଼ ହେଲାଣି । ସତେ ଯେପରି ତା’ ବାପାର ଆଉ କିଛି କରିବାର ନାହିଁ, ସେ ସବୁ ତୁଲାଇନେବ ।’’

 

ପୁଅର ସରଳ ବିଶ୍ଵାସ । ସେ ହସିଲେ ଓ ପୁଣି କହିଲେ, “ଦେଶ ସ୍ଵାଧୀନ ହେଲା । ସେ ପ୍ରକୃତରେ ବଡ଼ ହେଲା; କିନ୍ତୁ ତା’ର ସ୍ଵପ୍ନକୁ କେହି ପଚାରିଲେ ନାହିଁ ।”

 

ତାଙ୍କ ଭାଷାର ଗତି ଧୀମେଇଗଲା । ମନେହେଲା ସେ ଭାବୁଛନ୍ତି, ଭାବନାରେ କଷ୍ଟ ପାଉଛନ୍ତି, ତେଣୁ ପ୍ରକାଶ କରିବାରେ ବାଧା ଆସୁଛି । ଛଡ଼ା ଛଡ଼ା ହୋଇ ଅନ୍ତରର ଶବ୍ଦଗୁଡ଼ିକ ପଦାକୁ ଆସିଲେ,–“ତା’ର ସ୍ଵପ୍ନ । ଦେଶପାଇଁ କିଛି କରିବ । ପ୍ରତି ଯୋଗ୍ୟ ସନ୍ତାନର ସ୍ଵପ୍ନ...ଆପଣଙ୍କର ସ୍ଵପ୍ନ...ସେ ମାମୁଲି ନୁହେଁ; ସାଧାରଣ ନୁହେଁ; ମୁଁ ତାକୁ ଜାଣିଛି ।”

 

ମୋତେ ଅସ୍ଥିର ଲାଗିଲା; ମୁଁ ପଚାରିଲି, “ସେ କ’ଣ କରିବାକୁ ଚାହେଁ ? କ’ଣ କରୁଛି ଏହିକ୍ଷଣି ?”

 

“କିଛି କରୁନାହିଁ । ଘରେ ବସିଛି; ବୁଢ଼ା ବାପଠାରୁ ଇତିହାସ ଶୁଣୁଛି ।’’ ମୁଁ ବୁଝିପାରିଲି ନାହିଁ । କହିଲି, “କାହିଁକି ?’’

 

“ଚାକିରି ? ବ୍ୟବସାୟ ?”

 

ସେ ମୋର ଅବୁଝାପଣକୁ ଥଟ୍ଟା କଲାପରି କହିଲେ, “ଚାକିରି ? ତା’ର ଡିଗ୍ରୀ ନାହିଁ ପରା ! ଏହି ଆପଣଙ୍କ ଅଫିସ୍‍ରୁ ସେ କେତେଥର ଫେରିଯାଇଛି ସେହି କଥା ଶୁଣି । ଆଉ ବ୍ୟବସାୟ, କେଉଁ ବ୍ୟବସାୟ କରିବ ? ଖଣ୍ଡେ ଲାଇସେନ୍‍ସ୍, ପରମିଟ୍ ନଥିଲେ କିଏ ପଚାରିବ ତା’କୁ ?”

 

ସେ ଉଠି ଛିଡ଼ାହେଲେ; ତାଙ୍କ ଆକ୍ରମଣମୂଳକ ଚାହାଣି ପୁଣି ଚେଇଁଉଠିଲା । ସେ ଚଢ଼ାସ୍ଵରରେ କହିଲେ ସାରା ସଂସାରକୁ ଶୁଣାଇଲା ପରି, “କିଛି ଚିନ୍ତା ନାହିଁ ବାବୁ ! ତା’ର ପେଟ ଅପେକ୍ଷା ରହିବ ନାହିଁ । ସେ କଥା ପଡ଼ିନାହିଁ; କିନ୍ତୁ କଲାପରି କାମ, ମଣିଷପରି କାମ ତା’ର ସ୍ଵପ୍ନ । କିଏ ତାକୁ ପୂରଣ କରିବ ? କିଏ ବାଟ ଦେଖାଇବ ? ପାରିବେ ଆପଣ ? ପାରିବେ ?”

 

ମୁଁ ତରବର ହୋଇ କାଗଜ କଲମ ଆଣି ପଚାରିଲି, “ପୁଅର ନାଁ ?” ସେତେବେଳେ ମୋ’ ମନରେ ନିର୍ଦ୍ଦିଷ୍ଟ ଧାରଣା ନଥିଲା ଯେ ମୁଁ କେଉଁଥିପାଇଁ ଏସବୁ ଲେଖୁଛି । ଚାକିରି, ଲାଇସେନ୍‍ସ୍, ପରମିଟ୍ ନା ଆଉ କ’ଣ; କିନ୍ତୁ ମୋ’ ମନରେ ସଫଳତାର ଶାନ୍ତି ଥିଲା–ମୁଁ ଉତ୍ତର ଦେଇଛି, ନିଆଁ ଲିଭିଛି ।

Image

 

ବିଲେଇ

ନିମାଇଁ ଚରଣ ପଟ୍ଟନାୟକ

 

ବଡ଼ବଡ଼ ଢିମାଢ଼ିମା ଦୁଇଟା ଆଖି । ସେ ଚାହାଣି ସତେ ଯେପରି ଛାତିରେ ପଶିଯାଏ । ଭୟ ଲାଗେ । ଚକାଳିଆ ଗମ୍ଭୀର ମୁହଁ–ବାଘପରି । ଖୁବ୍ ମୋଟା ମୋଟା ହାତଗୋଡ଼ । ବାପା ଡାକନ୍ତି ବଳିଆ ।

 

ସ୍କୁଲ୍‍ରୁ ଫେରିଲାବେଳକୁ ଅଧିକାଂଶ ଦିନ ବାପାଙ୍କ ବୈଠକଖାନାର ଏଇ ଝରକା ପାଖରେ ବସିଥିବାର ଦେଖେ । ସେଆଡ଼କୁ ନ ଚାହିଁବାକୁ ଭାବୁଥିଲେବି ଚାହିଁ ହୋଇଯାଏ । ଭୟ ଲାଗେ । ତରତର ହୋଇ ପଳାଇଗଲେ ଛନ୍ଦି ହୋଇଯାଏ ଲୁଗାଟା ।

 

ଆରେ, ଏଇଟା ତ ସ୍କୁଲ୍‍ପିନ୍ଧା ଲୁଗାଟା । ଏତେବେଳଯାଏଁ ବଦଳିନି ? ବୋଉ ଥିଲେ, ରାଗ ହୋଇଥାନ୍ତା । ବାପାଙ୍କ ସାଙ୍ଗରେ ବୋଉ ସିନେମା ଦେଖି ଯାଇଛି । ଘରେ ମୋତେ ଏକା ଛାଡ଼ିଦେଇଗଲା । ଯାଉ । ଭଲ । ଘରଭିତରେ ଏମିତି ଏକାଏକା ରହିବାକୁ ଭଲ ଲାଗୁଛି ।

 

(ରେଖା ଝରକା ପାଖରେ ଠିଆହୋଇ ଫୁଲ ବଗିଚା ଆଡ଼କୁ ଚାହିଁଲା । ଚଉଦ ବରଷର ଝିଅ ରେଖା–ଏବେ ତେର ପୂରି ଚଉଦ ଚାଲୁଛି । ପାଠ ପଢ଼ୁଛି ଅଷ୍ଟମରେ ।)

 

ବଗିଚାରେ କେତେ ଫୁଲ ଫୁଟିଛି । ଅସୁମାରି ଧଳା ଧଳା ଫୁଲ–ହେନା ଆଉ ଗଙ୍ଗଶିଉଳି । ଏ ଅନ୍ଧାର ରାତିରେ ଏଇ ଫୁଲଗୁଡ଼ାକ ତାରା ଫୁଟିଲାଭଳି ଦିଶୁଛି । ଏଃ, କି ବାସ୍ନା ! ଆଉ ସେ ଝରକା ପାଖକୁ ଲାଗି ଯେଉଁ ବାଓଗନ୍ ଭିଲିଆ ଗଛ–ଫୁଲଭାରରେ ଯେମିତି ଭାଙ୍ଗିପଡ଼ିଛି-। ବାଓଗନ୍‍ଭିଲିଆ ଫୁଲ ଖାଲି ନାଲି ନାଲି । ନାଲି ରଙ୍ଗର ଫୁଲ କେଡ଼େ ସୁନ୍ଦର । ବଗିଚାଟାଯାକ ଖାଲି ନାଲି ନାଲି ଫୁଲ ଫୁଟନ୍ତା କି ! ଏଇ ଫୁଲଗୁଡ଼ାକ କେଡ଼େ ନାଲି–ରକ୍ତଭଳି, ନାଇଁ, ବଳରାମବାବୁଙ୍କର ସେଇ ସିଲ୍କ ହାୱାଇ ଭଳି । ବଳରାମବାବୁ–ବାପାଙ୍କର ପରସନାଲ୍ ଆସିଷ୍ଟାଣ୍ଟ୍-। ବାପା ଡାକନ୍ତି ବଳିଆ–ଆଗେ ତାଙ୍କର ଛାତ୍ର ଥିଲେ ବୋଲି ।

 

(ରେଖା ସେ ଝରକା ପାଖରୁ ଆର ଝରକା ପାଖକୁ ଯାଇ ଝରକା ରେଲିଂ ଉପରେ ମୁହଁ ରଖି ଚାହିଁଲା ବଗିଚାକୁ । ପବନରେ ଫୁଲର ମହକ । ରେଖାର ଆଖି ଦୁଇଟା ବନ୍ଦ ହୋଇଗଲା ମୁହୂର୍ତ୍ତକ ପାଇଁ ।)

 

ବଗିଚା ଆରପାଖେ କେନାଲଟା । କେନାଲକୂଳରେ ସିନେମା ଘର । ବୋଉ ତା’ ସାଙ୍ଗରେ ସିନେମା ଦେଖାଇନେବାକୁ ରାଜି ହେଉନି । ସିନେମା ଦେଖିଲେ କ’ଣ କ୍ଷତି ? ରତିଅପା ଥିଲାବେଳେ ତାକୁ କେମିତି ସାଙ୍ଗରେ ନେଇ ସିନେମା ଯାଉଥିଲା ? ସେଇ ଥରକ–ସ୍କୁଲ୍‍ହତାରେ ସିନେମା ହେଉଥିବାବେଳେ ଯାହା ଦେଖିବା କଥା । ବହୁତ ଦିନ ହୋଇଗଲାଣି । ଆଉ ମନେ ପଡ଼ୁନି–କ’ଣ ତ......ଗୋଟାଏ କ’ଣ ବଡ଼ ସଭା ହେଉଥାଏ । ଅନେକ ରାଜା ବସିଥାଆନ୍ତି । ଗୋଟାଏ ରାଜା ଉଠିଆସିଲା । ଖୁବ୍ ମୋଟା ମୋଟା ବାହୁ । ଓସାରିଆ ବାଳବାଳୁଆ ଛାତି । ଚକା ବାଘୁଆ ମୁହଁ–ଠିକ୍ ସେଇଭଳି । ଇଲୋ ମା’, କେଡ଼େ ବଡ଼ ମରଦ । ଠିକ୍ ସେଇଭଳି ବଡ଼ବଡ଼ ଢିମାଢ଼ିମା ଆଖି । ସେମିତି ଗହିରିଆ ଚାହାଣି । ସେ କ’ଣ କଲାନା’–ଗୋଟାଏ ମାଇପିକୁ ଟାଣିଆଣି ତା’ ଦେହରୁ ଗୋଟି ଗୋଟି କରି ଲୁଗା ବାହାର କରି ପକାଇଲା । ସେ ଯେତେ ଯେତେ ଲୁଗା ଫିଟାଉଥାଏ, ମାଇପିଟା ଦେହରୁ ସେତେ ସେତେ.......

 

(ରେଖା ନିଜର ନଗ୍ନ ଦେହଟା ଦେଖି ଚମକି ପଡ଼ିଲା । ଏଣୁତେଣୁ ଭାବୁ ଭାବୁ ସେ ତା’ ଅଜ୍ଞାତରେ କେତେବେଳେ ନିଜ ଦେହରୁ ଲୁଗାପଟା ଖସାଇ ପକାଇଛି । ଆଗରେ ତା’ ବାପାଙ୍କ ବୈଠକଖାନାର ଦୁଇଫୁଟିଆ ବଡ଼ ଦର୍ପଣଟା । ଦର୍ପଣରେ ନିଜର ପ୍ରତିଛବି ଦେଖି ରେଖା ବିସ୍ମିତ ହେଲା ।)

 

କ’ଣ ଦେଖାଯାଉଛି । ଏ ଦେହ ! ! ରତିଅପା ଥିଲେ କେତେ ଚିଡ଼ାଉ ଥାଆନ୍ତା–

 

“କୋଦେଇ ମାତା

ଦିଅଁଦେବତା ।”

 

(ରେଖା ପାଖ ଘରୁ ଶାଢ଼ିଟିଏ ଆଣି ପିନ୍ଧିବାକୁ ଆରମ୍ଭ କଲା ।)

 

ସତେ ମୁଁ କ’ଣ ଦେଖାଯାଉଛି !!–ଗୁନା ଭାଇଙ୍କର ସେଇ ଲଙ୍ଗଳା ଲଙ୍ଗଳା ମାଇପି ଛବିଗୁଡ଼ାକ ଭଳି । ତାଙ୍କର ସେଇ ଛବିଗୁଡ଼ାକର ଦେହ କେମିତି ମାଉଁସିଆ ମାଉଁସିଆ ଜଣାପଡ଼ୁଥିଲା । ଆଉ ହାତଗୋଡ଼ଗୁଡ଼ିକ କି ସୁନ୍ଦର ମୋଟାମୋଟି, ଗୋଟାଳିଆ । ଗୁନାଭାଇ ସେଇ ପାତଳିଆ, ସାବନା ବର୍ଣ୍ଣର ମଣିଷଟି । ଗପ ଲେଖନ୍ତି, କବିତା ଲେଖନ୍ତି, ଚିତ୍ର କରନ୍ତି । ମୁରୁକି ମୁରୁକି ହସନ୍ତି । ହସିଲେ, ନିଶ ତାଙ୍କର ଫୁଲିଉଠେ । ପାତଳ ମୁହଁକୁ କଳା ମଚମଚ ସରୁଆ ଲମ୍ବାନିଶ ଭଲ ଦିଶେ । ବାଣୀ କହୁଥିଲା,–ସେ ତାଙ୍କ ଆଡ଼କୁ ଚାହିଁଲେ ତା’ ଆଖି ଦି’ଟା ଆଗେ ତାଙ୍କ ନିଶ ଉପରେ ପଡ଼ିଯାଏ । ବାଣୀଟା ତାଙ୍କ ମୁହଁକୁ ଚାହିଁ କଥାବାର୍ତ୍ତା ହେଉଥିବ, ହେଁହେଁ ହୋଇ ହସୁଥିବ । ଯେତେ ଭାବିଲେବି ମୁଁ କାହିଁକି ତାଙ୍କ ମୁହଁକୁ ସିଧା ଚାହିଁ ପାରେନି । ଗୁନାଭାଇ ଗାର୍ଲସ୍ କମନ୍‌ରୁମ୍ ବାଟେ ଯାଉଥିଲାବେଳେ ତାଙ୍କୁ ଶୁଣେଇଁ ଶୁଣେଇଁ ବଡ଼ପାଟିରେ କଥାବାର୍ତ୍ତା ହେବାକୁ ଇଚ୍ଛା ହୁଏ, ନହେଲେ ହଠାତ୍ ତାଙ୍କର କବିତାରୁ ପଦେ ଗାଇଦେବାକୁ ମନ ହୁଏ । କିନ୍ତୁ ତାଙ୍କ ସାମନାରେ ପଡ଼ିଗଲେ ମୁହଁ କେମିତି ଆପେଆପେ ତଳକୁ ହୋଇଯାଏ । ଲାଜ ଲାଗେ । ଗୁନାଭାଇଙ୍କର କେଡ଼େ ଇଚ୍ଛା ଥିଲା ମତେ ବାହା ହେବାକୁ ! କିଛି କହିପାରିଲେନି ସିନା ।

 

ଥରେ ଖାଲି ଏତିକି କହିଥିଲେ–“ରେଖା ! ତତେ ଗୋଟାଏ କଥା କହନ୍ତି ଯେ, କ’ଣ ଆଉ କହିବି । ତୁ ତ ଛୁଆଟା ।’’ ଏବେ ଥରେ ହେଲେ ଗୁନାଭାଇଙ୍କ ସଙ୍ଗେ ଦେଖାହୁଅନ୍ତା । ରତିଅପା ଯାହା କହୁଥିଲା, ସତ–ଗୁନାଭାଇ ପ୍ରଫେସର୍ ହୋଇ କୁଆଡ଼େ ଗଲେଣି । ସେ ସ୍କୁଲ୍‍ ଛାଡ଼ିଲାଦିନ କାହିଁକି ବହୁତ କାନ୍ଦ ଲାଗିଲା । ଦାନ୍ତରେ ଦୁଇକଳ ଚାପିରଖି ଯେତେ କାନ୍ଦ ରୋକିବାକୁ ଚେଷ୍ଟା କଲେବି ରୋକିହେଲାନି । କାହିଁ ବାଣୀକି ତ କାନ୍ଦ ଲାଗିଲାନି । ସେ କାନ୍ଦ ଦେଖି ଗୁନାଭାଇ କ’ଣ ଭାବିଥିବେ ?

 

(ରେଖାର ଦୃଷ୍ଟି ପଡ଼ିଲା ଦର୍ପଣ ଉପରେ ।)

 

ଆରେ, ସେତେବେଳୁ ଏପର୍ଯ୍ୟନ୍ତ ଶାଢ଼ିଟା ପିନ୍ଧାସରିନି ! ଏଃ, ଏଇ ଲୁଗାପିନ୍ଧାଟା ବଡ଼ ଅଡ଼ୁଆ ଅଡ଼ୁଆ ଲାଗୁଛି । ନୂଆ ନୂଆ କରି ପିନ୍ଧିବା କଥା । ଯେତେ ଯେମିତି ପିନ୍ଧିଲେବି ଲଣ୍ଡସଣ୍ଡ ଲାଗୁଛି । ଅଣ୍ଟାରେ ଲୁଗା ରହୁନି । ସେ ସେଲୁଆର ପଞ୍ଜାବି ଭଲ ଥିଲା । ଏବେ ସେଲୁଆର ପଞ୍ଜାବି ପିନ୍ଧିବାକୁ କହିଲେ ବୋଉ ଖାଲି ରାଗ ହେଉଛି । ବାଣୀଟା କି ସୁନ୍ଦର ଲୁଗା ପିନ୍ଧିପାରୁଛି । ତା’ର ଅଭ୍ୟାସ ହୋଇଗଲାଣି । କେତେ ସିଏ ଫୁଲୁଛି ଦିନକୁଦିନ l କହୁଥିଲା–ସେ ଗୋଟାଏ ଶିଖକୁ ବାହା ହେବ । ଶିଖଟାକୁ କାହିଁକି ବାହା ହେବ ? ବାପରେ ? ଶିଖଗୁଡ଼ାକ କେଡ଼େ କେଡ଼େ ମଣିଷ,–କି ହୁଣ୍ଡାଳିଆ ଚେହେରା ! ବଳରାମବାବୁଙ୍କ ଭଳି । କାହିଁକି, ବାଣୀ ଏଇ ବଳରାମବାବୁଙ୍କୁ ବାହା ହେଉନି ? ମୋଟା ମୋଟା ମରଦଙ୍କୁ ବାହାହେଲେ କ’ଣ ଭଲ ? ରତିଅପା ବର ପାତଳିଆ ମଣିଷ,–ଗୁନାଭାଇଙ୍କ ଭଳି । ଗୁନାଭାଇ ପାତଳିଆ ହେଲେ କ’ଣ ହେବ, ଭଲ ଦିଶନ୍ତି ତ । କିନ୍ତୁ ରତିଅପା ବରକୁ ଦେଖି ସମସ୍ତେ କହିଲେ,–ଝିଅକୁ ଚାହିଁ ବର ହେଲାନି । ଦିଅର ଭାଉଜ ଭଳି ଦିଶିବେ । ବାଣୀକି କାଲି କହିବି ବଳରାମବାବୁଙ୍କ କଥା । ବଳରାମବାବୁଙ୍କର କି ଗମ୍ଭୀର ସ୍ଵର; ଆମ ଇଂରେଜୀ ସାର୍‍ଙ୍କ ସ୍ଵର ଭଳି । ନାଇଁ, ନାଇଁ ବାପାଙ୍କ ସ୍ଵରଭଳି । ବାପା କଥା କହୁ କହୁ କହିବେ–‘ବୁଝିଲ ?’ ତା’ପରେ ଖୁବ୍ ଗମ୍ଭୀର ସ୍ଵରରେ ଗଳାସଫା କରିବେ । ବାପାଙ୍କର ଏଇ ସ୍ଵରକୁ ବୋଉ ଭାରି ଚିଡ଼େ ।

 

–ହେଇଟି, ଫୋନ୍‌ରେ କିଏ ଡାକିଲାଣି ।

 

(ରେଖା ଫୋନ୍ ଉଠାଇ ତା’ ବାପାଙ୍କ ଭଳି ଗମ୍ଭୀର ସ୍ଵରରେ କହିଲା–“ହାଲୋ ?” ଉତ୍ତର ଆସିଲା, “ସାର୍ ! ମୁଁ ବଳରାମ କହୁଛି । ସାର୍, ଗୋଟାଏ ଜରୁରୀ କାମ ଅଛି–ଏଇ ଯାଉଛି ଆପଣଙ୍କ ପାଖକୁ ।” ରେଖା ଧଡ଼୍‍କରି ଥୋଇଦେଲା ଟେଲିଫୋନ୍‌ଟା ।)

 

ବଳରାମବାବୁ ଏଇନେ ଆସିବେ ! ବାପା ନାହାନ୍ତି ବୋଲି କହିବାକୁ ମନେ ପଡ଼ିଲାନି । ରାତି କେତେ ହେଲାଣି । ବୋଉ ଏତେବେଳ ଯାଏଁ ଫେରିନି । ବାଣୀ କହୁଥିଲା,–ଏଇ ପିକ୍‍ଚର୍‍ଟା ଡେରିରେ ସରୁଛି । ବୋଉ ଆସୁ ଆସୁ ଯଦି ଡେରିହୁଏ..... ? ଗୋପୀଆଟା–ହେଲେ ଥାଆନ୍ତା । ଗୋପୀଆ–ମାଇଚିଆଟା । ସନ୍ଧ୍ୟାବେଳୁ ପଢ଼ାଘର ଦୁଆର ପାଖେ ବସିଥିବ । ଶେଷକୁ ଘୁମାଇଁ ଘୁମାଇଁ ସେଇଠି ଶୋଇବ । ବସିଥିବ, ବଲବଲ କରି ମୁହଁକୁ ଚାହିଁଥିବ । ତା’ ଆଡ଼କୁ ଚାହିଁଲେ ମୁହଁ ଫେରାଇନେବ । ପଚାରିଲେ କହିବ–‘କିଛି ନାଇଁ ।’ ଯେତେସବୁ ବାଜେ କଥା ଗପିବ । ତା’ ତୁଣ୍ଡକୁ କ’ଣ ବାଡ଼ବତା ଅଛି । ଚୁପ୍ ଚୁପ୍ କରି କହିବ–‘ଦେଈ ଦେଈମ ! ତମପାଇଁ ଗୋଟିଏ ମୋଟାମୋଟି ଗୋଲ୍‍ଗାଲ୍‍ବାଲା ବର କରିବା ।’

 

ମୋଟାମୋଟି ହୋଇ ଗୋଲ୍‍ଗାଲ୍‍ବାଲା ବର...... ।

 

କ’ଣ ଏଇ ବଳରାମବାବୁଙ୍କ ଭଳି....... ?

 

ଗୋପୀଆ କହୁଥିଲା ବଳରାମବାବୁ ଭାରି ହୁଣ୍ଡା, ଖେଚଡ଼ ।

 

ହୁଣ୍ଡା...... ?

 

ଖେଚଡ଼........ ?

 

ବୋଉ ଏତେବେଳ ଯାଏଁ ଆସିନି । ଯଦି ବଳରାମବାବୁ ଏଇନେ ଆସିଯିବେ....... ??

 

(ନିଜର ମନ ଭୁଲାଇବାକୁ ରେଖା ବହିଟା ଖୋଲି ପଢ଼ିବାକୁ ବସିଲା । ପଢ଼ୁ ପଢ଼ୁ ବହିର ଅକ୍ଷରଗୁଡ଼ାକ ଗୋଟାକ ଦୁଇଟା ହୋଇ ତାକୁ ଦେଖାଗଲା । ତା’ପରେ ଅକ୍ଷରଗୁଡ଼ାଳ କ୍ରମେ ଅସ୍ପଷ୍ଟ ହୋଇଗଲା । ତା’ରି ଭିତରେ ତାକୁ ଦେଖାଗଲା ଗୋଟାଏ ଚକା ମୁହଁରେ ଦୁଇଟା ବଡ଼ବଡ଼ ଆଖି ।)

 

ବଳରାମବାବୁ ! ସେଇ ମୋଟା ଲୋକଟା । ଚକା ମୁହଁରେ ଢିମାଢ଼ିମା ଆଖି–ବିଲେଇ ଆଖି ପରି । ଗାରଡ଼େଇ ଚାହାଁନ୍ତି–ଭାଡ଼ି ଉପରୁ ବିଲେଇ ଯେମିତି ତେରଛାଭାବରେ ଚାହେଁ । ସେଦିନ....ଦାଣ୍ଡଦୁଆରେ ଠିଆ ହୋଇଥିଲାବେଳେ ହଠାତ୍ ଆସି ପଚାରିଲେ–ସାର୍ ଅଛନ୍ତି ? ନାହାନ୍ତି ? କୁଆଡ଼େ ଯାଇଛନ୍ତି ? ଫେରିଲେ କହିବେ–ମୁଁ ଆସିଥିଲି । ମୋ ନାଁ ଜାଣିଛନ୍ତି ? ....ଏମିତି କେତେକଅଣ । କେତେ ପାଖକୁ ଲାଗି ଠିଆହୋଇଥିଲେ-। ଭାରି ଭୟ ଲାଗୁଥାଏ । କେଡ଼େ ଉଚ୍ଚସାର ମଣିଷ । ଏଇ ଆଲମାରି ଉଚ୍ଚ ।

 

(ଦାଣ୍ଡ ଫାଟକଟା ଖଟ୍‍ଖଟ୍ ହେଲା । ରେଖା ଚମକି ପଡ଼ି କବାଟ ପାଖରେ କାନ ଡେରିଲା–କାହାର ପାଦଶବ୍ଦ ଶୁଣାଯାଉଛି କି ନାହିଁ ଜାଣିବାକୁ ।)

 

ନାଇଁ, କେହି ନାହିଁ । ଏତେବେଳ ଯାଏଁ ବୋଉଟା, ବୋଉଟା ଆସିଲାନି । ସିନେମା କ’ଣ ଭାଙ୍ଗିନି ? ବୋଉ କହୁଥିଲା ଆସିଲାବେଳେ ବଜାରରୁ କ’ଣ କିଣାକିଣି କରି ଆସିବ–ବାପା ଆଜି ଦରମା ପାଇଛନ୍ତି । ବୋଉ ଆସୁ ଆସୁ ଯଦି ଡେରି ହୁଏ..... ?? ଘରଟା କାହିଁକି କେମିତି ମାଡ଼ି ପଡ଼ିଲା ଭଳି ଲାଗୁଛି ।

 

(ରେଖା ଟେବୁଲ ପାଖକୁ ଫେରିଆସିଲାବେଳେ ତା’ର ନଜର ପଡ଼ିଲା କାନ୍ଥରେ ଝୁଲୁଥିବା ଫଟୋଟା ଉପରେ I ତା’ ବାପା ଓ ତାଙ୍କ ଅଫିସ୍ ଲୋକଙ୍କର ଏକାଠ ଫଟୋ ଉଠିଛି ।)

 

ତଳୁ ଚାହିଁଲେ ଫଟୋ ଭିତରୁ ସେ ଜାଣି ହୋଇ ଯାଉଛନ୍ତି । ବାପ୍‌ରେ ! କି ହୁଣ୍ଡାଳିଆ ଚେହେରା । ସ୍କୁଲ୍‍କୁ ଗଲାବେଳେ ଦିନେ ଦିନେ ବାଟରେ ଦେଖା ହୋଇଯାଏ । ଦୂରରୁ ତାଙ୍କୁ ଦେଖି ନ ଚାହିଁବାକୁ ଭାବୁଥିଲେବି ଚାହିଁ ହୋଇଯାଏ । ଆଖିରେ କଳା ଚଷମା ପିନ୍ଧିଥାଆନ୍ତି ବୋଲି ରକ୍ଷା । ଦେଖାହେଲେ, ମୁହଁକୁ ଚାହିଁ ହସିବେ, ପଚାରିବେ,–“କଣ ସ୍କୁଲ୍‍କୁ ?” ନହେଲେ,–“ସାର୍ ଅଛନ୍ତି ?” ଏମିତି କିଛି । ଆଜି ସେମିତି ବାଟରେ ପଚାରିଲେ,–“କ’ଣ ମନ ଭଲ ନାହିଁ ?” ବାଣୀକୁ ଏଇସବୁ କହିବାରୁ ଖାଲି ହସିଲା । କହିଲା,–“ସିଏ ବଡ଼ ବିଲେଇ ।”

 

ଗୋପୀଆ କହୁଥିଲା,–ବଳରାମବାବୁ ହୁଣ୍ଡା, ଖେଚଡ଼ । ରାତି କେତେ ହେଲାଣି ? ବଳରାମବାବୁ ଯଦି ଏଇନେ ଆସିବେ..... ?

 

(ଘର ଭିତରେ ଖଡ଼୍‍କରି କ’ଣ ଗୋଟିଏ ଶବ୍ଦ ହେଲା । ରେଖା (୫୪)ଆତଙ୍କିତ ଆଖିରେ ଚାହିଁଲା ଚାରିଆଡ଼କୁ ।)

 

ଆସିଲେ !!! ନାଇଁ.....

 

ବାପ୍‍ରେ; କାଲି ରାତିରେ ସେଇ ଯେଉଁ ଭୟଙ୍କର ସ୍ଵପ୍ନ,–ବଗିଚା ଆରପାଖ ଆମ୍ବଗଛମୂଳେ ଯେଉଁ ଉଇହୁଙ୍କାଟା ଅଛି, ବଳରାମବାବୁ ତା’ରି ଉପରେ ବସି କ’ଣ ମନ୍ତ୍ର ପଢ଼ି ଗୋଟାଏ ବାଘ ପାଲଟିଗଲେ । ତା’ପରେ, ଝରକା ଭାଙ୍ଗି ହଠାତ୍ ଶୋଇବା ଘର ଭିତରକୁ ପଶି ଆସି......

 

(ରେଖାର ଦେହ ଶୀତେଇ ଗଲା ।)

 

ଜେଜେମା ତ ବାବୁଲାକୁ ଏମିତି କେତେ ପାଲଟା ବାଘ କଥା କହେ ।

 

(ଘର ଭିତରେ ପୁଣି ଥରେ ଖଡ଼ଖଡ଼ ଶବ୍ଦ ହେଲା । ରେଖା ଚମକି ପଡ଼ି ଚାହିଁଲା ପଛକୁ-। ଦେଖିଲା,–ସେଇ ପାଖ ଆଲମାରି ଉଚ୍ଚରେ ସେଇ ବଡ଼ବଡ଼ ଢିମାଢ଼ିମା ଆଖି ଦୁଇଟା । ସେଇ ଚାହାଣି । ସେଲ ଗମ୍ଭୀର, ଗୋଲ୍ ମୁହଁ । ରେଖା ଥକା ହୋଇଗଲା । ହଠାତ୍ ଟେବୁଲ ଉପରେ ଥିବା ମୋଟା ରୋଲ୍ ବାଡ଼ିଟାରେ ସେହି ଗମ୍ଭୀର ଗୋଲ୍ ମୁହଁଟାକୁ ପାହାରେ ପିଟିଦେଇ ସେପାଖ ଘରକୁ ଦୌଡ଼ିଗଲା ଏବଂ ଭିତର ପାଖରୁ କବାଟଟା ବନ୍ଦ କରି ଠେଲି ଧରିଲା ।)

 

ଓଃ, ଖିଡ଼ିକିଟା କେତେ ଉଚ୍ଚରେ । ହାତ ପାଉନି ।

 

(ରେଖା ସମସ୍ତ ବଳ ଖର୍ଚ୍ଚ କରି ପେଲିଧରିଲା କବାଟଟା । ତାକୁ ଜଣାଗଲା ତା’ର ଦେହହାତ ସବୁ ହାଲୁକା ହୋଇ ଯେପରି ଉଡ଼ିଯିବାକୁ ବସିଛି । ମୁଣ୍ଡଟା ତା’ର ଝିମିଝିମି ଲାଗୁଥିଲା-। କଟାଗଛ ପଡ଼ିଲାଭଳି ରେଖା ହଠାତ୍ ତଳେ ଖସିପଡ଼ିଲା ।)

 

(ଚେତା ଆସିବା ପରେ ରେଖା ଦେଖିଲା, ତା’ ବୋଉ ଝରକା ପାଖେ ଡାକୁଛି । ରେଖା ଦାଣ୍ଡଘର ଦୁଆର ଖୋଲି ତା’ ବୋଉ ଅଣ୍ଟାରେ ହାତ ରଖି ଭିତରକୁ ଆସିଲା । ଚାରିଆଡ଼କୁ ଆଖିବୁଲାଇ କହିଲା,–“ବୋଉ ! ତୁ ଏତେବେଳଯାଏଁ କ’ଣ କରୁଥିଲୁ ?”

 

ବୈଠକଖାନାରୁ ଡାକ ଶୁଭିଲା–“ହଇଏ ! ହେଇଟି ଦେଖିଯାଅ, ଦେଖିଯାଅ ।”

 

ରେଖା ତା’ ବୋଉର ପଣତକାନି ଧରି ପଛେ ପଛେ ଗଲା । ଆଲମାରି ପାଖକୁ ମରି ପଡ଼ିଛି ବଡ଼ ବିଲେଇଟାଏ । ଦୁଇଧାଡ଼ି ଦାନ୍ତ ମଝିରେ ଜିଭଟା ଚାପି ହୋଇ ବାହାରକୁ ବାହାରି ଆସିଛି । ପାଖରେ ତା’ର ରୋଲ୍‍ବାଡ଼ିଟାଏ ଗଡ଼ୁଛି ।

 

–କିଏ ମାରିଛି ? –ଦୁଇଟି ପଚାରିଲା ପଚାରିଲା ଆଖିର ଚାହାଣି ଲମ୍ବି ଆସିଲା ରେଖାର ମୁହଁ ଉପରକୁ I ରେଖା ବିସ୍ମିତ ହେଲା ।

 

–ସତେ, କିଏ ମାଇଲା !!

Image

 

Unknown

ହାତ

ସଚ୍ଚି ରାଉତରାୟ

 

ସେ ହାତ ଦେଖେ । ସହରର କାନ୍ଥବାଡ଼ରେ ମରା ହେଉଥିବା ବଡ଼ବଡ଼ ସିନେମା ପୋଷ୍ଟରଗୁଡ଼ାକ ଛିଣ୍ଡେଇ ଆଣି ସେ ରାସ୍ତାରେ ପାରି ବସିପଡ଼େ । ତା’ର ବସିବାର ଜାଗା ଗୋଟାଏ ନୁହେଁ । ରାସ୍ତାରେ ଯେତେବେଳେ ଯୋଉଠି ଲୋକଗହଳି ହୁଏ, ସେ ସେଇଠିକି ଆସ୍ଥାନ ଉଠେଇ ନେଇ ପସରା ମେଲି ବସେ । ପସରା ବୋଇଲେ ଖଣ୍ଡେ ଚିରା ମସିଆ କନାର ବସ୍ତାନି I ତା’ ଭିତରେ କୋଉ କାଳର ପୁରୁଣା ତେଲଚିକିଟା ନଗା ଖଣ୍ଡେ ସାତ ଭାଙ୍ଗର ସାମୁଦ୍ରିକ ବହି । ବହିର ପୃଷ୍ଠା କଡ଼ ସବୁ ମୋଡ଼ି ମୋଡ଼ି ହୋଇ ବଙ୍କାଢ଼ଙ୍କା ହୋଇ ଗଲେଣି, ମଲାଟ ଉପରେ ଖବରକାଗଜ ଖଣ୍ଡକର ଅକ୍ଷର ହାତଘସିଆ ଆଉ ମଇଳା ସାଲୁବାଲୁ ହୋଇ ଜମାରୁ ପଢ଼ି ହଉନାଇଁ । ବହିର ପ୍ରଥମ ପୃଷ୍ଠାରେ ମରାହୋଇଥିବା ଜଳଛବି ଖଣ୍ଡକର ଫାଳେ କୁଆଡ଼େ ଉଡ଼ିଯାଇଥିବାରୁ ଛବିଟାର ଅର୍ଥ ମଧ୍ୟ ବୁଝିହଉନାଇଁ ।

 

ସେ ବହିଖଣ୍ଡିକ ଛଡ଼ା ବସ୍ତାନି ଭିତରେ ଅଛି କଟକ କୋହିନୁର ପ୍ରେସ୍‍ରେ ଛାପା ଖଣ୍ଡେ ହନୁମାନ ପ୍ରଶ୍ନ, ଖଣ୍ଡେ ଖଡ଼ିରତ୍ନଙ୍କ ପକେଟ ପଞ୍ଜିକା, ଖଣ୍ଡେ ସିଲଟ, ଖଣ୍ଡେ ଜଗନ୍ନାଥ ଛାପା, ଆଉ ଜଣେ ମୃତ ଡେପୁଟି କିଲେକ୍‍ଟର ଦେଇଥିବା ଖଣ୍ଡେ ଟିଣ ବନ୍ଧେଇ ସାଟିଫିକେଟ୍ ।

 

ବସ୍ତାନିଟି ଖୋଲି ସେ ପହିଲୁ ଟିଣବନ୍ଧା ସାଟିଫିକେଟ୍ ଖଣ୍ଡିକୁ ନିଜ ଗାମୁଛାରେ ପୋଛି ସମସ୍ତଙ୍କ ଆଖି ପଡ଼ିବା ଜାଗାରେ ଭଲକରି ଥୋଇଦିଏ । ତା’ପରେ ତିନିରଙ୍ଗିଆ ଜଗନ୍ନାଥ ଛାପାଖଣ୍ଡକ କାଢ଼େ । ସିନ୍ଦୂର ଆଉ ଚନ୍ଦନ ଲାଗି ହେଇ ଠାକୁର ତିନିଜଣ ପୋତିହେଇ ପଡ଼ିଲେଣି । ସେ ଛାପାଟିକୁ ଥରେ ମୁଣ୍ଡରେ ଛୁଆଁଇ ବସ୍ତାନି ଆଗରେ ରଖିଦିଏ । ତା’ପରେ ତା’ର ଟିକିଟିକି ଗହିଡ଼ା ଆଖିଯୋଡ଼ିକ ଟେକି ସେ ଲୋକ ଯା-ଆସ ଲକ୍ଷ୍ୟ କରେ–ଭିଡ଼ ଭିତରକୁ ଅନାଇ ରହେ ।

 

ତା’ର ଲମ୍ବା ହାଡ଼ୁଆ ଦିହଟା ଉପରେ ପଡ଼ିଥାଏ ଖଣ୍ଡେ ପୁରୀ ନାମାବଳି । କନାଖଣ୍ଡକ ପବନରେ ଏଣେତେଣେ ଉଡ଼ିଗଲେ ତା’ ଛାତିର ବଡ଼ବଡ଼ ହିଡ଼ଗୁଡ଼ାକ କଳା କଳା ଲୋମଭିତରୁ ସଫା ବାରିହେଇ ଦିଶନ୍ତି; ତା’ର ଲମ୍ବା ବାଳ କେରାକ କାନ ଉପରୁ ଟେକାହେଇ ପିଠି ଉପରକୁ ଝୁଲି ପଡ଼ିଥାଏ । କାନରେ ସବୁବେଳେ ଖୋସିଥାଏ ସେ ଗୋଟାଏ ଦରମଇଳା ନାଲି ଟହଟହ ଗେଣ୍ଡୁଫୁଲ ।

 

ଦିନର ଅଧିକାଂଶ ସମୟ ତାକୁ ଅଦାଲତ ପାଖରେ କିମ୍ବା କିଲଟରି କଚିରି ସାମନା ଓସ୍ତଗଛମୂଳରେ ବସିଥିବାର ଦେଖାଯାଏ । ପରୀକ୍ଷାବେଳେ ସେ ସହରର କେତୁଟା ଇସ୍କୁଲ୍‍ହତାରେ ଆସ୍ଥାନ ଜମେଇ ବସେ । କିଏ ମକଦ୍ଦମା ଜିଣିବ କି ନାହିଁ କାହାକୁ କେତେ ମିଆଦ ହବ, କାହାର ଏ ସାଲେ କିଲାସଉଠା ହବ କି ନାହିଁ ଏଇପରି ନାନା ବିଷୟରେ ନାନା ଲୋକେ ତା’ ସହିତ ପରାମର୍ଶ କରିବାକୁ ଆସନ୍ତି । ଅନୁକୂଳ ଆଦାୟ ହୋଇସାରିଲେ ସେ ଯାହାକୁ ଯେମିତି କହିବାର କଥା, ହାତ ଦେଖି କିମ୍ବା ସିଲଟରେ କୋଷ୍ଠୀ କାଟି ଚୁମ୍ବକରେ କହିଦିଏ । କଥାଟି ବାଜିଗଲେ କେବେକେବେ ଆଉରି ଦି’ ଚାରି ପଇସା ଗ୍ରାହକମାନେ ଖୁସି ହୋଇ ରୋକ୍‍ଠୋକ୍ ଗଣିଦିଅନ୍ତି । ପଇସାତକ ମୁଣ୍ଡରେ ନଗେଇ ସେ ଗୋଟେ ମୁଦା ଟିଣ ବାକ୍‍ସଭିତରକୁ ଗଳେଇଦିଏ-। କୌଣସି କୌଣସି ଗାଉଁଲି ଥିଲାବାଲା ଲୋକ ହାବୁଡ଼େ ପଡ଼ିଲେ ସେ ମକଦ୍ଦମା ଜିଣେଇଦବାନାଗି ମଶାଣିରେ ସଂକ୍ରାନ୍ତିଦିନ ଚଣ୍ଡୀପୂଜା କରି ଡେଉଁରିଆ ତିଆରି କରିଦେବାପାଇଁ ବେଶ୍ ମୋଟା ରକମର ଅଣ୍ଟା ଖୋସା ମଧ୍ୟ ଆଦାୟ କରିନିଏ ।

 

ସେଦିନ ଉଦୁଉଦିଆ ଦିପହର । ଖରାଦିନ, କାଠଯୋଡ଼ିର ତତଲା ବାଲି ଉପରେ ପହଁରି ପହଁରି ଜ୍ୟେଷ୍ଠମାସର ଖଇଫୁଟା ଝାଞ୍ଜି ପଲାସି ଆସୁଥାଏ । କିଲଟରି ନଈ କଚିରି ପାଖ ବନ୍ଧ ଉପରେ ଉଚ୍ଚା ଉଚ୍ଚା ଗଛ ଭିତରେ କେଇଟା ବାଦୁଡ଼ି ଖରାରେ ଦରସିଝା ହେଇ ଚିଁ ଚିଁ ଶବ୍ଦ କରୁଛନ୍ତି-। ଗୋଟାଏ ରୋଗଣା ବୁଲା କୁକୁର ଭୋକ ଆଉ ଖରା ତବତରେ ଆଉଟୁପାଉଟୁ ହେଇ ଖଣ୍ଡେ ଚେକାଗଛ ଛାଇରେ ଚାରିକାତ ନମ୍ବେଲ ଶୋଇପଡ଼ି ଜିଭ ହାଲୁହାଲୁ କରି ଧଇଁ ପେଲୁଛି-

 

ଗୋଟେ ସରୁ କାଳିଆ ହାତ ଆସ୍ତେ ଆସ୍ତେ ଜ୍ୟୋତିଷଙ୍କ ଆଡ଼କୁ ଲମ୍ବି ଆସିଲା । ହାତଟାରେ ପଳେବି ମାଉଁସ ନାଇଁ, ଖାଲି ମୁନିଆ ମୁନିଆ କେଇ ଖଣ୍ଡ ହାଡ଼, ଗୁଡ଼ାଏ ବଡ଼ବଡ଼ ରୁମ ଆଉ ଚମତଳେ କେଇଟା ଗହିଡ଼ିଆ ନେଳିଆ ଶିରା । ରକ୍ତହୀନ ଆଙ୍ଗୁଠି ଆଗରେ ଅସନା ନଖଗୁଡ଼ାକ ମଇଳା କଟକଟ ଦିଶୁଚି ।

 

ହାତପାପୁଲିଟାକୁ ଅନେକ ବେଳଯାଏ ସେ କ’ଣ ପରୀକ୍ଷା କଲେ । ତା’ପରେ ସେ ତା’ର ଦାଢ଼ି ନିଶର ଜଙ୍ଗଲଭିତରୁ ହାତ ଦେଖାଉଥିବା ଲୋକଟିର ମୁହଁଆଡ଼କୁ ଟିକିଏ ତଳେଇକରି ଚାହିଁଲା । ଲୋକଟାର ଶୁଖିଲା ପାଉଁଶିଆ ମୁହଁଟା ଗୋଟାଏ ଅଜ୍ଞାତ ଆଶଙ୍କାରେ ଆଉରି ବେଶି ପାଉଁଶିଆ ପଡ଼ିଗଲା ।

 

କ’ଣ ହେଇଚି ?

 

କାଶ ଉଠିବାରୁ ଲୋକଟା ହଠାତ୍ କିଛି ଜବାବ ଦେଇପାରିଲା ନାଇଁ । ସେ ବେଦମ୍ ହେଇ ବହୁତ ବେଳଯାଏ ଖୁଁ ଖୁଁ ହେଇ କାଶିବାରୁ, ତା’ପରେ ତା’ର ମୁହଁବାଟେ ବାହାରି ଆସିଲା ଆଞ୍ଜୁଳାଏ ରକ୍ତ । ତା’ର ଦଦରା ଛାତିର ଭଙ୍ଗା ହାଡ଼ଗୁଡ଼ାକ ମଝିରୁ ସତେକି ଦୁଇଖଣ୍ଡ ହେଇଗଲାପରି ଜଣାଗଲା । ସେ ଅଣନିଃଶ୍ଵାସୀ ହେଇ ଦୁର୍ବଳତାଯୋଗୁଁ ଖାଲି ବରଡ଼ାପତ୍ରପରି ଥରିବାକୁ ନାଗିଲା ।

 

କଠିନ କଣ୍ଠରେ ହାତଦେଖାଳି ଜ୍ୟୋତିଷ କହିଲେ, “ତମେ ନ କହିଲେ କ’ଣ ହେବ, ତମ ହାତ କହୁଚି ଯେ ତମର ରାଜଯକ୍ଷ୍ମା ହେଇଚି । ତମ ଆୟୁରେଖା ବଡ଼ ଦୁର୍ବଳ ହେଇଯାଉଚି ।“

 

ଲୋକଟାର ରକ୍ତହୀନ ବିବର୍ଣ୍ଣ ମୁହଁ ଉପରେ ହଠାତ୍ ଯିମିତି କିଏ ମେଞ୍ଚାଏ କାଳି ବୋଳି ଦେଇଗଲା । ଗୋଟାଏ ଅଦୃଶ୍ୟ ଭବିଷ୍ୟତର ଅଶୁଭ ଇଙ୍ଗିତରେ ତା’ର ସାରା ଦିହଟା ଶୀତେଇ ଉଠିଲା । ଭୟରେ ଛାତିଟା ତା’ର ଆଉରି ଜୋରରେ ପଡ଼ିଲା ଉଠିଲା, ପୁଣି ବେଶି ଜୋରରେ ଏଥର ତା’ର କାଶ ଉଠିଲା ।

 

ଜ୍ୟୋତିଷ ତା’ର ପାପୁଲିଟି ନେଇ ଆୟୁରେଖାଟିକୁ ଖୁବ୍ ଜୋରରେ ନିଜ ଆଙ୍ଗୁଠିରେ ଦଳିବାକୁ ଲାଗିଲେ । ତା’ପରେ ସେ ଖୁବ୍‌ ନିରେଖି କରି ସେଟାକୁ ଚାହିଁଲେ ।

 

ତାଙ୍କର ଭାବଭଙ୍ଗୀରୁ ଜଣାଯାଉଥିଲା, ଯିମିତି ସେଇ ମଇଳା ହାତର ସରୁ ରେଖାଟା ଗୋଟାଏ ପୋତା ନାଳର ଧାର । ପଡ଼ିଆ ଦିହରେ କେଉଁଠି ମିଶି ହଜିଗଲାପରି ହଠାତ୍ କୁଆଡ଼େ ସେଇ ପାପୁଲି ଭିତରେ ନିଭି ସମତଳ ହେଇ ଯାଇଚି । ଆଉ ସେ ଯିମିତି–ସେ ପାପୁଲିଟାକୁ ସଫାକରି ତା’ ଭିତରୁ ସେଇ ନିଭିଲା ରେଖାଟିକୁ ଖୋଳି ବାହାର କରିବାକୁ ଚେଷ୍ଟା କରୁଛନ୍ତି ।

 

ଜ୍ୟୋତିଷଙ୍କ ଆଖିରେ ରେଖାଟା ଧରାଦେଉନାହିଁ ଦେଖି ରୋଗୀଟି ଅଧିକ ନିସ୍ତେଜ ହେଇପଡ଼ିଲା, ତା’ର ଶୁଖିଲା ଆଖିପତା ଦୁଇଟା ଉପରେ ବେଶି ବେଶି ଗହିରିଆ ଦେଖାଗଲା । ତା’ର ସାନ ମଇଳା ମୁହଁଟା କ୍ରମେ ଛୋଟ ହେଇଯାଇ ଗୋଟିଏ ସାନ ପିଲାର ମୁହଁପରି ଜଣାଗଲା-

 

“ମୁଁ କ’ଣ ତାହାହେଲେ ବଞ୍ଚିବି ନାହିଁ ଅବଧାନେ ?” ବହୁତ ସମୟ ପରେ ନିଜର ଭାବାବେଗକୁ ସମ୍ଭାଳି ରୋଗୀଟି ପଚାରିଲା । କଣ୍ଠରେ ତା’ର ଉତ୍କଣ୍ଠାର ଚରମ ।

 

ଜ୍ୟୋତିଷ ହାତଟାକୁ ଆଉ ଟିକିଏ ଭଲକରି ଦେଖିଲେ । ତା’ପରେ କ’ଣ କହିବେ ବୋଲି ମୁହଁ ଟେକିଲେ । ତାଙ୍କ ଓଠରେ କ୍ରୂର ଉଦାସୀନ ହସ–ଆଖି ଦି’ଟାରେ ଅଦୃଷ୍ଟର ନିଷ୍ଠୁର ବିଦ୍ରୂପ ପରି ଗୋଟାଏ ତୀକ୍ଷ୍ଣ ଇଙ୍ଗିତ ।

 

ରୋଗୀର ଆଉ ତାଙ୍କ ମୁହଁକୁ ଅନେଇବାକୁ ସାହସ ହେଲାନାଇଁ । ସେ ତଳକୁ ମୁହଁ ପୋତିଦେଲା । ଦେଖିଲା ତଳେ ଥୁଆହେଇଚି ସେ ତିନିରଙ୍ଗିଆ ଜଗନ୍ନାଥ ଛପାଟା । ଚନ୍ଦନ ଆଉ ସିନ୍ଦୂରର ପାହାଡ଼ ତଳେ ସେଇ ଦୁର୍ବୋଧ୍ୟ ଦେବତାଙ୍କର ଅସ୍ପଷ୍ଟ ମୂର୍ତ୍ତିଟା ତା’ର ଅଦେଖା ଭବିଷ୍ୟତ ପରି ତା’ ଆଖିକୁ କଳା ଆଉ ରହସ୍ୟମୟ ଦେଖାଗଲା । ସେ ଆଉ ଠାକୁରଙ୍କ ଆଡ଼କୁ ଚାହିଁପାରିଲାନାଇଁ । ସେଠାରୁ ଆଖି ଫେରାଇ ନେଇ ସେ ବସ୍ତାନିଭିତରେ ଥିବା ବହିଗୁଡ଼ାକୁ ଅନାଇବାକୁ ନାଗିଲା । କଳା ମସିଆ ବହିର ପୁରାତନ ପୃଷ୍ଠାଗୁଡ଼ାକ ତା’ ମନରେ ଆହୁରି ଭୟ ସଞ୍ଚାର କଲେ । କୋଉ ଅନାଦି କାଳର ମଇଳା ଆଉ ତେଲିଆ ଗନ୍ଧ ଭିତରୁ ସେଇ ବହିର ଦରନିଭିଲା ଅକ୍ଷରଗୁଡ଼ାକ ତାକୁ ତା’ର ନିଭିଆସୁଥିବା ଝାପ୍‌ସା ଅସ୍ତିତ୍ଵର କଥା ସ୍ମରଣ କରେଇଦେଲେ । ସେ ତରତରରେ ସେଠୁ ପୁଣି ଆଖି ଫେରେଇ ନେଇ ସିଲଟଟାକୁ ଦେଖିବାକୁ ନାଗିଲା । କଳା ସିଲଟ ଉପରେ ନେଖାହେଇଥିବା ଅଡ଼ୁଆ ତଡ଼ୁଆ ଦୁର୍ବୋଧ୍ୟ ଗାରଗୁଡ଼ାକରୁ ସେ ଜମା କିଛି ବୁଝି ନ ପାରିଲେ ମଧ୍ୟ ସେଇ ଅବୁଝା ଅଙ୍କନଗୁଡ଼ିକୁ ତନ୍ନତନ୍ନ କରି ପରୀକ୍ଷା କରିବାକୁ ନାଗିଲା ।

 

ଜ୍ୟୋତିଷ ଗଳାଖଙ୍କାର ମାଇଲେ.....

 

ରୋଗୀଟା ବୁଝିପାରିଲା ସେ ଏଥର କ’ଣ କହିଲେ । କିଛି ଶୁଣିବାପେଇଁ ତାକୁ ଡର ମାଡ଼ିଲା । ସେ ମୁହଁ ଟେକି ଥରେ ଜ୍ୟୋତିଷଙ୍କ ଆଡ଼କୁ ଚାହିଁଲା, ଜ୍ୟୋତିଷଙ୍କ ଚଉଡ଼ା କପାଳର ଦୁଇ କଡ଼ରେ ଯେଉଁ ଉଚ୍ଚା ଉଚ୍ଚା ଶିର ଦୁଇଟା ଶିଙ୍ଗପରି ଚମଡ଼ାତଳୁ ଫୁଟି ବାହାରିଛି ସେ ଦୁଇଟା ହଠାତ୍ ଟିକିଏ ଥରି ଉଠିଲେ । ତାଙ୍କ କାନରେ ଖୋସା ହୋଇଥିବା ନାଲି ଗେଣ୍ଡୁଫୁଲଟା ହଠାତ୍ ଟିକିଏ ହଲିଗଲା । ସେ କଥା କହିଲେ । ତାଙ୍କର ପ୍ରସିଦ୍ଧ ଗାଲ-ହାଡ଼ତଳେ ଦିଶୁଥିବା ମାଉଁସର ଗହିରିଆ ଗାତଦୁଇଟା ହଠାତ୍ ପୂରିଉଠି ପୁଣି ଖାଲ ହୋଇଗଲା । ମୁହଁର ମାଂସପେଶୀଗୁଡ଼ାକ ଫୁଲିଉଠିଲା । ରୋଗୀଟି ଶୁଣିଲା ତାଙ୍କ କଣ୍ଠର ଆବାଜ–

 

ତମ ହାତ କହୁଚି–

 

ତା’ର ହାତ କ’ଣ କହୁଚି ? କେଉଁ ଭୟଙ୍କର ଇତିହାସ ସେଥିରେ ନେଖାଅଛି; ତାହା ଶୁଣିବାନାଗି ତା’ର ଜମା ଇଚ୍ଛା ହଉ ନଥିଲା । ତଥାପି ତାକୁ ଶୁଣିବାକୁ ହେଲା ।

 

ଜ୍ୟୋତିଷ କହିଲେ–ତମର ଗୋଟିଏ ମାର୍କ ଅଛି । ଶୁକ୍ର ମହାଦଶାଙ୍କ କ୍ଷେତ୍ରଟା ତମ ହାତରେ ତଳକୁ ତଳକୁ ପଶିଯାଉଚି । ଏହା ସ୍ଵାସ୍ଥ୍ୟପକ୍ଷରେ ଭଲ ନୁହେଁ ।

 

ରୋଗୀଟା କଳାକାଠ ପଡ଼ିଗଲା । ବିଚାରକଙ୍କ ମୁହଁରୁ ମୃତ୍ୟୁଦଣ୍ଡ ଶୁଣିବା ଆଗରୁ କାଠଗଡ଼ାରେ ଆସାମୀର ମୁହଁ ଯେମିତି ଶୁଖି ଚୋଚଲା ପଡ଼ିଯାଏ, ରୋଗୀଟା ଠିକ୍ ସେମିତି ଶୁଖି ବିବର୍ଣ୍ଣ ହେଇଗଲା ।

 

ତା’ର କାଶର ବେଗ ଭୟଙ୍କର ଭାବରେ ବଢ଼ିଉଠିଲା–ସେ କାଶି କାଶି ଲୋଚାକୋଚା ହୋଇ ଭୂଇଁ ସାଉଁଟିବାକୁ ନାଗିଲା ।

 

କିଛି ସମୟ ପରେ ସେ ପୁଣି ଥିର ହୋଇ ବସିଲା । ପଚାରିଲା–ମୁଁ କେତେଦିନ ବଞ୍ଚିବି ? ଏଁ–ମୁଁ ମାଘମାସରେ ମୋ ଝିଅକୁ ବିଭାଦେବି ବୋଲି ଦିନ ଧରିଚି । ସେଇ ଗୋଟିଏ ବୋଲି ପିଲା, ଗୋରୁ ନାଙ୍ଗୁଡ଼ରେ ବକଟେ ହବ । ତାକୁ ହାତକୁ ଦିହାତ କରିଦେଲେ ମୋର ଅବଧାନେ ଛୁଟି । ତମକୁ ନେହୁରା ହଉଚି, ଟିକିଏ ଭଲକରି ହାତ ଦେଖି କହନି ଦେଖି ମୁଁ ଆଉ ମାସ ଚାରିଟା–

 

ତା’ କଣ୍ଠସ୍ଵର ଥରୁଥିଲା । ତା’ର ଅସହାୟ ଭାବ ଦେଖି ଜ୍ୟୋତିଷଙ୍କର ନିର୍ମାୟା ମୁହଁରେ ଟିକିଏ ଉତ୍ତାପ ଫେରିଆସିଲା । ସେ ଥତମତ ହୋଇଗଲେ ।

 

ତାଙ୍କର କଳା ଦାଢ଼ି ଉପରେ ଜଳୁଥିବା ଆଖି ଦି’ଟା ମମତାରେ ଟିକିଏ ଉଜାଲା ଦେଖାଗଲା । ସେ କ’ଣ କରିବେ ଟିକିଏ ଭାବିବାକୁ ଲାଗିଲେ । ତା’ପରେ ବହୁତ ବେଳଯାଏ ବସି ଦେଖି ଢୋକ ଗିଳି ଟିକିଏ ମୁରୁକି ହସା ଦେଇ କହିଲେ–

 

ତୁ ଅନେକ ଦିନ ବଞ୍ଚିବୁ; ଆସନ୍ତା ଦୁଇବର୍ଷ ଭିତରେ କେହି ତୋ ଦିହରେ ଦାଗଟାଏବି ଟାଣିପାରିବ ନାହିଁ । ମା’ ଚଣ୍ଡୀଙ୍କ ଦୟାରୁ ତୋର ସବୁ ରୋଗ-ବୈରାଗ କୁଆଡ଼େ ରାଣ ଦେଲାପରି ଉଭେଇଯିବ । ତୁ ଏଇ ଅଷ୍ଟଧାତୁ ମନ୍ତୁରା ଡେଉଁରିଆ ବାନ୍ଧ । ନେ, ପଣାସଂକ୍ରାନ୍ତି ଦିନ ବହୁତ ଗୁଣିଗାରୁଡ଼ି କରି, ନିଜ ଖାଇବି ହାତରୁ ରକ୍ତ ବଳି ଦେଇ ମଶାଣିଚଣ୍ଡୀ ପାଖରୁ ୟାକୁ ଆଣିଚି । କାଟପାଣି ପରି ସବୁ ବଡ଼ବଡ଼ ରୋଗକୁ ଏ ଡେଉଁରିଆ ଆଚ୍ଛା କରିଦେବ ।

 

ସେ ରୋଗୀର ଖାଇବିବାହାରେ ଡେଉଁରିଆଟିକୁ ମନ୍ତୁରେଇ ଡୋରି ଖଣ୍ଡକରେ ବାନ୍ଧିଦେଲେ । ରୋଗୀଟିର ବିବର୍ଣ୍ଣ ମୁହଁରେ ପୁଣି ରକ୍ତ ଫେରିଆସିଲା । ତା’ର ମଇଳା ଗାଲରେ ମାଂସର ଝଲକ ଦେଖାଗଲା । ହସରେ ଆଖି ଦି’ଟା ତା’ର ପୁଣି ନାଚିଉଠିଲା । ସେ ଖୁସି ହୋଇ ଜ୍ୟୋତିଷଙ୍କ ଗୋଡ଼ତଳେ ମୁଣ୍ଡିଆ ମାରି କହିଲା–

 

ସତରେ, ସତରେ ମୁଁ ଭଲ ହେଇଯିବି ଗୋସେଇଁ ମାହାପୁରୁ ? ସବୁ ଠାକୁରଙ୍କ ଇଚ୍ଛା । ଗତ ସାଲ କେତେ ମିହନ୍ତ କରି ପଡ଼ିଆ ଭୂଇଁ ଦି’ ମାଣକରେ ଗାର ଦେଇ ଉଠିଆ କରିଥେଲି । ଠାକୁରେ ମୋତେ ବର୍ଷ ଚାରିଟା ବଞ୍ଚେଇ ରଖିଲେ ସେଥିରୁ ପରା ମୁଁ ସୁନା ଫଳେଇବି ! !

 

ତା’ପରେ ସେ ଠାକୁରାଣୀଙ୍କ ପୂଜାପାଠ ପାଇଁ ଗୋଟିଏ ଟଙ୍କା ଜ୍ୟୋତିଷଙ୍କ ଗୋଡ଼ତଳେ ରଖିଦେଇ ସେଠୁ ଚାଲିଗଲା । ତା’ର ଚାଲିରୁ ମନେହେଲା, ତା’ର ଅସାଧ୍ୟ ବେମାରି ସତକୁସତ କିଛି ସମୟପାଇଁ ଭଲ ହେଇଯାଇଛି । ତା’ର ଭାବଭଙ୍ଗୀ କଥାବାର୍ତ୍ତାରେ ବଞ୍ଚିବାର ଉତ୍ତପ୍ତ ଆଗ୍ରହ ପୁଣି ଏତେ ଜୋରରେ ଫୁଟିଉଠିଲାଣି ଯେ, ତା’ର ସାଙ୍ଗସାଥୀମାନେ ତାକୁ ସେ ଦିନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

 

ଜ୍ୟୋତିଷ ତା’ ଖୁସିରେ ନିଜେ ଖୁସି ହୋଇ ତାକୁ ଆଶୀର୍ବାଦ କଲେ–

 

“ମା’ ମଶାଣିଚଣ୍ଡୀ ତୋର ମଙ୍ଗଳ କରନ୍ତୁ ।’’

 

ରୋଗୀଟି ଚାଲିଯିବା ପରେ ମୋର ସାରା ଅନ୍ତରଟା ସେଇ ହାତଦେଖାଳି ଜ୍ୟୋତିଷର ପେସାଦାରି ଭଣ୍ଡାମି ବିରୁଦ୍ଧରେ ଘୃଣା ଆଉ ରାଗରେ ପୂରିଉଠିଲା । ମୁଁ ତାକୁ ପୁଲିସରେ ଦବାଲାଗି ମନେମନେ ସଂକଳ୍ପ କରି ସେଦିନ ସେଠାରୁ ଚାଲିଆସିଲି । ସେଇଦିନୁ ମୁଁ ସେଇ ଜ୍ୟୋତିଷର ଗତିବିଧି ବିଶେଷ ସତର୍କତା ସହିତ ଲକ୍ଷ୍ୟ କରିବାକୁ ଲାଗିଲି ।’

 

ତା’ପରେ ଦିନେ । ପୁଷୁମାସର ଓଦାଳିଆ ଅପରାହ୍‍ଣ ଧୂଆଁଳିଆ ଆକାଶ ଦିହରେ ଧୀରେ ଧୀରେ ନିଭି ଆସୁଛି । ମୁଁ ଯାଉଁ ଯାଉଁ ଦେଖିଲି କଲେଜ ପାଖରେ ଗୋଟିଏ ଗଛ ମୂଳରେ ବସି ସେଇ ଜ୍ୟୋତିଷଟା ଜଣେ ଯୁବକର ହାତ ଦେଖୁଚି ।

 

ଯୁବକଟି ବୋଧହୁଏ କଲେଜର ଛାତ୍ର । ବୟସ ଅନୁପାତରେ ତା’ର ଶରୀର ଗଠନ ଅତ୍ୟନ୍ତ ରୋଗା ଆଉ ଦୁର୍ବଳ ବୋଧ ହେଉଚି । ଛାତ୍ରଟିର ଭାବପ୍ରବଣ ଆଖି ଦୁଇଟି ଭିତରେ ଯେମିତି ତା’ରି ଜୀବନର ବ୍ୟର୍ଥ ଇତିହାସ ପ୍ରକାଶ ଲାଭ କରୁଚି ।

 

ଛାତ୍ରଟି ପଚାରିଲା...ତମେ କହ, ସେ ମୋତେ ଭଲପାଏ ନାଇଁ ?” ଜ୍ୟୋତିଷ ମୁରୁକି ହସି ଛାତ୍ରଟିର ବ୍ୟାକୁଳତା ଲକ୍ଷ୍ୟକଲେ । ତା’ର ସମସ୍ତ ମନସ୍ତତ୍ତ୍ଵ ତାଙ୍କର ତୀକ୍ଷ୍ଣ ସତର୍କ ଦୃଷ୍ଟି ଆଗରେ ମୁହୂର୍ତ୍ତକରେ ଅଭିବ୍ୟକ୍ତ ହୋଇପଡ଼ିଲା ।

 

ସେ ହାତଟାକୁ ଓଲଟପାଲଟ କରି କହିଲେ....ତମ ହାତରେ ଚାରିଟା ଶଙ୍ଖ ଅଛି । ପାଞ୍ଚଟା ଶଙ୍ଖ ଥିଲେ ରାଜ୍ୟ ଲାଭ, ଧନ ଲାଭ, ଆଉ ପୁତ୍ର ଲାଭ ନିଶ୍ଚୟ ।

 

ଅସହିଷ୍ଣୁ ଭାବରେ ଛାତ୍ରଟି କହିଲା....ମୋର ରାଜ୍ୟ, ଧନ, ପୁତ୍ର କିଛି ଦରକାର ନାହିଁ । ତମେ କହ, ମୁଁ ତାକୁ ପାଇବି କି ନାହିଁ–ମୁଁ ତାକୁ ଭଲପାଏ । କିନ୍ତୁ ମନେମନେ ଭଲଯାଏ । ମୁଁ ତାକୁ କେବେ ଭଲପାଏ ବୋଲି କହିନାହିଁ । କହିବିବି ନାହିଁ ।

 

ଚାଲାଖ୍ ଜ୍ୟୋତିଷ ସବୁକଥା ମୁହୂର୍ତ୍ତକରେ ଠଉରାଇ ନେଲେ । ଏଭଳି ପ୍ରେମର ପରିଣତି ଯେ କେଉଁଠି ଏ କଥା ବୁଝିବାକୁ ତାଙ୍କୁ ମିନିଟିଏ ସୁଦ୍ଧା ବିଳମ୍ବ ହେଲା ନାଇଁ ।

 

ହଠାତ୍ ଜ୍ୟୋତିଷ ବଡ଼ ଗମ୍ଭୀର ହୋଇଗଲେ । ଜିଜ୍ଞାସାକାରୀର ଉତ୍କଣ୍ଠା ବଢ଼ାଇବା ଲାଗି ଯେତେଦୂର ସମ୍ଭବ ବିଳମ୍ବ କରି ଅନେକବେଳ ପରେ କହିଲେ...

 

ତମ ହାତ କହୁଚି–

 

‘କ’ଣ କହୁଚି ?’ ଉଦ୍‌ଗ୍ରୀବ ହୋଇ ଛାତ୍ରଟି ପଚାରିଲା । ତା’ର ବ୍ୟାକୁଳ କଣ୍ଠସ୍ଵରରୁ ମନେହେଉଥିଲା, ସତେ କି ଯିମିତି ଜ୍ୟୋତିଷଙ୍କ କଥା ପଦକରେ ତା’ର ସମସ୍ତ ଭବିଷ୍ୟତ ଝୁଲୁଛି ।

 

‘ତମ ହାତରେ ବିଳମ୍ବରେ ବିବାହ ଲେଖୁଚି ।’ ଜ୍ୟୋତିଷ ଉତ୍ତର ଦେଲେ ।

 

ଅସହିଷ୍ଣୁ କଣ୍ଠରେ ଛାତ୍ର କହିଲା–ମୁଁ ବିବାହକୁ କେୟାର କରେ ନାହିଁ । ମୁଁ ବିବାହ କରିବାକୁ ଚାହେଁ ନାଇଁ । ମୁଁ ଚାହେଁ ତାକୁ ଭଲ ପାଇବାକୁ । ବିବାହଟା ତା’ ତୁଳନାରେ କେତେ ଛୋଟ ଜିନିଷ । କହ ତମେ, ସେ ମତେ ଭଲ ପାଇବ କି ନାହିଁ । ସେତିକି କେବଳ ମୋର ପ୍ରଶ୍ନ–

 

ଜ୍ୟୋତିଷ ନୀରବ ହେଲେ ଅନେକ ବେଳଯାଏ । କ’ଣ ରେଖା କାଟି ଆଙ୍ଗୁଠିରେ ଗଣାଗଣି କରି କହିଲେ–ହଁ, ତୁମକୁ ସେ ସୁଖପାଏ । ସ୍ତ୍ରୀଟି ଶ୍ୟାମଳ ବର୍ଣ୍ଣ, ତମ ସାଥିରେ ପଢ଼େ–ନା ?

 

ଠିକ୍ ଠିକ୍ । ଛାତ୍ରଟି ଲମ୍ଫଦେଇ ଉଠିଲା । ତା’ର ରୋଗା ପାଣ୍ଡୁର ମୁହଁଟି ଖୁସିରେ ଉଛୁଳି ପଡ଼ିଲା । ତା’ପରେ ସେ ଟିକିଏ ସନ୍ଦେହପୂର୍ଣ୍ଣ କଣ୍ଠରେ କହିଲା–“ସେ କିନ୍ତୁ ମୋର ଉପର କ୍ଲାସ୍‍ରେ ପଢ଼େ ।’’

 

ଜ୍ୟୋତିଷ କହିଲେ–ଯେଉଁ କିଲାସରେ ପଢ଼ୁ, ସେ ତମକୁ ସୁଖପାଏ । ମନେମନେ ସେ ତମରି କଥା ଭାବେ । ତମଛଡ଼ା ଦୁନିଆରେ ଆଉ କାହାକୁ ଦେଖିପାରେନାଇଁ । ତା’ପରେ ଛାତ୍ରଟିର କପାଳରେ ହାତମାରି କହିଲେ–ତମ କପାଳରେ ଏ ଯେଉଁ ବିଦ୍ୟା ରେଖା ଝଟୁକୁଛି, ତା’ର କରାମତି ଅନେକ–ତା’ପରେ ଏ ଯେଉଁ ଧନରେଖା–

 

ବାଧା ଦେଇ ଛାତ୍ରଟି କହିଲା–ବିଦ୍ୟାଫିଦ୍ୟା, ଧନଫନକୁ ମୁଁ ଜମା କେୟାର କରେନାହିଁ-। ମୁଁ ଚାହେଁ ସେ ମତେ ଭଲ ପାଇବ । ଏକୁଟିଆ ମତେଇ ଭଲ ପାଇବ ।

 

ଜ୍ୟୋତିଷ ତା’ କଥାକୁ ସମର୍ଥନ କରି କହିଲେ–ନିଶ୍ଚୟ ସେ ତମକୁ ଭଲ ପାଇବ । ବାବୁ-! ନିଶ୍ଚୟ ଭଲ ପାଇବ । ନ ପାଇବ ତ ମୁଁ ହାତଦେଖା ବେଉସା ଏକାବେଳେ ଛାଡ଼ିଦେବି । ବାଜି ରହିଲା ।

 

ଛାତ୍ରଟି ପକେଟରୁ ଅଧୁଲି ବାହାର କରି ଜ୍ୟୋତିଷଙ୍କ ହାତକୁ ବଢ଼େଇ ଦେଇ ଯିବାପାଇଁ ଛିଡ଼ାହେଲା ।

 

ଜ୍ୟୋତିଷ କହିଲେ–ଅମେଇସିଆ ଦିନ ରାତିରେ ତମେ ମୋ ସାଙ୍ଗେ କାଳିଆବୋଦା ମଶାଣିକୁ ଯାଇ ପାରିବ ତ ? ମୁଁ ତମକୁ ଏକ କାଟଧୂଳି ଦେବି । ସେ ଧୂଳିକୁ ନେଇ ତମେ ତା’ ପଛେ ପଛେ ଯିବ । ଚାଲିବାବେଳେ ସେ ଯେତେବେଳେ ବାଁ ପାଦ ଉପରକୁ ଉଠେଇଥିବ–ଭୂଇଁରେ ଦେଇ ନଥିବ, ଠିକ୍ ସେତିକିବେଳେ ତା’ ଉପରକୁ ସେ ମନ୍ତୁରା ଧୂଳି ତିନିଥର ବଶୀକରଣ ମନ୍ତ୍ର ପଢ଼ି ଫୋପାଡ଼ି ଦବ । ଦେଖିବ ସେ ଗୋଟିପଣେ ତମର ହେଇଯିବ । ହଁ, ଏଥିପାଇଁ ଠାକୁରାଣୀକି ନାଗି ତିନିକଡ଼ା ନଡ଼ିଆ, ସେରେ ଅରୁଆ ଚାଉଳ, ପାଏ ଗୁଆଘିଅ, ଖଣ୍ଡେ ତିନିହାତ ଗାମୁଛା ଆଉ ବାର ଆଙ୍ଗୁଳ ଲମ୍ବ ସାଲ–

 

ଛାତ୍ରଟି କହିଲା–ଆଚ୍ଛା ଆଚ୍ଛା, ସେ ପରକଥା, ପରେ ଦେଖାଯିବ । ଏତିକି କହି ସେଠୁ ଉଠି ଚାଲିଆସିଲା ।

 

ମୁଁ ତା’ ପଛେ ପଛେ କିଛି ବାଟ ଯାଇ ତାକୁ ଡାକିଲି । ମୁଁ ଯେ ଏତେବେଳଯାଏଁ ତା’ ପାଖରେ ଛିଡ଼ା ହୋଇ ତା’ର ସବୁ କଥାବାର୍ତ୍ତା ଶୁଣିଥିଲି, ଏ କଥାକୁ ତା’ର ହୋସ ନଥିଲା । ସେ ମତେ ଦେଖି ଟିକିଏ ଲଜ୍ଜିତ ହୋଇ ଛିଡ଼ାହେଲା ।

 

ମୁଁ ତା’ ପାଖକୁ ଯାଇ କହିଲି–ଆପଣଙ୍କ ସାଙ୍ଗେ ମୋର ଟିକିଏ କାମ ଅଛି । ଆପଣଙ୍କୁ ଗୋଟାଏ ମକଦ୍ଦମାରେ ସାକ୍ଷୀ ହବାକୁ ହବ ।

 

ସାକ୍ଷୀ ! ଛାତ୍ରଟି ଆଶ୍ଚର୍ଯ୍ୟ ହେଲା ।

 

ହଁ, ସାକ୍ଷୀ । ସର୍ବସାଧାରଣଙ୍କୁ ଠକୁଥିବା ଯୋଗୁଁ ମୁଁ ଏ ଭଣ୍ଡ ଜ୍ୟୋତିଷ ନାଁରେ କାଲି ମୋକଦ୍ଦମା ଦାଏର କରୁଚି । ଆପଣ ସେ ମୋକଦ୍ଦମାରେ ସାକ୍ଷୀ ହେବେ ।

 

ସର୍ବସାଧାରଣଙ୍କର ୟେ କ’ଣ କ୍ଷତି କରୁଛି ? ଦରଦମିଶା କଣ୍ଠରେ ଛାତ୍ରଟି ପଚାରିଲା ।

 

ମୁଁ କହିଲି–ଅନେକ କ୍ଷତି କରୁଚି । ଆପଣ କ’ଣ ବୁଝିପାରୁନାହାଁନ୍ତି–ଏହାର ମିଛ କଥାରେ କେତେ ଲୋକଙ୍କର ସର୍ବନାଶ ହେବ । କେତେ ଭଦ୍ରଲୋକ ଯେ ଇଆ କଥାରେ ବଡ଼ବଡ଼ ଭରସାକରି ଶେଷରେ ନିରାଶ ହୋଇ ପଟାସିୟମ୍ ସାଇନାଇଡ଼୍ ଖାଇବେ, କବାଟ କିଳି ମୋରଫିଆ ଇଞ୍ଜେକ୍‍ସନ୍ ନେବେ କିମ୍ବା କଲେଜ ବିଲଡ଼ିଙ୍ଗ୍ ଉପରତାଲାରୁ ତଳକୁ ଡେଇଁପଡ଼ି ଆତ୍ମହତ୍ୟା କରିବେ । ଆପଣ କ’ଣ ସେ କଥା ଦୂରଦୃଷ୍ଟିରେ ଦେଖିପାରୁ ନାହାନ୍ତି ! ଏ ଗୋଟିଏ ରୀତିମତ ପାବ୍ଲିକ୍ ନୁଇସେନ୍‍ସ ! ୟାର ବିଚାର ହେବା ଚାହିଁ ।

 

ଛାତ୍ରଟି ବିଚରା ଜ୍ୟୋତିଷଟି ପାଇଁ ଦୁଃଖିତ ହୋଇ କହିଲା–‘ୟାର ବା ଦୋଷ କ’ଣ ! ଲୋକେ ୟା କଥା ବିଶ୍ଵାସ କରନ୍ତି କାହିଁକି ? ଦୋଷ ତ ସେଇମାନଙ୍କର ।

 

ମୁଁ ଟିକିଏ ବିରକ୍ତ ହୋଇ କହିଲି–ଆପଣଙ୍କ ଭଳି ଶିକ୍ଷିତ ପଢ଼ୁଆ ଯୁବକ ଯେତେବେଳେ ୟା’ କଥାରେ ଭୁଲି ଯାଉଛନ୍ତି, ସେତେବେଳେ ସାଧାରଣ ଅଶିକ୍ଷିତ ଅବା ଅର୍ଦ୍ଧଶିକ୍ଷିତ ଲୋକଙ୍କୁ ବା ଦୋଷ ଦିଆଯିବ କେଉଁ କାରଣରୁ ? ଆପଣ ଯଦି ଏ ଅନ୍ଧ କୁସଂସ୍କାରକୁ ଉତ୍ସାହିତ କରନ୍ତି–

 

ଛାତ୍ରଟି ଅପରଧୀଙ୍କ ଭଳି କିଛିକ୍ଷଣ ନୀରବ ହୋଇ ରହିଲା । ତା’ପରେ ଛଳଛଳ ଆଖିରେ କହିଲା–ଆପଣ ମତେ ଯେତେ ବୋକା ବୋଲି ଭାବୁଛନ୍ତି, ମୁଁ କିନ୍ତୁ ବାସ୍ତବିକ ସେତେ ବୋକା ନୁହେଁ । ମୁଁ ଫୋର୍ଥଇୟାର ସାଇନ୍‍ସ୍‍ର ଛାତ୍ର, ଫିଜିକ୍‌ସରେ ଅନର୍ସ । ମୁଁ ଜଣେ ଖାଣ୍ଟି ଜଡ଼ବାଦୀ । ମୁଁ କୁସଂସ୍କାରକୁ ଘୃଣାକରେ । ଅନ୍ଧ ଆଧ୍ୟାତ୍ମିକତା ବା ଅଦୃଷ୍ଟବାଦର ମୋ ପାଖରେ ଆଦୌ କିଛି ଅର୍ଥ ନାଇଁ । କିନ୍ତୁ ମୁଁ କାହିଁକି ଭଣ୍ଡ ମିଥ୍ୟାବାଦୀ ଜ୍ୟୋତିଷଟାକୁ ହାତ ଦେଖାଏ ? ହଁ, ଆପଣ ସେ କଥା ପଚାରିପାରନ୍ତି । କିନ୍ତୁ ମୁଁ ଯେଉଁ କୈଫିୟତ୍ ଦେବି, ତା’ର ମର୍ମ ଆପଣଙ୍କ ଭଳି ଅକ୍ଷତ ଲୋକ ଜମାରୁ କିଛି ଉପଲବ୍ଧି କରିପାରିବ ନାଇଁ–ପସନ୍ଦ କରିବା ତ ଦୂରର କଥା ।

 

ଯାହାର ହୃଦୟରେ କ୍ଷତ ଅଛି, ଯାହାର ମନର କୌଣସି ଅଂଶ କିଛି ଗୋଟାଏ ଆଘାତ ପାଇ ଭାଙ୍ଗିପଡ଼ିଛି, ସେଇ କେବଳ ମୋ ଉତ୍ତରର ମାନେ ବୁଝିପାରିବ ।

 

ତା’ପରେ କିଛି ସମୟ ଚୁପ୍‍ରହି କହିଲା–“ଏ ଜ୍ୟୋତିଷଟା ଯେ ଗୋଟାଏ ପ୍ରକାଣ୍ଡ ଜୁଆଚୋର ଆଉ ମିଥ୍ୟାବାଦୀ–ତା’ର ସବୁ କଥା ଯେ ମୂଳରୁ କେବଳ ଫାଙ୍କି ଆଉ ମନଗଢ଼ା; ଏ କଥା ମୋ ଅପେକ୍ଷା ଆଉ କେହି ହୁଏତ ଏତେ ଭଲକରି ଜାଣେନାଇଁ । ଆଜିକାଲିକାର କଲେଜପିଲାଙ୍କ ଢଙ୍ଗଢ଼ାଙ୍ଗ ସେମାନଙ୍କ ମନର ସାଧାରଣ ବେରାମ କଥା ଯିଏ ଜାଣେ, ସିଏ ଇମିତି ବହୁତ ଭବିଷ୍ୟତବାଣୀ ଅନ୍ଦାଜରେ କହିଦେଇପାରିବ । ସେଥିରେ କିଛି ବାହାଦୁରି ନାଇଁ । ଏଗୁଡ଼ାକ ତୁଚ୍ଛା ମିଛ, ଖାଲି ଧପ୍ପାବାଜି । କିନ୍ତୁ ଏଇ ମିଥ୍ୟାର ପୁଣି ମଣିଷ ନିକଟରେ ଗୋଟାଏ ମୂଲ୍ୟ ଅଛି । ମଣିଷ ତା’ର ଭଙ୍ଗା ମନକୁ ଯୋଡ଼ିବାପାଇଁ ଏଇ ମିଥ୍ୟାର ପ୍ରଲେପ ଚାହେଁ–ଏକ ଲୋଭନୀୟ ମଧୁର ମିଥ୍ୟାର ନିଶାରେ ନିଷ୍ଠୁର ବାସ୍ତବତାକୁ ଭୁଲି ରହିବାକୁ ଚାହେଁ ।

 

ମୋ କଣ୍ଠରୁ ଅଭିଯୋଗ ମରିଯାଇଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି–“ଆପଣ କ’ଣ ଜାଣିଶୁଣି ତାହାହେଲେ ନିଜକୁ ଇମିତି ଠକେଇ ହେବାକୁ ଦିଅନ୍ତି ?

 

ଛାତ୍ରଟି କହିଲା–ମଣିଷ ତା’ର ଦୁଃଖ ଯାତନାଗୁଡ଼ାକୁ କିଛି ସମୟ ଭୁଲିଯିବାପାଇଁ ଜାଣିଶୁଣି ସିନେମା ଦେଖେ, ମଦ ଖାଏ, ଜୁଆ ଖେଳେ ଆଉ କେତେକଅଣ କାମ କରି ଅଜସ୍ର ପଇସା ଖର୍ଚ୍ଚ କରେ । ମୁଁ ସେଇପରି ମୋ ମନର ଭଙ୍ଗା ଜାଗାଟାକୁ ଯୋଡ଼ିବାପାଇଁ, ପଇସା ଖର୍ଚ୍ଚ କରି ନିଜକୁ ପ୍ରତାରିତ କରାଏ–ଏକ ମୂଲ୍ୟବାନ ମିଥ୍ୟାର ଆଶ୍ରୟ ଖୋଜେ । ମୁଁ ଜାଣେ ବାସ୍ତବତା ମତେ କିଛି ଦେଇପାରିବ ନାଇଁ । ପରିସ୍ଥିତିର ନିର୍ମମ ଚାପରେ ଆମେ ଦିହେଁ ଯେ କେହି କାହାରିକୁ ପାଇପାରିବୁ ନାଇଁ; ଏକଥା ଅଜଣା ନାଇଁ । ସେଥିପାଇଁ ମୁଁ ଏଇ ମଧୁର ମିଥ୍ୟାର କ୍ଷଣିକ ନିଶାରେ ଗୋଟାଏ ରକମ ପାଇବାର ଆନନ୍ଦ ଉପଭୋଗ କରେ । ତାକୁ ସମାଲୋଚନା କରିବାର ଦୁଃସାହସ ମୋର ନାଇଁ ।

 

ମୁଁ କହିଲି–ବେଶ୍ ତ । ତମେ ଯାହାକୁ ଭଲପାଅ, ତାକୁ ପାଇବାକୁ ଚାହଁ ତ, ତା’ ପାଖକୁ ଯାଇ ସାହସର ସହିତ ତା’ଆଗରେ ଭଲପାଇବାର ପ୍ରସ୍ତାବ ଉତ୍ଥାପନ କର । ମଣିଷ ଯେ ମଣିଷକୁ ଭଲ ପାଇବ, ଏଥିରେ ଅସୁନ୍ଦର ଅବା ଦୋଷର କଥା କ’ଣ ଅଛି ? ତମେ ଡରୁଛ କାହିଁକି, ଏହାହିଁ ତ ସୁନ୍ଦର ସ୍ଵାଭାବିକ ନିୟମ । କିନ୍ତୁ ୟା ନକରି ଭଣ୍ଡ ଜ୍ୟୋତିଷଟା ସହିତ ପରାମର୍ଶ କଲେ କ’ଣ ତମର ଉଦ୍ଦେଶ୍ୟ ସିଦ୍ଧି ହେବ ? ଏଗୁଡ଼ାକ ତମର ରୁଗ୍‍ଣ ମାନସିକତା ଉପରେ ଏକପ୍ରକାର ଅତ୍ୟାଚାର ଛଡ଼ା ଆଉ କ’ଣ ?

 

ଛାତ୍ରଟି କହିଲା–ନା, ନା, ମୁଁ ଯେ ତାକୁ ଭଲପାଏ, ଏକଥା ମୁଁ ତାକୁ ଜଣାଇବାକୁ ଚାହେଁନାଇଁ । ତାକୁ ଜଣାଇବା ପାଇଁ ଯେ ମୋର ନୈତିକ ସାହସ ନାଇଁ, ତା’ ନୁହେଁ । କିନ୍ତୁ କାଳେ ମତେ ସେ ପ୍ରତ୍ୟାଖ୍ୟାନ କରିବ ଏଇ ଭୟରେ ମୁଁ ତାକୁ ମୋର ମନର କଥା ଜାଣିବାକୁ ଦେବି ନାଇଁ-। ବରଂ ଏଇପରି ଅନ୍ଧ ଭାବରେ ଗୋପନରେ ଆଶା କରିବାରେ ଗୋଟାଏ ଗୌରବ ଅଛି–ଗୋଟାଏ ରକମ ପାଇବାର ଆନନ୍ଦ ଅଛି । ହୋଇପାରେ ତା’ କାଳ୍ପନିକ–ବାସ୍ତବତାର ରୂଢ଼ ବ୍ୟସ୍ତତା ଅପେକ୍ଷା ତାହା ଢେର୍ ଆରାମଦାୟକ । ସେଇଥିପାଇଁ ତ ଏ ଭଣ୍ଡ ଜ୍ୟୋତିଷଟାକୁ ରୋଜ୍ ପଇସା ଦେଇ ମିଛକଥା କୁହାଏ । ଯେଉଁ କ୍ଷଣିକ ଆନନ୍ଦପାଇଁ ମଣିଷ ମଦ ଖାଏ, ମାତାଲ ହୁଏ, ସେଇ କ୍ଷଣିକ ନିରୁପାୟ ଆନନ୍ଦପାଇଁ ମୁଁ ଏଇ ପ୍ରତାରକଟାର ଶରଣାପନ୍ନ ହୁଏ । ସେତିକିହିଁ କେବଳ ଏଇ ମିଥ୍ୟାର ସାର୍ଥକତା । ତା’ ଅପେକ୍ଷା ମୁଁ ବଡ଼ କିଛି ତା’ ପାଖରୁ ଆଶା କରିପାରେନାହିଁ ।

 

ମୁଁ ଛାତ୍ରଟିର କଥାଗୁଡ଼ାକ ବିସ୍ମିତ ହୋଇ ଶୁଣିଗଲି । ସେଇଦିନୁ ରାସ୍ତା ପାଖରେ ସେ ଜ୍ୟୋତିଷଟାକୁ କାହାର ହାତ ଦେଖୁଥିବାର ଦେଖିଲେ, ମୋ ମନରେ ସେଇ ହାତ ଦେଖାଉଥିବା ଲୋକଗୁଡ଼ାକଙ୍କ ପ୍ରତି ରାଗ-ହବା ବଦଳରେ ଗୋଟାଏ କେମିତି ଦରଦମିଶା ସହାନୁଭୂତିର ଉଦ୍ରେକ ହୁଏ ।

 

ମୋର ମନେହୁଏ ଅନ୍ଧ ଅଦୃଷ୍ଟର ସମସ୍ତ ଷଡ଼ଯନ୍ତ୍ର ଏଇ ହଜାର ହଜାର କାଳିଆ ହାତର ଅସ୍ପଷ୍ଟ ପାଣ୍ଡୁଲିପି ଭିତରେ ଯିମିତି ଲେଖାହେଇଚି; ଆଉ ସେଇ ବୀଭତ୍ସ ଚକ୍ରାନ୍ତର ନୀଚ ଗୋପନୀୟତାକୁ ଆବିଷ୍କାର କରିବାର ଆଶ୍ଵାସନା ଲାଭ କରିବାପାଇଁ ହଜାର ହଜାର ଅସହାୟ ମଣିଷ ଯିମିତି ଏଇ ଭଣ୍ଡ ଜ୍ୟୋତିଷଟାର ଭିତରେ ଜଣେ ଦୁର୍ଦ୍ଦାନ୍ତ ସନ୍ଧାନୀର ପରିଚୟ ପାଇଚନ୍ତି ।

Image

 

ରବିବାସରୀୟ ସଙ୍ଗୀତ

ମନୋଜ ଦାସ

 

ଦ୍ଵିତୀୟ ମହାଯୁଦ୍ଧ ପୂର୍ବରୁ ଘଟିଥିବା ଶ୍ରୀ ଦାମୋଦର ଲେଙ୍କାଙ୍କ ଜୀବନର ଏଇ ବିଦଗ୍ଧ ଘଟଣାଟି ଆଜି ଲେଖିଲେ ଆଉ ବୋଧହୁଏ କିଛି କ୍ଷତି ନାହିଁ । ଶ୍ରୀ ଲେଙ୍କାଙ୍କର ବଂଶଧର କେହି ନାହାନ୍ତି ଏବଂ ତାଙ୍କ ହାକିମ ମିଷ୍ଟର୍ ମାଇକେଲ୍ ଜୋନ୍‍ସଙ୍କ ବଂଶଧରମାନେ ଥିଲେ ବିଲାତରେ ଥିବେ ।

 

ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ମାଇକେଲ ବାରବାଟୀ ପଡ଼ିଆରେ ଏକ ବାଂଲୋରେ ରହୁଥିଲେ ଓ କିଛିଦିନ ସେହିଠାରେ ଅଫିସ୍ କରୁଥିଲେ । ପ୍ରତ୍ୟହ ଯଥାସମୟରେ ତାଙ୍କର ଅନୁଗତ ଷ୍ଟେନୋ ଦାମୋଦର ଈଷତ୍ ଗୋଦରିଳ ପାଦରେ ଧୀରେ ସୁସ୍ଥେ ଚାଲି ଚାଲି କ୍ୟାଣ୍ଟନ୍‍ମେଣ୍ଟ ରାସ୍ତା ଦେଇ ହାକିମଙ୍କ ବାଂଲୋରେ ଯାଇ ହାଜିରା ଦେଉଥିଲେ ।

 

ଯଦିଓ ଦାମୋଦରଙ୍କ ବୟସ ସେତେବେଳକୁ ପଇଁଚାଳିଶ ଟପ୍‍ଟପ୍, ତଥାପି କ୍ୟାଣ୍ଟନ୍‌ମେଣ୍ଟର ଏକ ନାଲି ଟକ୍‍ଟକ୍ କୃଷ୍ଣଚୂଡ଼ା ଗଛମୂଳରେ ପହଞ୍ଚି ପ୍ରାୟଶଃ ହଠାତ୍ ଗୁଣୁଗୁଣୁ ସ୍ଵରରେ ଟିକିଏ ସୁର୍ ଧରିବାପାଇଁ ତାଙ୍କର ବଳବତୀ ଇଚ୍ଛା ହେଉଥିଲା । ଦୁଇ ତିନିଟା ଚମ୍ପୁ ସେ ଜାଣି ନଥିଲେ, ଏମନ୍ତ ନୁହେଁ, କିନ୍ତୁ ସାହେବଙ୍କ ସାନପୁଅଟା ସେଇ ଯେଉଁ ବାହ୍ମଣିଆ ବେଙ୍ଗ ଭଳି ଗଳା ଫୁଲାଇ ଗୋଟାଏ କ’ଣ ବିଲାତି ଛାନ୍ଦରେ ବୋଲେ, ସେଇଟା ଦାମୋଦରଙ୍କ ଛାତି ଭିତରଟାକୁ ଥରେ ଥରେ ଭୂମିକମ୍ପ ଭଳି ଚହଲାଇଦିଏ । ହେଲେ, ଗଳା ପାଖକୁ ଆସି ଶୁଖିଲା କାଶ ଛଡ଼ା ଆଉ କିଛି ବାହାରେ ନାହିଁ ।

 

ଦାମୋଦର ଲାଜକୁରା ହୋଇଯାଆନ୍ତି । ତା’ପରେ ନିଜକୁ ପ୍ରବୋଧ ଦିଅନ୍ତି–ହୋ, ଇମିତି କ’ଣ କେତେ ପିଲାଳିଆ କଥା ବଡ଼ମଣିଷ ଭାବେନି ! ମନର ଗୋପନୀୟ ଅଫିମ-କରାଟ ଭିତରେ ସେସବୁ ଲୁଚାଇ ରଖିଲେ ହେଲା ।

 

ଠିକ୍ ଅଫିମ ଭଳି ଦାମୋଦରଙ୍କ ମନକୁ ଆଚ୍ଛନ୍ନ କରି ରଖେ ଅନେକ ଚିନ୍ତା, କ୍ୟାଣ୍ଟନ୍‍ମେଣ୍ଟର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ । ମଝିରେ ମଝିରେ ସେ ମନେପକାନ୍ତି ଯେ ସେ ଜଣେ ବଡ଼ମଣିଷ, ମେମ୍ ସାହେବଙ୍କ କେଶ ପ୍ରସାଧନ ସମ୍ପର୍କରେ; ଆଗାମୀ ଜନ୍ମରେ ନିଜେ ବିଲାତରେ ଜନ୍ମ ହୋଇ ଜଣେ ଚିଲାଆଖିଆ ମିସ୍‌ଙ୍କ ସହ ପେଣ୍ଡୁନାଚ କରିବା କଳ୍ପନା ଇତ୍ୟାଦି ତାଙ୍କ ପକ୍ଷରେ ଶୋଭାପାଏ ନାହିଁ ।

 

ନାନାଦି ସ୍ଵପ୍ନର ସୌଖୀନ ସିଡ଼ିରେ ଆରୋହଣ ଅବରୋହଣ କରୁ କରୁ ଦାମୋଦର ଲେଙ୍କା ଯେତେବେଳେ କ୍ୟାଣ୍ଟନ୍‍ମେଣ୍ଟ ଶେଷାଶେଷ ଜାଗାରେ ଆସି ପହଞ୍ଚନ୍ତି, ସେତେବେଳେ ଜନୈକ ପୋଷ୍ଟ୍‍ମ୍ୟାନ୍ ପ୍ରାୟ ସବୁଦିନେ ବିପରୀତ ଦିଗରେ ଯାଉଁ ଯାଉଁ ତାଙ୍କୁ ନମସ୍କାର କରେ ।

 

ସେଇ ମୁହୂର୍ତ୍ତରେ ସେ ବନିଯାନ୍ତି ବାବୁ ଦାମୋଦର ଲେଙ୍କା ଏସ୍‌କୋୟାର । ଆଉ ଚପଳ କଳ୍ପନା କିଛି ମନରେ ରହେ ନାହିଁ । ତା’ପରେ ଯେତେବେଳେ ସେ ଦେଖନ୍ତି ଯେ ରାସ୍ତା ମଝିରେ ସେଇ ସବୁଦିନିଆ ପାଗଳୀ ଝିଅଟି କାନ୍ଦ କାନ୍ଦ ହୋଇ ବସିଛି ଏବଂ ଲଫଙ୍ଗା ପିଲା କେତେଟା ତା’ ଆଗରେ ପାଟିକରି ତାକୁ କନ୍ଦାଉଛନ୍ତି, ସେତେବେଳେ ସେ ଟିକିଏ ରହିଯାଆନ୍ତି । ଆଖିରେ ହେଡ଼୍‍ପଣ୍ଡିତସୁଲଭ ଗାମ୍ଭୀର୍ଯ୍ୟ ପ୍ରକାଶ କରି ସେ ସେହି ଲଫଙ୍ଗା ସମୂହଙ୍କ ଉପରେ ସାପଭଳି ଫଁ ଫଁ ହୁଅନ୍ତି । କଦାଚିତ ପାଗଳୀଆଡ଼କୁ ପଇସାଟିଏ ଫୋପାଡ଼ି ଦିଅନ୍ତି । ପାଗଳୀଟାର କାନ୍ଦୁରୀ ମୁହଁରେ ଗୋଟାଏ ସେକେଣ୍ଡରେ ପ୍ରଫୁଲ୍ଲ ହସ ଖେଳେ ।

 

ପାଗଳୀ ଝିଅଟା ବଡ଼ ବିଚିତ୍ର । ଗୋଟାଏ ହରପ୍‍ପା ଯୁଗର ଥଳି ଭିତରେ କ’ଣ ସବୁ ଛିଣ୍ଡାକନା ଓ କାଗଜପତ୍ର ପୂରାଇ ବସିରହିଥାଏ । ତା’ ମୁହଁକୁ ଅନାଇ ହାଉହାଉ ପାଟିକଲେ ସେ ନିଃଶବ୍ଦରେ ପାଟି ମେଲାକରି କାନ୍ଦିବାକୁ ଆରମ୍ଭ କରିବ; ଠିକ୍ ଗୋଟାଏ ଦୁଇ ତିନିବର୍ଷର ପିଲାଭଳି-। ଯଦିଓ ତା’ର ବୟସ ପଚିଶ ତିରିଶରୁ କମ୍ ନୁହେଁ ।

 

ଏକାନ୍ତ ନିଃସହାୟା ସେଇ ଝିଅଟିକୁ ଯେଉଁମାନେ ଚିଡ଼ାନ୍ତି, ଲେଙ୍କାବାବୁ ସେମାନଙ୍କୁ ମନେମନେ ଅତିଶୟ ଘୃଣା କରନ୍ତି । ପୁରୁଣା ବେଟାରୀଟାଏ ବାରମ୍ବାର ଚାର୍ଜ ହୋଇ ଆସିଲାଭଳି ହାକିମ କୋଠିରୁ ଫେରିଲାବେଳେ ଲେଙ୍କାବାବୁ କିଛିଟା ହାକିମାତିରେ ସବୁଦିନେ ନିଜର ଦେହ ମନକୁ ସିକ୍ତକରି ନେଇ ଆସନ୍ତି । କୋଠିକୁ ପଶିବାବେଳ ଅପେକ୍ଷା ଆସିଲାବେଳେ ପ୍ରଚୁର କ୍ଳାନ୍ତି ସତ୍ତ୍ଵେ ସେ ଅଧ ଇଞ୍ଚେ ଲମ୍ବ ରହନ୍ତି । ଫେରିଲାବେଳେ ସେ ଥରେ ସେଇ ଭଙ୍ଗା ଇଟାଗଦା, ଏକଦା ଯାହା ଗୋଟାଏ ପୋଲିସ୍ ଷ୍ଟାଣ୍ଡ୍ ଥିଲା, ସେଇଆଡ଼କୁ ଅନାଇ ଆସନ୍ତି । ପାଗଳୀ ସେଠାରେ ନଥାଏ-। ଦିନେ ଦିନେ ଥାଏ, ହୁଏତ ଏକ ଧ୍ୟାନରେ କେଉଁଠୁଁ ମାଗିଆଣିଥିବା କିଛି ଶୁଖିଲା ଭାତ ଗୋଟି ଗୋଟି କରି ଚୋବାଇ ଖାଉଥାଏ ।

 

ଲେଙ୍କାବାବୁଙ୍କ ସ୍ତ୍ରୀ ସେତେବେଳେ ତାଙ୍କ ବାପଘର ଗାଁକୁ ଯାଇଥିଲେ । ସେ ଥିଲେ ହୁଏତ ମନେପକାଇ ଦେଇଥାଆନ୍ତେ–ଲେଙ୍କାବାବୁ କିନ୍ତୁ ସେଇଟା ରବିବାର ବୋଲି ଭୁଲିଯାଇ ନଅଟାବେଳକୁ ନିଜେ ରୋଷେଇବାସ ଶେଷ କରି ଗତାନୁଗତିକଭାବେ କୋଠି ଆଡ଼କୁ ମୁହାଁଇଲେ-। ସବୁ ଦିନର ନିରୋଳା କ୍ୟାଣ୍ଟନ୍‍ମେଣ୍ଟ ସେଦିନ ଏକାବେଳକେ ନିର୍ଜ୍ଜନ । ସଚରାଚର ଯେଉଁ ପରିମିତି ଭିତରେ “ଭାରତୀୟ ଡାକତାର ବିଭାଗର କର୍ମଚାରୀ” (ନିଜେ ଅସୁଲ କରୁଥିବା ନମସ୍କାରଟିର ମର୍ଯ୍ୟାଦା ବଢ଼ାଇବା ନିମନ୍ତେ ସେ ଲୋକଟିର ପରିଚୟ ଲେଙ୍କାବାବୁ ନିଜପାଖରେ ଉପରୋକ୍ତରୂପେ ଦେଇଥାଆନ୍ତି) ଟିକୁ ସେ ଭେଟନ୍ତି, ସେ ଦିନ ତାକୁ ସେ ସ୍ଥାନରେ ନଦେଖି ହଠାତ୍ ଏକ ମୁହୂର୍ତ୍ତରେ ଲେଙ୍କାବାବୁଙ୍କର ମନେପଡ଼ିଲା ଯେ ସେ ଦିନଟା ହେଉଛି ରବିବାର । ମନେପଡ଼ିବା ସଙ୍ଗେ ସଙ୍ଗେ ସେହି ପୁଷ୍ପବନ୍ତ କୃଷ୍ଣଚୂଡ଼ା ତାଙ୍କୁ ଦୁଇଗୁଣ ରକ୍ତିମ ସୁନ୍ଦର ଦେଖାଗଲା । ଖୁସି ହୋଇ ଉଠିବାମାତ୍ରେ ମାଇକେଲ ପରିବାରର ଅଚେତନ ପ୍ରଭାବରେ ସେ ସେଦିନ ହୁଇସିଲ୍ ମାରିବାକୁ ମନସ୍ଥ କଲେ ।

 

କିନ୍ତୁ ବହୁଦିନ ତଳର ଏକ ଦୁର୍ଘଟଣାରେ ତାଙ୍କର ଛାମୁଦାନ୍ତ ଦୁଇଟା ଅପସରିଯାଇଥିବା ଯୋଗୁଁ ହୁଇସିଲ୍‌ଟା ବଡ଼ ପାଣିଚିଆ ଶୁଭିଲା । ଲେଙ୍କାବାବୁ ବୁଝିପାରି ଅବଶ୍ୟ କ୍ଷାନ୍ତ ହେଲେ–କିନ୍ତୁ ହତୋତ୍ସାହ ନହୋଇ ବିଚାରିଲେ ଯେ ଆଜି ଥରେ ବାରବାଟୀର ଧ୍ଵଂସାବଶେଷ ଉପରୁ ବୁଲି ଆସିବେ ।

 

–ବାରବାଟୀ....ବୀରରକ୍ତ ପିଣ୍ଡେ ଗଢ଼ା ଯାର ମାଟି, ଇତ୍ୟାଦି । ଏମନ୍ତ ବହୁ ଉଦ୍ଧୃତି ଦେଇ ଦଶମ ଶ୍ରେଣୀରେ ଅଧ୍ୟୟନ କଲାବେଳେ ପ୍ରବନ୍ଧଟିଏ ଲେଖି ଲେଙ୍କାବାବୁ ସମଗ୍ର ସ୍କୁଲ୍(୬୨) ଭିତରେ ଫାଷ୍ଟ୍ ହୋଇଥିଲେ ।

 

ପ୍ରବନ୍ଧର ବିଚାରକ ଥିବା ସଂସ୍କୃତ ପଣ୍ଡିତଙ୍କର ଦେଢ଼ବର୍ଷ ଅପଗଣ୍ଡ ବଂଶଧର ତାଙ୍କ ଉପରେ ଅଜସ୍ର ଏକ ଦୁଇ କସିଛି ଏବଂ ପଣ୍ଡିତ-ପଣ୍ଡିତାଣୀ ଆଗରେ ଅମ୍ଳାନ ବଦନରେ ସେ ତଜ୍ଜନିତ କ୍ଳେଶକୁ ଆତ୍ମସାତ୍ କରିଛନ୍ତି । ସେ ସବୁକଥା ଭୁଲିଯାଇ ଲେଙ୍କାବାବୁ କେବଳ ସମଗ୍ର ସ୍କୁଲ୍‍ଟାକୁ ଗୋଟିଏ ରବର ଫିତା ଭଳି ଟାଣି ଟାଣି ମନଭିତରେ ବିରାଟ କରିପକାଇବାକୁ ଲାଗିଲେ ତା’ପରେ ପୁଣି ଥରେ ପ୍ରସ୍ତୁତ ହୋଇ ମନେ ପକାଇଲେ ଯେ, ସେ ସେଇ ‘ସମଗ୍ର ସ୍କୁଲ୍‍ଟାରେ ଫାଷ୍ଟ୍ ହୋଇଥିଲେ ।

 

ସାବ୍‌ଜା ଘାସର ଖଣ୍ଡିଏ କନାରେ ପୁଳାଏ ଇତିହାସ ପୁଟୁଳା ବନ୍ଧାହୋଇ ଥୁଆ ହୋଇଛି-। ସେଇ ବାରବାଟୀ ଉପରେ ଅଣ୍ଟାରେ ହାତଦେଇ ଗୋଟାଏ ଗଞ୍ଜା ଭଳି ମୁଣ୍ଡ ନଡ଼ବଡ଼ କରି ଲେଙ୍କାବାବୁ ଚତୁର୍ଦ୍ଦିଗ ପର୍ଯ୍ୟବେକ୍ଷଣ କରୁଛନ୍ତି । କରୁକରୁ ଭାବୁଛନ୍ତି, ଭାବିନେଇ ଜିଭ କାମୁଡ଼ୁଛନ୍ତି-। ପୁଣି ଚୁପ୍‍କିନା ଭାବିନେଉଛନ୍ତି ଯେ ନବତଳ ବାରବାଟୀ ପ୍ରତିଷ୍ଠାକରି ମହାରାଜା ମୁକୁନ୍ଦଦେବ ଯେତିକି ଗୌରବର ହକ୍‍ଦାର, ବାରବାଟୀ ପ୍ରବନ୍ଧରେ ସମଗ୍ର ସ୍କୁଲ୍‌ରେ ଫାଷ୍ଟ୍ ହୋଇ ସେ ସେଥିରୁ ଅଧାଅଧିର ଅଂଶୀଦାର ।

 

ଯାହାହେଉ, ଉପରୋକ୍ତ ଐତିହାସିକ ବିବାଦର କୌଣସି ଯଥାଯଥ ମୀମାଂସା ମନଭିତରେ କରିବା ପୂର୍ବରୁ ଦେହକୁ ଖରା ବେଶ୍ ଟାଣୁଆ ଲାଗିଲା । ଲେଙ୍କାବାବୁ ତାଙ୍କ ଗୋଦର ପାଦ ଉପରେ ମାଧ୍ୟାକର୍ଷଣ ଶକ୍ତିର ଅତିରିକ୍ତ ପ୍ରତିକ୍ରିୟାକୁ ଆୟତ୍ତ କରି ଧୀରେ ଧୀରେ ଅବତରଣ କଲେ ।

 

ପୁଣି କ୍ୟାଣ୍ଟନ୍‍ମେଣ୍ଟ । ଟାଉଁଟାଉଁ ଖରା । ଏକାକିନୀ କାନ୍ଦୁରୀ ଝିଅଟା ବସିଛି । ଅନ୍ୟ ଦିନମାନଙ୍କରେ ଲେଙ୍କାବାବୁ ହାକିମାତି ମିଜାସରୁ ଟେଳାଏ ନେଇ ଫେରନ୍ତି–ଆଜି ରାଜକୀୟ । ଅନ୍ୟଦିନମାନଙ୍କରେ କୌତୁକରେ ସେ ବାୟାଣୀକୁ କନ୍ଦାଉଥିବା ଲୋକଗୁଡ଼ା ଉପରେ ନାଲିଆଖି ଦେଖାଇ, ତାଙ୍କର ହାକିମାତି ତୀବ୍ରତାକୁ ଖୋଲସା କରନ୍ତି । ଆଜି କେହି ନାହିଁ, ସବୁ ଶୂନଶାନ୍ । କାନ୍ଦୁରୀ ବାୟାଣୀଟା ତାଙ୍କ ଆଡ଼କୁ ଅନାଇ ହସିଲା ।

 

ହଠାତ୍ ମହାରାଜା ମୁକୁନ୍ଦଦେବଙ୍କ ବିବଦମାନ ଅଂଶୀଦାର ଶ୍ରୀ ଦାମୋଦର ଲେଙ୍କା ପାଗଳୀ ଉପରେ ଚିଡ଼ିଗଲେ । ପିଲାଯାଏ ତା’ ପାଖକୁ, ଯାଇ “ହାଉହାଉ” ଅଥବା ଭୋ ଭୋ ରଡ଼ି ଦୁଇଟା କରିଦେଲେ ଯିଏ କାନ୍ଦିକାଟି ଅଥୟ ହୁଏ, ସେ ପୁଣି ହସୁଛି । ଆହାରେ ଆହ୍ଲାଦିନୀ !

 

ଲେଙ୍କାବାବୁ ଭୟଙ୍କର ଚିଡ଼ିଲେ–ଚିଡ଼ିଲେ ତାଙ୍କ ସହକର୍ମୀ ଓ ଜୁନିଅରମାନଙ୍କ ଆଗରେ ଏବଂ ହାକିମମାନଙ୍କ ପଛରେ ସେ ସଚରାଚର ଯାହା କହିଥାଆନ୍ତି, ସେଇ ବାକ୍ୟ ଆପେଆପେ କହିହେଲେ–ଯେ, ମୁଁ ଭଲ ତ ଖୁବ୍ ଭଲ, ଖରାପ ତ ଖୁବ୍ ଖରାପ । ତେବେ ଏ କ୍ଷେତ୍ରରେ ଖରାପଟା କ’ଣ କରାଯାଇପାରେ, ସେ କଥା ଭାବିଲାବେଳକୁ ସେ ଅସହାୟ ବୋଧକଲେ ଏବଂ ଏପରିକି ବିନା ଛାମୁଦାନ୍ତରେହିଁ ହୁଇସିଲ୍ ମାରି ଗନ୍ତବ୍ୟ ପଥରେ ଚାଲିଯିବାକୁ ବସିଲେ ।

 

କିନ୍ତୁ ଯିବାପୂର୍ବରୁ ଥରେ କଣେଇ କରି ପାଗଳୀ ଆଡ଼କୁ ଅନାଇଲେ । ସେ ଏବେ ନିଃଶବ୍ଦରେ ହସୁଛି ।

 

ରାଗରେ ଲେଙ୍କାବାବୁ ରି ରି ହୋଇଗଲେ । ସାମାନ୍ୟ ମୁଣ୍ଡଟା ଖରାପ ବୋଲି ଯାଚ୍ଛାତା ମଣିଷଟାଏ ଖାସ୍ ସମୁଦୁଣୀସୁଲଭ ହସ ହସି ତାଙ୍କ ମର୍ଯ୍ୟାଦାକୁ ଏକାକାର କରିଦେବ; ଏଇଟା ବରଦାସ୍ତଯୋଗ୍ୟ ହୋଇନପାରେ । ସେ ପାଗଳୀ ହେଲେ ତା’ ନିଜ ଘରେ ହେଉ ।

 

–ସେ ଏଇ ମୁହୂର୍ତ୍ତରେ ଇଚ୍ଛା କଲେ ତା’ର ହସକୁ ବନ୍ଦ କରି ଦେଇ ପାରନ୍ତି ।

 

ନିଜର ଏରୂପ ଶକ୍ତି ବିଷୟରେ ସଚେତନ ହୋଇ ଲେଙ୍କାବାବୁ ଛିଡ଼ା ହୋଇପଡ଼ିଲେ । ଏକଥା ମନେହେବାମାତ୍ରକେ ଏକ ଦୁର୍ଦ୍ଦମନୀୟ ଲୋଭ ତାଙ୍କ ଉପରେ ଚଢ଼ିବସିଲା । ମୁଣ୍ଡକୁ ଆୟତ୍ତ କରିସାରି ସେ ଲୋଭ ଚାହୁଁଚାହୁଁ ତାଙ୍କ ଉଭୟ ଆଖିରେ ତିରିଶବର୍ଷ ତଳର ବିଦ୍ୟାଳୟରୁ ସରସ୍ଵତୀ ପୂଜାର ମିଠେଇ ଚୋରିକାଳୀନ ଚଞ୍ଚଳତା ଆଣିଦେଲା ।

 

ତାଙ୍କ ଛାତି ଭିତରେ ଇଲେକଟ୍ରିକ୍ ମୋଟର । ଏପରିକି ଗୋଦର ଦୁଇଟିରେ ମଧ୍ୟ ଦୁଇ ହଜାର ଭୋଲ୍‌ଟ ଏ. ସି. କରେଣ୍ଟର୍ ଘିର୍ ଘିର୍ ବ୍ୟଗ୍ରତା ।

 

ସେ ଟିକିଏ ଆଗେଇ ଯାଇ ଛକ ଉପରୁ ଚାରିପାଖ ରାସ୍ତାକୁ ଅନିଷା କଲେ । ନା, କେହି କେଉଁଠି ନାହିଁ । ବରଗଛ ଡାଳରେ କାଉଟାଏ ବସି ଅନିଷା କରୁଛି । ଲେଙ୍କାବାବୁ ଟିକିଏ ଶଙ୍କିଯାଇ ତାକୁ ଟେକା ଫୋପାଡ଼ିଲେ । ସେ ଉଡ଼ିଯିବା ଉତ୍ତାରୁ ସେ ସେଇ ଇଟା ଗଦା ପାଖକୁ ଆଗେଇ ଗଲେ । ପାଗଳୀ ମୁହଁରୁ ହସତକ ଉଭେଇ ଗଲାଣି । ବର୍ତ୍ତମାନ ତା’ର ସମତଳ ମୁହଁ । ଲେଙ୍କାବାବୁ ଯାଇ ତା’ ଆଗରେ ହାମୁଡ଼ି ପଡ଼ି ବସିଲେ । ପାଗଳୀ ଆଖିରେ ଅଦ୍ଭୁତ କୌତୂହଳ ଆଉ ସନ୍ଦେହମିଶା ଚାହାଣି । ମୁହଁରେ ଦୁଇ ଚାରିଟା ବିଚାରା ବିଚାରା ମଇଳା ରେଖା ।

 

–ହାଉ, ହାଉ–

 

ଲେଙ୍କାବାବୁ ନିଜ ରାବରେ ହଠାତ୍ ଉତ୍ସାହିତ ହୋଇ ଉଠିଲେ । କାରଣ ଝିଅଟା ତତ୍‌କ୍ଷଣାତ୍ ନିଃଶବ୍ଦରେ ପାଟି ମେଲାକରି କାନ୍ଦିବାକୁ ଲାଗି ଯାଇଛି ।

 

ଲେଙ୍କାବାବୁ ତାଙ୍କ କଣ୍ଠରେ ଆହୁରି ନାନାପ୍ରକାର ସ୍ଵରର ସଂଯୋଗ କରି ପୁଣି କହିଲେ-

 

–ହାଉଁ, ହାଉଁ–

 

ପାଗଳୀ କାନ୍ଦୁଛି । ତା’ର ଏକ ଏକ କୋହ ଯିମିତ ଭୂଗର୍ଭର ମାଇଲ ମାଇଲ ଅଭ୍ୟନ୍ତରରୁ ଉଠିଆସୁଛି । ସେ ଟିକିଏ ଘୁଞ୍ଚିବାର ଚେଷ୍ଟା କରିବାବେଳକୁ କୁକୁର ଛକାପଞ୍ଝା ଖେଳିଲା ଭଳି ଲେଙ୍କାବାବୁ ସିମିତି ହାମୁଡ଼ା ଅବସ୍ଥାରେ ତାକୁ ଆକଟ କରି ଧୀରେ ଧୀରେ କଣ୍ଠସ୍ଵରରେ ନାନାଦି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ।

 

ହାଉଁ–ହାଉଁ–ଭୋ–ଭୋ–

 

ତାଙ୍କ ଦେହ ଭିତରେ ଯେମିତି ଅସୀମ କାଳ ଧରି ଅଦ୍ଭୁତ ଆନନ୍ଦର କୁଣ୍ଡଳିନୀ ସୁପ୍ତ ଥିଲା । ଆଜି କୁରୁଳି କୁରୁଳି ସାରା ଦେହକୁ ଚହଲାଇ ଦେଇ ତଳିପାରୁ ତାଳୁ ଯାଏଁ ଚରିଯାଉଛି । ପାଗଳୀ ମୁହଁରେ ଆତ୍ମକୈନ୍ଦ୍ରିକ କ୍ରନ୍ଦନର ନୂଆ ନୂଆ ଢେଉ । ପ୍ରତିଟି ଢେଉ ଲେଙ୍କାବାବୁଙ୍କ ମନରେ ନୂଆ ନିଶାର ତରଙ୍ଗ ଖେଳାଇଦେଉଛି । ସେ ଏକାଗ୍ର ଭାବରେ କାଳର ଉଜାଣି କାଟି କାଟି ବହୁବର୍ଷ ତଳକୁ ଫେରି ଚାଲିଛନ୍ତି । ଢେଲାଟାଏ ଆକାରର ତାଙ୍କ ହାତଘଣ୍ଟାଟିରେ ମିନିଟ ପରେ ମିନିଟ ଅତିକ୍ରାନ୍ତ ହୋଇଯାଉଛି ।

 

କେତେ ସମୟପରେ ହଠାତ୍ ପଛକୁ ଫେରିଚାହିଁଲେ ଲେଙ୍କାବାବୁ । ନିମିଷକେ ତାଙ୍କ ଉଦ୍ଦାମତାର କୁଣ୍ଡଳିନୀ ପୁଣି ଚକା ପକାଇ ଗୁଡ଼ୁଗୁଡ଼ୁ ହୋଇଯାଇ ମେରୁଦଣ୍ଡର କେଉଁ ଅଜ୍ଞାତ କୋଣରେ ଶୋଇ ପଡ଼ିଲେ । ଏବେ କରାଯାଏ କ’ଣ ? ପଛପଟରେ ଆଠଦଶଜଣର ଏକ ଉଦ୍‌ଗ୍ରୀବ ଜନତା ଏକାଗ୍ର ଜନତା । ତାଙ୍କୁ ବରାବର ନମସ୍କାର କରୁଥିବା ସେହି ପୋଷ୍ଟ୍‍ମ୍ୟାନ୍‍ଟି, ସେ ସବୁଦିନେ ଯେଉଁ ଖେଚଡ଼ ଟୋକାଙ୍କ ଉପରେ ବିରକ୍ତ ହୁଅନ୍ତି ସେଥିରୁ ଚାରି ପାଞ୍ଚୋଟି, ଜଣେ କେମ୍ପା ପୂଝାରି, ଗୋଟାଏ ପାଉଁରୁଟି ବିସ୍କୁଟ୍‍ବାଲା ଏବଂ ଯୋଡ଼ିଏ କୁକୁର ।

 

ସମସ୍ତେ ଦେଖୁଛନ୍ତି । ଲେଙ୍କାବାବୁ ଏକ ମୁହୂର୍ତ୍ତରେ ନିଜର କର୍ତ୍ତବ୍ୟ ସ୍ଥିରକଲେ । ସମସ୍ତିଙ୍କ ଆଡ଼କୁ ଥରେ ସପ୍ରତିଭ ଦୃଷ୍ଟି ଫେରାଇ ନେଇ ଘଟଣାଟାକୁ ହାଲୁକା କରିଦେବା ମାନସରେ ସେ ପୁଣି ଥରେ ପାଗଳିନୀ ଆଡ଼କୁ ଅନାଇ ହାଉହାଉ ଆରମ୍ଭ କଲେ । ତାଙ୍କ ସପ୍ରତିଭ ଦୃଷ୍ଟିର ଭାବାର୍ଥ–ସେ ଯେମିତି ସମସ୍ତଙ୍କ ତରଫରୁ ଏ କାମଟି କରୁଛନ୍ତି–ଅନ୍ୟମାନେ ଇଚ୍ଛା କଲେ ଯୋଗ ଦେଇ ପାରନ୍ତି–ବଡ଼ମଣିଷମାନେବି ସେମିତି ଥରେ ଥରେ କରନ୍ତି–ଇତ୍ୟାଦି ।

 

କିନ୍ତୁ ଜନତା ଅଥର୍ବ–ନିର୍ବାକ୍–ଲେଙ୍କାବାବୁ ପୁନରାୟ ଜନତା ଆଡ଼କୁ ଅନାଇ ଆଖି ମାରିବାର ଚେଷ୍ଟାକଲେ; କିନ୍ତୁ ଏରୂପ କର୍ମରେ ତାଙ୍କ ଆଖିପତାର ଅନଭ୍ୟସ୍ତତା ଦୋଷରୁ ଆଖି ମିଟିକାଟି ଏକ ବାଉଳା, ବ୍ୟର୍ଥତାରେ ପରିଣତ ହେଲା । ତଥାପି ଘଟଣାଟା ହାଲୁକା କରିଦେବାକୁ ହେବ । ସେ ଯାନ୍ତ୍ରିକ ଭାବରେ ଆଉ ଦୁଇଥର ହାଉହାଉ କଲେ ।

 

ସମସ୍ତ ଆକୁଳତା ସହ ସେ କାମନା କରୁଥିଲେ–ଜନତା ଟିକିଏ ହସୁ । ତାଙ୍କର ମଜା ଜ୍ଞାନକୁ ତାରିଫକରି ଆମୂଳଚୂଳ ବ୍ୟାପାରଟାକୁ ହାଲ୍‍କା ଭାବରେ ନେଇ ଜନତା ସେଠାରୁ ଅପସରିଯାଉ ।

 

କିନ୍ତୁ ସେତେବେଳକୁ ଗୋଟାଏ ଗୁଞ୍ଜରଣ ଆରମ୍ଭ ହୋଇଯାଇଥାଏ । ପୋଷ୍ଟ୍‍ମ୍ୟାନ୍‍ଟି ଦୁଃଖକରି କହିସାରିଥାଏ–“ଆହା, ମୁଣ୍ଡଟି ଖରାପ ହୋଇଗଲା ।” ସେଇ ଖେଚଡ଼ ପିଲାତକ ତାହାଠୁଁ ଧାରଣାଟି ଗ୍ରହଣ କରି ତହିଁର ଦରଦତକ ବାଦ୍ ଦେଇ କହିଲାଗିଲେ–“ପାଗଳଟାଏରେ ।” ତାଙ୍କ ଭିତରୁ ଜଣେ କେହି ମିଳନାନ୍ତବାଦୀ ସ୍ଵଭାବକବି କହିଦେଲା–ପାଗଳୀଟାଏକୁ ପାଗଳଟାଏ ।”

 

ଏଭଳି ମନ୍ତବ୍ୟ ଓ ସିଦ୍ଧାନ୍ତମାନ ଅବଶ୍ୟ ଲେଙ୍କାବାବୁଙ୍କ ଦେହଯାକ ବିଛୁଆତି ଭଳି ପିଟିହୋଇଗଲା, କିନ୍ତୁ ସେ ତାଙ୍କର କ୍ରୋଧକୁ ସ୍ଵାଭାବିକ ରୀତିରେ ପ୍ରକାଶ ନ କରି ଥଟ୍ଟାଳିଆ ରୀତିରେ ପ୍ରକାଶ କରିବାକୁ ଚାହିଁଲେ ଏଇ ଶେଷ ଭରସାରେ ଯେ ସମସ୍ତେ ବୁଝନ୍ତୁ–ଏଇ ଅଦ୍ଭୁତ ପରିସ୍ଥିତିଟା ତାଙ୍କର ସଜ୍ଞାନ ସୃଷ୍ଟି–ତାଙ୍କ ଅଜ୍ଞାନଜନିତ, ସ୍ଵୟଂଚାଳିତ ନୁହେଁ ।

 

ତେଣୁ ସେ ସେଇ ବଜାରୀ କବି ଟୋକାଆଡ଼େ ମାଙ୍କଡ଼ ଖତେଇ ହୋଇ ଆସିଲା ଭଳି ଡେଇଁ ଆସିଲେ–ତୁଣ୍ଡରେ ସେଇ ଅଦ୍ଭୁତ ସ୍ଵର । ପିଲାମାନେ ଟିକିଏ ପଛଘୁଞ୍ଚା ଦେଇ ଏଥର ଦୁଇଗୁଣ ଉତ୍ସାହରେ ଲେଙ୍କାବାବୁଙ୍କ ଆଡ଼େ ଧାବମାନ ହେଲେ । ସେମାନଙ୍କ କିଂକର୍ତ୍ତବ୍ୟବିମୂଢ଼ କଟିଗଲା । ଲେଙ୍କାବାବୁଙ୍କୁ ଘେରିଚାଲିଲା ସମବେତ ଛକାପଞ୍ଝା ଖେଳ, ପାଟିଗୋଳ–କ୍ରମେ ଗୋଟାଏ ଅଧେ ଟେକାମାଡ଼ । ଲେଙ୍କାବାବୁ ଭାବୁଥିଲେ–ଯାହା ହେବାର ହେଲାଣି । ଏଥର ଏ ବଜ୍ଜାତ୍ ଟୋକାଦଳଙ୍କୁ ଘଉଡ଼ାଇ ଦେବା ଦରକାର । ସେ ରାଗରେ ଗରଗର ହୋଇ ଧମକ ଦେବାର ଚେଷ୍ଟା କରୁଥିଲେ । କିନ୍ତୁ ଗଣଗଣିଆ ମାଛି ଭଳି ଟୋକାଗୁଡ଼ା ମାଡ଼ିଆସୁଛନ୍ତି । ହସକାନ୍ଦଠୁ ବଳି ଏକ କିମ୍ଭୂତ ଭାବ ମୁହଁରେ ଧରି ସେହି ଅଚାନକ ସୃଷ୍ଟି ରଙ୍ଗଭୂମି ଭିତରେ ନାୟକ ଲେଙ୍କାବାବୁ ।

 

ଅଭିନୟ ଚାଲିଛି । କେହି ନିଜ ନିଜର ଅଭିନୟ ସାରି କାଳବଳେ ବାହୁଡ଼ିବା ଭଳି ଲାଗୁନାହାନ୍ତି । ଦୂରରୁ କାର୍‍ଟିଏ ଧୀରେ ଧୀରେ ପୂରା ଦୃଶ୍ୟଟାକୁ ଯେମିତି ପର୍ଯ୍ୟବେକ୍ଷଣ କରିଆସୁଛି ।

 

ମାଜିଷ୍ଟ୍ରେଟ ମାଇକେଲ୍ ଜୋନ୍‍ସଙ୍କ କାର୍ । କାର୍ ଆସି ବ୍ରେକ୍ ଦେଲା । ସମସ୍ତେ ନିର୍ବାକ୍ । ଧୂଳିଧୂସର ହୋଇ ସମସ୍ତଙ୍କ ମଝିରେ ଲେଙ୍କାବାବୁ । ମାଜିଷ୍ଟ୍ରେଟ କାର୍ ଭିତରୁ ମୁଣ୍ଡ କାଢ଼ି ବିସ୍ମିତ ଭାବରେ ପଚାରିଲେ–“ହ୍ଵାଟ ଇଜ ଦି ମେଟାର୍ ?”

 

ଲେଙ୍କାବାବୁଙ୍କ ଜିଭରେ ଓଠ ଚାଟି ଚାଟି କିଛି କହିବାର ଉଦ୍ୟମ କରି କାର୍ ଆଡ଼କୁ ଆଗେଇ ଆସୁଥିଲେ । କିନ୍ତୁ ତତ୍‍ପୂର୍ବରୁ ସେହି ପୋଷ୍ଟ୍‍ମ୍ୟାନ୍‍ଟି ପାଖକୁ ଆସି କହିଲା–“ସାର୍‌, ମୁଣ୍ଡ ଖରାପ ହୋଗିୟା, ହେଡ଼ ବ୍ୟାଡ଼ ।”

 

ମାଜିଷ୍ଟ୍ରେଟ ବୁଝିଲେ । ତାଙ୍କ ନିର୍ଦ୍ଦେଶରେ ଅର୍ଦ୍ଦଳି ଯାଇ ଲେଙ୍କାବାବୁଙ୍କୁ ଧରି ଆଣିଲା । ଲେଙ୍କାବାବୁ ସୁନାପିଲାଟି ଭଳି ଆସି କାର୍ ଭିତରେ ବସିଲେ । କାର୍ ଛାଡ଼ିଦେଲା ।

 

ଲେଙ୍କାବାବୁ କାର୍ ଭିତରେ ବସି ଥରୁଥିଲେ । ସେ ଆପ୍ରାଣ ଚେଷ୍ଟାକରି ନିଜକୁ ସଂଯତ କରି ଭାବୁଥିଲେ, ମାଜିଷ୍ଟ୍ରେଟଙ୍କ ଆଗରେ ପୂରା ଘଟଣାଟାକୁ ହାଲୁକା ଭାବରେ ବିବୃତ କରିବାକୁ ହେବ । ମାଜିଷ୍ଟ୍ରେଟ କାର୍‍ ଭିତରେ କିଛି ବୋଲି ପଚାରିଲେ ନାହିଁ । ଦୁଇ ମିନିଟ ଭିତରେ କାର୍ ଯାଇ କୋଠିରେ ପହଞ୍ଚିଲା । କାରରୁ ଓହ୍ଲାଇ ମାଜିଷ୍ଟ୍ରେଟ ଇଙ୍ଗିତରେ ଲେଙ୍କାବାବୁଙ୍କୁ ଆଗରେ ଚଳାଇ ସିଧାସଳଖ ଯାଇ ତାଙ୍କ ଖାସ୍ ଅଫିସ୍ କୋଠରି ଭିତରେ ପହଞ୍ଚିଲେ । ଭିତରୁ ଦ୍ଵାର ବନ୍ଦ କରି ସେ ଲେଙ୍କାବାବୁଙ୍କୁ ଚେୟାରଟି ବସିବାକୁ ଦେଖାଇ ଦେଲେ । ଖୋଦ୍ ମାଜିଷ୍ଟ୍ରେଟଙ୍କ ଆଗରେ ଚେୟାରରେ ବସିବାର ଅଯୌକ୍ତିକତା ବୁଝିପାରି ଲେଙ୍କାବାବୁ ଟେବୁଲ୍ ଉପରେ କୁଦି ବସିପଡ଼ିଲେ । ନାଲି ଓ କଳା କାଳି ଦୁଆତ ଦୁଇଟି ଓଲଟିଯାଇ ଫାଇଲ୍‌ପତ୍ର ନଷ୍ଟ କଲା । ମାଇକେଲ୍ ଜୋନ୍‍ସଙ୍କ କପାଳ କୁଞ୍ଚିତ ହୋଇଉଠିଲା । ତାହା ଲକ୍ଷ୍ୟ କଲେ ଲେଙ୍କାବାବୁ । ସବୁ କଥା କ୍ରମାଗତ ଭାବରେ କହିବାର ଯୋଜନା ତାଙ୍କର ପାଣି ଫାଟିଗଲା । ତାଙ୍କ ଉପରେ ଦୃଷ୍ଟି ନିବଦ୍ଧ କରି ମାଇକେଲ୍‌ ଆନ୍ତରିକ ସ୍ଵରରେ ପଚାରିଲେ–“ଆଇ ୱାଣ୍ଡର, ହ୍ଵାଟ ଇଜ ଦି ମେଟାର ମିଷ୍ଟର୍ ?”

 

ଲେଙ୍କାବାବୁ ସବୁ କଥା ଏକାବେଳକେ କହିବାପାଇଁ ପାଟି ଫିଟାଇଲେ ।

 

“ହାଉ–ହାଉ !”

 

ତାଙ୍କ ପାଟିରୁ ଆଉ କିଛି ବାହାରିଲା ନାହିଁ । ଆଖିରୁ ଧାର ଧାର ଲୁହ ବୋହିଲା ଏବଂ ବିସ୍ମିତ ନିର୍ବାକ୍ ମାଜିଷ୍ଟ୍ରେଟଙ୍କ ଆଗରେ ସେ ବାରମ୍ବାର ସେହି ଏକହିଁ ଆର୍ତ୍ତନାଦର ପୁନରାବୃତ୍ତି କରିବାକୁ ଲାଗିଲେ ।

 

ମାଜିଷ୍ଟ୍ରେଟ ମାଇକେଲ୍ ଜୋନ୍‍ସ ଏକ ଦୀର୍ଘନିଃଶ୍ଵାସ ଛାଡ଼ି ଅଫିସ୍ ରୁମ୍ ଭିତରୁ ବାହାରି ଆସି ବାହାରୁ ତାଲା ବନ୍ଦ କଲେ । କ୍ରମେ ରୁମ୍ ଭିତରୁ ଦୁପ୍‍ଦାପ୍ ଶବ୍ଦ, ଖଡ଼ଖାଡ଼ ଶବ୍ଦ ଅଧିକରୁ ଅଧିକ ଶୁଭିବାକୁ ଲାଗିଲା ।

 

ସେଇ ଦିନ ରାତିରେ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ଦୁଇଜଣ ରକ୍ଷୀଙ୍କ ମଝିରେ ହାତ ବନ୍ଧା ହୋଇ ଶ୍ରୀ ଦାମୋଦର ଲେଙ୍କା ରାଞ୍ଚି ଚାଲିଲେ । ମାଜିଷ୍ଟ୍ରେଟ ମାଇକେଲ୍ ଜୋନ୍‍ସ ଏକାନ୍ତ ବିମର୍ଷ ଭାବରେ ନିଜ କାର୍‌ରେ ନେଇ ତାଙ୍କୁ ଷ୍ଟେସନ୍‍ରେ ଛାଡ଼ିଲେ । ହୁଇସିଲ୍ ଦେଇ ଗାଡ଼ି ଛାଡ଼ିଲାବେଳକୁ ବୋଧହୁଏ ଆଉଥରେ ଲେଙ୍କାବାବୁ ପାଟିଗୋଳ କନ୍ଦାକଟା କଲେ ।

 

ଶ୍ରୀ ଦାମୋଦର ଲେଙ୍କା ଆଉ ଫେରି ନାହାନ୍ତି । ତିରିଶବର୍ଷ ବିତିଗଲାଣି ।

Image

 

ମନମତ୍ତ ଦୁହାଁଳ ଗାଈ

ମହାପାତ୍ର ନୀଳମଣି ସାହୁ

 

କିଶୋରୀ ମହାନ୍ତି ଭଳି ଚିଡ଼ା ଲୋକକୁ ଯେ ବନ୍ଧୁ ହିସାବରେ ପାଇଛି ତା’ ଅବସ୍ଥା ବାରଣ୍ଡା ଦିକଡ଼ା । ଲୋକଟା ମହାଟିଙ୍ଗିଶୂଳିଆ । ଅନ୍ୟଠାରେ ନିଜ ରୁଚିର କିଞ୍ଚିତ୍ ବ୍ୟତିକ୍ରମ ଦେଖିଲେ ସେ ଚିଡ଼ିଉଠେ; ଅଥଚ ସେ ଯଦି ସ୍ଥିରଭାବେ ନିଜ ଭିତରକୁ ଚାହାନ୍ତା ତେବେ ଦେଖନ୍ତା ଯେ ସେ ନିଜେଇ ନିଜ ରୁଚିର ସାଂଘାତିକ ବ୍ୟତିକ୍ରମ । ହୁଏତ ସେଥିଲାଗି ସେ ତା’ ଅଜାଣତରେ ନିଜ ଉପରେ ଚିଡ଼ୁ ଚିଡ଼ୁ ଯାହାକୁ ଆଗରେ ପାଏ ତା’ ଉପରେ ଚିଡ଼ିଉଠେ । ଚିଡ଼ିବା ଅବଶ୍ୟ କିଛି ଖରାପ କଥା ନୁହେଁ । ତଦ୍ଦ୍ଵାରା ଅନ୍ୟ ବ୍ୟକ୍ତି ସହିତ ଏକପ୍ରକାର ସମ୍ପର୍କ ରକ୍ଷା କରାଯାଇପାରେ; ମାତ୍ର କିଶୋରୀ ମାହାନ୍ତି କଥା ଓଲଟା । ତା’ର କାହା ସଙ୍ଗେ ଭିତିରି ସମ୍ପର୍କ ନଥିବା ହେତୁଇ ସେ ଅନ୍ୟ ଉପରେ ଅସହିଷ୍ଣୁ ହୋଇ ଚିଡ଼ୁଥାଏ । ମୋ ଜାଣିବାରେ ସେ ବୋଧେ ଭାବେ–ତା’ ଛଡ଼ା ପ୍ରତ୍ୟେକ ବ୍ୟକ୍ତି ହୁଏତ ମଙ୍ଗଳଗ୍ରହରୁ ବା ଚନ୍ଦ୍ରଗ୍ରହରୁ ଆସିଛି ଏବଂ ସମସ୍ତେ ତା’ପାଖରେ ଅପରିଚିତ–ବା ଅଜ୍ଞାତ ସ୍ଥାନ-କାଳ-ପାତ୍ର ଏବଂ ତା’ର ଆଶଙ୍କା ହୁଏ–ହୁଏତ ତା’ ବିରୁଦ୍ଧରେ ଓ ତା’ ପୃଥିବୀ ବିରୁଦ୍ଧରେ ସେମାନେ ସମସ୍ତେ ଷଡ଼ଯନ୍ତ୍ର-ତତ୍ପର । ଏହି ଭିତିରିଆ ସନ୍ଦେହ ଯୋଗୁଁ କିଶୋରୀ ମାହାନ୍ତି ସମ୍ପର୍କରେ ଯେ କେବେ ଆସେ ସେ ତା’ଠୁ ଚେଖେ ପାଏ ଓ ତା’ଠାରୁ ସାବଧାନ ଦୂରତାରେ ରହିଥାଏ; କିନ୍ତୁ ତାକୁ ଛାଡ଼ିବା ସହଜ ନୁହ । ଟିଙ୍କ ଭଳି ସେ ତୁମ ଦେହରେ ଲାଗିଥିବ ଓ କାମୁଡ଼ୁଥିବ । ଯାହାକୁ ତା’ କାମୁଡ଼ା ଭଲଲାଗେ ସେ ତାକୁ ଛାଡ଼ିବ କିପରି ? ମୋ କଥା ଜାଣ ସେଇଆ ।

 

କିଶୋରୀ ମାହାନ୍ତି ବିଷୟରେ କିନ୍ତୁ ମୁଁ ଏ କଥାଟା କହୁନାହିଁ । ସେ ଏ ଗଳ୍ପର ନାୟକ ନୁହ; କିନ୍ତୁ କିଶୋରୀ ମାହାନ୍ତି ନଥିଲେ ଏ ଗପଟିର ଭାବ ମୋ ମୁଣ୍ଡରେ ପଶି ନଥାନ୍ତା ବା ମୁଁ ଆପଣମାନଙ୍କ ଦୃଷ୍ଟିଗୋଚର କରାଇପାରି ନଥାନ୍ତି ସେହି ବକ୍ରେଶ୍ଵର ମହାଦେବଙ୍କ କାଳିସୀ ବାବାଜିଙ୍କୁ । ଅସଲରେ, କିଶୋରୀ ବା ମୁଁ କେହି ଏ ଗଳ୍ପର ନାୟକ ନୋହୁଁ–ଏପରିକି ବକ୍ରେଶ୍ଵରଙ୍କ କାଳିସୀବି ନୁହ । ଆରେ ବାବୁ, ସେମିତି ବୁଝିଲେ ନାୟକ କେହି ନୁହନ୍ତି । ମହାନ୍ତିଏ ନୁହନ୍ତି କି ମହାପାତ୍ରେ ନୁହନ୍ତି । ଜଣେ ବସିଛି ସମସ୍ତଙ୍କ ଉପରେ ନାୟକ ହୋଇ–ପଟ୍ଟନାୟକ–ବା ମହାନାୟକ । ସେଇ ଜାଣ ତ୍ରିଗୁଣ ରଜ୍ଜୁ କରେ ଧରି ମୃଗୀ ନଚାଉଛି । ବୈଷ୍ଣବପ୍ରବର ଶ୍ରୀ ଶ୍ରୀ ଲଳିତା ଦାସଙ୍କ ଭାଷାରେ କହିଲେ ଆମେ ସମସ୍ତେ କୁଆଡ଼େ ନାୟିକା; ଆମେ ସମସ୍ତେ ପ୍ରକୃତି–ସେହି ଏକା ପୁରୁଷ–ପୁରୁଷୋତ୍ତମ । ତାଙ୍କୁ ଦେଖି ବଣର ଋଷିମାନେ ଥରେ ମତିବିଭୋଳିତ ହୋଇ ନାୟିକା ହେବାକୁ ପାଗଳ ହୋଇ ଉଠିଥିଲେ–ସେମାନଙ୍କର ।

 

ବିଭ୍ରମ ଉପୁଜିଗଲା ମାନସ,

ବୋଇଲେ ସଖାଙ୍କୁ ସଖୀ ଗୋ ଆସ ।

ବହିବା ତୁମ୍ବିକି ଉରରେ ରଖି

ବକ୍ଷୋରୁହ ହେଲା ଭାବରେ ସୁଖୀ ।

ବେଣୀ ଏ ଭାବି ଜଟା ଲମ୍ବାଇ

ବିବିଧ କୁସୁମ ମଣ୍ଡିଲେ ନେଇ ।

 

କିନ୍ତୁ କିଏ ସେ ପୁରୁଷୋତ୍ତମ କିଏ କେଜାଣି । ମୋର ନାୟକ ହେବାକୁ ଏମିତି କିଛି ଲାଳସା ଅବଶ୍ୟ ନାହିଁ । ମୁଁ ତ ପିଲାଦିନୁ ଥିଏଟରରେ ସଖୀପିଲା–ତା’ପରେ ସହଚରୀ–ସେଇଠୁ ଜେମାଦେଈ–ଏବଂ ତା’ପରଠୁ ଯଥାକ୍ରମେ ରାଜମାତା କିମ୍ବା ଜମିଦାରଙ୍କ ବିଧବା ଭାଉଜ ହୋଇ ପାର୍ଟ୍ କରିଆସିଛି । ମୁଁ ନାୟିକା ହେବାକୁ ରାଜି–ବରଂ ମୋର ସେଥିପାଇଁ ଭିତିରିଆ ଲାଳସା ଅଛି; କିନ୍ତୁ ଶାସ୍ତ୍ରାଦିରେ ବର୍ଣ୍ଣିତ ସେହି ପୁରୁଷୋତ୍ତମଙ୍କ ଆକୃତିକୁ ବାବାଜି ବୈଷ୍ଣବମାନେ ଯେପରିଭାବେ ବୟାନ କରନ୍ତି, ସେପରି ଠିକ୍ ପୁରୁଷ ମୂର୍ତ୍ତିଟିଏ ମୋତେ କିଏ ଦେଖାଇଦିଅ–ତା’ପରେ ଦେଖ ମୁଁ ଶାଢ଼ି ସେମିଜ ସାୟା ପିନ୍ଧୁଛି କି ନାହିଁ ! ବେଣୀ ଛାଡ଼ୁଛି କି ନାହିଁ !

 

ଛାଡ଼ନ୍ତୁ–ନାୟିକାଙ୍କ କଥା ପଡ଼ିବାମାତ୍ରେଇ ମୋର ଭିତିରିଆ ପ୍ରକୃତି ଅନୁଯାୟୀ ଓ ନାୟିକାଙ୍କ ପ୍ରକୃତି ଅନୁଯାୟୀ ମୁଁ ବେଶୀଗୁଡ଼ାଏ ଗପୁଛି ପ୍ରଗଳ୍‍ଭା ନାୟିକାଙ୍କ ପରି ।

 

ସେଇ ବକ୍ରେଶ୍ଵରଙ୍କ କାଳିସୀ ବାବାଜିଙ୍କ କଥା ପଡ଼ିଛି । ବର୍ଷକେ ସେ ଚାରି ଥର କାଳିସୀ ହୁଅନ୍ତି–ଚଇତ ମାସର ଚାରି ମଙ୍ଗଳବାର, ଆଉ ବର୍ଷେ ବର୍ଷେ ମହାଷ୍ଟମୀକୁ ଯଦି ଠାକୁରାଣୀ ଅବତରାନ୍ତି । କୂଅରେ ବୁଡ଼ି ଫୁଲ ବାହାର କରନ୍ତି, ପୋଖରୀରେ ବୁଡ଼ି ସୁନାହାର ବାହାର କରନ୍ତି, ଜଳନ୍ତା ବତି ଗିଳନ୍ତି, ଗୁହାରିଆ ପଡ଼ିଥିବା ବାତରୋଗୀ, ପାଳିଜରୁଆ ବା ଗର୍ମୀବେମାରିଆଙ୍କୁ ହୁକୁମ ଦେଇ ଆରୋଗ୍ୟ କରନ୍ତି । ବାଞ୍ଛାଙ୍କରବି ତାଙ୍କ ହୁକୁମରେ ପିଲା ହେବାକଥା ଢେର୍ ଢେର୍ ଲୋକଙ୍କ ମୁହଁରୁ ଶୁଣାଯାଏ । ଛାଡ଼ନ୍ତୁ–ଏସବୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଢେର୍ ଢେର୍ ଲୋକଙ୍କର ବିଶ୍ଵାସ; କିନ୍ତୁ ବାବାଜିଙ୍କୁ ଆଗତ ଭବିଷ୍ୟ ଜଣା । କୋଉ ଗାଁରେ କିଏ ରାତିଅଧରେ କୋଠପୋଖରୀରୁ ମାଛ ମାରି ଖାଇଲେ–ବା କିଏ ଦୁର୍ବୃତ୍ତ କୋଉ ଅର୍କ୍ଷିତ ଛେଉଣ୍ଡର ଜମି ପାଞ୍ଚଗୁଣ୍ଠ ମାଡ଼ିବସି ଖାଉଛି–ବା କିଏ କାମୁକ ଲୋକ ତା’ ଭାଇ-ବୋହୂର ଅଙ୍ଗ ସ୍ପର୍ଶ କରିଛି–ସେସବୁ କାଳିସୀ ବାବାଜିଙ୍କ ନଖ-ଦର୍ପଣରେ ପ୍ରତିବିମ୍ବିତ ହୋଇଯାଏ । ......ଏବେ କିନ୍ତୁ ସେ ଗ୍ରାମ ଛାଡ଼ି ଏ ସହରକୁ ଆସିଛନ୍ତି ଧର୍ମସଂସ୍ଥାପନାର୍ଥୟ । ବର୍ଷକେ ଛ’ ଛ’ ମାସ ପାଳି କରି ସେ ସଦର ମଫସଲ ହେଉଥାନ୍ତି ।

 

ଆମର ପରିଚିତ ପାନଦୋକାନରେ ଶିଷ୍ୟ ପରିବୃତ୍ତ ହୋଇ ସେ ପାନ ଖାଉଥିଲେ । ରାତି ସେତେବେଳକୁ ଦଶଟାରୁ ପାର ହୋଇଗଲାଣି । ବାବାଜିଙ୍କର ଅଧାପାଚିଲା ଦାଢ଼ି, ବାବୁରି ବାଳ, ସିନ୍ଦୂରକଲି, ଗେରୁଆ ବସ୍ତ୍ର, ବେକରେ ଗଇଁଠାଳ ପଡ଼ି ବେହରଣ ହୋଇଛି । ଗୋଟାଏ ଲମ୍ବା ଲୁହାକଡ଼ାଲଗା ତ୍ରିଶୂଳ–ହଲାଇଲେ ଝମ୍‍ଝମ୍ ବାଜେ । ତମ୍ବା ଢାଳଟିଏ ଓ ମୁଣିଟିଏ କାନ୍ଧରେ । ମୁଣ୍ଡରେ ଚନ୍ଦନ ଭିତରେ ଲମ୍ବା ମୋଟା ସିନ୍ଦୂରକଲି । ତାଙ୍କ କଜଳଲଗା ଆଖି ଦୁଇଟାରେ କିନ୍ତୁ କିଞ୍ଚିତ୍ କିମିଆ ମୋପାଇଁ ଓ ମୋ ଭଳି ନରମା ଲୋକଙ୍କପାଇଁ ଖେଳିବୁଲୁଥିଲା; ତାଙ୍କ ଦେହରୁ ଓ ଝୁଲାମୁଣିରୁ ଗଞ୍ଜେଇ ଧୂଆଁର ଚମତ୍କାର ଖୁସ୍‍ବୋଇ ପ୍ରସରିତ ହେଉଥିଲା । ଗଞ୍ଜେଇ ଧୂଆଁର ମଧ୍ୟ ଗୋଟେ ବିଚିତ୍ର ଗୁମ୍ଫାଳିଆ କିମିଆ ଅଛି । ବାବାଜି ବିଭିନ୍ନ ସମୟରେ ବିଭିନ୍ନ ଖଟି ଜାଗାରେ ତ୍ରିନାଥମେଳା କରାନ୍ତି । ଏହି ବୃକ୍ଷହୀନ ଓ ମନ୍ଦିରହୀନ ରାଜଧାନୀ ସହରରେ ବିଭିନ୍ନ ସତେଜ ପଲ୍ଲବିତ ଯୁବା ବୟସର ବଟ-ଅଶ୍ଵତ୍‍ଥ ମୂଳରେ ସିମେଣ୍ଟ ଚଉତରାବେଷ୍ଟିତ ହୋଇ ସର୍ବମୋଟ ତେରୋଟି କ୍ଷୁଦ୍ରକାୟ ତ୍ରିନାଥ ମନ୍ଦିର ତାଙ୍କଦ୍ଵାରା ନିର୍ମିତ ହୋଇ ରାଜଧାନୀର ଶୋଭାବର୍ଦ୍ଧନ କରୁଛି ଓ ରାତ୍ରିର ନିର୍ଜନତା ଭଙ୍ଗ କରୁଛି । ପ୍ରତିଟି ରାତି ସେହିସବୁ ମନ୍ଦିରମାନଙ୍କ ପାଖେ କୋଳାହଳ ମୁଖରିତ ହୋଇଥାଏ । ଖଞ୍ଜଣି, ଗିନି ଓ କରତାଳି ମାଡ଼, ଶଙ୍ଖଧ୍ଵନି, ଶରୀରଭେଦ ଭଜନମାନ ଉଚ୍ଚକିତ ମିଳିତ କଣ୍ଠରେ ନିନାଦିତ ହେଉଥାଏ । ଦିନବେଳାରେ ଯେଉଁ ନାଗରିକମାନେ ଅତି ମଳିନ, ଦୀନ ଓ ନୀରବ ଦେଖାଯାନ୍ତି ରାତି ବାରଟା ପରେ ଏଇ ସବୁ ମେଳା ଜାଗାମାନଙ୍କରେ ସେମାନେ ଅତି ଉଚ୍ଚକିତ, ଉଲ୍ଲସିତ ଓ ଉଜ୍ଜ୍ୱଳ ହୋଇଉଠନ୍ତି–ପାନ ସୁପାରି ଓ ବାଳଭୋଗର ପର୍ବ ପରେ ଗଞ୍ଜେଇ ଧୂଆଁରେ ପ୍ରମତ୍ତ ହୋଇ ସେମାନେ ଖଞ୍ଜଣିମାଡ଼ କରନ୍ତି ଓ ଚିତ୍କାର କରି ନିଜ ଉପରେ ଅପର ଉପରେ ଲାଗିଲା ଭଳି କଣ୍ଠରେ ଗାଉଥାନ୍ତି–

 

“ମନମୂଷାରେ, ତୁ ତା’ ଗଞ୍ଜେଇ ଖାଇ

ଦିନେ ବିରାଡ଼ିକି–ଦିନେ ବିରାଡ଼ିକି–ଦିନେ ବିରାଡ଼ିକି ଚିହ୍ନିଲୁ ନାହିଁ ।”

 

ଏଇ ଭଜନ ଭିତରେ ସେମାନଙ୍କର ଶୋକ, ବିଷାଦ, ହର୍ଷ, କ୍ରୋଧ ଓ ଆକ୍ରୋଶ ଆଦି ମାନବୀୟ ଉତ୍ତେଜନାମାନ ଉଦ୍‍ବେଳ ହେଉଥାଏ ଓ ସେମାନେ ତା’ ଭିତରେ ଆପଣା ଆପଣା ଜୀବନଟିମାନଙ୍କୁ ବୁଝୁଥାନ୍ତି–ଘେନୁଥାନ୍ତି । ପ୍ରକାଶ ଥାଉକି ବକ୍ରେଶ୍ଵରଙ୍କ କାଳିସୀ ବାବାଜି ଏସବୁ ଅନୁଷ୍ଠାନମାନଙ୍କର ସ୍ଥାପୟିତା, ପ୍ରବର୍ତ୍ତକ, ଉପଦେଷ୍ଟା ଓ ଗୁରୁ କହିଲେ ଅତ୍ୟୁକ୍ତି ହେବନାହିଁ । ମୁଁ ନିଜେ ମଧ୍ୟ ବହୁ ରାତି ଏମାନଙ୍କ ସଙ୍ଗେ ବିଭିନ୍ନ ଖଟିରେ ଯୋଗ ଦେଇ ନିଜକୁ ଧନ୍ୟ କରିଛି । ମୋର ମନେ ଅଛି–ଦିନେ ଭଜନ ମଝିରେ ମୁଁ ପଚାରିଦେଲି–“ବାବାଜି ମହାପ୍ରୁ ! ବିରାଡ଼ି ଏଠି କିଏ-? କାହାକୁ ଲକ୍ଷ୍ୟ କରି ବିରାଡ଼ି କୁହାଯାଇଛି ?” ବାବାଜି କହିଲେ–“ଜୀବକୁ ଧରିଲେ ବିରାଡ଼ି ହେଲା ଯମ–ମୃତ୍ୟୁ-ଦେବତା । ଜୀବ ମୋହମାୟାରେ ପଡ଼ି, ମାନେ ଗଞ୍ଜେଇ ଖାଇ, ଯମ ଅର୍ଥାତ୍ ମରଣକୁ ଭୁଲିଯାଇ ମତିଭୋକରେ କାଳ ଯାପୁଛି । ଏ ହେଲା ବ୍ରହ୍ମଜ୍ଞାନ ଅର୍ଥ । ଆଉ ଗୋଟେ ଅର୍ଥରେ ନେଲେ, ମାନେ ସାଂସାରିକ ଅର୍ଥରେ–ତା’ ଅର୍ଥ ହେଉଛି–ନିଜେ ଯଦି ଚତୁର ନ ରହିବ, ସତର୍କ ନ ରହିବ, ଜାଗତିଆର ନ ରହିବ ତେବେ ତୁମଠାରୁ ଚତୁର ଧୂର୍ତ୍ତ ଶିକାରୀ ବିରାଡ଼ିମାନେ ତୁମକୁ ମୂଷା ଭାବି ମାଡ଼ି ବସିବେ ।”

 

ଏ କଥା ଶୁଣୁଶୁଣୁ ଶିଷ୍ୟଙ୍କ ଭିତରୁ ଜଣେ ପାଟିକରି ଉଠିଲା, ବୁଝିଲ ବାବୁ ! ଏ ବଡ଼ଲୋକ ଧୋବଧାଉଳିଆମାନେ ହେଉଛନ୍ତି “ବିଲେଇ” । ଆମ ଭଳି ମୂଷାଙ୍କ ଭିତରେ ରୁଦ୍ରାକ୍ଷମାଳା ପିନ୍ଧି ଛାଦ୍ମିକତା କରି ପଶି ଆମକୁ ଭୁଲେଇ ଭାଲେଇ ଗୋଟି ଗୋଟି କରି ଜଳଖିଆ କରୁଛନ୍ତି ।

 

ମୁଁ କହିଲି ଭାଇ ! ଯାହା କହିଲ ଦୁଇଆଡ଼ୁ ସତ । ବିରାଡ଼ି ପାପୀ ହୋଇ ମାରୁଛି, ମୂଷା ଅଜ୍ଞାନପଣରୁ ମରୁଛି ।

 

ଏମିତି ବହୁରାତି ମୁଁ ଏସବୁ ତ୍ରିନାଥମେଳାମାନଙ୍କରେ ଆତଯାତ ହୋଇଛି ଓ ସେମାନଙ୍କ ଭିତରୁ ମୋର କେତେଜଣ ବେଶ୍ ପରିଚିତ । ମୋ ବିଚାରରେ ବାବାଜି ଓ ତା’ର କର୍ମପନ୍ଥା ମନ୍ଦ ନୁହ ।

 

ହଁ–ସେଦିନ ରାତି ଦଶଟା ପରେ କିଶୋରୀ ମହାନ୍ତି ଓ ମୁଁ ପାନ ଖାଇବାକୁ ସେ ଦୋକାନପାଖେ ଯାଇ ପହଞ୍ଚିଲୁ । ତା’ପୂର୍ବରୁ କିଶୋରୀ ମହାନ୍ତି ସବୁଦିନ ପରି ବାଟଯାକ ମୋ ଉପରେ ଚିଡ଼ି ଚିଡ଼ି ଆସୁଥିଲା । ଗତ ନିର୍ବାଚନରେ ହାରିଯାଇଥିବା ଜଣାଶୁଣା ନେତାଙ୍କର ଗୋଟିଏ ମାତ୍ର ସଦ୍‍ଗୁଣ ବିଷୟରେ ମୁଁ କହୁ କହୁ ସେ ମୋତେ “ଚୁତିଆ”ଠାରୁ ଆରମ୍ଭ କରି ବହୁ ବିରକ୍ତିମୂଳକ ବିଶେଷଣରେ ଭୂଷିତ କରି କରି ଆସୁଥିଲା । ମୁଁ ତାକୁ ବୁଝାଉଥିଲି–ଦେଖ୍ କିଶୋରୀ-! ମୁଁ ସେ ହତଭାଗାର ରାଜନୀତିକ ଏଜେଣ୍ଟ ନୁହେଁ ବା ମୁଁ ତା’ଦ୍ଵାରା କୌଣସି ପ୍ରକାରେ ଉପକୃତ ହୋଇନାହିଁ; ବରଂ ସେ ହାରିଯାଉ ବୋଲି ମୁଁ କାମନା କରିଥିଲି–କିନ୍ତୁ ସେ ଯେ ଭଲ ବ୍ୟୋମଯାନ ଉଡ଼ାଇପାରେ, ଇଂଲିଶ୍ ଚାନେଲ୍ ପହୁଁରି ଯାଇପାରେ, “ପାପ ବୋଲି କିଛି ନାହିଁ–ଯା’ଖୁସି ତା’କର ଓ ଆହୁରି ଖୁସି ହୁଅ” ବୋଲି ସଫାସଫି ସମସ୍ତଙ୍କୁ କହିଦେଇପାରେ, ଏ କଥା କହିବାରୁ ତୁ ଏମିତି ଚିଡ଼ୁଛୁ ଓ ମୋତେ ଶୋଧୁଛୁ କାହିଁକି ?

 

କିନ୍ତୁ କିଶୋରୀ ଫେର୍ ଚିଡ଼ିଉଠି ମୋତେ ଗୋଟାଏ ଧକ୍କା ମାରି କହିଲା–ଆରେ ଚୋର-! ଚିଲ ଶାଗୁଣାବି ଆକାଶରେ ଭଲ ଉଡ଼ିପାରନ୍ତି । ଶାଙ୍କୁଚ ମଗରଙ୍କ ପହଁରା ତୁ ଦେଖିନୁ–ମୁଁ ଦେଖିଛି–ମୋ ଶଶୁରଘର ଖୋଦ୍ ପୁରୀ ସମୁଦ୍ରକୂଳରେ ନୋଳିଆ ସାହି ପାଖେ । ଆଉ ଶେଷ କଥା ଯାହା କହିଲୁ, ଶୁଣରେ ଇଡ଼ିଅଟ୍ ! ଏ ସଂସାରରେ ଯଦି ସମସ୍ତେ ସମାନଭାବେ ପାପ କରିପାରନ୍ତେ ଓ ସମସ୍ତଙ୍କର ସମାନଭାବେ ପାପ କରିବାର ସାମର୍ଥ୍ୟ ଓ ସୁବିଧା ଥା’ନ୍ତା–ତେବେ ଆଉ ଚିନ୍ତା କ’ଣ-? ମୁଁ ଆଗ ଯାଇ ତା’ବେକରେ ବରଣମାଳା ପକାଇ ତାକୁ ନେତା ବୋଲି ଡାକନ୍ତି । ସୁନ୍ଦରୀ ସ୍ତ୍ରୀର ଅପାରଗ ସ୍ଵାମୀଙ୍କୁ ‘ମୁଁ ତୋ ସ୍ତ୍ରୀକୁ ନେଇଯାଉଛି, ତୁ ଯଦି ପାରୁଛୁ ମୋ ସ୍ତ୍ରୀକୁ ନେଇଯା, କିଛି ପାପ ନାହିଁ’ ବୋଲି କହି ପରଦାରାସକ୍ତ ସମର୍ଥ ପୁରୁଷଟି ନିଜ ସୁନ୍ଦରୀ ସ୍ତ୍ରୀକୁ ନିରାପଦରେ ରଖି ପରସ୍ତ୍ରୀକୁ ଭୋଗକଲାଭଳି ନୀତି ସେ ପ୍ରଚାର କରୁଛି । ତୁ ଆଗ ନିଜେ ସେ କଥା କରିପାରିବୁ ? ଶଃ ପୂରା ମାଈଚିଆ ତୁ...ମୁଁ ତୋତେ ଜାଣିନି ! !

 

ମୁଁ କହିଲି–କିଶୋରୀ ! ମୁଁ ମାଈଚିଆ ସତ । ରାମ ରାବଣ ଉଭୟଙ୍କୁ ସ୍ଵୟମ୍ବର ସଭାରେ କନ୍ୟାପ୍ରାର୍ଥୀ ହୋଇ ବସିଥିବାର ଦେଖିଲେ ମୁଁ କାହା ଗଳାରେ ବରଣମାଳା ଲମ୍ବାନ୍ତି କେଜାଣି; କିନ୍ତୁ ଶିବଧନୁଭଙ୍ଗ ପଣଟିଏ ବାପ ରଖିଥିଲେ ରକ୍ଷା, ନହେଲେ ମୁଁ ଅଡ଼ୁଆରେ ପଡ଼ିଯାନ୍ତି ଭାଇ । ତୁ ସତ କହୁଛୁ । ହେଲେ–ତୁ ଖାଲି ସମାଜ ଚେତନାରେ ରହୁଛୁ ବୋଲି ବ୍ୟକ୍ତି ପ୍ରତି ତୋର ଏତେ ଘୃଣା, ଅସହିଷ୍ଣୁତା ! ଆରେ ଭାଇ, ସମାଜ ଏତେ ବିରାଟ ଯେ ବ୍ୟକ୍ତିଙ୍କୁ ତା’ବଖତରେ ଘଣ୍ଟ ନ ଘୋଡ଼ାଇଲେ ସମାଜ ତାକୁ ମାଡ଼ିବସିବ–ଟା’କୁକିନା ଗିଳିଦେବ । ସମାଜ କହେ “ନୀତି” “ନୀତି”–ବ୍ୟକ୍ତି କହେ “ରୁଚି” “ରୁଚି” । ନୀତି କହେ ଶାସନ କରିବି । ରୁଚି କହେ ପ୍ରେମ କରିବି । ଏମିତି କଥା ହୋଇ ଚାଲିଛୁ–ସେ ପାନଦୋକାନରେ ବାବାଜିଙ୍କୁ ଦେଖିଲୁ । ପାନ ବରାଦ ଦେଇ ଆମେ ଠିଆହେଲୁ । ବାବାଜି କହୁଥାନ୍ତି କାହା ଉପରେ କ୍ରୋଧାନ୍ୱିତ ହୋଇ ।

 

ବୁଝିଲୁ କହ୍ନେଇ ! ଜମାଲପୁରିଆଙ୍କ କଥା ମତେ କହନା । ମୁଁ ସେ ଶଳାଙ୍କ କଥା ଜାଣିଛି-। ଶଳେ ଦିଅଁଙ୍କୁ ଖାଇ ଖଟୁଳିକିବି ଖାଇଦେବେ । ଟଙ୍କାକୁ ଟଙ୍କା ନେଲେ; ଭୋଟ ଦେଲାବେଳକୁ ଚିତାକାଟିଲେ । ଶୁଣିଲ ତ୍ରିନାଥ ଖଟିକି ଶହେଟଙ୍କା ଦେଇଥିଲେ । ଆଉ କିଛି ମିଶାଇଥିଲେ ଚଉତରଟା ହୋଇ ଯାଇଥାନ୍ତା । ଶଳା ସିଦ୍ଧି ଦାସ ସବୁତକ ମାରିନେଲା । ସିଦ୍ଧି ଦାସକୁ ମୁଁ ଚିହ୍ନିନି-। ତା’ କଥା ମୁଁ କହୁ ନଥିଲି ହୋ ଦଳେଇ !

 

ଅନୁଗତ ଶିଷ୍ୟଟିଏ ସଙ୍ଗେ ସଙ୍ଗେ କହିଉଠିଲା–ଆଜ୍ଞା ଆପଣଙ୍କୁ କିଛି ଅଗୋଚର ଅଛି-। ବାବାଜି କହିଲେ–ଆରେ ଆଖି ପଡ଼ିଲେ ମା’ ପେଟରେ ଛୁଆ ଅଣ୍ଡିରା କି ମାଈ କହିଦେବି-। କହିନି, ଅଗଣି ଦାସ ମାଇପକୁ କହିଥିଲି ନା ନାହିଁ ।

 

ଆଜ୍ଞା–ଆଜ୍ଞା !

 

ଭୋଟ କିଏ ପାଇବ କହି ନଥିଲି ?

 

ଆଜ୍ଞା–ଆଜ୍ଞା !

 

ସେ ସିଦ୍ଧି ଦାସ ଶଳା ଫେର୍ ମତେ ଚିତା କାଟିଲା । ହଉ ଠିକ୍ ଅଛି । ସିଦ୍ଧି ଦାସ ଅନାଦିକି ତା’ କାଠ କେବିନ୍ ମାସିକ ପଚିଶ ଟଙ୍କା ଭଡ଼ାରେ ଦବ ବୋଲି ମୋ ଆଗରେ କଥା ଛିଣ୍ଡାଇଲା । ମୋ ହାତରୁ ଅନାଦି ଲାଗି ତାକୁ ଆଗତୁରା ପଚିଶ ଟଙ୍କା ଦେଲି । ଶେଷରେ ସେ କେବିନ୍ ଦେଲା ନେଇ ରସୁଲ ମିଆଁକୁ । ରସୁଲ ମିଆଁ ତିରିଶ ଟଙ୍କା ଦେଇ ତା’ ଭିତରେ ସବୁଦିନେ ଛେଳି କାଟିବ । ହା’ରେ ଧର୍ମ ! ସିଦ୍ଧି ଦାସର ଭଲା କ’ଣ ଅଭାବ ଅଛି ?

 

ଅନୁଗତ ଶିଷ୍ୟଟିଏ କହିଲା–“ଆଜ୍ଞା, ଆପଣ ତାକୁ ଏଥର ପାନେ ଦିଅନ୍ତୁ । ତା’ ଭାତହାଣ୍ଡିରୁ ବିଷ୍ଠା ନ ବାହାରିଲେ ସେ ଶଳା ଚେଙ୍କିବ ନାହିଁ ।

 

ବାବାଜି ଟିକେ ମୁରୁକି ହସା ଦେଇ କହିଲେ–ଆରେ ନାଇଁରେ ଦଳେଇ ! ସେ କର୍ମମାନ ମୁଁ ଆଉ କରୁନି । ସେ ତା’ ଫଳ ପାଇବ ଛାଏଁ । ମହାପୁରୁ କହିନାହାନ୍ତି ଗୀତାରେ–

 

ଯତ୍‍କର୍ମ କୁରୁ ତତ୍‌ଫଳ ପ୍ରାପ୍ତଂ

ଯତ୍‍କର୍ମ ନ କୁରୁ ତତ୍‍ଫଳ ଅପ୍ରାପ୍ତଂ ।

 

ଯାହା କରିବ ତା’ ଫଳ ପାଇବ....ଯାହା ନ କରିବ ତା’ ଫଳ ନ ପାଇବ । ସିଦ୍ଧି ଦାସ ଭୋଗିବ ଯେ ! ସେଲ୍‍ଟିକସ ଯୋଗ୍ନୀମାନେ ତା’ ଗୁମର ଜାଣିଗଲେଣି । ଏଠି ଚାଳଘରେ ଚାଉଳ ବିକି ସେଠି ଗାଁରେ କୋଠା ପିଟିଲାଣି । ତାଙ୍କ ଆଖିରୁ ସେ ବର୍ତ୍ତିବ କି ?

 

ଆଜ୍ଞା ! ଆପଣ ତା’ ଗୁରୁ । ସେ ଫେର୍ ଆପଣଙ୍କୁ ଚିତା କାଟିଲା !!

 

ବାବାଜି ଟିକେ ଉଦାର ଢଙ୍ଗରେ ଲଘୁ ଉପହାସ ରସରେ ଧାଡ଼ିଏ ପ୍ରାକୃତ ଗ୍ରାମ୍ୟଶ୍ଳୋକ ଅଶ୍ଳୀଳ ଶବ୍ଦ ସମ୍ବଳିତ କରି ଝାଡ଼ି କହିଲେ–ଆରେ ବାପା ଏ ଯୁଗ ହେଲା ଗୁରୁ-ଚିତାକଟା ଯୁଗ । ଖୋଜି ଖୋଜି ଗୁରୁଙ୍କୁ......

 

ଏହି ସମୟରେ ପାଖ ମଟର ସାଇକେଲ ଦୋକାନ ଭିତରୁ ଜଣେ ଭଦ୍ର ଧନାଢ଼୍ୟ ବ୍ୟକ୍ତି ଖସ୍‍କିନା ବାହାରି ଆସି ଖୁବ୍ ଟାଣ କରି କହିଲେ–ହଇଓ ବାବାଜି ! ତୁମର କେମିତି ଅକଲ ହେ ? ସର୍ବସାଧାରଣ ସ୍ଥାନରେ ବାବାଜି ହୋଇ ଛୋକାର କଥାଗୁଡ଼ାଏ କହୁଛ ! ନା-ନା, ଭଦ୍ର ସ୍ଥାନରେ ତୁମର ଏ କ’ଣ ଠିକ୍ ଆଚରଣ ?

 

ବାବାଜି ଟିକିଏ ଥତମତ ଖାଇଗଲେ; ମାତ୍ର ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ–ଆହେ ! ଛୋକାର କଥା କ’ଣ ? ଛୋକାର କଥାରୁ ଏ ଜଗତ ଉପୁଜାତ ହେଲାଟି–

 

ଶୂନ୍ୟକୁ ଶୂନ୍ୟଟି ରମିଲା

ତା’ ତହୁଁ ବିନ୍ଦୁଟି କ୍ଷରିଲା ।

ବିନ୍ଦୁରୁ ପରମ ହେଲା ଜାତ

ତା’ ତହୁଁ ଜୀବଟି ସମ୍ଭୂତ ।

 

ଆମେ ସମସ୍ତେ ଏଇ ଛୋକାର କଥାରୁ ଜାତ ହୋଇଥାଇଁ–ନା କ’ଣରେ ଅନାଦି ?

 

ଅନାଦି ନାମଧେୟ ଶିଷ୍ୟଟି ତା’ର ଧୂଆଁଳିଆ ଆଖି ଓ ଗଞ୍ଜୋଡ଼ କଣ୍ଠରେ ଘଡ଼ଘଡ଼ କରି କହିଲେ–ଆଜ୍ଞା, ସେ କଥା ଆଉ ପଚାରିବାକୁ ଅଛି ? ସ୍ୱୟଂ ଭଗବାନ ପରା ଷୋଳସସ୍ର ଗୋପନାରୀ–ମୋତେ ବରିଲେ ତପ କରି....କହି ପୃଥ୍ୱୀକି ଏଇ ଛୋକାରଭାବ ଶିଖେଇ ଦେଇଗଲେ । ଛୋକାରଭାବ ନ ରହିଲେ ଏ ପୃଥ୍ଵୀ ଆଜ୍ଞା ଆଉ ରହିବ ?

 

ନୀତିବାଗୀଶ ଓ ଭଦ୍ର ରୁଚିବନ୍ତ ଅସହିଷ୍ଣୁ ଧନାଢ଼୍ୟ ବ୍ୟକ୍ତିଟି ଆହୁରି ତାତିଯାଇ କହିଲେ–କ’ଣ ତୁମେ ବୁଝିଛ ହୋ ଗଞ୍ଜାଖୋର ! ଗୋପୀ-କୃଷ୍ଣ ତତ୍ତ୍ଵ ତୁମେ କ’ଣ ବୁଝିଛ ? ସେ ଜୀବ ପରମଙ୍କ ତତ୍ତ୍ଵ–ପ୍ରକୃତି ପୁରୁଷଙ୍କ ଲୀଳା–ଗଞ୍ଜଡ଼ିଆଙ୍କ ଗୁଲିଖଟି ନୁହେଁ ।

 

ବାବାଜି କହିଲେ–ହଇଓ ବାବୁ ! ତୁମେ ତୁମ ବାଗରେ ବୁଝିଛ । ଆମେ ବୁଝିଛୁ ଆମ ବାଗରେ । ତୁମକୁ ଯଦି ଆମ କଥା ନ ରୁଚିଲା ତୁମେ କାନ ବନ୍ଦ କର । ଆମ କଣ୍ଠ ରୋଧିବାକୁ ତୁମେ କିଏ ?

 

କିଶୋରୀ ମହାନ୍ତି ଏଣେ କେତେବେଳୁ ସେ ବାବାଜିଙ୍କ ଉପରେ ତାତିଲାଣି–ରକ୍ତଚାଉଳ ଚୋବାଇଲାଣି । ତା’ର ତ ବାବାଜିଙ୍କ ଉପରେ ଭାରି ରାଗ । ଅଧେ କାରଣ ହେଉଛି ମୁଁ ସବୁପ୍ରକାର ବାବାଜିଙ୍କ ପିଛା ଧରିଥାଏ ବୋଲି । କିଶୋରୀ ମହାନ୍ତି ମତରେ ମୁଁ କୁଆଡ଼େ ଜଣେ ଭଣ୍ଡ ବୈଷ୍ଣବ । ମୁଁ କହେ ଭାଇ ! ମତେ ଭଣ୍ଡ କହନା–ମୁଁ ଜଣେ ଭାଣ୍ଡ ବୈଷ୍ଣବ–ତା’ ମାନୁଛି ।

 

ବାବାଜି କଥା ଶୁଣି ସେ ବାବାଜିଙ୍କ ଆଡ଼କୁ ଚିହିଁକିଗଲା । ହାତ ହଲାଇ ପଚାରିଲା–ହଇଓ ! ଆମ କାନ ବନ୍ଦ କରିବାକୁ ତୁମେ କିଏ ? ହଇଓ ? ଗୀତାରୁ ଯୋଉ ଶ୍ଳୋକ ବୋଲିଲ ସେ କୋଉ ଅଧ୍ୟାୟରେ ଅଛି ?

 

ବାବାଜି ଚଟାପଟ ଓଲଟା ପ୍ରଶ୍ନ କଲେ–କୋଉ ଗୀତା କଥା ପଚାରୁଛ ?

 

କିଶୋରୀ କହିଲା–ଗୀତା କେଇଟା କିଓ ?

 

ବାବାଜି ଫୁଟୁକି ମାରି କହିଲେ–ଗୀତା ଅଶେଷ ପ୍ରକାର । ଯେତେ ଗୋପୀ ସେତେ କୃଷ୍ଣ । ଯେତେ ଅର୍ଜ୍ଜୁନ, ସେତେ ଗୀତା ।

 

ଅଶେଷ ପ୍ରକାର ଭଗତି;

କେ ଜାଣେ ଗୋବିନ୍ଦର ଗତି ।

 

ନୀତିବାଗୀଶ ଧନାଢ଼୍ୟ ଭଦ୍ରବ୍ୟକ୍ତିଟି ଟିହାଇଲା ଭଳି କହିଲେ–ହଁ ! ତା’ ନୁହ ଆଉ କ’ଣ-? ତୁମଭଳି ଗଞ୍ଜାଖୋର ଅର୍ଜ୍ଜୁନଙ୍କ ପାଇଁ ଛୋକାର ଗୀତା ନଥିବ ଆଉ କ’ଣ ?

 

ବାବାଜି କହିଲେ–ହଇଓ ବାବୁ ! କ’ଣ ଏତେବେଳଯାଏ ସେଇ ଛୋକାର ଛୋକାର ହଉଛ ହେ ?

 

ଛୋକାର କଥା ନ କହିଲେ ରଥ ଚଳିବ ନାହିଁ–ବୁଝିଲ ?

 

କିଶୋରୀ ମାର ନମାର ହୋଇ ଫେର୍ ଚିହିଁକିଲା–ରଥକଥା ଏଠି କାହିଁକି ପଡ଼ିଛି ହୋ-? ଏଠି କ’ଣ ରଥ ଚାଲିଛି ?

 

ବାବାଜି କହିଲେ–ରଥ ମର୍ମ ବୁଝିଚ ବାବୁ ? ଏ ଦେହ ସବୁ ହେଲା ରଥ । ତା’ ଭିତରେ ବସିଛି ଜଗନ୍ନାଥ–ସେ ତୁମ ଭଦ୍ରଲୋକଙ୍କ ବେଦ ଶୁଣି ଶୁଣି ଦାରୁଭୂତ–ତାକୁ ଆମ ଭଳି ଛୋକାରମାନେ ଟାଣି ଟାଣି ଚଳାଉଛୁ ପଥ । ଛୋକାର କଥା ନହେଲେ ବାବୁ କୋଉ ରଥ ଚଳିବନି ଜାଣିଥାଅ । ଦେଖୁନା ! ଛୋକାର କଥା କହିଲି ବୋଲି ତୁମେ ସବୁ ମତେ ଚଳିଲ ନା ନାହିଁ ? ତୁମମାନଙ୍କ ଆତ୍ମାପୁରୁଷ ଚଳିଲେ ନା ନାହିଁ ? ସେ ବାଟେ ନ ବୁଝିଲେ ଏ ବାଟେ ହେଲେ ବୁଝ । ହେଁ...ହେଁ....ହେଁ... ।

 

ବାବାଜି ଚମତ୍କାର ହସଟାଏ ହସିଲେ । ସେ ହସର ଅର୍ଥ ସତେକି–ଏହାପରେ–ଏ କଥା ପରେ––ଅଳଂ ଅତି ବିବାଦେନ । ଏଥର ଉଠାଅ ଡେରା–ଯେଝା ବାଟରେ ଯିଏ ଯାଅରେ ବାପା !

 

କିନ୍ତୁ କିଶୋରୀ ମହାନ୍ତି ମାଡ଼ୁଆ ଟିଙ୍ଗିଶୂଳିଆ ଟିଙ୍କଭଳିଆ ଲାଗିଥିବ । ସେଇ ଗୋଟାଏ ପଦ ଉପରେ ଜିଦ୍ ଧରି ଫେର୍ କହିଲା–ସେସବୁ ଭାଣ୍ଡ ଚାଲାକ କଥା ତମ ତ୍ରିନାଥମେଳାରେ ଶୁଣାଇବ । ପବ୍ଲିକ୍ ଜାଗାରେ ଭଦ୍ରଲୋକଙ୍କ ଆଗରେ ଛୋକାର କଥା ଅତି ଅଶ୍ଳୀଳ ଅଭଦ୍ର ଆଚରଣ–ବୁଝିଲ ବାବାଜି ? ଏଣିକି ସାବଧାନ ହୁଅ ।

 

ହଠାତ୍ ବାବାଜିଙ୍କ ସେଇ କିମିଆକରା ଆଖି ଦୁଇଟିରେ ଚିଲମ ଉପରେ ଗଞ୍ଜେଇ ନିଆଁ ଭଳି କ’ଣ ଗୋଟାଏ ଧପ୍‍କିନା ଜଳିଉଠି ଲିଭିଯାଇ ଖାଲି ରଡ଼ ରଡ଼ ଦିଶିଲା । ସେ ତାଙ୍କ ତ୍ରିଶୂଳ ଚିମୁଟାକୁ ଦୁଇ ଚାରିଥର ଝମ୍‍ଝମ୍ କରି କିଶୋରୀ ଆଡ଼କୁ ଚିହିଁକିଗଲେ । କିଶୋରୀ ଚମକି ପଡ଼ି ମୋ ଉପରକୁ ଆଉଜି ଗଲା । ମୁଁ ତାକୁ ଧରୁ ଧରୁ ବାବାଜି କହିଲେ–ଘାବରେଇ ଯାଅ ନାହିଁ ବାବୁ; ଶୁଣ । ଭଦ୍ରଲୋକ ହେଇଛ ପରା ? ଛୋକାର କଥାରେ, ଅଶ୍ଳୀଳ କଥାରେ ଧିଅକୁ ଲାଗିଯାଉଛି । ଆସ ଆସ, ଛାତି ଅଛି ଯଦି ଆସ–ଦେଖେଇ ଦେବି ଆସ-କିଏ (୭୦)ଶ୍ମୀଳ କିଏ ଅଶ୍ଳୀଳ । ତୁମମାନଙ୍କର ଛୋକାରପଣିଆ ଦେଖିବ ଆସ–ଏଠି ଏ ଆଲୁଅରେ ଦିଶୁନାହିଁ । ଆସ–

 

ସେ ତାଙ୍କ ଟାଣୁଆ ପଞ୍ଝାରେ ଦିହିଁଙ୍କୁ ଭିଡ଼ିଧରି ଆଗକୁ ଓଟାରି ଚାଲିଲେ । ମୁଁ ଆନନ୍ଦରେ ତାଙ୍କ ହାତରେ ମୋ ହାତକୁ ସମର୍ପି ଦେଇ ତାଙ୍କ ସାଙ୍ଗେ ଚାଲିଲି; କିନ୍ତୁ କପିଳିକୁନ୍ଥା କିଶୋରୀ ମାହାନ୍ତି ଟିକିଏ ଓଟାରି ହେଲାରୁ ବାବାଜି ତାକୁ ସଜୋରେ ଝିଙ୍କି ଟାଣିନେଲେ । ତା’ ପାଞ୍ଚଟାଯାକ ଆଙ୍ଗୁଠି ଟକଟକ ହୋଇ ଫୁଟିଗଲେ । ସେ ଉଃ ଆଃ ହୋଇ ବାବାଜି ସାଙ୍ଗେ ଓଟାରି ହୋଇଗଲା । ଆମ ପଛେ ପଛେ ସେଇ ନୀତିବାଗୀଶ ଧନାଢ଼୍ୟ ଭଦ୍ରବ୍ୟକ୍ତି ସମେତ ଆଉ ଦୁଇ ଚାରିଜଣ ଭଦ୍ର ଦେଖଣାହାରି ଅଶ୍ଳୀଳ ଦୃଶ୍ୟ ଦେଖିବା ଲୋଭରେ ମଧ୍ୟ ଚାଲିଲେ ଏବଂ ବାବାଜିଙ୍କର ଅନୁଗତ ତ୍ରିନାଥମେଳାକାରୀ ଶିଷ୍ୟମାନେ ମଧ୍ୟ ଚାଲିଲେ; କିନ୍ତୁ ବେଶୀ ବାଟ ନୁହ । ସେହି ଝଲମଲ ଆଲୁଅ ଓ ଭଦ୍ର କୋଠାବାଡ଼ି, ଦୋକାନ ବଜାରଠାରୁ ମାତ୍ର ଶହେ ଗଜ ଯାଇଛୁ କି ନାହିଁ–ବାବାଜି ଆମକୁ ଆଗକୁ ପେଲି ଦେଇ କହିଲେ–ଦେଖ ବାବୁ ଦେଖ–ଜ୍ଞାନ ଚକ୍ଷୁ ମେଲେଇ ଦେଖ–ଛୋକାର କଥା ଦେଖ–ଦେଖ ତୁମର ଲଙ୍ଗଳା ରୂପ–ଦେଖ ।

 

ଆମ ଆଗରେ ଅନ୍ଧାର । ନରକର ଅନ୍ଧାର । ସେଠି ନର୍ଦ୍ଦମାର ଦୁର୍ଗନ୍ଧ ଧାରା–ମିଞ୍ଜି ମିଞ୍ଜି ଡିବି ଆଲୁଅ–ସାଲୁସାଲୁ କଳା କଳା ପୋକ–ଭୂତମାନେ–ଚିରଗୁଣୀମାନେ–ଖାଲି କିଚିରି ମିଚିରି–ଲଙ୍ଗଳା ରୋଗିଣା ପିଲାଙ୍କ କାନ୍ଦଣା–ଅର୍କ୍ଷିତ ମାଈକିନାମାନଙ୍କ କଣ୍ଠର ଆର୍ତ୍ତ ଚିତ୍କାର–ରୋଗିଣା କୁକୁରଛୁଆଙ୍କ କୁଁ କୁଁ–ମଦୁଆ ରୋଗିଣା ଶ୍ରମିକ ଓ ରିକ୍ସାବାଲାମାନଙ୍କର ପାଶବିକ ପ୍ରଳାପ–ବାଡ଼ିଆପିଟା–ଓ ତା’ ଭିତରେ ପୁଣି ପଚା ମାଂସଲୋଭୀ କେତେ ଭଦ୍ର ଶାଗୁଣାଙ୍କର ଡେଣା ଫଟଫଟ......

 

ବାବାଜି ବିତ୍କାର କରି କହିଲେ–ଦେଖୁଛ ବାବୁ, ଦେଖୁଛ ? ଜାଳୁଥା ସେପଟେ ଭଦ୍ର ଆଲୁଅ–ଗଢ଼ୁଥା ସେପଟେ ଭଦ୍ର କୋଠାବାଡ଼ି–ଝାଡ଼ୁଥା ସେପଟେ ଭଦ୍ର ବକ୍ତୃତା ବଚନିକାମାଳା । ଖୋଲୁଥା ସେପଟେ ଭଦ୍ର ଦୋକାନ ବଜାର–ବୋଲୁଥା ସେପଟେ ଯେତେ ବେଦବେଦାନ୍ତ, ତା’ଠୁଁ ଶହେ ଗଜ ଦୂରରେ ଏ ଅଶ୍ଳୀଳତା, ଏ ଛୋକାରିଆ କଥା କେମିତି ତିଷ୍ଠି ରହିଛି ? ତୁମ୍ଭମାନଙ୍କ ଆଖି କ’ଣ ଫୁଟିଯାଇଛି ? କାନ କ’ଣ ତାବଦା ହୋଇଯାଇଛି ? ତୁମର ସେଠି ସଙ୍ଗୀତ ରଖି କଜିଆକୁ ବିଦାକରିଛ ଏଠିକି । ସେଠି ଗଙ୍ଗା ବୁହାଇ ନର୍ଦ୍ଦମାକୁ ଛାଡ଼ିଛ ଏଇଆଡ଼ିକି । ତୁମ ସମାଜର ରୋଷଘର ସେଠି–ଆଉ ପାଇଖାନା ଏଠି । ସେଣେ ତୁମ ସମାଜର ଅଣ୍ଟାଠାରୁ ଉପରକୁ ଭଦ୍ର ପୋଷାକରେ ଘୋଡ଼େଇ ରଖିଛ–ତୁମର ଅଣ୍ଟାତଳ ଆସି ଏଠି–ଦେଖିଲଣି ତାକୁ ? ଘା–ଘା–ପଚା–ଘା–କଟା ଘା–ପୋଡ଼ା ଘା–। ମଲମ ଅଛି ବାବୁ ? ଜାଣିଛ କିଛି ଇଲମ ୟପାଇଁ ? ଲଗାଅ ଏଠି ଜଲଦି, ଯଦି ସତକୁସତ ଭଦ୍ର ହୋଇଥାଅ–ଭଦ୍ରତା ବଞ୍ଚିରହୁ ବୋଲି ବାଞ୍ଛା କରୁଥାଅ । ଘରେ ଘରେ ପୁଣି ସେଠି ଭଦ୍ର ମଲାଟ ଭିତରେ ଛୋକାର କଥା ଲେଖି ବହି ଛପାଇ ବିକି ପଇସା କମାଉଛ–କାନ୍ଥମାନଙ୍କରେ ପାଚେରିମାନଙ୍କରେ ଲଙ୍ଗଳା ମାଈକିନା, ଲଙ୍ଗଳା ଅଣ୍ଡିରାଙ୍କ ଛୋକାର ଛବି ଭଦ୍ର ରଙ୍ଗରେ ରଙ୍ଗେଇ ରଞ୍ଜେଇ ମାରି ପଇସା କମାଉଛ– । ଏମାନଙ୍କଠାରୁ ସବୁ ଭଦ୍ରତାତକ ତୁମେମାନେ ଶୋଷିନେଇ ନିଜେ ଭଦ୍ର ହୋଇ ବସିଛ । ହଇଓ ବାବୁମାନେ ? ତୁମେମାନେ ସମସ୍ତେ ଛୋକାର ନ ହୋଇଥିଲେ ଏଠି ଏ ଛୋକାର ଜାଗା ଥାନ୍ତା....ତେମେ ସମସ୍ତେ ଧୋବଧାଉଳିଆ ଛୋକାରଙ୍କ ପୁଅ–ଛୋକାରଙ୍କ ବାପ । ତମ ଦୋକାନୀ, ମାଷ୍ଟର, ହାକିମ, ନେତା ତହୁଁ ବଳି ତହୁଁ ବଳି ଛୋକାର । ଯାଅ ଯାଅ ।

 

ମୁଁ ଏସବୁ ଦେଖି ଓ ଏସବୁ କାଳିସୀ କଥା ଶୁଣି ଭୟରେ ଥରୁଥିଲି । କିଶୋରୀ ମହାନ୍ତି ଛାତି କିନ୍ତୁ ଭାରି ଟାଣ । ସେ ସେମିତି ଚିଡ଼ିଳିଆଭାବେ କହିଲା–ଆମେ କ’ଣ ଏସବୁ ଦେଖିନୁ ? ଏସବୁ ଜାଣିନୁ ? ତେମେ ଆମକୁ ଏସବୁ କ’ଣ ଦେଖାଉଛ ? ଏସବୁ କୁତ୍ସିତ (୭୧)ସ୍ଳମ୍ ଆମେ ସବୁଦିନେ ଦେଖିଛୁ ।

ବାବାଜି କହିଲେ–ଦେଖିନ ବାବୁ ! ଏଣିକି ଦେଖିବ । ତା’ ବେଳା ପହୁଞ୍ଚିଗଲାଣି । ବାରହାତ ଖଣ୍ଡା ବାହାରିବ । ବଉଳା କିମ୍ଭୀର ମାଡ଼ିଆସିବ–ଲିଙ୍ଗରାଜଙ୍କ ନନ୍ଦୀଷଣ୍ଢ ଧଡ଼ପଡ଼ ହୋଇ ଉଠି ଶିଙ୍ଘ ଆଉ ଖୁରାରେ ଖାଲି ଖୁରି ଖାଇ ଏମୁଣ୍ଡୁ ସେମୁଣ୍ଡ ଧ୍ଵଂସିବ । ଚଉଷଠି ଯୋଗ୍ନୀ କିଳିକିଳା ନାଦ କରି ଭଦ୍ରଲୋକଙ୍କ ଘରେ ଘରେ ପଶିବେ । ନିଜେ ଚଣ୍ଡିକା ମହାକାଳୀ ଜିଭ ଲହଲହ କରି ଅଥିର ହୋଇ ନାଚିଲାଣି । ଗୋଟି ଗୋଟି କରି ଆଗ ତୁମ ଭଦ୍ରଲୋକଙ୍କୁ ଖପରରେ ଛେଦି ତୁମ ଶୋଣିତ ପିଇବ ହେ ରହିଥାଅ । ସମଳା ପଡ଼ିବନି ଏ ପୃଥ୍ୱୀ । ଏ ମହୀ ଦୁଲୁକିବ । ଜୁମର ଡାକୁଛି ।

“କଲିକତାରେ ଯେଉଁ କାଳୀ

ସେହି ଯେ ଦେବ ସିଂହରଡ଼ି ।

ସେ ରଡ଼ି ଚମତ୍କାର ହେବ

ଚତୁର୍ଦ୍ଦିଗକୁ ସେ ଶୁଭିବ ।”

ଅନୁଗତ ଭକ୍ତଟିଏ ହାତଯୋଡ଼ି ପଚାରିଲା–ଏଥିରୁ ଆଉ ଉଦ୍ଧାର ନାହିଁ ମହାପ୍ରୁ ?

ଅଛି–ଅଛି । ତ୍ରିନାଥମେଳା କର–କହୁଛି–ବେଳ ଥାଉଁଥାଉଁ ତ୍ରିନାଥମେଳା କର । ଭୋଗ ଲଗାଅ ନିଜ ପାଖରେ–ଆଉ ପର ପାଖରେ ଆଉ ଭଗବାନଙ୍କ ପାଖରେ । ସମାନଭାବେ ଭୋଗ ଲଗାଅରେ–କାହାପ୍ରତି ପାତରଅନ୍ତର କରନାହିଁ । କମ୍ ବେଶୀ କରନାହିଁ । ମହାମାୟା ଆଦିମାତା ଦୁର୍ଗା ଦୁର୍ଗତିନାଶିନୀ ତା’ ଶକ୍ତି ଦେଇପଠାଇଲାଣି ଜଣକୁ....ଏ ଜମ୍ୱୁଦ୍ଵୀପରେ ।

“ମାୟା ସୁରଭି ରୂପ ହୋଇ

ସବତ୍ସା ଭ୍ରମଣ କରଇ ।

ସେ ଗାଈ ମୁଖେ ଦେଇ ତୃଣ

ରଖ ତା’ ବତ୍ସାର ଜୀବନ ।

ତେବେ ଝରିବ ସୁଧା-କ୍ଷୀର

ତିନିହେଁ ମିଶି ପାନ କର ।”

 

ଆରେ, ତିନିହେଁ କିଏ ବୁଝିଲଟିରେ ? ଏକ ଅର୍ଥରେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର–ଦୁଇରେ ବୁଝିଲେ ଗୁରୁ, କୃଷ୍ଣ, ବୈଷ୍ଣବ–ନହେଲେ ଜୀବ, ପରମ, ବ୍ରହ୍ମ–ଆଉ ଛୋକାରିଆ ମୋଟା ଅର୍ଥରେ ବୁଝିଲେବି ସେଇ ଏକା କଥା–ମୁଁ, ତୁ ଆଉ ସେ–ଅର୍ଥାତ୍ ତୁ ଖା–ତାକୁ ଦେ । ଦୁହେଁ ମିଶି ଫେର୍ ତାକୁ ଦେ–ତାକୁ କିଏ ? କର୍ତ୍ତାରେ ଅନାଦି କର୍ତ୍ତା । ତିନିହେଁ ଧରାଧରି–କାହାକୁ ଛାଡ଼ନା–ସମାନ କରି ଧରିଥା । ବୁଝିଲ ବାବୁ ! ଦଳେଇ ବୁଝିଲ ତ ? ଜଗିଥାଅ ସେ ଗାଈକି–ସେ ବାଛୁରୀକି, ଆମେ ଚାଲିଲୁରେ ବାବା–ଚାଲିଲୁ ।

 

ବାବାଜି ସେଇ ନାରକୀୟ ଅନ୍ଧାର ଭିତରକୁ ପଶିଗଲେ ଅମୁହାଁମୁହାଁ–ସତେକି ଗଙ୍ଗାଭିତରକୁ ପଶି ବୁଡ଼ିଗଲେ । ଏହି ସମୟରେ ଆମ ମେଳରୁ ତାଙ୍କର ଅନୁଗତ ଶିଷ୍ୟଟିଏ ବିଭୋଳ ହୋଇ ଅତର୍ଚ୍ଛ ଆତଙ୍କରେ ଡାକ ଛାଡ଼ିଲା–

 

ଆରେ ! ମନମତ୍ତ ଦୁହାଁଳ ଗାଈ ।

 

ଯଦି ଗାଈ ପଳାଇବ–ଗାଈ ପଳାଇବ–

 

ଗାଈ ପଳାଇବ ପଘା ଛିଣ୍ଡାଇ ।

 

ମନମତ୍ତ ଦୁହାଁଳ ଗାଈ ।

 

ସେହି ନାରକୀୟ ଅନ୍ଧାର ଭିତରୁ କିଏ ପୁଣି ପାଟି କରି ତିନିଟା କୁହାଟ ମାରି ଡାକିଲାଗିଲା–

 

ଆଲୋ ନେତୀ ! ଆ-ଆ-ଆ !

 

ଆଲୋ କଇଁ ! ଆ-ଆ-ଆ !

 

ଆଲୋ ପାଟ ! ଆ-ଆ-ଆ !

 

ସେଇ କୁହାଟ ଥିଲା ଖୁବ୍ ଗମ୍ଭୀର–ଆଶାଦ୍ୟୋତକ, ଆସ୍ଥା ଓ ବିଶ୍ଵାସପୂର୍ଣ୍ଣ–ସତର୍କ ଓ ସଚେତନ–ପୁଣି ଖୁବ୍ ପବିତ୍ର–ବେଦର ଓଁକାର ଭଳି ।

Image

 

ହୃଦକୋଲପ

ଶାନ୍ତନୁ କୁମାର ଆଚାର୍ଯ୍ୟ

 

ତମ୍ବା, ତିଳ, ଘୃତ, ଅନଳ, ଶ୍ରୁବଶ୍ରୁତ ପ୍ରଭୃତି ସେଇ ସବୁ ସାମଗ୍ରୀ ମୋପାଇଁ ନିରର୍ଥକ ଥିଲା ସେହିପରି, ଯେଉଁପରି ମୋ ବଂଶର ବେଦ–ଯାହାର ନାମ ମଧ୍ୟ ଏବେ ମୋର ଅଜଣା । ଗୁଡ଼ିଏ ପୁରୁଣା, କଳଙ୍କିଧରା କୁଞ୍ଚିଲେନ୍ଥାରେ ଗୁନ୍ଥା ହୋଇଥିବା କୁଞ୍ଚିର ଦନ୍ଥଡ଼ା ଦାନ୍ତିକୁ ବେଳେବେଳେ ଅନାଇଲେ ସେଥିରୁ କେତେଗୁଡ଼ିଏ ଚିହ୍ନାମଣିଷଙ୍କ ମୁହଁ ହୁଏତ ମୋର ସ୍ମୃତିକୁ କୁଞ୍ଚିକାଠିଗୁଡ଼ିକଠୁଁବି ଆହୁରି ଅମୁହାଁ ଥିଲା,–ଆମମାନଙ୍କର ନିବୁଜ ହୃଦ କୋଲପ ଆଗରେ । ସୁତରାଂ ଦକ୍ଷିଣପୂର୍ବ ରେଳପଥର ତିନି ନମ୍ବର ଅପ୍ ମାନ୍ଦ୍ରାଜ ମେଲ୍‍ର ପ୍ରଥମ ଶ୍ରେଣୀ କମ୍ପାଟ୍‍ମେଣ୍ଟର କବାଟସନ୍ଧିରେ ସେଲ ଚିତାଚୈତନକଟା ନାମାବଳି ପରିହିତ ଓ ହାତରେ ଆଦି-ଶଙ୍କରାଚାର୍ଯ୍ୟଙ୍କ ଦଣ୍ଡପରି ଖଣ୍ଡେ ବାଡ଼ି ବା ଅନ୍ୟ କିଛି ଧରି ଆଖି ମିଟିମିଟି କରୁଥିବା ମୁହଁଟିକୁ ଦେଖିଲାମାତ୍ରେ ମୁଁ ଚଟାପଟ ଆଖି ବୁଲେଇ ଆଣିଲି–ମୋ କୋଳ ଉପରେ ପଡ଼ିଥିବା ଖବରକାଗଜ ଉପରକୁ ଓ ଦେଶର ରାଜଧାନୀ ଦିଲ୍ଲୀଠାରେ ଯେଉଁ ଅଭୂତପୂର୍ବ ଘଟଣା ସର୍ବଭାରତୀୟ ମନକୁ ସେତେବେଳେ ଆଚ୍ଛନ୍ନ କରି ରଖିଥିଲା ଓ ଯାହାକୁ ଲୋକେ ‘ଇନ୍ଦିରା-ନିଜଲିଙ୍ଗାପ୍‍ପା ମହାଯୁଦ୍ଧ’ ବୋଲି ନାମିତ କରିଥିଲେ, ସେଇ ମହାଯୁଦ୍ଧର ସାମ୍ବାଦିକ ବର୍ଣ୍ଣନାପୂର୍ଣ୍ଣ କାଗଜଟିଦ୍ଵାରା ମୋ ମୁହଁକୁ ପୁଣି ଘୋଡ଼ାଇଦେଲି ।

 

ଜଣେ ଉତ୍ତର ଭାରତୀୟଭାବେ ମୋର ଦାକ୍ଷିଣାତ୍ୟ ଯାତ୍ରା ସେ ଥର ପ୍ରଥମ ବା ଦ୍ଵିତୀୟ ନଥିଲା । ପୂର୍ବରୁ କେତେ ଥର ମୁଁ ସେ ଦିଗକୁ ଯାତ୍ରା କରିଛି; କିନ୍ତୁ କୌଣସି ଥର ଦକ୍ଷିଣ ପ୍ରତି ଉତ୍ତର ଭାରତୀୟର ଏତେଗୁଡ଼ାଏ ବିତୃଷ୍ଣା ମୋ ମନକୁ ଆକ୍ରାନ୍ତ କରି ନଥିଲା; ଯେମିତି ଏଥର । ଏଥିପାଇଁ ଅବଶ୍ୟ ଇନ୍ଦିରା–ନିଜଲିଙ୍ଗାପ୍‌ପା ବାଦ-ବିସମ୍ବାଦକୁ ମୁଁ ପୂରା ଦୋଷ ଦେଉ ନଥିଲି । କାରଣ ଏହି ସମ୍ବାଦପତ୍ରଟି ମୁଁ ହାତରେ ପାଇବା ପୂର୍ବରୁ ମୋର ଦାକ୍ଷିଣାତ୍ୟ ରେଳଯାତ୍ରାର ଅଧିକ ବିରକ୍ତିକର ଅନୁଭୂତିକୁ ମୋ ମନ ଗ୍ରହଣ କରିସାରିଥିଲା । ତେଣୁ ଇନ୍ଦିରା-ନିଜଲିଙ୍ଗାପ୍‍ପାଙ୍କ ଅପେକ୍ଷା ମୁଁ ମୋ କମ୍ପାଟ୍‍ମେଣ୍ଟର ଅନ୍ୟ ଜଣେ ସହଯାତ୍ରୀଙ୍କୁ ନିର୍ଦ୍ଦିଷ୍ଟଭାବେ ଦାୟୀ କରିସାରିଥିଲି–ଯାହାଙ୍କ ଉପସ୍ଥିତି ମତେ ପ୍ରତ୍ୟକ୍ଷଭାବେ ଉତ୍ତେଜିତ କରି ରଖିଥିଲା ।

 

ମୋ ଆଖିଆଗ ବର୍ଥଟିକୁ ସେଇ ଭଦ୍ରଲୋକ ପୂରାପୂରି ଅଧିକାର କରି ବସିଥାନ୍ତି । ତାଙ୍କର ପୃଥୁଳ ଆକାରର ସ୍ଥୂଳତା ଅପେକ୍ଷା ମୁଁ ତାଙ୍କର ସୂକ୍ଷ୍ମ ଶରୀରର ତୀକ୍ଷ୍ଣତାଦ୍ଵାରା ସେତେବେଳକୁ ପୂରାପୂରି ସିଇଁ ହୋଇସାରିଥାଏ । ଭଦ୍ରଲୋକଙ୍କ ସହିତ ମୋର ପ୍ରଥମ ବଳ ପରଖାପରଖି ହୋଇଗଲା ଆମ ମଧ୍ୟାହ୍ନ ଭୋଜନର ‘ମେନୁ’ ଉପରେ । ଖାନା ଅଡ଼ର୍ ନେବାକୁ ଆସିଥିବା ରେଲୱେ କର୍ମଚାରୀ ଆମ ବଗିର ଯାତ୍ରୀଙ୍କର ମଧ୍ୟାହ୍ନ-ଭୋଜନ ସମ୍ପର୍କରେ ଗୋଟିଏ ତାଲିକା ପ୍ରସ୍ତୁତ କରିବାପାଇଁ ଯେତେବେଳେ ମୋ ପାଖରେ ପହଞ୍ଚିଥିଲେ, ସେତେବେଳେ ସ୍ଵତଃ ମୋ ପାଟିରୁ ବାହାରିଥିଲା “ନନ୍‍ଭେଜିଟେରିଆନ୍ ମଟନ୍ ବା ଚିକେନ୍ ଆଉ ପ୍ରଚୁର କଟା ପିଆଜ ସାଲାଡ଼୍... ।” କିନ୍ତୁ ମୋ ପାଟିରୁ କଥା ନ ସରୁଣୁ ମୋ ସାମନା ସିଟ୍‍ରୁ ଶୁଣିବାକୁ ମିଳିଲା–

 

ପୂରାପୂରି ଭେଜିଟେରିଆନ୍–ଖବରଦାର୍ ! ପିଆଜ ଦୁର୍ଗନ୍ଧ ମୋ ଦେହରେ ଯାଏଁ ନାହିଁ । ସେତିକିବେଳେ ମୁଁ ସେଇ ଭଦ୍ରଲୋକଙ୍କୁ ଯାହା ଥରେ ନିକଟରୁ ଦେଖିଥିଲି । ତା’ପରଠୁ ମୁଁ ଓ ସେ ପରସ୍ପରର ବହୁଦୂରକୁ ଚାଲିଗଲୁ ଓ ସେଇଠୁ ଜଣେ ଅପରକୁ ଖତେଇହେବା ଆରମ୍ଭ କରି ଦେଇଥିଲୁ । ଏହିପରି ବହୁଦୂର ଓ ନିରାପଦ ସ୍ଥାନରେ ଥାଇ ମୁଁ ତାଙ୍କୁ ନିରୀକ୍ଷଣ କରି ଯାହା ତାଙ୍କ ସମ୍ପର୍କରେ ବୁଝିଥିଲି, ତାହା ହେଉଛି ସେ ନିଶ୍ଚୟ ଜଣେ ଖାଣ୍ଟି ଦକ୍ଷିଣୀ ଲୋକ । କିନ୍ତୁ ତାଙ୍କ ବେଶପୋଷାକରୁ ସେମିତି କିଛି ଖାଣ୍ଟି କଥା ଦେଖାଯାଉ ନଥିଲା । ମୋର ପୋଷାକ ଓ ତାଙ୍କର ପୋଷାକ ପ୍ରାୟ ସମାନ ଥିଲା । ମୋ ପରି ସେ ବି ସାହେବୀ ପେଣ୍ଟ୍-କୋଟ୍-ଟାଇ ପିନ୍ଧିଥିଲେ ଏବଂ ତାଙ୍କ ହାବଭାବରୁ ମୁଁ ଯାହା ଠଉରେଇଥିଲି, ମୋ ପରି ସେ ବି ଜଣେ ସରକାରୀ କର୍ମଚାରୀ, ହୁଏତ ଅଧିକ ଶକ୍ତିଶାଳୀ କୌଣସି ସର୍ବଭାରତୀୟ କର୍ମଚାରୀବି ହୋଇଥାଇ ପାରନ୍ତି । କିନ୍ତୁ ସାମଗ୍ରିକଭାବେ ବାହ୍ୟ ସାମଞ୍ଜସ୍ୟ ସତ୍ତ୍ୱେ ଆମ ଭିତରେ ଏତେ ଅସାମଞ୍ଜସ୍ୟ ରହିଥିଲା ଯେ, ଆମର ଦୀର୍ଘକାଳର ରେଳଯାତ୍ରା ସତ୍ତ୍ୱେ କେବଳ ଥରଟିଏ ଛଡ଼ା ଦ୍ଵିତୀୟ ଥରପାଇଁ ଏକାଠି ମିଶିବାକୁ ଆମେ ଆମ ଆଖିର ପୁଅମାନଙ୍କୁ ଏକାଠି ଛାଡ଼ି ଦେଇ ନଥିଲୁ ।

 

ଏହାରି ଭିତରେ ଆମ କମ୍ପାଟ୍‍ମେଣ୍ଟର କବାଟସନ୍ଧିରୁ ସେଇ ଆଦି ଶଙ୍କରାଚାର୍ଯ୍ୟରୂପୀ ମୁହଁଟି ଦିଶିଲା । ମୁଁ ଖବରକାଗଜରେ ମୁହଁ ଘୋଡ଼େଇ ହେଇ ବସିଥାଏ । କିନ୍ତୁ ଲୋକଟିର ଚେହେରାରୁ ଶଙ୍କରାଚାର୍ଯ୍ୟ ଭାବ ମତେ ଛୁଇଁଥିଲେ ସୁଦ୍ଧା ମୁଁ ତା’ ସମ୍ପର୍କରେ ଆହୁରି କଥାଏ ବୁଝିଥିଲି । ଦକ୍ଷିଣର ଏହି ଶଙ୍କରରୂପୀ ଲୋକଗୁଡ଼ିକ ପ୍ରକୃତରେ ଜଣେ ଜଣେ ବୁଲା ଜ୍ୟୋତିଷ । ଦକ୍ଷିଣର ଶଙ୍କର ବା ବୁଲା ଜ୍ୟୋତିଷ କେହି ମୋ ଧାତୁକୁ ସ୍ପର୍ଶ କରିପାରନ୍ତି ନାହିଁ । ସ୍ଵଭାବତଃ ମୁଁ ମାୟାକୁ ପସନ୍ଦ କରେ–ବ୍ରହ୍ମକୁ ନୁହେଁ; ମ୍ୟାଜିକ୍‌ବାଲାକୁ ପସନ୍ଦ କରେ–ଜ୍ୟୋତିଷକୁ ନୁହେଁ । ତେଣୁ ଦରୱାଜା ଫାଙ୍କଟିକୁ ଆଗନ୍ତୁକର ପୂରା ଶରୀର ପ୍ରବେଶପାଇଁ ନିଜହାତରେ ଖୋଲିଦେବା ପୂର୍ବରୁ ମୋ ସାମନା ସିଟ୍ ଭଦ୍ରଲୋକଙ୍କ ଆନନ୍ଦସୂଚକ କୁହାଟରେ ମୋ ନିଜ ଦିହ ବିସିରିପିଗଲା । ସେମିତି ବିସିରିପି ଥିବା ଦେହ ଘେନି ମୁଁ ଆହୁରି କେତେବେଳ ବୁଡ଼ିରହିଲି ଖବରକାଗଜ ଭିତରେ । କିନ୍ତୁ ହଠାତ୍ ମୋ ହାତପାପୁଲିର ପଛପଟ ଚମ ଉପରେ ଆଉ ଗୋଟିଏ ହାତର ପ୍ରତ୍ୟକ୍ଷ ସ୍ପର୍ଶ ପାଇବାମାତ୍ରେ ମୋ ଦେହର ବାକିତକ ଚମ ସଙ୍କୁଚିଗଲା ।

 

“ଆପ୍ ଉତ୍ତର୍ ସେ ଆୟେ ହେଁ–ନା ?”

 

ମୁଁ ତା’ର ଚେହେରା ଓ ବୃତ୍ତି ବ୍ୟତୀତ ତା’ର ଚର୍ମର ସ୍ପର୍ଶକୁ ହଠାତ୍ ଏତେ ଘୃଣା କଲି ଯେ, ତା’ଠାରୁ ସମ୍ପୂର୍ଣ୍ଣ ଦୂରକୁ ଚାଲିଯିବା ପରିବର୍ତ୍ତେ ତା’ ଗାଲରେ ଗୋଟିଏ ଚାପୁଡ଼ା ମାରିବାକୁ ଇଚ୍ଛା କଲି । କିନ୍ତୁ ମୋର ଧର୍ମଚେତନା ଅପେକ୍ଷା ମୋର ରାଜନୀତି ଚେତନା ମତେ ତଥାପି ଘାରିଥିଲା ଓ ମୁଁ ସ୍ପଷ୍ଟ ମନେ ରଖିଥିଲି ଯେ, ଆମ ଗାଡ଼ି ସେତେବେଳକୁ ମୋର ପରିଚିତ ସହରଠାରୁ ବହୁଦୂର ପଥ ଅତିକ୍ରମ କରି ସାରିଥିଲା । ରେଲୱେ ଟାଇମ୍ ଟେବଲ୍‍ରୁ ଓ ମୋର ସ୍ଥାନ-କାଳ-ପାତ୍ର ଜ୍ଞାନରୁ ମୁଁ ମୋର ଅବସ୍ଥିତିକୁ ମଧ୍ୟ ନିର୍ଣ୍ଣୟ କରି ସାରିଥିଲି । ଆମ ଗାଡ଼ି ସେତେବେଳକୁ ଆନ୍ଧ୍ରପ୍ରଦେଶର ଗୋଦାବରୀ ପାଖାପାଖି ଧରିଯାଇଥିଲା । ଜ୍ୟୋତିଷଟି ନିଶ୍ଚୟ ସ୍ଥାନୀୟ ହୋଇଥିବ । ଏଣୁ ମୁଁ ମୋର ଉଦ୍ୟତ ହାତକୁ ସଂଯତ କରିନେଇ ସ୍ଥିରହୋଇ ପୂର୍ବଭଳି ବସି ରହିଲି ।

 

ମୋତେ ନିରୁତ୍ତର ରହିବା ଦେଖି ଲୋକଟି ଟିକିଏ ସନ୍ଦେହରେ ପଡ଼ିଲା । କିନ୍ତୁ ତୁଣ୍ଡର ଭାଷାକୁ ଚଟାପଟ ବଦଳେଇଦେଲା ସେ । ହିନ୍ଦୁସ୍ଥାନୀ ପରିବର୍ତ୍ତେ ସେ ଇଂରେଜୀ ଭାଷା ବ୍ୟବହାର କରିବା ଶୁଣିପାରି ମୁଁ ଯଥାରୀତି ଆଶ୍ଚର୍ଯ୍ୟ ହେଲି । ଲୋକଟି ଶିକ୍ଷିତ ବୋଲି ସ୍ଵାଭାବିକଭାବେ ଭାବିନେବା ପରେ ମୁଁ ଟିକିଏ ଥଣ୍ଡା ହେଲି ଓ ଖବରକାଗଜ ଆଢ଼ୁଆଳରେ ତା’ ମୁହଁକୁ ଅନେଇଲି ।

 

ଏତିକିବେଳେ ଆମ ଗାଡ଼ିର ଗଡ଼ନ୍ତି ଚକମାନଙ୍କର ଶବ୍ଦରେ ଗୋଟିଏ ପରିବର୍ତ୍ତନ ହେଲା । ନଈପୋଲ ଉପରେ ରେଳଗାଡ଼ି ଚକ ଗଡ଼ିଲାବେଳେ ଯୋଉ ପ୍ରକାର ଧ୍ୱନି ଶୁଣାଯାଏ, ସେହି ଧ୍ୱନି ଆରମ୍ଭ ହୋଇଗଲା । ଆମ ଗାଡ଼ି ଗଡ଼ିଲା ଗୋଦାବରୀ ପୋଲ ଉପରେ ।

 

ଲୋକଟାର ମୁହଁ ଉପରୁ ଚଟ୍‍କରି ଆଖି ବୁଲେଇ ନେଇ ମୁଁ ବାହାରକୁ ଅନେଇଲି ।

 

ଭାରତର ମଣିଷମାନଙ୍କ ମୁହଁ ଅପେକ୍ଷା ଭାରତର ନଦୀମାନଙ୍କ ମୁହଁ ମୋର ବେଶୀ ଚିହ୍ନା । ମୋ ମନର ବଳକା ଉତ୍ତାପକୁ ଶୀତଳ କରିଦେବା ଉଦ୍ଦେଶ୍ୟରେ ମୁଁ ଆହୁରି ଝୁଙ୍କିପଡ଼ିଲି ଗୋଦାବରୀ ନଈ ଆଡ଼କୁ । ଝରକା ବାହାରକୁ ମୋ ବେକ ଝୁଙ୍କିଗଲା । ଏତେବେଳେ ବେକର ମାଂସପେଶୀ ଟାଣି ହୋଇଯିବା ସ୍ଵାଭାବିକ । ହଠାତ୍ ଏହି ଟଣକି ରହିଥିବା ବେକ ମାଂସପେଶୀ ଉପରେ ତା’ ଆଙ୍ଗୁଳିର ଚମ ଦ୍ଵିତୀୟ ଥରପାଇଁ ବିଜୁଳି ସକ୍ ଦେଲା ମତେ ।

 

ଝରକା ବାହାରୁ ସାପପରି ଚିହିଁକି ଆସିଲା ମୋ ବେକ ।

 

“ଖବରଦାର”–ମୁଁ ତା’ ଆଡ଼କୁ କଟମଟ୍ କରି ଚାହିଁଲି ।

 

“ୟେ ଗୋଦାବରୀ ହୈ”–ସେ ମୋ ଦୃଷ୍ଟିକୁ ବେଖାତିର କରି ହସି ହସିକା କହିଲା ।

 

“ମତେ ବେଶ୍ ଜଣା”–ମୁଁ ଆହୁରି ରୂଢ଼ ସ୍ଵରରେ ଜବାବ ଦେଲି ଓ ସେ ମତେ ଦକ୍ଷିଣ ଭାରତର ଭୂଗୋଳ ବିଷୟରେ ଅଜ୍ଞ ଭାବୁଥାଇପାରେ ଏଇଆ ଆଶଙ୍କା କଲାପରେ ପୁଣି କହିଲି, “ୟାପରେ ଆସିବ କୃଷ୍ଣା, କାବେରୀ–’’

 

ମୋର ଭୂଗୋଳଜ୍ଞାନ ତାକୁ ହୁଏତ ପ୍ରଭାବିତ କଲା । ତା’ର ହସ ଟିକିଏ ପଡ଼ିଗଲା ଓ ସେ ଗମ୍ଭୀର ହୋଇଗଲା । କିନ୍ତୁ ଟିକିଏ ପରେ ପୁଣି ସେମିତି ହସିଲା, ଆଉ ସତେକି ମୋର କୌଣସି ଭୁଲ ସେ ତଥାପି ଲକ୍ଷ୍ୟ କରିଥିଲା । ସେମିତି ମୁଣ୍ଡ ହଲେଇ ହଲେଇ କହିଲା, “ନର୍ମଦେ–ସିନ୍ଧୁକାବେରୀ ।”

 

ଭାରତର ନଦୀମାନଙ୍କ ନାମକୁ ଏକାଠି କରି ସଂସ୍କୃତରେ ଗୋଟିଏ ଶ୍ଳୋକ ଥିବା କଥା ଓ ବିବାହ ଶ୍ରାଦ୍ଧ ପ୍ରଭୃତି ଶୁଭାନୁଷ୍ଠାନମାନଙ୍କରେ ଏହି ନଦୀ ନାମାବଳି ଆବୃତ୍ତି ହେବା ମୁଁ ଶୁଣିଥିଲି । ତାହା ବୋଧେ ଏହିପରି–ଗଙ୍ଗାଶ୍ଚ ଗୋଦାବରୀଶ୍ଚ.....ନର୍ମଦେ–ସିନ୍ଧୁ-କାବେରୀ ।

 

ମୁଁ ତା’ କଣ୍ଠସ୍ଵରରୁ ମୋ ଭିତରେ ବୁଡ଼ିରହିଥିବା ସଂସ୍କୃତ ଶ୍ଳୋକର ଛନ୍ଦଟିକୁ ପାଇପାରିଲି । ସେହି ଛନ୍ଦରେ ମୋତେ ତା’ ସହିତ ଛନ୍ଦିଦେବ ବୋଲି ସେ ହୁଏତ ଭାବିଚିନ୍ତି ତାହାକୁ ପ୍ରୟୋଗ କରିଥିଲା । ତାହା ପ୍ରତି ମୋର ଏହି ମୌଳିକ ସନ୍ଦେହ ହେତୁ ମୁଁ ତା’ଠୁଁ ପୁଣି ଥରେ ନଈଆଡ଼କୁ ମୁହଁ ବୁଲେଇ ନେଲି ଓ ବରଂ ସେଇ ଉଦ୍ଧାର କଲା ଛନ୍ଦରେ ମୁଁ ଗୋଦାବରୀ ନଈ ସାଙ୍ଗରେ ନିଜକୁ ଶାନ୍ତଭାବେ ଛନ୍ଦି ଦେବି ବୋଲି ଭାବିଲି ।

 

ତଳେ ଗୋଦାବରୀ ନଦୀର ଜଳଧାର ଗୋଟିଏ ସାମୁଦ୍ରିକ ସବୁଜ ରଙ୍ଗ ଧରିଥାଏ । ଶରତ୍ ଋତୁର ଉପରଓଳା ଖବର ସୁନାପରି ହଳଦିଆ ରଙ୍ଗ ଓ ଗଭୀର ନଦୀଜଳର କୃଷ୍ଣରଙ୍ଗ ଏକାଠି ଗୋଳିଆପୋଳିଆ ହୋଇ ଏହିପରି ସାମୁଦ୍ରିକ ସବୁଜ ବା ନେଳି ଦିଶୁଥାଏ ।

 

ସେଇ ନେଳି ରଙ୍ଗ ଉପରେ ମୋର ଦୃଷ୍ଟି ଦ୍ଵିତୀୟଥର ପଡ଼ିବାମାତ୍ରେ ଓ ସେଥିରେ ସଂସ୍କୃତ ରଙ୍ଗଟି ମିଶିଥିବା ଦୃଷ୍ଟିରୁ ବୋଧହୁଏ ମୁଁ ନଦୀର ମାୟାରେ ଛନ୍ଦି ହୋଇ ପଡ଼ିଲି । ସେ ମୋର ଏଇ ମାୟାଚ୍ଛନ୍ନ ଦୃଷ୍ଟିକୁ ଲକ୍ଷ୍ୟ କରିଥିଲା । ତା’ର ଶଙ୍କରାଚାର୍ଯ୍ୟପଣିଆ ହୁଏତ ମୋର ଏଇ ମାୟା ବିରୁଦ୍ଧରେ କାମ କରିବାକୁ ଲାଗିଲା । ସ୍ଵରକୁ ଖୁବ୍ ଗମ୍ଭୀର କଲାପରି ସେ ମୋ ମୁଣ୍ଡ ପଛପଟୁ ପୁଣି ମତେ ଆକର୍ଷଣ କଲା–

 

“ଆପ୍ ଗଙ୍ଗାଜୀ ସେ ଆୟେ ହୈ ନା ?”

 

ମୁଁ ଉତ୍ତର ଦେଲି ନାହିଁ ।

 

“କବସେ ଘର୍ ଛୋଡ଼ା–କାଲ ସେ ନା ?”

 

ମୁଁ ନଈ ସହିତ ମାୟାବଦ୍ଧ ହୋଇ ପୂର୍ବପରି ବସିରହିଥାଏ ।

 

“ତୋ ଦେଖିୟେ–ଗଙ୍ଗାଜୀ କୋ ଛୋଡ଼କର ଆୟେଥେ ତୋ ଫିର୍ ମିଲ୍‍ଗୟେ ଓହିଁ ପର-। ଅତୀତ ସେ ଆପ ଆୟେଥେ ନା ? ଫିର୍ ପହୁଁଚ ଗୟେ ୟହାଁ–ଯାହାଁସେ ଆୟେଥେ.... । ଆପ୍ ଗୋଦାବରୀ ମେ ଗଙ୍ଗାଜୀ କୋ ଦେଖ୍‍ତେ ହୈ ନା ?”

 

ମୁଁ ବାସ୍ତବିକ ତାହାହିଁ କରୁଥିଲି । କିନ୍ତୁ ସେ ଯେତେବେଳେ ତା’ର ଅଦ୍ଵୈତରେ ଆହୁରି ପାଦେ ଆଗକୁ ଚାଲିଯାଇ କହିଲା–

 

“ଆପ୍ ଚାହେଙ୍ଗେ ତୋ ମୈ ଆପ୍‍କେ ଲିୟେ ଫିର୍ ଏକ ସମ୍ମିଲନ୍‍କା କୋଶିସ୍ କରୁଙ୍ଗା–ଆପ୍ ପିତୃପୁରୁଷ କୋ ତୋ ଶ୍ରାଦ୍ଧ ଦେତେ ହୈ–ନା ? ଏକ ତମ୍ବିକା ପୈସା ହୋଗା ?”

 

ତା’ର ସେଇ ଶେଷ ବାକ୍ୟଟି ମୋର ନଦୀ ପ୍ରତି ଲାଗିଥିବା ଆକର୍ଷଣକୁ ଝିଙ୍କି ଓଟାରିଦେଲା । ତା’ରିଠୁଁ ଉଦ୍ଧାରକରା ଛନ୍ଦଟିକୁ ନିଜ ହାତରେ ନିଜେ କାଟିସାରିବା ପରେ ମୁଁ ଏଥର ପୂର୍ଣ୍ଣମାତ୍ରାରେ ତା’ ଆଡ଼କୁ ମୁହଁ ବୁଲାଇ ଦେଖିଲି । ତା’ ପ୍ରତି ମୋର ମତାମତ ନିର୍ଦ୍ଦିଷ୍ଟ ହୋଇ ଉଠିଲା । ମୁଁ ତାକୁ ଶୁଣାଇବା ପାଇଁ ପ୍ରସ୍ତୁତ ହୋଇଯାଇ ମନେମନେ କହିଲି–ଓ ! ସେଇ ପଇସା ମାଗିବା କଥାଟା ଏତେବେଳଯାଏ ଲୁଚାଇଲ କାହିଁକି ?...ପଇସା ମଗା ଭିକାରି ! ମୋର ତ ବିଶ୍ଵାସ ଆସିଯାଇଥିଲା ସତେ ଆସିଗଲେ କି ଆଉ ଶଙ୍କର ! ତା’ପରେ ପ୍ରକାଶ୍ୟରେ ମୁଁ କହିଲି, “ମୋର ବିଶ୍ୱାସ ନାଇଁ–ନା...ବିଶ୍ଵାସ ନାଇଁ–ଏ ଦେଶର ମାଟି, ପାଣି, ପବନ, ମଣିଷ–ନା....କାହାରିକୁ ନୁହେଁ-।”

 

ତା’ର ବୃତ୍ତି ଅନୁଯାୟୀ ସେ ହସିଦେଲା । ମୋର ଏ ଅପ୍ରତ୍ୟାଶିତ କ୍ରୋଧକୁ ପୂର୍ବରୁ ସେ ଯେ ଦେଖି ନଥିଲା ତା’ ନୁହେଁ; କିନ୍ତୁ ମତେ ଏକୁଟିଆ ହେଇ ଭାବିବାକୁ ଛାଡ଼ିଦେବାକୁ ସେ ବୋଧହୁଏ ତା’ ବୃତ୍ତିର ଆଉ ଗୋଟିଏ ଦାୟିତ୍ଵ ଜାଣିଥିଲା ।

 

“ତୋ, ଠିକ୍ ହାୟ ? ମୈ ଫିର୍ ମିଲୁଗା–ଯବ୍ ବିଶ୍ଵାସ ୱାପସ୍ ଆୟେଗା–ଆପ୍‌କା ହୃଦ୍ ସଂସାରମେ ।” ସେ ମୌନ ହୋଇଗଲା ।

 

ଏତିକିବେଳେ କୌଣସି କାରଣରୁ ଆମର ଦାକ୍ଷିଣାତ୍ୟଗାମୀ ମେଲ୍ ଗାଡ଼ିର ବେଗ ହଠାତ୍ କମିଆସିବା ଭଳି ଅନୁଭବ କରି ମୁଁ ପୁଣି ନଈଆଡ଼େ ଚାହିଁଲି । ଗାଡ଼ି ସତକୁସତ ଅଟକିବା ପାଇଁ ବ୍ରେକ୍ ଦେଲା । ନଈପୋଲ ତଥାପି ପାରି ହୋଇ ନଥାଏ–ଆମ ଡବାର ଚକଗୁଡ଼ିକ । ଗାଡ଼ି ଚକର ଧ୍ଵନିଯୁକ୍ତ ଘର୍ଘର ଶବ୍ଦ ହଠାତ୍ ନିର୍ଦ୍ଦିଷ୍ଟ ଛନ୍ଦ ହୁଡ଼ି ବିକଳ ଶବ୍ଦ କଲା ପରି କେଁ କେଁ ହେବାକୁ ଲାଗିଲା । କିଛି ସମୟ ପରେ ଗାଡ଼ି ଅଟଳିଗଲା । ଗାଡ଼ି ଅଟକିବାମାତ୍ରେ ସେ ଓହ୍ଲେଇଗଲା ଆମ କମ୍ପାଟ୍‍ମେଣ୍ଟରୁ । ଅଳ୍ପ କବାଟ ଖୋଲି ଆସ୍ତେ ସେ ଝୁଲିପଡ଼ିଲା ବାହାରକୁ । ତା’ପରେ ସେ ଚାଲିଗଲା–ବୋଧହୁଏ ଆମ ଡବା ପଛକୁ ଲାଗିଥିବା ଗୋଟିଏ ତୃତୀୟଶ୍ରେଣୀ ଡବା ଆଡ଼କୁ ।

 

ମୁଁ ତା’ର ଚାପରୁ ରକ୍ଷା ପାଇଗଲି ଭାବି ଗୋଟିଏ ଦୀର୍ଘନିଃଶ୍ଵାସ ନେଲି ଓ ପୁଣି ଥରେ ଫେରିପଡ଼ିଲି ମୋ ହାତର ଖବରକାଗଜ ଆଡ଼କୁ । କିନ୍ତୁ ହଠାତ୍ ସେଇ ଖବରକାଗଜର ପୃଷ୍ଠାର ଇନ୍ଦିରା-ନିଜଲିଙ୍ଗାପ୍‍ପାଙ୍କ ସମ୍ପର୍କରେ ଥିବା ହେଡ଼୍‍ଲାଇନ୍ ଉପରେହିଁ ମୋ ହୃଦୟ ଭିତରୁ ଜାତ ସେଇ ଲୋକଟିର ମୁହଁର ବାକ୍ୟଟି ସତେକି ଲେଖି ହୋଇଗଲା–“ମୈ ଫିର୍ ମିଲୁଗା, ଯବ୍ ବିଶ୍ଵାସ ୱାପସ୍ ଆୟୋଗା... ।” ସେଇ ବାକ୍ୟଟିକୁ ମୁଁ ଅନୁବାଦ କରି ଆଉ ଥରେ ଉଚ୍ଚାରଣ କରନ୍ତେ ତାହା ମୋ ମାତୃଭାଷାରେ ଆହୁରି ଅଦ୍ଭୁତ ଶୁଭିଲା–ମୁଁ ଫେର୍ ମିଳିବି ତୁମମାନଙ୍କ ସହିତ, ଯେତେବେଳେ ବିଶ୍ଵାସ ତୁମମାନଙ୍କ ହୃଦୟକୁ ଫେରିଆସିବ ।

 

ମୁଁ ମୋ ନିଜ ବାକ୍ୟରେ ରୋମାଞ୍ଚିତ ହୋଇଗଲି । ଗୋଦାବରୀ ନଦୀ ପୋଲ ଉପରେ ଆମର ଅଟକି ରହିଥିବା ଗାଡ଼ିରୁ ମୁଁ ଝୁଙ୍କିପଡ଼ିଲି । ଏଥର ଗୋଦାବରୀ ନଦୀର ପୃଷ୍ଠଭୂମିରେ ଆମର ସମୁଦାୟ ଗାଡ଼ିର ଦୈର୍ଘ୍ୟ ଉପରେ ମୋର ଆଖି ପଡ଼ିଲା । ତଳେ ନଈପାଣିରେ ତଥାପି ସେଇ ଆକର୍ଷଣୀୟ ଅଦ୍ଭୁତ ସବୁଜ ରଙ୍ଗ ବ୍ୟାପିରହିଥାଏ । ମୁଁ ତଳକୁ ଚାହିଁଲି ଓ ହଠାତ୍ ମୋ ମନ ଭିତରେ ସେଇ ମାରାତ୍ମକ ଚିନ୍ତାଟି ଉଦୟ ହେଲା । ମୁଁ ନିଶ୍ଚୟ ପରୀକ୍ଷା କରିବି ସେଇ ବାକ୍ୟଟିକୁ–ମୋ ଭିତରେ ଗୋଟିଏ ଉଗ୍ର ବାସନା ମୁଣ୍ଡଟେକି ଉଠିଲା । ମୋର ସେ ବାସନାକୁ ସାହାଯ୍ୟ କରିବାକୁ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହିଲା ସେଇଠି ବୋଧହୁଏ ।

 

ସେମିତି ବାସନାସକ୍ତ ହୋଇ ମୁଁ ହଠାତ୍ ମୋ ବିଶ୍ଵାସକୁ ପ୍ରଚାର କରିଦେବା ଉଦ୍ଦେଶ୍ୟରେ ସତେକି କମ୍ପାଟ୍‍ମେଣ୍ଟ ଭିତରକୁ ନିଘା କଲି । ମୋର ଏକମାତ୍ର ସହଯାତ୍ରୀ ସେଇ ନୈଷ୍ଠିକ ଦକ୍ଷିଣୀ ସର୍ବଭାରତୀୟ ଅଫିସରଟି ବର୍ତ୍ତମାନ ଯେଉଁଠି ଥାଆନ୍ତୁ ପଛକେ; ଅତୀତର ଆମର ସେଇ ବିସ୍ମୟକର କଥୋପକଥନକୁ ନିଶ୍ଚୟ ମନେ ରଖିଥିବେ । ତାଙ୍କର ନିଶ୍ଚୟ ମନେଥିବ ଯେଉଁପରି ନାଟକୀୟଭାବେ ସେଦିନ ମୁଁ ତାଙ୍କୁ ହଠାତ୍ ଏମିତି ଗୋଟିଏ ପ୍ରଶ୍ନ ପଚାରିଥିଲି, ଯେଉଁଥିରେ ସେ ଭୟ ପାଇବା ଭଳି ଚମକି ପଡ଼ିଥିଲେ–

 

“ଆଚ୍ଛା ! ଅଳ୍ପ ସମୟ ତଳେ ଏଠିକି ଜଣେ କେହି ଆସିଥିବା କଥା ଆପଣଙ୍କର ମନେ ପଡ଼ୁଛି କି ?” ମୁଁ ତାଙ୍କ ହାତକୁ ଅଜାଣତରେ ଛୁଇଁଦେଲି ବୋଧହୁଏ ।

 

“କିଏ ?” ଚମକି ପଡ଼ି ସେ ବଡ଼ବଡ଼ ଆଖିରେ ମତେ ଚାହିଁଲେ । “ଆସି ନଥିଲେ ଜଣେ ଏଠିକି ।” ମୁଁ ନିଜେ ଶୀତେଇଗଲି ମୋ ନିଜ ବାକ୍ୟରେ ଥିବା ବିଶ୍ୱାସରେ ।

 

“କାହା କଥା କହୁଛନ୍ତି ଯେ ! ଜ୍ୟୋତିଷ ?” ସେ ଅନୁଭବ କରିପାରିଲେ ମୋ ଶୀତେଇବାକୁ ।

 

“ନାଃ”, ତାଙ୍କ ଆଖିର ପୁଅକୁ ସିଧାସଳଖ ଚାହିଁଲି ମୋ ଆଖିର ପୁଅଦ୍ଵାରା ଓ ସେତିକିବେଳେ ମୋ ଉପରେ ମୋ ନିଜ ବିଶ୍ଵାସ ଆହୁରି ଦୃଢ଼ ହୋଇଗଲା । ମୁଁ ଖୋଲିଦେଲି ନିଜକୁ ଓ କହିଲି, ସେ ଲୋକଟିର ଦେହର ରଙ୍ଗକୁ ଆପଣ ଲକ୍ଷ୍ୟ କରିଛନ୍ତି ? ବଡ଼ ଅଦ୍ଭୁତଭାବେ ଶ୍ୟାମଳ–ଏକପ୍ରକାର ସବୁଜ, ବରଂ ହରିତ କୁହନ୍ତୁ ।’’

 

ଅର୍ଦ୍ଧଶାୟିତ ଅବସ୍ଥାରୁ ସେ ଉଠିବସିଲେ । ଘୁଞ୍ଚିବାକୁ ଇଚ୍ଛାକଲେ ଜଣେ ଦକ୍ଷିଣଭାରତୀୟ କାହିଁକି, ଯେକୌଣସି ଭାରତୀୟର ଶାରୀରିକ ପୃଥୁଳତା ଏତେ ଶୀଘ୍ର ମିଳେଇଯାଏ ବୋଲି ମୋର ଆଶା ନଥିଲା ।

 

“ଓଃ” ତାଙ୍କର ସେଇ ଦୀର୍ଘନିଃଶ୍ଵାସଟି ମୋର ଏଯାକେ ମନେଅଛି । ଅତୀତରେ ମୋ ବୋଉ ରାମାୟଣ ପଢ଼ିଲାବେଳେ ସ୍ଥାନେ ସ୍ଥାନେ ଏମିତି ଅଟକି ରହି ଦୀର୍ଘନିଃଶ୍ଵାସ ନେଉଥିଲା, ମୋର ମନେ ପଡ଼ିଲା ।

 

“ଆପଣ ସେ ସବୁଜ ମଣିଷକୁ ଦେଖିନାହାନ୍ତି ?” ମୁଁ ପୁଣି ଥରେ ପଚାରିଲି ।

 

“ବୋଧହୁଏ”–ସେ ଧୀରସ୍ଵରରେ କହିବାକୁ ଆରମ୍ଭ କରୁଥିଲେ; କିନ୍ତୁ କ୍ରମଶଃ ଭାବପ୍ରବଣ ହୋଇପଡ଼ି ଉଚ୍ଚସ୍ଵରରେ ଅନୁଯୋଗ କଲେ, “ମୋର ବିଶ୍ଵାସ, ଆପଣ ଠିକ୍ ଦେଖିଛନ୍ତି-। ହଁ, ସେ ନିଶ୍ଚୟ ସେଇ । ତା’ପରେ ସେ ମୋ ସହିତ ସହଯୋଗ କଲାପରି ଭାବିବାକୁ ଲାଗିଲେ ଓ ପୁଣି କହିଲେ “ଭାରତର ମଣିଷମାନେ ଭାରତର ନଈ ପରି ଅଦ୍ଭୁତ । ଆପଣ ନିଶ୍ଚୟ ଠିକ୍ ଦେଖିଛନ୍ତି–ତାଙ୍କର ବର୍ଣ୍ଣ–ଶ୍ୟାମଳ–ମୁଁ ଠିକ୍ ଜାଣେ ସେ ମଣିଷ ନୁହନ୍ତି କି ନଈ ନୁହନ୍ତି–ସେ ସାକ୍ଷାତ୍... ।’’

 

କିନ୍ତୁ ମୁଁ ତାଙ୍କ ବାକ୍ୟଟିକୁ ଶେଷ କରିବାକୁ ନ ଦେଇ ପଚାରିଲି, “ମଣିଷ ହେଉ ବା ନଈ ହେଉ–ମୁଁ ଆଶ୍ଚର୍ଯ୍ୟ ହେଉଛି–ସବାଶେଷରେ ସାମାନ୍ୟ ତମ୍ବା ପଇସାଟିଏ କାହିଁକି ସେ ଭିକ୍ଷା କରୁଥିଲେ ।” ଯଥାର୍ଥ ବିସ୍ମୟ ସହ ପଚାରିଥିଲି ମୁଁ ।

 

“ତମ୍ବା ପଇସାଟିଏ ?” ମୋର ସହଯାତ୍ରୀ ପୁଣି ଥରେ ଚମକିପଡ଼ିଲା ଭଳି ଚାରିଆଡ଼କୁ ଚାହିଁଲେ । ବୋଧହୁଏ ସେଇ ଲୋକଟି ସହିତ ମୋର ପୂର୍ବର କଥାବାର୍ତ୍ତା ସେ ମନ ଦେଇ ଶୁଣି ନଥିଲେ ସେତେବେଳେ ।

 

“ହଁ, ହଁ ।” ମୁଁ ଜୋର ଦେଇ କହିଲି ।

 

“ଓଃ ।” ପୁଣି ଥରେ ସେମିତି ରାମାୟଣ ପଢ଼ିଲାବେଳର ନିଃଶ୍ଵାସ ସେ ମାରିଲେ ।

 

“ଏଥିରେ କିଛି ରହସ୍ୟ ଅଛି ନା କ’ଣ ?” ମୁଁ ବସିପଡ଼ିଲି ତାଙ୍କ ବର୍ଥରେ । ମୋ ଦେହକୁ ତାଙ୍କ ଦେହ କେତେକାଂଶରେ ସ୍ପର୍ଶ କରିଥିଲା, ଆମର ସେଇ ସାମୟିକ ଉତ୍ତେଜନା ଭିତରେ ।

 

ତଥାପି ମୋ ପ୍ରଶ୍ନର ଉତ୍ତର ଦେବା ଛଳରେ ବ୍ୟାଖ୍ୟା କଲାପରି କହିଲେ, “ଭାରତର ନଈମାନଙ୍କ ଜଳକୁ ତମ୍ବାପାତ୍ରୀରେ ଧରି ପିତୃତର୍ପଣ କରିବା ଏକ ପବିତ୍ର କାର୍ଯ୍ୟ–ବୋଧହୁଏ ଏମିତି କିଛି କାରଣରୁ ଭାରତୀୟ ଯାତ୍ରୀମାନେ ପ୍ରତ୍ୟେକ ଥର ନଈପାରି ହେଲାବେଳେ ପାଣିକୁ ଯେକୌଣସି ଜିନିଷରେ ଛୁଇଁ ଦେବାକୁ ପୁଣ୍ୟ ମନେ କରନ୍ତି । ବୋଧହୁଏ ସେଇ ତର୍ପଣ ଉଦ୍ଦେଶ୍ୟରେ–’’

 

“ଆପଣ ବିଶ୍ଵାସ କରନ୍ତି–ଏଇ ତର୍ପଣ ପ୍ରଭୃତିରେ ?” ମୁଁ ପୁଣି ଥରେ ଅଟକେଇ ଦେଲି ତାଙ୍କୁ କଥା ମଝିରେ । କିନ୍ତୁ ମୋ ଭିତରେ ଟଗବଗ ହେଉଥିବା ବିଶ୍ୱାସଟିକୁ ମୁଁ ସେତେବେଳେ ଆୟତ୍ତ କରି ପାରି ନଥିଲି । ତେଣୁ ତାଙ୍କର ଉତ୍ତରପାଇଁ ଅପେକ୍ଷା ନ ରଖି ମୁଁ ସେତେବେଳେ ମୋ ପକେଟ ଅଣ୍ଡାଳି କେତେକ ତମ୍ବା ପଇସା କାଢ଼ିସାରିଥିଲି ଓ ସେଗୁଡ଼ିକୁ ଥୋଇ ସାରିଥିଲି–ମୋ ଖାଇବା ହାତପାପୁଲି ଉପରେ ।

 

ମୋର ହାବଭାବରୁ ସେତେବେଳକୁ ତାଙ୍କ ମୁହଁ ଉପରେ ଗୋଟିଏ ସଲ୍ଲଜ ତାମ୍ରବର୍ଣ୍ଣ ବୁଲିଯାଇଥିଲା । ସେଇ ବର୍ଣ୍ଣଟିକୁ ଦେଖି ମୁଁ ଆହୁରି ପ୍ରେମରେ ପଡ଼ିଗଲାପରି ଲାଗିଗଲି ତାଙ୍କଠେଇଁ–“ତାହାହେଲେ ଆସନ୍ତୁ–ସେଇ ପବିତ୍ର କାର୍ଯ୍ୟଟି କରିବା–” ମୁଁ ହାତ ବଢ଼େଇଦେଲି ତାଙ୍କ ଆଡ଼କୁ ।

 

କିନ୍ତୁ ସେ ତାଙ୍କ ହାତ ହଠାତ୍ ବଢ଼େଇଦେଲେ ନାହିଁ ଟିକିଏ ସ୍ଥିର ହୋଇଗଲେ । ମାତ୍ର ମୁହୂର୍ତ୍ତକ ଭିତରେ ପୁଣି ଅସ୍ଥିର ହୋଇପଡ଼ିଲେ ଓ ଟିକିଏ ଲାଜରା ହୋଇଗଲେ କି କ’ଣ ! ତା’ପରେ, ଅନୁତାପ କଲାପରି ମୁହଁଟି ଶୁଖିଗଲା ତାଙ୍କର । କହିଲେ–

 

“ଦେଖନ୍ତୁ ! ବଡ଼ ଗୋଟିଏ ସ୍ଵାର୍ଥପରତା ହୋଇଗଲା...ଟିକିଏ ପୂର୍ବରୁ–ମୁଁ ସେ କାମ ସାରିଦେଇଛି ଆଜ୍ଞା ! ଆପଣ ଅନ୍ୟମନସ୍କ ଥିଲେ–କ୍ଷମା କରିବେ ।’’

 

ମୁଁ ମୋ ହାତକୁ ଫେରେଇ ଆଣିଲି ନାହିଁ । ସେମିତି ଖୋଲା ପାପୁଲିଟି ତାଙ୍କ ଆଗରେ ଦେଖେଇ କହିଲି–

 

“ଆସନ୍ତୁ ନା ! ପ୍ରକାଶ୍ୟରେ ଆଉଥରେ ଏକାଠି ସେଇ କାର୍ଯ୍ୟଟି କରିବା । ମୋର ମନେ ହେଉଛି, ଆମର ପିତୃପୁରୁଷ ଏହି ସାମୂହିକ ତର୍ପଣକୁ ଆହୁରି ତୃପ୍ତିରେ ଗ୍ରହଣ କରିବେ ।’’

 

ମୋର ଆମିଷାହାରରେ ମୋତେ ନିତି ସାହାଯ୍ୟ କରୁଥିବା ମୋ ଖାଇବା ହାତପାପୁଲିରୁ ତମ୍ବା ପାଇସାଟିଏ ଗ୍ରହଣ କଲାବେଳେ ତାଙ୍କର ମୁହଁ ଉପରେ ସେଇ ତୃପ୍ତିଟିକୁ ମୁଁ ଦେଖିପାରିଲି, ଯାହା ବିଷୟରେ ମୁଁ କହୁଥିଲି ।

 

ସାଙ୍ଗ ହେଇ ଗୋଦାବରୀ ନଦୀ ଭିତରକୁ ଆମେ ତମ୍ବା ପଇସା ନିକ୍ଷେପ କରିଥିଲୁ ସେଦିନ ।

 

ତମ୍ବା ସହିତ ନଦୀଜଳର ସ୍ପର୍ଶ ମୁହୂର୍ତ୍ତରେ ଆମର କଥୋପକଥନ ମୋର ସ୍ପଷ୍ଟ ମନେ ଅଛି-। ସେ ମୋ ହାତକୁ ଚିପିଧରିଲେ, ଆଉ ଜଣେ ଭକ୍ତ ଅନ୍ୟ ଜଣେ ଭକ୍ତକୁ କହିଲା ପରି କହିଲେ–

 

“ଆପଣ ଭଗବାନଙ୍କ ଦର୍ଶନ ପାଇଛନ୍ତି–ଆଉ ଜୀବନରେ ଚିନ୍ତା କ’ଣ ?” ସେମିତି ଚିପିଧରିଥାନ୍ତି ମୋ ହାତକୁ ସେ ।

 

ମୁଁ ତାଙ୍କର ହାତର ଉଷୁମକୁ ଅନୁଭବ କରୁଥିଲି; କିନ୍ତୁ ପ୍ରକୃତରେ ମୁଁ ଚିନ୍ତାଶୂନ୍ୟ ହୋଇ ପାରି ନଥିଲି । ମୋର ସବୁଠୁ ବଡ଼ ଚିନ୍ତାଟି ଥିଲା ସେତେବେଳେ ଆଉ ଟିକକେ ଆମ ହାତର ଉଷୁମ, ଆମ ଛାତିର ଏ ବିଶ୍ଵାସ ସବୁ ପୁଣି ପାଣି ଫାଟିଯିବ–ସବୁ କୋହଳ ହୋଇଯିବ । ଟିକିଏ ପରେ ତାଙ୍କ ନିକଟରୁ ମୋତେ ପୁଣି ଫେରିଯିବାକୁ ପଡ଼ିବ–ମୋର ସେଇ ଇନ୍ଦିରା-ନିଜଲିଙ୍ଗାପ୍‍ପା ସମ୍ବାଦପତ୍ରର ଖୋଳପା ଭିତରକୁ–ସେତେବେଳେ ସେଇ ଶୂନ୍ୟ ମୁଁ ଭର୍ତ୍ତି କରିବି କେମିତି ? ମୁଁ ଅବଶ ହୋଇପଡ଼ୁଥିଲି ।

 

ଏତିକିବେଳେ ନିଦରୁ ଉଠୁଥିବା ଗୋଟିଏ ଦୀର୍ଘ ସୁଷୁପ୍ତ ଆତ୍ମାର ନିଃଶ୍ଵାସ ପରି ଆମ ଗାଡ଼ିର ନିଃଶ୍ଵାସଟି ଶୁଣାଗଲା ଓ ସାଙ୍ଗେ ସାଙ୍ଗେ ଆମର ଅଟକିଥିବା ଗାଡ଼ି ପୁଣି ଗତିଶୀଳ ହୋଇଉଠିଲା ।

Image